ଓଡ଼ିଶାରେ INDIA ସଫଳ ହେବ ତ!

Published: Jul 21, 2023, 8:35 am IST

ଭୁବନେଶ୍ୱର: ଦେଶରେ କ୍ଷମତାସୀନ ଏନଡିଏ ବିରୋଧରେ ନିକଟରେ ବେଙ୍ଗାଲୁରରେ ୨୬ଟି ବିରୋଧି ଦଳ ପକ୍ଷରୁ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ ଆଲାଏନ୍ସ (INDIA) ଗଠିତ ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ INDIA ଦଳଭୁକ୍ତ ଦଳମାନେ ଶାସକ ବିଜେପିକୁ ପରାସ୍ତ କରିବେ ବୋଲି ସମସ୍ତ ବିରୋଧିଦଳଗୁଡ଼ିକ ଆଶା ବାନ୍ଧି ବସିଛନ୍ତି। ସର୍ବଭାରତୀୟ ସ୍ତରରେ ଏଭଳି ଏକ ମେଣ୍ଟ ହୋଇଥିବାବେଳେ ଓଡ଼ିଶାରେ ଏହା ସମ୍ଭ କି ନୁହେଁ ତାହା ଏବେ ଆଲୋଚନାର ବିଷୟ ହୋଇଛି।

କଂଗ୍ରେସ ବିରୋଧୀ ଜନମତକୁ ପାଥେୟ କରି ୨୦୦୦ ମସିହା ପରଠାରୁ ପ୍ରଥମେ ବିଜେପି ସହିତ ମେଣ୍ଟ କରି, ୨୦୦୯ ପରଠାରୁ ଏକାକୀ ଶାସନ କ୍ଷମତାରେ ରହିଛି ବିଜୁ ଜନତା ଦଳ (ବିଜେଡି)। ୨୦୦୯ ପରଠାରୁ କେନ୍ଦ୍ରରେ ଯେଉଁ ଦଳ ଶାସନକୁ ଆସୁନା କାହିଁକି ସେମାନଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷାକରି ଶାସକ ବିଜେଡି କ୍ଷମତା ବଜାୟ ରଖିଛି। କିନ୍ତୁ କୌଣସି ସର୍ବଭାରତୀୟ ମେଣ୍ଟ ସହିତ ନାହିଁ ବିଜେଡି। ଏନଡିଏ କୁହ ବା ୟୁପିଏ, ଏପରକି ବର୍ତ୍ତମାନର ‘INDIA’ଠାରୁ ସମଦୂରତା ରକ୍ଷା କରି ଆସିଛି ଶାସକ ବିଜେଡି।

୨୦୦୦ ମସିହା ପରଠାରୁ କଂଗ୍ରେସ ଯେଉଁ ସବୁ ଦଳ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିଛି ସେମାନେ ପରବର୍ତ୍ତୀ ସମୟରେ ଶାସକ ବିଜେଡି ସହିତ ରହିବାକୁ ଶ୍ରେୟସ୍କର ମନେକରିଛନ୍ତି। ୨୦୦୦ ମସିହାର କଂଗ୍ରେସ ବାମପନ୍ଥୀ ଦଳ ସିପିଆଇ, ସିପିଏମ ବ୍ୟତୀତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସହିତ ମେଣ୍ଟ କରି ଆସିଛି। କଂଗ୍ରେସର ଏହି ସହଯୋଗୀ ଦଳର ସଦସ୍ୟମାନେ ବିଭିନ୍ନ ସମୟରେ କଂଗ୍ରେସକୁ ଛାଡ଼ି ବିଜେଡିକୁ ସମର୍ଥନ ଦେଇ ଆସିଛନ୍ତି।

ଏପରିକି ଜେଏମଏମ ଦଳର ୪ଜଣ ସଦସ୍ୟ ବିଧାନସଭାକୁ ନିର୍ବାଚିତ ହୋଇ ଆସିବା ପରେ ଶାସକ ବିଜେଡିରେ ବିଲୀନ ହୋଇଯାଇଥିଲେ। ୨୦୦୮ରେ ମେଣ୍ଟ ସରକାରରୁ ବିଜେପି ଓହରି ଯିବା ପରେ ଜେଏମଏମ, ସିପିଆଇ, ସିପିଏମ, ଓଡ଼ିଶା ଗଣ ପରିଷଦର  ସଦସ୍ୟମାନେ ବିଜେଡି ସରକାରକୁ ସମର୍ଥନ କରିଥିଲେ। ୨୦୦୯ରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବିଜେଡି ସହିତ ମେଣ୍ଟ କରି ୪ଟି ଆସନରେ ବିଜୟୀ ହୋଇଥିଲା। ପରେ ଏହି ୪ଜଣ ବିଧାୟକ ବିଧାୟକ ବିଜେଡି ସହିତ ବିଲୀନ ହୋଇଯାଇଥିଲେ।

ବର୍ତ୍ତମାନ ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ଶାସକ ବିଜେଡି, ବ୍ୟତୀତ ବିଜେପି, କଂଗ୍ରେସ, ବାମପନ୍ଥୀମାନେ ରହିଛନ୍ତି। ଏନସିପିର ଅସ୍ତିତ୍ୱ ରାଜ୍ୟରେ ନାହିଁ। ଏପରିକି ଜେଏମଏମ ନିଜର ସ୍ଥିତି ଜାହିର କରିବା ପାଇଁ ସଂଘର୍ଷ କରୁଛି। ରାଜ୍ୟରେ ଥିବା ଅନ୍ୟାନ୍ୟ ଦଳ ସମାଜବାଦୀ ପାର୍ଟି, ଆରଜେଡି କେବଳ ସାଇନବୋର୍ଡ଼ ପାର୍ଟି ଭାବରେ ସୀମିତ ରହିଛନ୍ତି।

ପ୍ରେସ ରିଲିଜ ମାଧ୍ୟରେ ନିଜର ଉପସ୍ଥିତି ଜାହିର କରୁଥିବା ସମାଜବାଦୀ ପାର୍ଟି ବିଭିନ୍ନ ପ୍ରସଙ୍ଗରେ ସରକାରକୁ ଘେରୁଥିବାବେଳେ କୌଣସି ପ୍ରସଙ୍ଗରେ କଂଗ୍ରେସକୁ ସମର୍ଥନ କରୁଥିବା ପରିଲକ୍ଷିତ ହେଉନାହିଁ। ଏଭଳି ସ୍ଥିତିରେ ଓଡ଼ିଶାରେ INDIA ସଫଳ ହେବ ନାହିଁ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। ଅପର ପକ୍ଷରେ NDA ମଧ୍ୟ ଓଡ଼ିଶାରେ ଏକାକୀ ରହିବ ବୋଲି ଜଣାପଡ଼ିଛି।

Related posts