Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ ମଦନ ଦାସ ଜୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବିଶେଷ ଖବର

କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ ମଦନ ଦାସ ଜୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

August 6, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କିଛି ଦିନ ତଳେ ଯେତେବେଳେ ଆମେ ଶ୍ରୀ ମଦନ ଦାସ ଦେବୀ ଜୀଙ୍କୁ ହରାଇଥିଲୁ, ସେତେବେଳେ ମୋ ସମେତ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ। ମଦନ ଦାସ ଜୀଙ୍କ ପରି ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଆଉ ଆମ ଗହଣରେ ନାହାନ୍ତି, ଏଭଳି ବିଶ୍ୱାସ କରିବା ଆମ ପାଇଁ ଏକ ଆହ୍ୱାନପୂର୍ଣ୍ଣ ବାସ୍ତବତା। ତଥାପି, ତାଙ୍କ ପ୍ରଭାବ ଚିରକାଳ ଜୀବିତ ରହିବ ବୋଲି ମନରେ ଧାରଣା କରି ଆମେ ସାନ୍ତ୍ୱନା ପାଉଛୁ। ତାଙ୍କର ଶିକ୍ଷା ଓ ଆଦର୍ଶ ଭବିଷ୍ୟତର ଯାତ୍ରାରେ ଆମ ପାଇଁ ପ୍ରେରଣା ଓ ମାର୍ଗଦର୍ଶନର ପ୍ରତୀକ ଭାବେ କାର୍ଯ୍ୟ କରିବ।

ବର୍ଷ ବର୍ଷ ଧରି ମଦନ ଦାସ ଜୀଙ୍କ ସହ ଘନିଷ୍ଠ ଭାବରେ କାମ କରିବାର ସୌଭାଗ୍ୟ ମୋତେ ମିଳିଥିଲା। ମୁଁ ଅତି ନିକଟରୁ ତାଙ୍କ ସରଳତା ଏବଂ ମୃଦୁଭାଷୀ ସ୍ୱଭାବ ଦେଖିଥିଲି। ସେ ଜଣେ ଉତ୍କୃଷ୍ଟ ସାଂଗଠନିକ ବ୍ୟକ୍ତି ଥିଲେ ଏବଂ ମୁଁ ମଧ୍ୟ ସଂଗଠନରେ କାମ କରିବାରେ ଯଥେଷ୍ଟ ସମୟ ବିତାଇଥିଲି। ତେଣୁ ସାଂଗଠନିକ ବିକାଶ ଓ କାର୍ଯ୍ୟକର୍ତ୍ତାଙ୍କ ଅଭିବୃଦ୍ଧି ସମ୍ବନ୍ଧୀୟ ଦିଗଗୁଡ଼ିକ ଆମ କଥାବାର୍ତ୍ତାରେ ନିୟମିତ ଭାବରେ ସ୍ଥାନ ପାଇବା ସ୍ୱାଭାବିକ ଥିଲା। ଏମିତି ଥରେ କଥାବାର୍ତ୍ତା ବେଳେ ମୁଁ ତାଙ୍କୁ ପଚାରିଲି ସେ ମୂଳତଃ କେଉଁ ଅଞ୍ଚଳର ବାସିନ୍ଦା। ସେ ମୋତେ କହିଥିଲେ ଯେ ସେ ମହାରାଷ୍ଟ୍ରର ସୋଲାପୁର ନିକଟସ୍ଥ ଏକ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ତାଙ୍କ ପୂର୍ବପୁରୁଷମାନେ ଗୁଜରାଟରୁ ଆସିଥିଲେ। କିନ୍ତୁ ସେମାନେ ପ୍ରକୃତରେ କେଉଁ ସ୍ଥାନରୁ ଆସିଥିଲେ ସେ ବିଷୟରେ ଅବଗତ ନଥିଲେ। ମୁଁ ତାଙ୍କୁ କହିଲି ଯେ ‘ଦେବୀ’ ସାଙ୍ଗିଆଧାରୀ ମୋର ଜଣେ ଶିକ୍ଷକ ଅଛନ୍ତି ଏବଂ ସେ ବିସନଗର ବାସିନ୍ଦା। ପରବର୍ତ୍ତୀ ସମୟରେ, ସେ ବିସନଗର ଓ ୱଡ଼ନଗର ମଧ୍ୟ ଗସ୍ତ କରିଥିଲେ। ଆମେ ଗୁଜରାଟୀ ଭାଷାରେ ମଧ୍ୟ କଥାବାର୍ତ୍ତା ହେଉଥିଲୁ।

ମଦନ ଦାସ ଜୀଙ୍କର ଅନେକ ବିଶେଷତ୍ୱ ମଧ୍ୟରୁ ଗୋଟିଏ ଥିଲା, ଶବ୍ଦ ଠାରୁ ଊର୍ଦ୍ଧ୍ୱକୁ ଯାଇ ସେହି ଶବ୍ଦ ପଛରେ ଥିବା ଭାବନାକୁ ବୁଝିବାରେ ତାଙ୍କର ଦକ୍ଷତା। ମୃଦୁଭାଷୀ ଏବଂ ସର୍ବଦା ହସଖୁସିରେ ସେ ଘଣ୍ଟା ଘଣ୍ଟା ଧରି ଚାଲିଥିବା ଆଲୋଚନାକୁ ମାତ୍ର କିଛି ବାକ୍ୟରେ ସମାହିତ କରିପାରୁଥିଲେ।

ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସମୂହଙ୍କ ହିତକୁ କିଭଳି ଗୁରୁତ୍ୱ ଦିଆଯାଏ ତାହା ମଦନ ଦାସ ଜୀଙ୍କ ଜୀବନରୁ ପ୍ରମାଣିତ ହୋଇଥାଏ। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ ସେ ପ୍ରଶିକ୍ଷଣ ନେଇଥିଲେ। ଚାହିଁଥିଲେ ଏକ ଆରାମଦାୟକ ଜୀବନ ଯାପନ କରିପାରିଥାନ୍ତେ, କିନ୍ତୁ ବିଚାରକୁ ପ୍ରଭାବିତ କରିବା ଏବଂ ଭାରତର ବିକାଶ ଦିଗରେ କାର୍ଯ୍ୟ କରିବାରେ ତାଙ୍କର ଆଗ୍ରହ ଥିଲା।

ଭାରତର ଯୁବବର୍ଗଙ୍କ ଉପରେ ମଦନ ଦାସଙ୍କର ଅତୁଟ ବିଶ୍ୱାସ ଥିଲା। ସେ ସମଗ୍ର ଭାରତର ଯୁବପିଢ଼ିଙ୍କ ସହ ଯୋଡ଼ି ହୋଇପାରୁଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦକୁ ସୁଦୃଢ଼ କରିବାରେ ସେ ନିଜକୁ ନିୟୋଜିତ କରିଥିଲେ। ଏହି ଯାତ୍ରାରେ ତାଙ୍କର ଅନ୍ୟତମ ପ୍ରମୁଖ ପ୍ରେରଣା ଥିଲେ ଯଶୋବନ୍ତରାଓ କେଲକର ଜୀ। ସେ ତାଙ୍କ ଦ୍ୱାରା ଗଭୀର ଭାବରେ ଅନୁପ୍ରାଣିତ ହୋଇଥିଲେ ଏବଂ ପ୍ରାୟତଃ ତାଙ୍କ ବିଷୟରେ କଥା ହେଉଥିଲେ। ମଦନ ଦାସ ଜୀ ସର୍ବଦା ଏବିଭିପିର କାର୍ଯ୍ୟରେ ଅଧିକରୁ ଅଧିକ ଛାତ୍ରୀଙ୍କୁ ସାମିଲ କରିବା ଏବଂ ସାମାଜିକ କଲ୍ୟାଣରେ ଯୋଗଦାନ କରିବା ପାଇଁ ଏକ ମଞ୍ଚ ଭାବେ ଏହାକୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ବାରମ୍ବାର କହୁଥିଲେ ଯେ, ଛାତ୍ରୀମାନେ କୌଣସି ସାମୂହିକ ପ୍ରୟାସରେ ସାମିଲ ହେଲେ ସେହି ପ୍ରୟାସ ସର୍ବଦା ଅଧିକ ସମ୍ବେଦନଶୀଳ ହୋଇଥାଏ।

ମଦନ ଦାସଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ ସର୍ବୋପରି ଥିଲା। ସେ ସବୁବେଳେ ଛାତ୍ରଛାତ୍ରୀଙ୍କ ଗହଣରେ ରହୁଥିଲେ, କିନ୍ତୁ ପଙ୍କରେ ପଦ୍ମ ପରି ସେ କେବେ ବି ବିଶ୍ୱବିଦ୍ୟାଳୟ ରାଜନୀତିରେ ନିଜକୁ ସାମିଲ କରୁନଥିଲେ।

ମୁଁ ଏମିତି ଅନେକ ନେତାଙ୍କୁ ଜାଣିଛି ଯେଉଁମାନେ ସାର୍ବଜନୀନ ଜୀବନରେ ଉନ୍ନତି ପାଇଁ ନିଜ ଯୁବାବସ୍ଥାରେ ମଦନ ଦାସଜୀଙ୍କ ଠାରୁ ମିଳିଥିବା ମାର୍ଗଦର୍ଶନକୁ ଶ୍ରେୟ ଦେଇଥାନ୍ତି । କିନ୍ତୁ ଏହାକୁ ନେଇ ବଡ଼ିମା ଦେଖାଇବା ତାଙ୍କ ସ୍ୱଭାବ ନଥିଲା।

ଆଜିକାଲି, ମାନବ ପରିଚାଳନା, ପ୍ରତିଭା ପରିଚାଳନା ଏବଂ ଦକ୍ଷତା ପରିଚାଳନା ଭଳି ଅବଧାରଣା ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛି । ମଦନ ଦାସ ଜୀ ଲୋକମାନଙ୍କୁ ବୁଝିବା ଏବଂ ସେମାନଙ୍କ ପ୍ରତିଭାକୁ ସାଂଗଠନିକ ଲକ୍ଷ୍ୟରେ ଉପଯୋଗ କରିବାରେ ସିଦ୍ଧହସ୍ତ ଥିଲେ।

ସେ ସ୍ୱତନ୍ତ୍ର ଥିଲେ କାରଣ ସେ ଲୋକଙ୍କ ସାମର୍ଥ୍ୟକୁ ବୁଝିଥିଲେ ଏବଂ ସେହି ଆଧାରରେ ସେମାନଙ୍କୁ କାମରେ ନିୟୋଜିତ କରିଥିଲେ। ଲୋକମାନଙ୍କୁ ନିଜର ଆବଶ୍ୟକତା ଅନୁଯାୟୀ ଗଢ଼ିବା ଉଚିତ ବୋଲି ଧାରଣାକୁ ସେ କେବେ ବି ଗ୍ରହଣ କରିନଥିଲେ। ସେଥିପାଇଁ କୌଣସି ଯୁବ କାର୍ଯ୍ୟକର୍ତ୍ତାଙ୍କ ମନକୁ କିଛି ନୂଆ ଉପାୟ ଆସିଲେ ମଦନ ଦାସ ଜୀ ସ୍ପଷ୍ଟ ଭାବେ ତା’କୁ ଆଗକୁ ଆଣୁଥିଲେ। ଏହି କାରଣରୁ ତାଙ୍କ ସହ କାମ କରିଥିବା ଅନେକ ଲୋକ ନିଜ ନିଜ ସାମର୍ଥ୍ୟ ଆଧାରରେ ଏକ ଛାପ ଛାଡ଼ିବାକୁ ସ୍ୱୟଂ ଅନୁପ୍ରାଣିତ ହୋଇଥିଲେ। ତେଣୁ ତାଙ୍କ ନେତୃତ୍ୱରେ ସଂଗଠନଗୁଡ଼ିକ ବ୍ୟାପକ ଭାବରେ ବିକଶିତ ହୋଇଥିଲା। ବ୍ୟାପକ ଏବଂ ବିସ୍ତୃତ ହେବା ସତ୍ତ୍ୱେ ଏସବୁ ସଂଗଠନ ଏକଜୁଟ ଏବଂ ପ୍ରଭାବଶାଳୀ ମଧ୍ୟ ରହିଥିଲେ।

କହିବା ବାହୁଲ୍ୟ ଯେ, ମଦନ ଦାସଜୀଙ୍କର ଏକ ବ୍ୟସ୍ତବହୁଳ ଯାତ୍ରା ସୂଚୀ ଥିଲା। ନିଜ କର୍ତ୍ତବ୍ୟ ବ୍ୟତୀତ ଲୋକଙ୍କୁ ଭେଟିବା କ୍ଷେତ୍ରରେ ସେ ଚୟନଶୀଳ ଥିଲେ ଏବଂ ସାକ୍ଷାତ ପାଇଁ ସବୁବେଳେ ପୂର୍ବରୁ ପ୍ରସ୍ତୁତ ରହୁଥିଲେ। ତେବେ ତାଙ୍କ କାର୍ଯ୍ୟକ୍ରମ ସବୁବେଳେ ସରଳ ଥିଲା।

କୌଣସି କର୍ମକର୍ତ୍ତାଙ୍କ ଉପରେ ବୋଝ ରହୁନଥିଲା। ଏହି ଗୁଣ ଶେଷ ପର୍ଯ୍ୟନ୍ତ ତାଙ୍କର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିଲା। ସେ ଦୀର୍ଘ ଦିନର ଅସୁସ୍ଥତାକୁ ସାହସର ସହିତ ମୁକାବିଲା କରୁଥିଲେ, କିନ୍ତୁ ମୁଁ ତାଙ୍କୁ ଏ ବିଷୟରେ ବାରମ୍ବାର ପଚାରିଲେ ମଧ୍ୟ ସେ କମ୍‌ କଥା ହେଉଥିଲେ। ଶାରୀରିକ ଯନ୍ତ୍ରଣା ସତ୍ତ୍ୱେ ସେ ଖୁସିରେ ରହୁଥିଲେ। ଅସୁସ୍ଥତା ସମୟରେ ମଧ୍ୟ ସେ ଦେଶ ଓ ସମାଜ ପାଇଁ କ’ଣ କରିପାରିବେ ସେ ବିଷୟରେ ନିରନ୍ତର ଚିନ୍ତା କରୁଥିଲେ।
ମଦନ ଦାସଜୀଙ୍କର ଏକ ଚମତ୍କାର ଶୈକ୍ଷିକ ରେକର୍ଡ ଥିଲା ଏବଂ ଏହା ତାଙ୍କର କାର୍ଯ୍ୟଶୈଳୀକୁ ମଧ୍ୟ ଆକାର ଦେଇଥିଲା। ସେ ଜଣେ ଉତ୍ସାହୀ ପାଠକ ଥିଲେ।

ଯେତେବେଳେ ବି ସେ କିଛି ଭଲ ପଢ଼ୁଥିଲେ, ସେ ତାହା ସେହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟକୁ ପଠାଉଥିଲେ। ମୁଁ ସୌଭାଗ୍ୟବାନ ଯେ ମୁଁ ବାରମ୍ବାର ଏଭଳି ଜିନିଷ ପାଇଛି। ଅର୍ଥନୀତି ଏବଂ ନୀତିଗତ ବିଷୟରେ ମଧ୍ୟ ତାଙ୍କର ଭଲ ଜ୍ଞାନ ଥିଲା। ସେ ଏପରି ଏକ ଭାରତର ପରିକଳ୍ପନା କରିଥିଲେ ଯେଉଁଠାରେ କୌଣସି ବ୍ୟକ୍ତି ଅନ୍ୟ ଉପରେ ନିର୍ଭରଶୀଳ ନଥିବେ, ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ନିଜ ଗୋଡ଼ରେ ଠିଆ ହୋଇପାରୁଥିବ ତଥା ଆତ୍ମଉନ୍ନତି ଏବଂ ଅଭିବୃଦ୍ଧିର ସୁଯୋଗ ଦ୍ୱାରା ସଶକ୍ତ ହୋଇପାରୁଥିବ। ମଦନ ଦାସ ଜୀ ଏପରି ଏକ ଭାରତର ପରିକଳ୍ପନା କରିଥିଲେ ଯେଉଁଠାରେ ଆତ୍ମନିର୍ଭରଶୀଳତା କେବଳ ଏକ ଲକ୍ଷ୍ୟ ନୁହେଁ ବରଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଜୀବନ୍ତ ବାସ୍ତବତା ଥିଲା। ତାଙ୍କ ପରିକଳ୍ପନାର ଭାରତ, ପାରସ୍ପରିକ ସମ୍ମାନ, ସଶକ୍ତିକରଣ ଏବଂ ଅଂଶୀଦାରଙ୍କ ସମୃଦ୍ଧିର ନୀତି ଉପରେ ଆଧାରିତ ସମାଜ ଥିଲା। ଏବେ ଭାରତ ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧିକ ଆତ୍ମନିର୍ଭରଶୀଳ ହେଉଥିବାରୁ ବୋଧହୁଏ ସେ ସବୁଠୁ ଅଧିକ ଖୁସି ହୋଇଥାନ୍ତେ।

ଆଜି ଯେତେବେଳେ ଆମର ଗଣତନ୍ତ୍ର ସକ୍ରିୟ ରହିଛି, ଯୁବପିଢ଼ି ଆତ୍ମବିଶ୍ୱାସୀ ହୋଇପାରିଛନ୍ତି, ସମାଜ ଆଗକୁ ବଢୁଛି ଏବଂ ଦେଶ ଆଶା ଓ ଆକାଂକ୍ଷାରେ ପରିପୂର୍ଣ୍ଣ ହୋଇପାରିଛି, ସେତେବେଳେ ଶ୍ରୀ ମଦନ ଦାସ ଦେବୀ ଜୀଙ୍କ ଭଳି ଲୋକଙ୍କୁ ମନେ ପକାଇବା ଜରୁରୀ। କାରଣ ସେ ରାଷ୍ଟ୍ର ସେବାରେ ଏବଂ ଦେଶକୁ ଏପରି ଉନ୍ନତି ପଥରେ ଆଗେଇ ନେବା ଦିଗରେ ନିଜର ସମ୍ପୂର୍ଣ୍ଣ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.