ଛତିଶଗଡ଼ରେ ରାହୁଲ ଗାନ୍ଧି ଓ ରମଣ ସିଂହଙ୍କ ମଧ୍ୟରେ କ’ଣ ରହିଛି ସମ୍ପର୍କ?

Published: Aug 21, 2023, 4:59 pm IST

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଏକ୍ଜିଟ୍ ପୋଲ୍ ଆସିବା ଆରମ୍ଭ ହୋଇଛି। ନ୍ୟୁଜ୍ ଚ୍ୟାନେଲ୍ ଏବିପି ନ୍ୟୁଜ୍ ଏବଂ ସର୍ଭେ ଏଜେନ୍ସି ସି ଭୋଟର ପକ୍ଷରୁ ପ୍ରକାଶିତ ଏକଜିଟ୍ ପୋଲ୍ ଅନୁଯାୟୀ ଛତିଶଗଡ଼ରେ ପୁଣି ଥରେ କଂଗ୍ରେସ ସରକାର ଗଠନ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏକଜିଟ୍ ପୋଲ୍ ରେ କଂଗ୍ରେସକୁ ୪୮ରୁ ୫୪ ଓ ବିଜେପିକୁ ୩୫ରୁ ୪୧ ଆସନ ମିଳିବ ବୋଲି ଆକଳନ କରାଯାଇଛି। ଅନ୍ୟ ଦଳଗୁଡ଼ିକୁ ୦ରୁ ୩ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି। ଏହି ଏକଜିଟ୍ ପୋଲରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ଦେଖିବାକୁ ମିଳିଛି। ଏହି ସଂଖ୍ୟାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂହ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଏକ ଅଦ୍ଭୁତ ଯୋଗାଯୋଗ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଛତିଶଗଡ଼ବାସୀ ରାହୁଲ ଗାନ୍ଧିଙ୍କୁ ଯେତିକି ପସନ୍ଦ କରନ୍ତି, ଡକ୍ଟର ରମଣ ସିଂହଙ୍କୁ ସେତିକି ପସନ୍ଦ କରନ୍ତି।

ଏକଜିଟ୍ ପୋଲରେ ଛତିଶଗଡ଼ବାସୀଙ୍କୁ ପଚରାଯାଇଥିଲା ଯେ ମୁଖ୍ୟମନ୍ତ୍ରୀଭାବେ ସେମାନଙ୍କ ପାଇଁ ପ୍ରଥମ ପସନ୍ଦ କିଏ ? ଏହାର ଜବାବରେ ୨୪ ପ୍ରତିଶତ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ସେହିପରି ଛତିଶଗଡ଼ର ୪୯ ପ୍ରତିଶତ ଲୋକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଭାବେ ଭୂପେଶ ବାଘେଲ ପ୍ରଥମ ପସନ୍ଦ ରହିଛନ୍ତି। ୧୩ ପ୍ରତିଶତ ଟିଏସ୍ ସିଂହଦେଓଙ୍କୁ ପସନ୍ଦ କରିଥିବାବେଳେ ୧୪ ପ୍ରତିଶତ ଅନ୍ୟମାନଙ୍କୁ ପସନ୍ଦ କରିଛନ୍ତି।

ସେପଟେ ପ୍ରଧାନମନ୍ତ୍ରୀ ଚୟନ କ୍ଷେତ୍ରରେ ଛତିଶଗଡ଼ବାସୀଙ୍କ ମତାମତ ପଚାରିବାରୁ ରାହୁଲ ଗାନ୍ଧିଙ୍କୁ ନେଇ ତାଙ୍କର ଉତ୍ତର ଆଶ୍ଚର୍ଯ୍ୟଜନକ ଥିଲା। ଲୋକଙ୍କୁ ପଚରାଯାଇଥିଲା ଯେ ଯଦି ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧିଙ୍କୁ ସିଧାସଳଖ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ପଡ଼ିବ, ତେବେ ସେମାନେ କାହାକୁ ବାଛିବେ ? ୭୧ ପ୍ରତିଶତ ଲୋକ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ବାଛିଥିଲେ। ୨୪ ପ୍ରତିଶତ ଲୋକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଚେହେରା ପାଇଁ ରାହୁଲ ଗାନ୍ଧି ସେମାନଙ୍କ ପସନ୍ଦ ଥିଲେ। ସେହିପରି ୪ ପ୍ରତିଶତ ଲୋକ ଏହା କହିଛନ୍ତି ଯେ ନୁହେଁ ଏବଂ ଗୋଟିଏ ପ୍ରତିଶତ ଅନ୍ୟଜଣଙ୍କ ନାମ ରଖିଛନ୍ତି।

ବିରୋଧୀ ଦଳ ନେତାଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ କାର୍ଯ୍ୟକୁ ନେଇ ୩୧ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା କହିଛନ୍ତି। ୨୫ ପ୍ରତିଶତ କମ୍ ସନ୍ତୁଷ୍ଟ, ୨୯ ପ୍ରତିଶତ ଅସନ୍ତୁଷ୍ଟ ଓ ୧୫ ପ୍ରତିଶତ ସଚେତନ ନ ଥିବା ପ୍ରତିକ୍ରିୟା ରଖିଛନ୍ତି।

ଛତିଶଗଡ଼ରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ କଂଗ୍ରେସ ଓ ବିଜେପି ମଧ୍ୟରେ ରହିଛି। ଏଠାରେ ସମୁଦାୟ ୯୦ଟି ବିଧାନସଭା ଆସନ ରହିଛି। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୬୮ ଓ ବିଜେପି ୧୫ ଆସନରେ ବିଜୟୀ ହୋଇଥିଲା। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ଓ ମାୟାବତୀଙ୍କ ମେଣ୍ଟକୁ ୭ଟି ଆସନ ମିଳିଛି।

Related posts