ନୀତିଶ କୁମାର ଇଣ୍ଡିଆର ଆବାହକ ହେବେ ନାହିଁ, ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପରେ ବାଜି ଲଗାଇବେ କି ବିରୋଧୀ?

Published: Aug 29, 2023, 3:52 pm IST

ନୂଆଦିଲ୍ଲୀ: ଅଗଷ୍ଟ ୩୧ରେ ମୁମ୍ବାଇରେ ହେବାକୁ ଥିବା ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିଆର ଆବାହକ ହେବାକୁ ମନା କରିଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏବେ ଇଣ୍ଡିଆର ଆବାହକ କରାଯାଇପାରେ ବୋଲି କୁହାଯାଉଛି।

ଜେଡିୟୁ ଇଣ୍ଡିଆର ଆବାହକ ପଦ ପାଇଁ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କ ନାମ ପ୍ରସ୍ତାବ ଦେଇଛି। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ପହିଲା ମଧ୍ୟରେ ହେବାକୁ ଥିବା ଇଣ୍ଡିଆ ଆଲାଏନ୍ସ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀ ମେଣ୍ଟର ଆବାହକ ହେବାକୁ ମନା କରିଦେଇଛନ୍ତି।

ଗତକାଲି ଯେତେବେଳେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା, ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ମୁଁ କିଛି ହେବାକୁ ଚାହୁଁନାହିଁ। ମୁଁ ଆପଣଙ୍କୁ ବାରମ୍ବାର ଏହା କହୁଛି। ‘‘ମୋର ସେପରି କୌଣସି ଇଚ୍ଛା ନାହିଁ। ମୁଁ କେବଳ ସମସ୍ତଙ୍କୁ ଏକାଠି କରିବାକୁ ଚାହୁଁଛି।’’

ଏନଡିଏ ସହ ଜଡ଼ିତ କିଛି ଦଳ ମଧ୍ୟ ଇଣ୍ଡିଆ ଆଲାଏନ୍ସ ବୈଠକରେ ଭାଗ ନେବେ ବୋଲି ନୀତିଶ ଦାବି କରିଛନ୍ତି। ଅଗଷ୍ଟ ୩୧ରେ ହେବାକୁ ଥିବା ଇଣ୍ଡିଆ ବୈଠକରେ ଯୋଗ ଦେବା ପାଇଁ ନୀତିଶ କୁମାର ମୁମ୍ବାଇ ଯିବେ। ତେବେ ଖଡ଼ଗେ ଆବାହକ ହେବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଖଡ଼ଗେ ଏହି ପଦ ଗ୍ରହଣ କରିବେ କି? ଏ ନେଇ କଂଗ୍ରେସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Related posts