Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏମ୍ ଏସ୍ ସ୍ୱାମୀନାଥନ ବାସ୍ତବରେ ଥିଲେ ସବୁଜ ବିପ୍ଳବର ଜନକ
ବିଶେଷ ଖବର

ଏମ୍ ଏସ୍ ସ୍ୱାମୀନାଥନ ବାସ୍ତବରେ ଥିଲେ ସବୁଜ ବିପ୍ଳବର ଜନକ

October 7, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

କିଛି ଦିନ ତଳେ ଆମେ ପ୍ରଫେସର ଏମ୍ ଏସ୍ ସ୍ୱାମୀନାଥନଙ୍କୁ ହରାଇଛୁ। କୃଷି ବିଜ୍ଞାନରେ ବିପ୍ଳବ ଆଣିଥିବା ଜଣେ ଦୂରଦର୍ଶୀଙ୍କୁ ଆମ ଦେଶ ହରାଇଛି। ଭାରତ ପାଇଁ ତାଙ୍କର ଅବଦାନ ସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ପ୍ରଫେସର ଏମ୍ ଏସ୍ ସ୍ୱାମୀନାଥନ୍ ଭାରତକୁ ଭଲ ପାଉଥିଲେ। ସେ ଚାହୁଁଥିଲେ, ଆମ ଦେଶ ସମୃଦ୍ଧ ହେଉ, ବିଶେଷ କରି ଆମ କୃଷକମାନେ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଯାପନ କରନ୍ତୁ । ଶିକ୍ଷାଗତ ଦୃଷ୍ଟିରୁ ସେ ଯେକୌଣସି କ୍ୟାରିୟର ବାଛି ପାରିଥାନ୍ତେ, କିନ୍ତୁ ୧୯୪୩ ମସିହାର ବଙ୍ଗ ଦୁର୍ଭିକ୍ଷ ଦେଖି ସେ ଏତେ ପ୍ରଭାବିତ ହୋଇଥିଲେ ଯେ କୃଷି କ୍ଷେତ୍ରରେ ଅଧ୍ୟୟନ ପାଇଁ ପଣ କରିଥିଲେ।

ଖୁବ୍‌ କମ୍ ବୟସରେ, ସେ ଡକ୍ଟର ନର୍ମାନ ବୋର୍ଲାଗଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ତାଙ୍କ କାର୍ଯ୍ୟକୁ ଅତି ବିସ୍ତୃତ ଭାବରେ ଅନୁସରଣ କରିଥିଲେ। ୧୯୫୦ ଦଶକରେ ସ୍ୱାମୀନାଥନଙ୍କୁ ଆମେରିକାରେ ଅଧ୍ୟାପକ ପଦବୀ ପାଇଁ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ସେ ଭାରତରେ ଏବଂ ଭାରତ ପାଇଁ କାମ କରିବାକୁ ଚାହୁଁଥିବାରୁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ମୁଁ ଚାହୁଁଛି ଯେ, ଆପଣମାନେ ସମସ୍ତେ ସେହି ଆହ୍ୱାନପୂର୍ଣ୍ଣ ପରିସ୍ଥିତି ବିଷୟରେ ଚିନ୍ତା କରନ୍ତୁ ଯେଉଁଥିରେ ପ୍ରଫେସର ସ୍ୱାମୀନାଥନ ଦୃଢ଼ ଭାବରେ ଠିଆ ହୋଇଥିଲେ ଏବଂ ଆମ ଦେଶକୁ ଆତ୍ମନିର୍ଭରଶୀଳତା ଓ ଆତ୍ମବିଶ୍ୱାସର ମାର୍ଗରେ ଆଗେଇ ନେଇଥିଲେ। ସ୍ୱାଧୀନତା ପରଠାରୁ ପ୍ରଥମ ଦୁଇ ଦଶନ୍ଧି ମଧ୍ୟରେ ଆମେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲୁ ଏବଂ ସେଥିମଧ୍ୟରୁ ଗୋଟିଏ ଥିଲା ଖାଦ୍ୟ ଅଭାବ। ୧୯୬୦ ଦଶକର ପ୍ରାରମ୍ଭରେ ଭାରତ ଦୁର୍ଭିକ୍ଷର ଅଶୁଭ ଛାୟା ସହ ସଂଘର୍ଷ କରୁଥିଲା ଏବଂ ସେତେବେଳେ ପ୍ରଫେସର ସ୍ୱାମୀନାଥନଙ୍କ ଅତୁଳନୀୟ ପ୍ରତିବଦ୍ଧତା ଓ ଦୂରଦୃଷ୍ଟି କୃଷି କ୍ଷେତ୍ରରେ ସମୃଦ୍ଧିର ଏକ ନୂଆ ଯୁଗ ଆରମ୍ଭ କରିଥିଲା। କୃଷି ଏବଂ ଗହମ ପ୍ରଜନନ ଭଳି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସେ ଅଗ୍ରଣୀ ଗବେଷଣା କାର୍ଯ୍ୟ କରିଥିଲେ। ଫଳରେ ଦେଶରେ ଗହମ ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇଲା ଏବଂ ଭାରତ ଖାଦ୍ୟ ଅଭାବୀ ଦେଶରୁ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ରରେ ପରିଣତ ହୋଇଥିଲା। ଏହି ବିରାଟ ଉପଲବ୍ଧି ପାଇଁ ତାଙ୍କୁ ସମ୍ମାନର ସହ “ଭାରତୀୟ ସବୁଜ ବିପ୍ଳବର ଜନକ” ବୋଲି କୁହାଯାଏ।

ସବୁଜ ବିପ୍ଳବ ଭାରତର “କ୍ୟାନ୍ ଡୁ ସ୍ପିରିଟ୍” (କରିପାରିବାର ଇଚ୍ଛାଶକ୍ତି)ର ଏକ ଝଲକ ପ୍ରଦାନ କରିଥିଲା – ଯଦି ଆମ ଆଗରେ ୧୦୦ କୋଟି ଆହ୍ୱାନ ରହିଛି ତା’ହେଲେ ସେହି ଆହ୍ୱାନଗୁଡ଼ିକୁ ଅତିକ୍ରମ କରିବା ପାଇଁ ନବସୃଜନର ଜ୍ୟୋତି ସହିତ ଆମ ପାଖରେ ୧୦୦ କୋଟି ମସ୍ତିଷ୍କ ମଧ୍ୟ ଅଛି। ସବୁଜ ବିପ୍ଳବ ଆରମ୍ଭ ହେବାର ପାଞ୍ଚ ଦଶନ୍ଧି ପରେ ଭାରତୀୟ କୃଷି ଅଧିକ ଆଧୁନିକ ଓ ପ୍ରଗତିଶୀଳ ହୋଇପାରିଛି। କିନ୍ତୁ ପ୍ରଫେସର ସ୍ୱାମୀନାଥନ ଯେଉଁ ମୂଳଦୁଆ ପ୍ରତିଷ୍ଠା କରିଯାଇଛନ୍ତି, ତାହା କେବେ ବି ଭୁଲିହେବ ନାହିଁ।

ବର୍ଷ ବର୍ଷ ଧରି ସେ ଆଳୁ ଫସଲକୁ ପ୍ରଭାବିତ କରୁଥିବା ପରଜୀବୀଙ୍କ ମୁକାବିଲା ଦିଗରେ ଅଗ୍ରଣୀ ଗବେଷଣା କରିଥିଲେ। ତାଙ୍କର ଗବେଷଣା ମଧ୍ୟ ଆଳୁ ଫସଲକୁ ଥଣ୍ଡା ପାଗ ସହ୍ୟ କରିବାରେ ସକ୍ଷମ କରିଥିଲା। ଆଜି ସାରା ବିଶ୍ୱ ମିଲେଟ୍ ବା ଶ୍ରୀଅନ୍ନକୁ ‘ସୁପର ଫୁଡ୍’ ବୋଲି କହୁଛି, କିନ୍ତୁ ପ୍ରଫେସର ସ୍ୱାମୀନାଥନ୍ ୧୯୯୦ ମସିହାରୁ ମିଲେଟ୍‌ ଚାଷ ଓ ଏହାର ଉପଯୋଗ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।

ପ୍ରଫେସର ସ୍ୱାମୀନାଥନଙ୍କ ସହ ମୁଁ ବ୍ୟକ୍ତିଗତ ଭାବେ ଅନେକ ଥର ମିଶିଛି। ୨୦୦୧ରେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆମ ସମ୍ପର୍କ ଆରମ୍ଭ ହୋଇଥିଲା। ସେହି ସମୟରେ ଗୁଜରାଟ ନିଜର କୃଷି ଦକ୍ଷତା ପାଇଁ ସେତେ ପରିଚିତ ନଥିଲା। କ୍ରମାଗତ ମରୁଡ଼ି, ବାତ୍ୟା ଓ ଭୂମିକମ୍ପ ଯୋଗୁଁ ରାଜ୍ୟର ବିକାଶ ଧାରା ପ୍ରଭାବିତ ହୋଇଥିଲା। ଆମେ ଆରମ୍ଭ କରିଥିବା ଅନେକ ଯୋଜନା ମଧ୍ୟରୁ ଗୋଟିଏ ଥିଲା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ଯାହା ମାଟିକୁ ଭଲ ଭାବରେ ବୁଝିବାରେ ଏବଂ ଯଦି ସମସ୍ୟା ସୃଷ୍ଟି ହୁଏ ତେବେ ତାହାର ସମାଧାନ କରିବାରେ ଆମକୁ ସକ୍ଷମ କରିଥିଲା। ଏହି ଯୋଜନା ପରିପ୍ରେକ୍ଷୀରେ ମୁଁ ପ୍ରଫେସର ସ୍ୱାମୀନାଥନଙ୍କୁ ଭେଟିଥିଲି। ସେ ଏହି ଯୋଜନାକୁ ପ୍ରଶଂସା କରିବା ସହ ଏଥିପାଇଁ ନିଜର ମୂଲ୍ୟବାନ ମତାମତ ମଧ୍ୟ ପ୍ରଦାନ କରିଥିଲେ। ଏହି ଯୋଜନାକୁ ନେଇ ସନ୍ଦେହ ଥିବା ଲୋକଙ୍କୁ ବୁଝାଇବାରେ ତାଙ୍କର ସମର୍ଥନ ଯଥେଷ୍ଟ ଥିଲା ଯାହାକି ପରବର୍ତ୍ତୀ ସମୟରେ ଗୁଜରାଟରେ କୃଷିର ସଫଳତା ପାଇଁ କ୍ଷେତ୍ର ପ୍ରସ୍ତୁତ କଲା।

ମୋର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ସମୟରେ ଏବଂ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲି ସେତେବେଳେ ମଧ୍ୟ ଆମର କଥାବାର୍ତ୍ତା ଜାରି ରହିଥିଲା। ମୁଁ ୨୦୧୬ରେ ଅନ୍ତର୍ଜାତୀୟ କୃଷି-ଜୈବ ବିବିଧତା କଂଗ୍ରେସରେ ତାଙ୍କୁ ଭେଟିଥିଲି ଏବଂ ପରବର୍ଷ ୨୦୧୭ରେ ମୁଁ ତାଙ୍କ ଦ୍ୱାରା ଲିଖିତ ଏକ ଦୁଇ ଭାଗ ବିଶିଷ୍ଟ ପୁସ୍ତକ ଶୃଙ୍ଖଳାକୁ ଉନ୍ମୋଚନ କରିଥିଲି।

‘କୁରାଲ’ରେ କୃଷକମାନଙ୍କୁ ଏକ କେନ୍ଦ୍ରବିନ୍ଦୁ ଭାବରେ ବର୍ଣ୍ଣନା କରାଯାଇଛି ଯାହା ବିଶ୍ୱକୁ ଏକାଠି ରଖିଥାଏ। ଏହାର କାରଣ  ହେଉଛି କୃଷକମାନେ ହିଁ ସମସ୍ତଙ୍କୁ ବଞ୍ଚାଇ ରଖିଥାନ୍ତି। ପ୍ରଫେସର ସ୍ୱାମୀନାଥନ ଏହି ନୀତିକୁ ଭଲ ଭାବରେ ବୁଝିଥିଲେ। ଅନେକ ଲୋକ ତାଙ୍କୁ “କୃଷି ବୈଜ୍ଞାନିକ” ବୋଲି କୁହନ୍ତି। କିନ୍ତୁ ମୁଁ ସବୁବେଳେ ବିଶ୍ୱାସ କରିଆସିଛି ଯେ ତାଙ୍କ ବ୍ୟକ୍ତିତ୍ୱର ପରିସର ଏହାଠାରୁ ଆହୁରି ଅଧିକ ଥିଲା। ପ୍ରକୃତରେ ସେ “କିଷାନ ବୈଜ୍ଞାନିକ” – ଚାଷୀଙ୍କ ବୈଜ୍ଞାନିକ ଥିଲେ । ତାଙ୍କ ହୃଦୟ ଜଣେ ଚାଷୀଙ୍କ ଭଳି ଥିଲା। ତାଙ୍କ କୃତିର ସଫଳତା କେବଳ ଶିକ୍ଷାଗତ ଉତ୍କର୍ଷ ମଧ୍ୟରେ ସୀମିତ ନାହିଁ; ଏହା ପରୀକ୍ଷାଗାର ବାହାରେ, ଫାର୍ମ ଏବଂ ଚାଷ ଜମିରେ ପ୍ରଭାବ ବିସ୍ତାର କରିଛି। ତାଙ୍କର କାର୍ଯ୍ୟ ବୈଜ୍ଞାନିକ ଜ୍ଞାନ ଏବଂ ଏହାର ବ୍ୟବହାରିକ ପ୍ରୟୋଗ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିପାରିଛି। ସେ ଦୀର୍ଘସ୍ଥାୟୀ କୃଷି ପାଇଁ ନିରନ୍ତର ସମର୍ଥନ କରୁଥିଲେ ଏବଂ ମାନବ ସମାଜର ଉନ୍ନତି ଓ ପରିବେଶର ସ୍ଥାୟିତ୍ୱ ମଧ୍ୟରେ ସୂକ୍ଷ୍ମ ସନ୍ତୁଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କର ଆଉ ଗୋଟିଏ ଗୁଣ ବିଷୟରେ ମୁଁ ଏଠାରେ ଉଲ୍ଲେଖ କରିବାକୁ ଚାହୁଁଛି, କ୍ଷୁଦ୍ର ଚାଷୀମାନଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନେ ମଧ୍ୟ ଯେପରି ନୂଆ ଉଦ୍ଭାବନର ଫଳ ଉପଭୋଗ କରିପାରିବେ ତା’ଉପରେ ପ୍ରଫେସର ସ୍ୱାମୀନାଥନ ବିଶେଷ ଗୁରୁତ୍ୱ ଦେଉଥିଲେ । ମହିଳା ଚାଷୀଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସେ ବିଶେଷ ଭାବରେ ଆଗ୍ରହୀ ଥିଲେ।

ପ୍ରଫେସର ଏମ୍ ଏସ୍ ସ୍ୱାମୀନାଥନଙ୍କ ବ୍ୟକ୍ତିତ୍ୱର ଆଉ ଏକ ଦିଗ ଅଛି ଯାହା ଉଲ୍ଲେଖନୀୟ – ସେ ନୂତନ ଉଦ୍ଭାବନ ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ଜଣେ ଆଦର୍ଶ ଭାବରେ ଠିଆ ହୋଇଛନ୍ତି । ୧୯୮୭ ମସିହାରେ ସେ ବିଶ୍ୱ ଖାଦ୍ୟ ପୁରସ୍କାର ପାଇଥିଲେ ଏବଂ ସେ ଥିଲେ ଏହି ସମ୍ମାନଜନକ ପୁରସ୍କାରର ପ୍ରଥମ ବିଜେତା। ପ୍ରଫେସର ସ୍ୱାମୀନାଥନ ଏହି ପୁରସ୍କାର ରାଶିକୁ ଏକ ଅଣଲାଭକାରୀ ଗବେଷଣା ଫାଉଣ୍ଡେସନ ପ୍ରତିଷ୍ଠା କରିବାରେ ବ୍ୟବହାର କରିଥିଲେ । ଆଜି ପର୍ଯ୍ୟନ୍ତ ଏହା ବିଭିନ୍ନ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରୁଛି । ସେ ଅଗଣିତ ବ୍ୟକ୍ତିତ୍ଵଙ୍କୁ ଅନୁପ୍ରାଣିତ କରିଛନ୍ତି ଏବଂ ସେମାନଙ୍କ ଭିତରେ ଅଧ୍ୟୟନ ଏବଂ ଉଦ୍ଭାବନ ପ୍ରତି ଆଗ୍ରହ ସୃଷ୍ଟି କରିଛନ୍ତି । ଦ୍ରୁତ ଗତିରେ ପରିବର୍ତ୍ତିତ ଦୁନିଆରେ ତାଙ୍କ ଜୀବନ ଆମକୁ ଜ୍ଞାନ, ମାର୍ଗଦର୍ଶନ ଏବଂ ଉଦ୍ଭାବନରେ ରହିଥିବା ଦୃଢ଼ ସାମର୍ଥ୍ୟ ବିଷୟରେ ସ୍ମରଣ କରାଇ ଦେଇଥାଏ। ସେ ଜଣେ ଅନୁଷ୍ଠାନ ନିର୍ମାତା ମଧ୍ୟ ଥିଲେ। ସେ ଏମିତି ଅନେକ ଅନୁଷ୍ଠାନ ନିର୍ମାଣ କରିଛନ୍ତି ଯେଉଁଠି ବ୍ୟାପକ ଗବେଷଣା କରାଯାଉଛି। ମାନିଲାସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବରେ ସେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର ପ୍ରୟାସ ଯୋଗୁ ୨୦୧୮ରେ ବାରଣାସୀରେ ଦକ୍ଷିଣ ଏସିଆ ଆଞ୍ଚଳିକ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଖୋଲାଯାଇଥିଲା ।

ଡକ୍ଟର ସ୍ୱାମୀନାଥନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମୁଁ ପୁଣି ଥରେ ‘କୁରାଲ’ର ଉଦାହରଣ ଦେବି । ସେଥିରେ ଲେଖାଯାଇଛି, ‘‘କୌଣସି ଯୋଜନା ପ୍ରସ୍ତୁତ କରୁଥିବା ବ୍ୟକ୍ତିର ମନୋବଳ ଦୃଢ଼ ଥିଲେ, ସେ ଯାହା ପାଇବାକୁ ଚାହୁଁଛନ୍ତି ଏବଂ ଯେପରି ଉପାୟରେ ପାଇବାକୁ ଚାହୁଁଛନ୍ତି ତାହା ସେ ନିଶ୍ଚିତ ଭାବେ ପାଇବେ।’’ ଡକ୍ଟର ସ୍ୱାମୀନାଥନ ଏପରି ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ ଯିଏକି ନିଜ ଜୀବନର ଆଦ୍ୟଭାଗରେ କୃଷିକୁ ସୁଦୃଢ଼ କରିବାକୁ ଏବଂ କୃଷକଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଏହାକୁ ଅତ୍ୟନ୍ତ ଅଭିନବ ଢଙ୍ଗରେ ଏବଂ ଉତ୍ସାହର ସହ କରିଥିଲେ । ଡ. ସ୍ୱାମୀନାଥନଙ୍କ ଅବଦାନ ଆମକୁ କୃଷି ଉଦ୍ଭାବନ ଏବଂ ଦୀର୍ଘସ୍ଥାୟିତ୍ୱ ପଥରେ ଆଗକୁ ବଢ଼ିବା ସମୟରେ ଅନୁପ୍ରାଣିତ କରିବା ସହ ମାର୍ଗଦର୍ଶନ ଦେବା ଜାରି ରଖିଛି । ଚାଷୀଙ୍କ ହିତ ପାଇଁ କାମ କରିବା, ବୈଜ୍ଞାନିକ ଉଦ୍ଭାବନର ପରିଣାମକୁ ଆମର ବିସ୍ତାରିତ କୃଷି କ୍ଷେତ୍ର ପର୍ଯ୍ୟନ୍ତ ପହଞ୍ଚାଇବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଅଭିବୃଦ୍ଧି, ଦୀର୍ଘସ୍ଥାୟିତ୍ୱ ଓ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ତାଙ୍କର ପ୍ରିୟ ସିଦ୍ଧାନ୍ତ ପ୍ରତି ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଇବା ଉଚିତ୍‌।

କୃଷି ବିଜ୍ଞାନ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ ଦେଲା ଭାରତ: ହେଲ୍ପଲାଇନ୍ ନମ୍ବର ଜାରି

January 15, 2026

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 14, 2026

ଜର୍ମାନ ଚାନ୍ସେଲରଙ୍କୁ ଭାରତୀୟ କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ

January 14, 2026

ନୂଆଦିଲ୍ଲୀରେ ପୋଙ୍ଗଲ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 14, 2026
Latest News

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ: ଗୋଟିଏ ଦିନରେ ୮୯୨ ଟ୍ରେନ୍ ଅଦଳବଦଳ

January 15, 2026

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

January 15, 2026

ପିଏମ୍ ଜନ-ଧନ ଯୋଜନା: ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କଲେ ହିତାଧିକାରୀ

January 15, 2026

ଏଆଇ-ଆଧାରିତ ଶିକ୍ଷା ସଂସ୍କାର ଉପରେ ଆଲୋଚନାଚକ୍ର

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.