Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତରେ ଡଲଫିନ ସଂରକ୍ଷଣ, ବିପଦ ବଢାଉଛି ଜଳ ପ୍ରଦୂଷଣ
ବିଶେଷ ଖବର

ଭାରତରେ ଡଲଫିନ ସଂରକ୍ଷଣ, ବିପଦ ବଢାଉଛି ଜଳ ପ୍ରଦୂଷଣ

November 8, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
Dolphin

ସୁଶ୍ରୀ ଲୀନା ନନ୍ଦନ

ଡଲଫିନ ପ୍ରକୃତିର ଏକ ଅବିଶ୍ୱସନୀୟ କମନୀୟ ପ୍ରାଣୀ ଯିଏ ଏହାର ବୁଦ୍ଧି ଓ ଅନନ୍ୟ ଆକର୍ଷଣୀୟ ରୂପ ପାଇଁ ପ୍ରସିଦ୍ଧ। ଏହି ଜଳଚର ପ୍ରାଣୀ ଡଲଫିନ ବା ଶିଶୁମାର ଭାରତୀୟ ସଂସ୍କୃତି ଓ ପରିବେଶରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଛି। ଡଲଫିନ ନିଜର କ୍ଷିପ୍ରଗତି ଓ କ୍ରୀଡା କୌତୁକ ପୂର୍ଣ୍ଣ ଆଚରଣ ପାଇଁ ଦେଶ ଜଣାଶୁଣା। ଏହି ପ୍ରାଣୀକୁ ଦେଖିବା ପାଇଁ ବଣ୍ୟପ୍ରାଣୀ ଦର୍ଶକ ଓ ପର୍ଯ୍ୟଟକ ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି।

ଭାରତର ସମୁଦ୍ର ଓ ନଦନଦୀରେ ବିଭିନ୍ନ ପ୍ରଜାତିର ଡଲଫିନ ବହୁ ସଂଖ୍ୟାରେ ବାସ କରନ୍ତି। ଏମାନେ ଉଭୟ ଲୁଣି ଓ ମଧୁର ଜଳରେ ରହନ୍ତି।  ସେଥି ମଧ୍ୟରୁ ଦୁଇଟି ପ୍ରମୁଖ ପ୍ରଜାତି ହେଲା ଭାରତ-ପ୍ରଶାନ୍ତ ମହାସାଗରୀୟ କୁଜ ବିଶିଷ୍ଟ(ହମ୍ପବ୍ୟାକ୍‌) ଡଲଫିନ ଓ ଗଙ୍ଗାରେ ମୁଖ୍ୟତଃ ଦେଖାଯାଉଥିବା ଗାଙ୍ଗେୟ ଡଲଫିନ। ପରିବେଶ ଭାରସାମ୍ୟ ରକ୍ଷାରେ ଏହି ଡଲଫିନମାନେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

ଗାଙ୍ଗେୟ ଡଲଫିନ୍‌ଙ୍କ ରଙ୍ଗ ଇଷତ୍ ଗୋଲାପୀ। ଏହି ପ୍ରଜାତିର ଡଲଫିନ ମଧୁର ଜଳରେ ନିଜକୁ ଅତି ଅନାୟାସରେ ଖାପଖୁଆଇ ବିଚରଣ ଓ ବଂଶବିସ୍ତାର କରିଥାଏ। ଗଙ୍ଗା, ବ୍ରହ୍ମପୁତ୍ର  ଏବଂ ଏହାର ଉପନଦୀଗୁଡିକରେ ଏହି ପ୍ରଜାତିର ଡଲଫିନ ଅଧିକ ଦେଖାଯାଆନ୍ତି। ଏହାଛଡା ସମୁଦ୍ର ଉପକୂଳ ଓ ତତ୍ ସଂଲଗ୍ନ ଲୁଣାପାଣିରେ ମଧ୍ୟ କୁଜ ବିଶିଷ୍ଟ ଡଲଫିନ ବହୁ ସଂଖ୍ୟାରେ ବାସ କରନ୍ତି।

ଭାରତରେ ଡଲଫିନ ସଂରକ୍ଷଣ କ୍ଷେତ୍ରରେ ଅନେକ ସମସ୍ୟା ରହିଛି। ସେମାନଙ୍କ ପ୍ରାକୃତିକ ଆବାସସ୍ଥଳୀ ସଙ୍କୁଚିତ ହେବା, ଜଳ ପ୍ରଦୂଷଣ, ମାନବିିକ ହସ୍ତକ୍ଷେପ, ଜାଲ ପକାଇ ମାଛ ଧରିବା, ଡ୍ୟାମ୍ ଓ ବ୍ୟାରେଜ ନିର୍ମାଣ ଓ ଜଳବାୟୁ ପରିବର୍ତ୍ତନ ଆଦି ଏହି ସମସ୍ୟାଗୁଡିକ ମଧ୍ୟରୁ ପ୍ରମୁଖ। ସେମାନଙ୍କ ପ୍ରାକୃତିକ ଆବାସସ୍ଥଳୀର ପରିବେଶ ବିଗିଡିବା, ଦ୍ରୁତ ସହରାୟନ ଓ ଶିଳ୍ପାୟନ ତଥା ଅପୋଷଣୀୟ ଚାଷ ପଦ୍ଧତି ଡଲଫିନଙ୍କ ସୁରକ୍ଷାରେ ପ୍ରମୁଖ ଅନ୍ତରାୟ ପାଲଟିଛି। ଏହା ଫଳରେ ଜଳ ପ୍ରଦୂଷଣ ବଢିବା ସହ ନଦୀନାଳରେ ଜଳଉତ୍ସ ହ୍ରାସ ପାଉଛି। ଫଳରେ ଡଲଫିନ ନିଜର ପ୍ରାକୃତିକ ଆବାସସ୍ଥଳୀ ହରାଉଛନ୍ତି।

ଏହା ଫଳରେ ଡଲଫିନ୍ ବଂଚିବାକୁ ଆବଶ୍ୟକ ଥିବା ପ୍ରାକୃତିକ ପରିବେଶ ବିଗିଡିଯାଇଛି। କୃଷି,ଶିଳ୍ପ, ସହର ଓ ଆବାସିକ ଅଞ୍ଚଳରୁ ନିର୍ଗତ ହେଉଥିବା ଦୁଷିତ ଜଳ ଏବଂ ବର୍ଜ୍ୟବସ୍ତୁ ନଦୀ ନାଳରେ ମିଶିବା ଫଳରେ ତାହା ଜଳକୁ ପ୍ରଦୂଷିତ କରୁଛି। ଫଳରେ ଏହି ପ୍ରଦୂଷିତ ଜଳ ଡଲଫିନଙ୍କ ଜୀବନ ଧାରଣ ତଥା ବଂଶ ବିସ୍ତାର ନିମନ୍ତେ ବଡ ବିପଦ ପାଲଟିଛି।

ସେମାନେ ଜଳ ପ୍ରଦୂଷଣ ଯୋଗୁଁ ଖାଦ୍ୟାଭାବର ସମ୍ମୁଖୀନ ହେବା ସହିତ ପ୍ରଦୂଷିତ ଜଳ ପ୍ରଭାବରେ ବିଭିନ୍ନ ରୋଗରେ ପଡି ପ୍ରାଣ ହରାଉଛନ୍ତି। ଜଳରେ ବିଷାକ୍ତ ଉପାଦାନର ଉପସ୍ଥିତି ଡଲଫିନଙ୍କ ପାଇଁ ସବୁଠୁ ବଡ ବିପଦ। କାରଣ ଏହାଦ୍ୱାରା ସେମାନଙ୍କ ଖାଦ୍ୟ ଉତ୍ସ ନଷ୍ଟ ହୋଇଥାଏ।

ସମୁଦ୍ରରେ ମାଛଧରା ଓ ଅନ୍ୟାନ୍ୟ ଯାନ୍ତ୍ରିକ କାର୍ଯ୍ୟ ସମୟରେ ଡଲଫିନ ମଧ୍ୟ ଅନିଚ୍ଛାକୃତ ଭାବେ ମୃତ୍ୟୁ ମୁଖରେ ପଡିଥାନ୍ତି। ସେମାନେ ଅନେକ ସମୟରେ ଜାଲରେ ପଡି ବା ଜାହାଜ କିମ୍ବା ଟ୍ରଲର ମାଡରେ କ୍ଷତ ବିକ୍ଷତ ହୋଇ ପ୍ରାଣ ହରାଇଥାନ୍ତି। ନଦୀଗୁଡିକରେ ଏବେ ଡ୍ୟାମ ନିର୍ମାଣ ଯୋଗୁଁ ସମୁଦ୍ରକୁ ଯେଉଁ ମିଠାପାଣି ଅଧିକ ପରିମାଣରେ ପ୍ରବାହିତ ହେଉଥିଲା ତାହା ଯଥେଷ୍ଟର କମିଯାଇଛି । ଏହାର କୁପ୍ରଭାବ ଡଲଫିନ  ଜନସଂଖ୍ୟା ଓ ସେମାନଙ୍କ ବଂଶବିସ୍ତାର ଉପରେ ସିଧାସଳଖ ପଡୁଛି।

ନଦୀ ସବୁ ରୁଦ୍ଧ ହୋଇଯିବାରୁ ଏଥିରେ ବାସ କରୁଥିବା ଡଲଫିନ୍ ଅଲଗା ହୋଇ ସଙ୍କୁଚିତ ପରିବେଶଷରେ ବଂଚିବାକୁ ବାଧ୍ୟ ହୁଅନ୍ତି। ଏହା ଫଳରେ ସେମାନଙ୍କ ଆନୁବଂଶିକ ବିବିଧତା (ଜେନେଟିକ୍ ଡାଇଭରସିଟି) ହ୍ରାସ ପାଏ। ସେମାନେ ଏହା ଦ୍ୱାରା ଆନ୍ତଃ ପ୍ରଜନନ (ଇନ୍‌ବ୍ରିଡିଙ୍ଗ)ପ୍ରକ୍ରିୟାରେ ବଂଶ ବିସ୍ତାର କରିବାକୁ ବାଧ୍ୟ ହୁଅନ୍ତି। ଇନ୍‌ବ୍ରିଡିଂ ବା ଗୋଟିଏ ସ୍ଥାନରେ ରହୁଥିବା ଡଲଫିନ ଦଳ ମଧ୍ୟରେ ଯେଉଁ ପ୍ରଜନନ ହୁଏ ସେଥିରୁ ଜାତ ଶାବକ ବିଭିନ୍ନ ଆନୁବଂଶିକ ବ୍ୟାଧିର ସମ୍ମୁଖୀନ ହୋଇ ଶୀଘ୍ର ମରିଯାଆନ୍ତି। ଏହା ଫଳର ଡଲଫିନ ବଂଶ ହ୍ରାସ ପାଏ। ସେହିଭଳି ମାଛ ସଂଖ୍ୟା ହ୍ରାସ ଯୋଗୁଁ ଡଲଫିନ ଗୁରୁତର ଖାଦ୍ୟାଭାବର ସମ୍ମୁଖୀନ ହୋଇଥାନ୍ତି ଏବଂ ଏହାର କୁପ୍ରଭାବ ସେମାନଙ୍କ ବଂଶବିସ୍ତାର ଉପରେ ପଡେ।

ପରିବେଶ ଓ ମଣିଷ ସମାଜର କଲ୍ୟାଣ ପାଇଁ ଡଲଫିନ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବାରୁ ସେମାନଙ୍କ ସଂରକ୍ଷଣ ନିମନ୍ତେ ଭାରତ ଉଦ୍ୟମ କରୁଛି। ଉଭୟ ମଧୁର ଓ ଲୁଣାଜଳ ଡଲଫିନ ସଂରକ୍ଷଣରେ ଭାରତ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ୨୦୨୦ରେ ଭାରତ ସରକାର ‘ପ୍ରୋଜେକ୍ଟ ଡଲଫିନ’ ଆରମ୍ଭ କରିଥିଲେ। ଏଥିରେ ଆଧୁନିକ ପ୍ରଯୁକ୍ତି ବିଦ୍ୟାରେ ଉପଯୋଗ କରାଯାଇ ଉଭୟ ନଦୀ ଓ ସାମୁଦ୍ରିକ ଡଲଫିନଙ୍କୁ ସୁରକ୍ଷା ଏବଂ ସେମାନଙ୍କ ପ୍ରାକୃତିକ ଆବାସସ୍ଥଳୀର ସଂରକ୍ଷଣ ଦିଗରେ କାମ କରାଯାଉଛି।

ନିୟମିତ ଭାବେ ଡଲଫିନ୍‌ଙ୍କ ଗଣନା କରାଯିବା ସହିତ ସେମାନଙ୍କ ଶିକାରକୁ ରୋକିବାକୁ କଠୋର ପଦକ୍ଷେପମାନ ଗ୍ରହଣ କରାଯାଇଛି। ଏହି ସଂରକ୍ଷଣ ପ୍ରକଳ୍ପରେ ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦାୟ ତଥା ନଦୀ ଓ ସମୁଦ୍ର କୂଳରେ ବସବାସ କରୁଥିବା ଲୋକଙ୍କୁ ସରକାର ସାମିଲ କରିଛନ୍ତି । ଏହା ଦ୍ୱାରା ସେମାନେ ଏହି କମନୀୟ ଜଳଚର ପ୍ରାଣୀର ସୁରକ୍ଷା କରିବା ସହିତ ନିଜର ଜୀବିକାର୍ଜନ ବ୍ୟବସ୍ଥାରେ ଡଲଫିନଙ୍କ ସଂରକ୍ଷଣକୁ ସ୍ଥାନ ଦେଉଛନ୍ତି। ଡଲଫିନ ସଂରକ୍ଷଣ ଯୋଜନାରେ ନଦନଦୀ ଓ ସମୁଦ୍ରର ଜଳ ପ୍ରଦୂଷଣ ହ୍ରାସ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି।

ଗାଙ୍ଗେୟ ଡଲଫିନକୁୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଜାତୀୟ ଜଳଚର ପ୍ରାଣୀର ମାନ୍ୟତା ଦେଇଛି। ଏହାଛଡା ଡଲଫିନକୁ ଦେଶର ୨୨ଅତି ବିପନ୍ନପ୍ରାୟ ପ୍ରାଣୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ତେଣୁ ଡଲଫିନ ସୁରକ୍ଷା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ‘ବଣ୍ୟପ୍ରାଣୀ ଆବାସ ବିକାଶ’ ଯୋଜନାରେ ଏହି ଅର୍ଥ ଦିଆଯାଉଛି।

ଗଙ୍ଗାନଦୀର ଯେଉଁ ସବୁ ସ୍ଥାନରେ ଡଲଫିନ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି, ସେସବୁକୁ ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏସବୁ ସ୍ଥାନ ମଧ୍ୟରୁ ବିହାରର ବିକ୍ରମଶୀଳା ଡଲଫିନ୍‌ଙ୍କ ଅଭୟାରଣ୍ୟ ଅନ୍ୟତମ। ଡଲଫିନଙ୍‌କ ସୁରକ୍ଷା ଓ ବଂଶ ବିସ୍ତାର ପାଇଁ ୨୦୨୨ରୁ ୨୦୪୭ ପର୍ଯ୍ୟନ୍ତ ଏକ ପୂର୍ଣ୍ଣାଙ୍ଗ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ ହୋଇଛି। ଏଥିରେ ବିଭିନ୍ନ ପକ୍ଷ, ମନ୍ତ୍ରଣାଳୟ, ବିଭାଗ ଓ ରାଜ୍ୟ ସରକାରମାନଙ୍କୁ ସାମିଲ କରାଯାଇଛି।

ଅତଏବ ଭାରତରେ ଡଲଫିନ ସଂରକ୍ଷଣ ଏକ ବହୁୁମୁଖୀ ଓ ବହୁପାକ୍ଷିକ ପ୍ରୟାସ। ଏଥିରେ ସରକାରୀ ସଂସ୍ଥା ଓ ବିଭାଗଗୁଡିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଅପରିହାର୍ଯ୍ୟ। ଏନ୍‌ଜିଓ, ସ୍ଥାନୀୟ ଜନସାଧାରଣ ଓ ଜନଗୋଷ୍ଠୀଙ୍କ ସହଯୋଗ ବିନା ଏ କାମ ସହଜ ନୁହେଁ। ତେଣୁ ସେମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଡଲଫିନଙ୍କ ପ୍ରାକୃତିକ ଆବାସସ୍ଥଳୀର ସୁରକ୍ଷା, ମାଛଧରା ଉପରେ ନିୟନ୍ତ୍ରଣ, ଶବ୍ଦ ପ୍ରଦୂଷଣ ଓ ପରିବେଶ ପ୍ରଦୂଷଣକୁ ରୋକିବା ତଥା ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାର ମୁକାବିଲା କରିବାକୁ ଏହି କ୍ରିୟାନୁଷ୍ଠାନ ଯୋଜନାରେ ବିଭିନ୍ନ ପଦକ୍ଷେପ ନିଆଯାଇଛି।

ଦେଶର ମିଠା ଜଳ ଡଲଫିନଙ୍କ ସମେତ ସାମୁଦ୍ରିକ ଡଲଫିନଙ୍କ ସୁରକ୍ଷା ସୁନିଶ୍ଚିତ କରିବା କାମ ଭାରତ କରିପାରିବ। ଏଥି ସହିତ ଉପକୂଳ ଓ ସାମୁଦ୍ରିକ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ଭାରତ ସମର୍ଥ ଓ ଅଙ୍ଗୀକାରବଦ୍ଧ  ମଧ୍ୟ। ଏହା ମାଧ୍ୟମରେ ଡଲଫିନଙ୍କ ଦୀର୍ଘମିଆଦି ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ ହୋଇପାରିବ। ସଂରକ୍ଷଣ କ୍ଷେତ୍ରରେ ଉତ୍ସର୍ଗୀକୃତ ପ୍ରୟାସ ପ୍ରକୃତିର ଏହି କମନୀୟ ଜଳଚର ପ୍ରାଣୀଙ୍କୁ ସୁରକ୍ଷା ଓ ବଂଶବିସ୍ତାରରେ ଅବଶ୍ୟ ସହାୟକ ହେବ।

(ଲେଖିକା ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ)

Dolphin ଇରୱାଡି ଡଲଫିନ ଡ଼ଲଫିନ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.