ଇଣ୍ଡି ମେଣ୍ଟରୁ ଓହରିଯାଉଛି କି ଆପ୍?: କେଜ୍ରିୱାଲଙ୍କ ବୟାନକୁ ନେଇ ଜୋର ଧରିଛି ଚର୍ଚ୍ଚା

Published: Dec 18, 2023, 12:55 pm IST

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୨୪ ପାଇଁ ସବୁ ଦଳର ପ୍ରସ୍ତୁତି ଜୋର ଧରିଛି। ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ ଦଳ ‘ଇଣ୍ଡି ମେଣ୍ଟ’ ତା’ର ଅଭିଯାନ ଆରମ୍ଭ କରିଛି। ଇଣ୍ଡି ମେଣ୍ଟରେ ସମସ୍ତ ପ୍ରମୁଖ ଓ ଛୋଟ ଛୋଟ ଦଳ ଏକାଠି ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ କିଛି ଦଳ ‘ଏକଲା ଚଲୋ’ର ରଣନୀତିକୁ କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳିଛି। ଆମ୍ ଆଦମୀ ପାର୍ଟି ପକ୍ଷରୁ ମଧ୍ୟ ସମାନ କିଛି ଦେଖିବାକୁ ମିଳିଛି। ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ରବିବାର ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନ ଏବଂ ଚଣ୍ଡିଗଡ଼ର ଗୋଟିଏ ଲୋକସଭା ଆସନ ଜିତିବା ପାଇଁ ଭଟିଣ୍ଡାର ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ଆପ୍ ଏକାକୀ ନିର୍ବାଚନ ଲଢ଼ିବାକୁ ଚିନ୍ତା କରୁଛି। ଆପ୍‍ ଇଣ୍ଡି ମେଣ୍ଟ ଅଂଶ ବିଶେଷ ନୁହେଁ।

ଚଳିତ ଲୋକସଭାରେ ପଞ୍ଜାବରେ ‘ଇଣ୍ଡିଆ’ ମେଣ୍ଟର ଦଳଗୁଡ଼ିକର ୯ଟି ଆସନ ରହିଛି। ଏଥିରେ କଂଗ୍ରେସର ୮ ଜଣ ସଦସ୍ୟ ଥିବା ବେଳେ ଆପ୍ ର ମାତ୍ର ଜଣେ ସଦସ୍ୟ ଅଛନ୍ତି। ତେବେ ଭଟିଣ୍ଡାରେ ତାଙ୍କ ବିକାଶ କ୍ରାନ୍ତି ରାଲିରେ କେଜ୍ରିୱାଲ ୧୧୨୫ କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ ଘୋଷଣା କରିଥିଲେ। କେଜ୍ରିଓ୍ଵାଲ ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସ ମଧ୍ୟ ରାଜ୍ୟରେ ଆପ୍ ର ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ।

ବିଜେପି, ଅକାଳୀ ଓ କଂଗ୍ରେସ ଉପରେ ଆକ୍ରମଣ

କେଜ୍ରିଓ୍ଵାଲ ବିଜେପି, ଅକାଳୀ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କେଜ୍ରିଓ୍ଵାଲ କହିଛନ୍ତି ଯେ, ଏସଏଡି, କଂଗ୍ରେସ କିମ୍ବା ବିଜେପି-ଅକାଳୀ ସରକାର କେବେବି ଏକାଥରକେ ୧୧୨୫ କୋଟି ଟଙ୍କାର ପ୍ୟାକେଜ୍ ଆବଣ୍ଟନ କରିନାହାନ୍ତି। ସେ କହିଛନ୍ତି ଯେ ପଞ୍ଜାବକୁ ଅନୁଦାନ ବନ୍ଦ କରିବା ପାଇଁ ତାଙ୍କ ଦଳର ସମସ୍ତ ପ୍ରତିଦ୍ୱନ୍ଦ୍ୱୀ କେନ୍ଦ୍ର ସରକାରଙ୍କ ସହ ହାତ ମିଳାଇଛନ୍ତି କାରଣ ସେମାନେ ଅନୁଭବ କରୁଛନ୍ତି ଯେ ଯଦି ଆପ୍ ପଞ୍ଜାବରେ ସଫଳତାର ସହ ବିକାଶ ମୂଳକ କାର୍ଯ୍ୟ କରେ ତେବେ ସେମାନେ ନିର୍ବାଚନରେ ପରାଜିତ ହୋଇଯିବେ।

ଆପ୍ ପଞ୍ଜାବରେ ମେଣ୍ଟ ଚାହୁଁନାହିଁ

ଲୋକସଭା ନିର୍ବାଚନ ପାଇଁ ପଞ୍ଜାବରେ ଆପ୍ ସହ କୌଣସି ସମ୍ଭାବ୍ୟ ମେଣ୍ଟକୁ କଂଗ୍ରେସର ରାଜ୍ୟ ୟୁନିଟ୍ ମଧ୍ୟ ବିରୋଧ କରୁଛି। କିଛିଦିନ ତଳେ ଦଳ ପକ୍ଷରୁ ସର୍ଭେ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟ ଶାଖାକୁ କୁହାଯାଇଥିଲା।

Related posts