ପ୍ରଶାସନିକ ସେବା ଅଧିକାରୀଙ୍କ ସହିତ କାହିଁକି ଆଲୋଚନା କଲେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀ

Published: Jan 22, 2024, 7:45 am IST

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ୟୁନିସେଫର ମିଳିତ ପ୍ରୟାସରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରସଙ୍ଗରେ ୱେବିନାର ସିରିଜ ଗତ ସେପେଫମ୍ବର ମାସଠାରୁ ଆଭାସୀ ମାଧ୍ୟମରେ ଆୟୋଜନ କରାଯାଉଅଛି।

ଏହି କାର୍ଯ୍ୟକ୍ରମ ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୨୩୧ଟି ଧନ୍ଦାମୂଳକ ଓ ୧୧୦ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଏଥିରେ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଖ୍ୟାତନାମା ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦିଗ୍‌ଦର୍ଶନ ଦିଆଯାଉଛି।

ଏହି ଅଧିବେଶନରେ ନୂତନ ଭାବେ ନିଯୁକ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀଙ୍କ ସହିତ କଥାବାର୍ତ୍ତା ଶୀର୍ଷକ ଆଲୋଚନା କରାଯାଇଛି। ମୁଖ୍ୟ ଅତିଥି ଭାବରେ ଶ୍ରୀ ସମୀର ଜେନା ଓ ଶ୍ରୀ ସୋମ୍ୟରଞ୍ଜନ ପ୍ରଧାନ – ଦୁଇଜଣ ନବନିଯୁକ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଯୋଗ ଦେଇଥିଲେ।

ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍‌. ଆୟାର ଆମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହିତ ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆଜିର ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ଏହି ବୃତ୍ତି ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଅତିଥିମାନଙ୍କଠାରୁ ବୁଝିବା ପାଇଁ ପରାମର୍ଶ ଦେଇଥିଲେ। ଆଇଡେଣ୍ଟୀଟି ଫାଉଣ୍ଡେସନର ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ ସିଙ୍ଘଲାଲ ଏହି ଅଧିବେସନକୁ ପରିଚାଳନା କରିଥିଲେ।

ଏହି ଅଧିବେଶନରେ ମୁଖ୍ୟ ଅତିଥିମାନେ ନିଜ ପ୍ରଚେଷ୍ଟା ଓ ଅଭିଜ୍ଞତା ଆଧାରରେ, ଏହି ବୃତ୍ତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ବୃତ୍ତି ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନେ କିପରି ପ୍ରସ୍ତୁତି ଆରମ୍ଭ କରିବେ, ଏହାର ସର୍ବୋତ୍ତମ ସମୟ, ପାଠପଢା ମାଧ୍ୟମ, ଅଧ୍ୟୟନ ସାମଗ୍ରୀ, ଆବଶ୍ୟକ କୌଶଳ, ସମୟ ପରିଚାଳନା, କୋଚିଂର ଆବଶ୍ୟକତା, ସାଧାରଣଜ୍ଞାନ ପାଇଁ ପ୍ରସ୍ତୁତି, ପରୀକ୍ଷା ପଦକ୍ଷେପ, ଆବଶ୍ୟକ ମାର୍କ, ସମୟ ଚାପକୁ ନିୟନ୍ତ୍ରଣ କରିବାର ଉପାୟ, ପ୍ରସ୍ତୁତି ସମୟରେ ଆହ୍ୱାନଗୁଡିକ କିପରି ଥାଏ ଓ ସେଗୁଡିକ କିପରି ଦୂରୀଭୂତ କରିବେ ସେ ନେଇ ଟିପ୍ସ ପ୍ରଦାନ କରିଥିଲେ।

ସେହିପରି ସାକ୍ଷାତକାର ଯୋଗ୍ୟତାଗୁଡିକ କ’ଣ ଏବଂ ପ୍ରତିଯୋଗିତାରେ ବିଫଳତାର ଭୟକୁ କିପରି ମୁକାବିଲା କରିବେ, ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କପାଇଁ ପରୀକ୍ଷା ପ୍ରୟାସ ସଂଖ୍ୟା (attempt for civil services exam) ଏବଂ ବୟସ ସୀମା, ସାମ୍ପ୍ରତିକ ଘଟଣାବଳୀ ସମ୍ବନ୍ଧୀୟ ତଥ୍ୟ କିପରି ପାଇବେ, କେତେ ଘଣ୍ଟାର ଅଧ୍ୟୟନ ଆବଶ୍ୟକ, ସାକ୍ଷାତକାରକୁ କିପରି ସଫଳ କରିବେ, ଜଣେ ପ୍ରଶାସନିକ ସେବା ଅଧିକାରୀଙ୍କ ଦାୟିତ୍ୱଗୁଡିକ କ’ଣ ହୋଇଥାଏ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା।

ପରିଶେଷରେ ଏହି ଅତିଥିଦ୍ୱୟ ଛାତ୍ରଛାତ୍ରୀଙ୍କ ନିମନ୍ତେ କେତୋଟି ସଫଳତାର ସୂତ୍ର କହିଥିଲେ ଯେ, ପିତାମାତାଙ୍କ ସମର୍ଥନ, ଦୃଢ ଇଚ୍ଛାଶକ୍ତି, ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଧୈର୍ଯ୍ୟ, ଅଧ୍ୟୟନରେ ସ୍ଥିରତା ଇତ୍ୟାଦି। ଏହିଗୁଡିକ ଛାତ୍ରଛାତ୍ରୀମାନଙ୍କର ସ୍ୱପ୍ନର କ୍ୟାରିୟରକୁ ବାସ୍ତବରେ ପରିଣତ କରିବା ପାଇଁ ନିଶ୍ଚୟ ସହାୟକ ହେବ।

ଶ୍ରୀମତୀ ରଞ୍ଜିତା ମେରୀ ନାୟକ, ଉପ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି, ୟୁନିସେଫ, ଆଇଡେଣ୍ଟୀଟି ଫାଉଣ୍ଡେସନ, ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts