କେମିତି ନିର୍ଦ୍ଧାରଣ କରାଯାଏ ଲୋକସଭା ନିର୍ବାଚନ ତାରିଖ? ୪ଟି ନିର୍ବାଚନ ତଥ୍ୟରୁ ଜାଣନ୍ତୁ କେବେ ମତଦାନ ହେବ

Published: Jan 26, 2024, 3:19 pm IST

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ୨୦୨୪ ଜୁନ୍ ୧୬ରେ ଶେଷ ହେଉଛି। ଏଭଳି ସ୍ଥିତିରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ନିର୍ବାଚନ କମିଶନ। ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ୨୦୨୪ ଲୋକସଭା ନିର୍ବାଚନ କେବେ ହେବ? ଏପ୍ରିଲ ୧୬ରୁ ଦେଶରେ ଲୋକସଭା ନିର୍ବାଚନ ଆରମ୍ଭ ହେବ କି? ନିର୍ବାଚନ କମିଶନଙ୍କ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିର୍ବାଚନ ତାରିଖକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ ନିର୍ବାଚନ ଆୟୋଗ ସ୍ପଷ୍ଟଭାବେ କହିଛନ୍ତି ଯେ ଏହି ତାରିଖରୁ ନିର୍ବାଚନ ହେବା ଜରୁରୀ ନୁହେଁ।

ନିର୍ବାଚନ କମିଶନ ଏକ ବିବୃତିରେ କହିଛନ୍ତି ଯେ, ନିର୍ବାଚନର ସମ୍ଭାବ୍ୟ ତାରିଖ ସୋସିଆଲ ମିଡିଆରେ ଭାଇରାଲ ହେବା ଏକ ପରାମର୍ଶ। ଅଧିକାରୀମାନେ ଯେପରି ଜିଲ୍ଲାସ୍ତରରେ ନିର୍ବାଚନର ଯୋଜନାକୁ ଠିକ୍ ସମୟରେ ଶେଷ କରିପାରିବେ ଏବଂ ବ୍ୟବସ୍ଥା କରିପାରିବେ ସେଥିପାଇଁ ଏହି ତାରିଖ ଦିଆଯାଇଛି।

ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ଆନୁଷ୍ଠାନିକଭାବେ ତାରିଖ ଘୋଷଣା କରିନାହାନ୍ତି, କିନ୍ତୁ ଗତ ୪ଟି ଲୋକସଭା ନିର୍ବାଚନ ଏବଂ ସାମ୍ବିଧାନିକ ବ୍ୟବସ୍ଥା ଆଧାରରେ ଆମେ ସମ୍ଭାବ୍ୟ ସମୟସୀମା ଆକଳନ କରିପାରିବା।

କେମିତି ନିର୍ଦ୍ଧାରଣ କରାଯାଏ ଲୋକସଭା ନିର୍ବାଚନ ତାରିଖ?

ଭାରତୀୟ ସମ୍ବିଧାନର ଧାରା ୩୨୪ ଅନୁଯାୟୀ, ଭାରତର ଲୋକସଭା, ବିଧାନସଭା, ରାଜ୍ୟସଭା ନିର୍ବାଚନ ଭାରତର ନିର୍ବାଚନ ଆୟୋଗଦ୍ୱାରା ଆୟୋଜନ କରାଯାଏ।
ସମ୍ବିଧାନଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ବାଚନ କରିବା ନିର୍ବାଚନ କମିଶନଙ୍କ ଦାୟିତ୍ୱ। ଲୋକସଭା ନିର୍ବାଚନ ତାରିଖ ସ୍ଥିର କରିବାରେ ମଧ୍ୟ କମିଶନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।

ଲୋକସଭାର ପ୍ରତ୍ୟେକ ଗୃହର କାର୍ଯ୍ୟକାଳ ୫ ବର୍ଷ ଏବଂ ଏହି କାର୍ଯ୍ୟକାଳ ସୀମା ଶେଷ ହେବା ପୂର୍ବରୁ ପୁନର୍ବାର ନିର୍ବାଚନ କରିବାକୁ ପଡ଼ିବ। ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଯେପରି ସମ୍ବିଧାନଦ୍ୱାରା ଉଲ୍ଲଂଘନ ନ ହୁଏ ତାହା ନିର୍ବାଚନ ଆୟୋଗଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିବ।

ନିର୍ବାଚନ ତାରିଖ ନିର୍ଦ୍ଧାରଣ କରିବା ସମୟରେ ନିର୍ବାଚନ ଆୟୋଗ କେତେକ ପରିସ୍ଥିତିକୁ ମଧ୍ୟ ବିଚାରକୁ ନେଇଥାନ୍ତି। ଉଦାହରଣସ୍ୱରୂପ, ନିର୍ବାଚନ ଦିନ ସେହି ଅଞ୍ଚଳରେ ଅଧିକ ଗରମ କିମ୍ବା ବର୍ଷା ନ ହେବାର ତାରିଖ ରହିବା ଉଚିତ, ଯାହା ମତଦାନକୁ ପ୍ରଭାବିତ କରିଥାଏ। ଯେପରି କୌଣସି ରାଜନୈତିକ ଦଳ ଅଯଥା ଫାଇଦା ନ ପାଇବେ ଏବଂ ନିର୍ବାଚନ ନିରପେକ୍ଷଭାବେ ସମ୍ପନ୍ନ ହେବ ସେଥିପାଇଁ ଏଭଳି ତାରିଖ ଚୟନ କରାଯାଏ। ଏହାବ୍ୟତୀତ ଧାର୍ମିକ ପର୍ବପର୍ବାଣୀ, ଜାତୀୟ ଛୁଟି, ସ୍ୱତନ୍ତ୍ର ପରୀକ୍ଷା ତାରିଖ, ସୁରକ୍ଷା ବାହିନୀର ଉପଲବ୍ଧତାକୁ ମଧ୍ୟ ନିର୍ବାଚନ ଆୟୋଗ ବିଚାରକୁ ନେଇଥାନ୍ତି।

ମତଦାନର କେତେଦିନ ପୂର୍ବରୁ ତାରିଖ ଘୋଷଣା ହୁଏ

ଗତ ୪ଟି ସାଧାରଣ ନିର୍ବାଚନ (୨୦୧୯, ୨୦୧୪, ୨୦୦୯ ଓ ୨୦୦୪)କୁ ଦେଖିଲେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା ଓ ମତଦାନ ମଧ୍ୟରେ ପ୍ରାୟ ୪୦ରୁ ୫୦ ଦିନର ବ୍ୟବଧାନ ରଖିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ଏପ୍ରିଲ ୧୧ରୁ ମେ ୧୯ ମଧ୍ୟରେ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା, କିନ୍ତୁ ନିର୍ବାଚନ ଆୟୋଗ ମାର୍ଚ୍ଚ ପ୍ରାରମ୍ଭରେ ତାରିଖ ଘୋଷଣା କରିଥିଲେ।

୨୦୧୪ ଓ ୨୦୦୯ରେ ନିର୍ବାଚନ କମିଶନ ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ୨୦୧୯ ଏପ୍ରିଲ ୭ରୁ ମେ ୧୨ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ହୋଇଥିଲା। ୨୦୦୯ରେ ଏପ୍ରିଲ ୧୬ରୁ ମେ ୧୩ ପର୍ଯ୍ୟନ୍ତ ସାରାଦେଶରେ ନିର୍ବାଚନ ହୋଇଥିଲା। ତେବେ ୨୦୦୪ ମସିହା ଫେବ୍ରୁଆରି ୨୯ ତାରିଖରେ ଏହି ତାରିଖ ଘୋଷଣା କରାଯାଇଥିଲା।

ପୂର୍ବ ନିର୍ବାଚନକୁ ଆଧାର କରି ଅନୁମାନ କରାଯାଇପାରେ ଯେ ଚଳିତ ବର୍ଷ ୨୦୨୪ରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ।

୨୦୨୪ ଲୋକସଭା ନିର୍ବାଚନ କେବେ ହେବ?

ଲୋକସଭା ନିର୍ବାଚନ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଗତ ୪ଟି ଲୋକସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ଏପ୍ରିଲରୁ ମତଦାନ ଆରମ୍ଭ ହୋଇ ମେ ମାସ ସୁଦ୍ଧା ନିର୍ବାଚନ ସରିଛି। ୨୦୧୯ ଏପ୍ରିଲ ୧୧, ୨୦୧୪ରେ ଏପ୍ରିଲ ୭, ୨୦୦୯ରେ ଏପ୍ରିଲ ୧୬ ଓ ୨୦୦୪ରେ ଏପ୍ରିଲ ୨୦ରେ ନିର୍ବାଚନ ଆରମ୍ଭ ହୋଇଥିଲା।

୨୦୨୪ରେ ଅଷ୍ଟାଦଶ ଲୋକସଭାର ସଦସ୍ୟ ଚୟନ ପାଇଁ ଏପ୍ରିଲରୁ ମେ ମାସ ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବାର ସମ୍ଭାବନା ରହିଛି। ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ସମୟ ପାଣିପାଗ ଦୃଷ୍ଟିରୁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ। ଏହି ନିର୍ବାଚନ ୫ରୁ ୭ଟି ପର୍ଯ୍ୟାୟରେ ହୋଇପାରେ।

ଆପଣଙ୍କ ରାଜ୍ୟରେ କ’ଣ ପର୍ଯ୍ୟାୟ ନିର୍ବାଚନ ହେବ?

ଅଧିକ ଲୋକସଭା ଆସନ ଥିବା କେତେକ ରାଜ୍ୟରେ ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନ ହୋଇଥାଏ। ଯେପରିକି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ। କେତେକ କ୍ଷୁଦ୍ର ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ସରିଛି। ଦିଲ୍ଲୀ, ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ।

ପଶ୍ଚିମ ୟୁପିରେ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ପର୍ଯ୍ୟାୟ ଏବଂ ପୂର୍ବ ୟୁପିରେ ଅବଶିଷ୍ଟ ପର୍ଯ୍ୟାୟରେ ନିର୍ବାଚନ ସମ୍ଭବ। ସେହିପରି ବିହାରରେ ସବୁ ପର୍ଯ୍ୟାୟରେ ନିର୍ବାଚନ ହେବାର ସମ୍ଭାବନା ରହିଛି।

ଗତ ଲୋକସଭା ନିର୍ବାଚନର ତଥ୍ୟକୁ ଆଧାର କରି ଜାଣନ୍ତୁ କେଉଁଠି ହୋଇପାରେ ନିର୍ବାଚନ-

ପ୍ରଥମ ପର୍ଯ୍ୟାୟ: ଜମ୍ମୁ-କଶ୍ମୀର, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ସିକ୍କିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ଲାକ୍ଷାଦ୍ୱୀପ।

ଦ୍ୱିତୀୟ ପର୍ଯ୍ୟାୟ- ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ଓଡ଼ିଶା, ତାମିଲନାଡୁ, ତ୍ରିପୁରା, ୟୁପି, ପଶ୍ଚିମବଙ୍ଗ ଓ ପୁଡୁଚେରୀ।

ତୃତୀୟ ପର୍ଯ୍ୟାୟ: ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ଗୋଆ, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଦାଦ୍ରା ଓ ନଗର ହାଭେଲି, ଦାମନ ଓ ଦିଉ।

ଚତୁର୍ଥ ପର୍ଯ୍ୟାୟ- ବିହାର, ଉତ୍ତରପ୍ରଦେଶ, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ପଶ୍ଚିମବଙ୍ଗ।

ପଞ୍ଚମ ପର୍ଯ୍ୟାୟ- ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ।

ଷଷ୍ଠ ପର୍ଯ୍ୟାୟ: ବିହାର, ହରିୟାଣା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ-ଏନସିଆର।

ସପ୍ତମ ପର୍ଯ୍ୟାୟ: ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଞ୍ଜାବ, ବିହାର, ପଶ୍ଚିମବଙ୍ଗ, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ।

କେବେ ଆସିବ ନିର୍ବାଚନ ଫଳାଫଳ?

ସାଧାରଣତଃ ଶେଷ ପର୍ଯ୍ୟାୟ ମତଦାନ ପରେ ତୃତୀୟ କିମ୍ବା ଚତୁର୍ଥ ଦିନରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥାଏ। ୨୦୧୯ରେ ମେ ୨୩ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ୨୦୧୪ ଓ ୨୦୦୯ରେ ମେ’ ୧୬ତାରିଖରେ ଫଳାଫଳ ଆସିଥିଲା। ୨୦୦୪ରେ ମେ ୧୩ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା।

ଏହି ଆଧାରରେ ଅନୁମାନ କରାଯାଇପାରେ ଯେ ୨୦୨୪ରେ ମଧ୍ୟ ନିର୍ବାଚନ ଫଳାଫଳ ମେ ୧୩ରୁ ମେ ୨୩ ମଧ୍ୟରେ ସମସ୍ତଙ୍କ ସାମ୍ନାରେ ରହିବ। ମେ’ ମାସରେ ଭୋଟ ଗଣତି ପରେ ୫୪୩ ଆସନ ବିଶିଷ୍ଟ ଲୋକସଭାର ସ୍ଥିତି ସ୍ପଷ୍ଟ ହେବ।

ଆଚରଣ ବିଧି କେବେ ଲାଗୁ ହେବ?

ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମଗ୍ର ଦେଶ କିମ୍ବା ସେହି ରାଜ୍ୟରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆଚରଣ ବିଧି ଲାଗୁ କରାଯାଏ। ୧୯୬୨ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ପ୍ରଥମ ଥର ପାଇଁ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମଧ୍ୟରେ ଆଚରଣ ବିଧି ଜାରି କରିଥିଲେ।

୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଲାଗୁ ହୋଇପାରେ। ଏହି ସମୟ ମଧ୍ୟରେ କୌଣସି ନୂଆ ବିଲ ଆଗତ ହୋଇପାରିବ ନାହିଁ। କେନ୍ଦ୍ର କିମ୍ବା ରାଜ୍ୟ ସରକାର କୌଣସି ନୂଆ ଯୋଜନା ଘୋଷଣା କିମ୍ବା କାର୍ଯ୍ୟକାରୀ କରିପାରିବେ ନାହିଁ। ରାଜନୈତିକ ଦଳ କିମ୍ବା ପ୍ରାର୍ଥୀମାନେ ନିଜ ପ୍ରଚାର ପାଇଁ ସରକାରୀ ସମ୍ବଳ ବ୍ୟବହାର କରିପାରିବେ ନାହିଁ। ମତଦାନ କେନ୍ଦ୍ରକୁ ଭୋଟରଙ୍କ ଆସିବା ପାଇଁ ରାଜନୈତିକ ଦଳମାନେ ଗାଡ଼ିର ବ୍ୟବସ୍ଥା କରିପାରିବେ ନାହିଁ।

ଆଦର୍ଶ ଆଚରଣ ବିଧି ଅନୁଯାୟୀ କୌଣସି ଦଳ କିମ୍ବା ପ୍ରାର୍ଥୀ ଏପରି କୌଣସି

କାର୍ଯ୍ୟକଳାପରେ ଲିପ୍ତ ହୋଇପାରିବେ ନାହିଁ ଯାହା ପାରସ୍ପରିକ ଘୃଣା ସୃଷ୍ଟି କରିବ କିମ୍ବା ଦୁଇ ଜାତି ଓ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବ। ମସଜିଦ, ଚର୍ଚ୍ଚ, ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନକୁ ନିର୍ବାଚନୀ ପ୍ରଚାର ପାଇଁ ପ୍ଲାଟଫର୍ମଭାବେ ବ୍ୟବହାର କରାଯାଇପାରିବ ନାହିଁ। ଭୋଟରଙ୍କୁ ଲାଞ୍ଚ ଦେବା, ଭୋଟରଙ୍କୁ ଭୟଭୀତ କରିବା, ମତଦାନ କେନ୍ଦ୍ରର ୧୦୦ ମିଟର ଭିତରେ ପ୍ରଚାର କରିବା ନିର୍ବାଚନ ଆଇନ ଅନୁଯାୟୀ ଅପରାଧ। ଯଦି କୌଣସି ପ୍ରାର୍ଥୀ ଏହି ନିୟମକୁ ଉଲ୍ଲଂଘନ କରନ୍ତି ତେବେ ସେହି ପ୍ରାର୍ଥୀଙ୍କ ନାମାଙ୍କନ ବାତିଲ ହୋଇପାରେ । ଗିରଫ ହେଲେ ସହଜରେ ଜାମିନ ମିଳେ ନାହିଁ।

Related posts