ବୌଦ୍ଧାୟନ ଆଚାର୍ଯ୍ୟ
ଦେଶରେ ଏବେ ବି ଚାଲିଛି ଆମ୍ବାସଡ଼ର ଜମାନା,ଆଉ ତେଲେଙ୍ଗାନାବାସୀ ଆମ୍ବାସଡ଼ରକୁ ପୁଣି ଥରେ ପସନ୍ଦ କରିଛନ୍ତି। ଦୃଢ ସଂକଳ୍ପ, ଦୀର୍ଘ ଦିନର ଲଢେଇ ଆଉ ଜନ୍ମମାଟିକୁ ସ୍ୱତନ୍ତ୍ର ଅଧିକାର। ଆଉ ସେଦିନର ଆନ୍ଦୋଳନ ହେଉ ବା ଆମରଣ ଅନଶନ, ଏ ସବୁ ଏବେ ତାଙ୍କୁ ବିଜୟୀ କରି କରି ଚାଲିଛି । ତେଲେଙ୍ଗାନା ରାଜ୍ୟଗଠନ ଆଂଦୋଳନର ନେତାରୁ ମୁଖ୍ୟମନ୍ତ୍ରୀ ହେବାର ଦଉଡରେ ସେ ଏବେ ଅପ୍ରତିଦ୍ଵନ୍ଦୀ ସାଜିଛନ୍ତି । ଆମେ କହୁଛୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ଟିଆରଏସର ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ କଥା । ୬୫ ବର୍ଷର ଏହି ନେତାଙ୍କ ସାମ୍ନାରେ ଫିକା ପଡିଯାଇଛି କଂଗ୍ରେସ,ସିପିଆଇ,ଟିଡ଼ିପି ମେଣ୍ଟ ।
ବିଶେଷ କରି ଭୋଟରଙ୍କୁ ପ୍ରଭାବିତ କରିବାର କୌଶଳ ତାଙ୍କୁ ପୁଣିଥରେ ରାଜ୍ୟର ଗାଦି ସମ୍ଭାଳିବାକୁ ସୁଯୋଗ ଦେଇଛି । ଆଉ ରାଓ ଦେଖାଇଛନ୍ତି ତାଙ୍କ ପ୍ରଭାବ । ତେବେ ସେତେ ସହଜ ନଥିଲା ରାଓଙ୍କ ମୁଖ୍ୟମନ୍ତ୍ରୀ ଚୌକି । ବିଶେଷ କରି ତେଲେଙ୍ଗାନା ରାଜ୍ୟ ଗଠନରେ ସେନାପତିର ଭୂମିକା ନିର୍ବାହ କରିଥିଲେ ରାଓ । ବର୍ଷ ବର୍ଷ ଧରି ଆନ୍ଦୋଳନ କରିବା ସହ ଆମରଣ ଅନଶନରେ ସେ ବସିଥିଲେ ଆଉ ଦାବି କରିଥିଲେ ଯେ ଗଠନ ହେଉ ସ୍ୱତନ୍ତ୍ର ରାଜ୍ୟ ତେଲେଙ୍ଗାନା । ଆନ୍ଧ୍ରପ୍ରଦେଶ ଠିକ ଭାବେ ଅଧିକାର ଦେଉନଥିବାର ଅଭିଯୋଗ କରି ସେ ନିଜ ଦଳ ଟିଡ଼ିପିର ହାତ ମଧ୍ୟ ଛାଡିଦେଇଥିଲେ । ଆଉ ଏହାପରେ ତେଲେଙ୍ଗା ଲୋକଙ୍କ ସ୍ୱାଭିମାନ ପାଇଁ ଆରମ୍ଭ କରିଥିଲେ ନିଜର ସଂଘର୍ଷମୟ ଜୀବନ । ଗଠନ କରିଥିଲେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି । ଏହାପରେ ଉଠାଣିଗଡ଼ାଣି ଦେଇ ଗଡିଚାଲିଥିଲା ତାଙ୍କ ରାଜନୀତିର ଗାଡି । ବିଶେଷ କରି ତେଲେଙ୍ଗାନାର ସ୍ବପ୍ନ ଦେଖୁଥିବା ଏହି ମଣିଷ ସବୁ ମୁହୂର୍ତ୍ତରେ ଚାଁହୁଥିଲେ କେବେ ହେବ ନିଜ ମାଟିର ସ୍ୱତନ୍ତ୍ର ରାଜ୍ୟ ।
ଆନ୍ଦୋଳନ ଚାଲିଥିବାବେଳେ ପୋଲିସ ତାଙ୍କୁ ଅନେକଥର ଗିରଫ କରିଥିଲା। ଧୀରେ ଧୀରେ ବଢିଥିଲା ଆନ୍ଦୋଳନର ପରିସୀମା। ଆଉ ଶେଷରେ ୨୦୧୪ ମସିହାରେ ଗଠନ ହୋଇଥିଲା ତେଲେଙ୍ଗାନା । ଆଉ ୪ ବର୍ଷ ୬ ମାସର ଏହି ସମୟ ସୀମାରେ କେସିଆର ପ୍ରସ୍ତୁତ କରିଥିଲେ ଏମିତି କିଛି ଯୋଜନା ଯାହାକି ଭୋଟରଙ୍କୁ ପ୍ରଭାବିତ କରିଥିଲା । ବିଶେଷ କରି ବିକାଶର ଗାଡିକୁ ତୀବ୍ରତର କରିବା ପାଇଁ କେସିଆର ୨୦୧୬ ମସିହାରେ ୧୦ଟି ଜିଲ୍ଲାକୁ ଭାଙ୍ଗି ୩୧ ଜିଲ୍ଲାରେ ପରିଣତ କରିଦେଇଥିଲେ । ଆଉ ଭୋଟର ବି ବୁଝିଥିଲେ ଏହି ଦଳର ଉଦ୍ଦେଶ୍ୟ। ହାଇଦ୍ରାବାଦ ରହଣି ଭିତରେ ଅନୁଭବ ହୋଇଥିଲା ଦଳ ଅପେକ୍ଷା ମାଟିକୁ ଗୁରୁତ୍ୱ ଦେଇଛନ୍ତି ଭୋଟର । ତେଲେଙ୍ଗାନାର ସ୍ୱାଭିମାନକୁ ବୁଝିଛନ୍ତି ଏଠାକାର ଭୋଟର ଆଉ ନିର୍ବାଚନ ପୂର୍ବରୁ କେସିଆରଙ୍କ ପାର୍ଟି ବି ଲୋକଙ୍କୁ ମନେପକାଇଦେଇଥିଲା କିଭଳି ତେଲେଙ୍ଗାନା ନିର୍ମାଣ ଆଗରୁ ସେମାନେ ଅବହେଳାର ଶିକାର ହେଉଥିଲେ । ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ପ୍ରଚାର ସବୁଠି ଥିଲା ସେହି ସମାନ ତୁଳନା। ଆଉ ଆମ୍ବାସଡ଼ର ପୁଣିଥରେ ତେଲେଙ୍ଗାନାରେ ଚାଲିଛି।
Tags: