ଭୁବନେଶ୍ବର: ଆଜି ୯୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଆନ୍ଧ୍ର ପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ବିଶ୍ବଭୂଷଣ । ଓଡିଶା ରାଜନୈତିକ ଇତିହାସରେ ସେ ହେଉଛନ୍ତି ଜଣେ ବେଶ୍ ପରିଚିତ ବ୍ୟକ୍ତିତ୍ବ। ଭାରତୀୟ ଜନସଂଘରୁ ରାଜନୈତିକ ଜୀବନ ଆରମ୍ଭ କରି ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ ରାଜ୍ୟପାଳ ହେବା କିଛି ସହଜ କଥା ନୁହେଁ।
ବିଶ୍ବଭୂଷଣଙ୍କ ରାଜନୈତିକ ଜୀବନ ବେଶ ଲମ୍ବା। ସେ ପ୍ରଥମେ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ।୧୯୭୭ ମସିହାରେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ୧୯୭୫ ମସିହାରେ ସେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ମିସା ଆଇନରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ୮ ବର୍ଷ ଧରି ବିଜେପିର ରାଜ୍ୟ ସଭାପତି ରହିଥିଲେ । ପରେ ସେ ବିଜେପି ଛାଡ଼ି ଜନତା ପାର୍ଟିରେ ସାମିଲ ହୋଇଥିଲେ ମଧ୍ୟ ପୁଣିଥରେ ୧୯୯୬ ଏପ୍ରିଲ ମାସରେ ବିଜେପିକୁ ଫେରିଥିଲେ।
ବିଜୁ ପଟ୍ଟନାୟକଙ୍କ ସରକାରରେ ଶ୍ରୀ ହରିଚନ୍ଦନ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ସେ ଚିଲିକା ଏବଂ ଭୁବନେଶ୍ୱରରୁ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଦୁଇଥର ଜନତା ଦଳରୁ ଏବଂ ତିନି ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି। ଏହି ବରିଷ୍ଠ ବିଜେପି ନେତା ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀତ୍ବ ସମୟରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ସେ ରାଜସ୍ୱ, ଆଇନ, ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ସେ ଓଡିଶା ରାଜନୀତିର ଜଣେ ଭୀଷ୍ମ ପିତାମହ।
ରାଜନୀତି ବ୍ୟତୀତ ସାହିତ୍ୟରେ ବେଶ୍ ରୁଚି ରଖିଛନ୍ତି ଶ୍ରୀ ହରିଚନ୍ଦନ । ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ‘ମାତୃଭାଷା’, ‘ଶେଷ ଝଲକ୍’, ‘ରାଣା ପ୍ରତାପ’, ‘ଅସ୍ତଶିଖା’ ଓ ‘ମାନସୀ’ ପ୍ରମୁଖ । ଲେଖାଲେଖିରେ ରୁଚି ରଖିଥିବା ବିଶ୍ୱଭୂଷଣ ପାଇକ ଆନ୍ଦୋଳନର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।