Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

ନୂଆଦିଲ୍ଲୀ: ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ” ଆଜି ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ।

ବର୍ତ୍ତମାନ ରାଜ୍ୟପାଳ ବିଶ୍ବଭୂଷଣ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ କରାଇବା ପରେ ସେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଶପଥପାଠ ବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। କାରଣ ସେହି ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗଦେଇଥିଲେ।

ଗତକାଲି ମଧ୍ୟ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶର ଶୀର୍ଷ ସ୍ଥାନରେ ଥିବା ଦୁଇ ଓଡିଆ ହେଲେ ଭେଟାଭେଟି

ନୂଆଦିଲ୍ଲୀ: ଭାରତର ସାମ୍ବାଧାନିକ ପଦବୀର ଶୀର୍ଷ ସ୍ଥାନରେ ବସିଥିବା ଦୁଇ ଓଡିଆ ଗତକାଲି ଭେଟାଭେଟି ହୋଇଛନ୍ତି। ସେମାନେ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଏ ନେଇ ରାଷ୍ଟ୍ରପତି ଭବନ ତରଫରୁ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ,

Shri Biswa Bhusan Harichandan, Governor of Chhattisgarh, called on President Droupadi Murmu at Rashtrapati Bhavan.

ନିକଟରେ ଛତିଶଗଡରେ ନୂଆ ସରକାର ଗଠନ ହୋଇଛି। ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେବ ସାଏଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଛତିଶଗଡରେ ନୂଆ ସରକାର ଗଠନ ହେବା ପରେ ସେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

ରାୟପୁର: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଗତକାଲି ରାତିରେ ଭୂପେଶ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ଇସ୍ତଫା ପତ୍ର ଦେବା ପରେ ସେ କିଛି ସମୟ ରାଜ୍ୟପାଳଙ୍କ ସହିତ ଆଲୋଚନା କରି ଫେରିଆସିଥିଲେ।

ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସର ପତନ ଘଟିଛି। ସେଠାରେ ବିଜେପି ସରକାର ଗଢିବା ପାଇଁ ପୂର୍ଣ୍ଣ ବହୁମତ ହାସଲ କରିଛି। ମୋଟ ୯୦ ଟି ଆସନରୁ ବିଜେପିକୁ ୫୪ଟି ମିଳିଥିବା ବେଳେ କଂଗ୍ରେସ ହାସଲ କରିଛି ମାତ୍ର ୩୫ ଟି ଆସନ। ଅନ୍ୟାନ୍ୟରୁ ଜଣେ ବିଜୟ ଲାଭ କରିଛି। ତେବେ ବିଜେପିରୁ ରମଣ ସିଂ ମୁଖ୍ୟମନ୍ତ୍ରୀ ହେବେ ନା ଆଉ କେହି ସେ ନେଇ ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଶ୍ବଭୂଷଣଙ୍କ ଉପରେ ବିଜେଡି ଖପ୍ପା, ପୁଅର ରାଜନୈତିକ ଭବିଷ୍ୟତ ପାଇଁ ସେ ବ୍ୟଗ୍ର ବୋଲି ଅଭିଯୋଗ

ଭୁବନେଶ୍ୱର: ଛତିଶଗଡ ରାଜ୍ୟପାଳ ବିଭିନ୍ନ ସମୟରେ ଦେଉଥିବା ବିବୃତିକୁ ନେଉ ଖପ୍ପା ହୋଇଛି ବିଜୁ ଜନତା ଦଳ। ନିକଟରେ ବିଶ୍ବଭୂଷଣ ହରିଚନ୍ଦନ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଏବଂ ରତ୍ନଭଣ୍ଡାର ଖୋଲା ପ୍ରସଂଗରେ ବିବୃତି ପ୍ରଦାନ କରିଥିଲେ। ଏ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏପରି ସବୁ ବିବୃତି ନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ବିଶ୍ବଭୂଷଣଙ୍କୁ ସମାଲୋଚନା କରିଛି।

ବିଜେଡି କହିଛି ବିଗତ ୭୬ ବର୍ଷ ଧରି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ରାଜ୍ୟପାଳମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ନିରପେକ୍ଷ ଭୂମିକା ଗ୍ରହଣ କରିଛନ୍ତି । ଯେତେବେଳେ ଜଣେ ଓଡ଼ିଆଙ୍କୁ ରାଜ୍ୟପାଳ ପଦରେ ନିଯୁକ୍ତି ମିଳିଥାଏ, ସେ ଆସାମର ରାଜ୍ୟପାଳ ଭାବେ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ହୁଅନ୍ତୁ, ଝାଡଖଣ୍ଡର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କିମ୍ବା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ଯିଏକି ଏବେ ଛତିଶଗଡର ରାଜ୍ୟପାଳ ଅଛନ୍ତି, ଆମେ ସମସ୍ତେ ସବୁବେଳେ ଖୁସି ହୋଇଛୁ ବୋଲି କହିଛନ୍ତି ବିଜେଡି ସାଂସଦ ତଥା ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର।

ଡକ୍ଟର ପାତ୍ର କହିଛନ୍ତି ଯେ ଭାରତୀୟ ସମ୍ବିଧାନର ଧାରା ୧୫୩ ରୁ ୧୬୨ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପାଇଁ ନିର୍ଦ୍ଦିଷ୍ଟ କ୍ଷମତା ଓ ସେବା ସର୍ତ୍ତାବଳୀ ରଖାଯାଇଛି। ସାମ୍ବିଧାନିକ ଦୃଷ୍ଟିରୁ ରାଜ୍ୟପାଳମାନେ ନିରପେକ୍ଷ ରହିବେ ବୋଲି ଆଶା କରାଯାଇଛି।

ରାଜ୍ୟପାଳମାନେ ଅଣରାଜନୈତିକ ପଦବୀରେ ଅଧିଷ୍ଠିତ ହେଉଥିବାରୁ ରାଜ୍ୟପାଳ ପଦ ଗ୍ରହଣ କରିବା ପୂର୍ବରୁ ସେ ସମ୍ପୃକ୍ତ ଥିବା ରାଜନୈତିକ ପଦ କିମ୍ବା ରାଜନୈତିକ ଦଳରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥାଏ। ସେମାନେ ଏପରି କୌଣସି ବୟାନ କିମ୍ବା ମନ୍ତବ୍ୟ ନ ଦେଇ ରାଜ୍ୟପାଳ ପଦର ମର୍ଯ୍ୟାଦା ବଜାୟ ରଖିବେ ବୋଲି ଆଶା କରାଯାଉଛି ଯାହା ସେମାନଙ୍କ ପଦବୀର ମର୍ଯ୍ୟାଦା ଏବଂ ସମ୍ମାନକୁ ହ୍ରାସ କରିପାରେ।

ତେବେ ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି ଯେ ଛତିଶଗଡ଼ର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିବା ଆରମ୍ଭ କରିଛନ୍ତି ଯାହା ତାଙ୍କଠାରୁ ଆଶା କରାଯାଉ ନାହିଁ। ଆମେ ବୁଝିପାରୁଛୁ ଯେ ସେ ତାଙ୍କ ପୁଅ ପାଇଁ ଏକ ରାଜନୈତିକ ପଦବୀ ଖୋଜିବା ପାଇଁ ବ୍ୟଗ୍ର ଅଛନ୍ତି, ଯିଏ କି ତାଙ୍କ ଜୀବନରେ କେବେବି ନିର୍ବାଚନ ଜିତି ନାହାନ୍ତି ଏବଂ ପୌର ନିର୍ବାଚନରେ କାଉନସିଲରର ନିର୍ବାଚନ ମଧ୍ୟ ହାରିଛନ୍ତିା

ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଠାରୁ ଆମେ ଆଶା କରୁଛୁ ଯେ ସେ ଓଡ଼ିଶା ଉପରେ ବିଭିନ୍ନ ପ୍ରସଙ୍ଗରେ ମତବ୍ୟକ୍ତ କରି ତାଙ୍କ ପଦର ମର୍ଯ୍ୟାଦା ଓ ସମ୍ମାନକୁ ହ୍ରାସ କରିବେ ନାହିଁ, ଯାହା ତାଙ୍କଠାରୁ ଆଶା କରାଯାଉ ନାହିଁ ଏବଂ ଓଡ଼ିଶା ଭଳି ରାଜ୍ୟରେ ଏହା ପୂର୍ବରୁ କେବେବି ଦେଖିବାକୁ ମିଳି ନ ଥିଲା।

ଆସାମର ରାଜ୍ୟପାଳ ଥିବା ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଝାଡଖଣ୍ଡର ରାଜ୍ୟପାଳ ଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଭଳି ଓଡ଼ିଆଙ୍କୁ ଓଡିଶା ଦେଖିଛି। ସେମାନେ ରାଜ୍ୟପାଳ ଥିଲେ ମଧ୍ୟ କେବେ ବି ଏପରି ଶବ୍ଦ ଉଚ୍ଚାରଣ କରି ନ ଥିଲେ ଯାହା ସେମାନଙ୍କ ପଦ ଓ ମର୍ଯ୍ୟାଦା ପାଇଁ ଅନୁପଯୁକ୍ତ ବୋଲି ବିବେଚନା କରାଯିବ। ଏହା ହେଉଛି ଜଣେ ଭଲ ରାଜ୍ୟପାଳଙ୍କ ପ୍ରକୃତ ମାନ୍ୟତା, ଯିଏ କି ରାଜ୍ୟପାଳ ପଦର ପବିତ୍ରତା ଏବଂ ମର୍ଯ୍ୟାଦା ବଜାୟ ରଖନ୍ତି।

ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଠାରୁ ଆମେ ଆଶା କରୁଛୁ ଯେ ଏଭଳି ବୟାନ ଦେବାରୁ ଦୂରେଇ ରହିବେ ଯାହା ତାଙ୍କଠାରୁ ଏବଂ ଛତିଶଗଡ଼ର ରାଜ୍ୟପାଳ ଭାବରେ ତାଙ୍କ କାର୍ଯ୍ୟାଳୟଠାରୁ ଆଶା କରାଯାଉ ନାହିଁ। ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଏବଂ ବର୍ତ୍ତମାନ ଛତିଶଗଡର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ସମୟରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଯେଉଁ ଶପଥ ନେଇଛନ୍ତି ତଦନୁଯାୟୀ ତାଙ୍କର ଦାୟିତ୍ୱ ଅଣ ରାଜନୈତିକ ରହିବା ଉଚିତ୍‍ ବୋଲି ଡକ୍ଟର ପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କାନ୍ତକବି ପୁରସ୍କାର ପ୍ରଦାନ ଉତ୍ସବ ସମାରୋହରେ ଯୋଗଦେଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ

କଟକ: ଗତକାଲି କଟକସ୍ଥ ଶତାବ୍ଦି ଭବନରେ ଫତୁରାନନ୍ଦ ସ୍ମୃତି ସମାରୋହ ଆନୁକୂଲ୍ୟରେ କାନ୍ତକବି ପୁରସ୍କାର ପ୍ରଦାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାନ୍ତକବିଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରି ତାଙ୍କ କବିତା ଓ ସମସ୍ତ ଲେଖାରେ ମୁକ୍ତି ସଂଗ୍ରାମର ଝଙ୍କାର ରହିଥିଲା ବୋଲି କହିଥିଲେ।

ହାସ୍ୟବିକାଶ କେନ୍ଦ୍ର କଟକ ଆନୁକୂଲ୍ୟରେ ଫତୁରାନନ୍ଦଙ୍କ ସ୍ମୃତି ସମାରୋହ ଅବସରରେ କାନ୍ତକବି ପୁରସ୍କାର ଉତ୍ସବ ପାଳନ କରାଯାଉ ଥିବାରୁ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଓଡିଶାର ବିଶିଷ୍ଟ ହାସ୍ୟ ଲେଖକ ଫତୁରାନନ୍ଦଙ୍କୁ ମନେ ପକାଇଥିଲେ। ଫତୁରାନନ୍ଦଙ୍କ ଲେଖାରେ ବ୍ୟଙ୍ଗ ଓ ହାସ୍ୟରସହରେ ଭରପୁର ଥିଲା। ଏଭଳି ଲେଖା ସମାଜରେ ସଂସ୍କାର ଆଣିବା ସହିତ ସମାଜକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଏହି ଅବସରରେ ରାଜ୍ୟପାଳ କାନ୍ତକବିଙ୍କ ଦେଶାତ୍ମବୋଧ ଓ ବୈପ୍ଳବିକ ପୂର୍ଣ୍ଣ ସମସ୍ତ ରଚନାଗୁଡ଼ିକୁ ଲୋଚଲୋଚନ ଆଣିବା ପାଇଁ ଆହ୍ୱାନ ଦେଇଥିଲେ ।ଉକ୍ତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ବିଜୟାନନ୍ଦ ସିଂହଙ୍କ “ଅତୀତ ଓ ଅସ୍ମୀତା” ପୁସ୍ତକକୁ ରାଜ୍ୟପାଳ ଲୋକର୍ପଣ କରିଥିଲେ ଓ ପୁସ୍ତକ ଖୁବ୍ ପାଠକୀୟ ଆଦୃତି ଲାଭ କରୁ ବୋଲି କହିଥିଲେ ।

ଉକ୍ତ ଉତ୍ସବରେ ରାଜ୍ୟପାଳଙ୍କ ସମତେ ବିପିନ୍‌ ବିହାରୀ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଓ କାନ୍ତକବି ପୁରସ୍କାର ରାଜ୍ୟପାଳଙ୍କଠାରୁ ଗ୍ରହଣ କରିଥିଲେ। ସେହିପରି ବିଶିଷ୍ଟ କଥାକାର ଗୌରହରି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କାନ୍ତକବିଙ୍କ କବିତା ଓ ଲେଖାର ପ୍ରଶଂସା କରିବା ସହିତ ତାଙ୍କ ଲେଖାକୁ ଉଚ୍ଚକୋଟିର ଓ ଜାତୀୟତା ଭାବରେ ପରିପୂର୍ଣ୍ଣ ବୋଲି କହିଥିଲେ। ଉକ୍ତ ଉତ୍ସବକୁ ବରିଷ୍ଟ ଆଡ୍‌ଭୋକେଟ୍‌ ଶ୍ରୀ ଗିରିଜାନନ୍ଦ ନାୟକ ସଭାପତିତ୍ୱ କରୁଥିଲା ବେଳେ ସାହିତ୍ୟିକ ବିଜୟାନନ୍ଦ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଗାଳ୍ପିକ ରଘୁନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଡ. ଅଭୟ କୁମାର ରାଉତ ମାନପତ୍ର ପାଠ କରିଥିଲେ। ସୁଶ୍ରୀ ଦିପ୍ତି ଦାସ କାନ୍ତକବିଙ୍କ ରଚିତ ପାରମ୍ପରିକ ସଂଗୀତଗାନ କରିଥିଲେ ଏବଂ ନାଟ୍ୟକାର ସୁଜାତା ପ୍ରିୟଦର୍ଶିନୀ, ପ୍ରକାଶକ ଶିବାଶିଷ କର ଓ କମଳ ମାହୁନ୍ତ ଉତ୍ସବ ପରିଚାଳନରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅହିଂସା ଶ୍ରେଷ୍ଠ ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

ଭୁବନେଶ୍ବର: ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ‘ବିଶ୍ୱ ଏକ ପରିବାର ଏବଂ ଅହିଂସା ଶ୍ରେଷ୍ଠ ଦର୍ଶନ’ କାର୍ଯ୍ୟକ୍ରମ ଜୟଦେବ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଗାନ୍ଧୀଙ୍କର ଦର୍ଶନ, ତ୍ୟାଗ ଓ ଅହିଂସାର ବାର୍ତ୍ତା ଉପରେ ସମ୍ବୋଧିତ କରିଥିଲେ। ଗାନ୍ଧିଜୀ ବିଶ୍ୱକୁ ଏକ ପରିବାର ଭାବରେ ଅଭିହିତ କରିଥିଲେ ଏବଂ ତାଙ୍କର ଅହିଂସାର ଅସ୍ତ୍ରରେ ପରାକ୍ରମୀ ଇଂରେଜକୁ ଭାରତରୁ ବିତାଡ଼ିତ କରିଥିଲେ।

ଗାନ୍ଧୀଙ୍କ ଏହି ଅହିଂସା ସଂଗ୍ରାମ କେବଳ ଭାରତକୁ ପରାଧିନତାରୁ ମୁକ୍ତି ଦେଇ ନ ଥିଲା ବରଂ ଗାନ୍ଧୀଙ୍କ ମାର୍ଗକୁ ଅନୁଶରଣ କରି ବିଶ୍ୱର ଅନେକ ଦେଶ ନିଜକୁ ସ୍ୱାଧିନ କରାଇବାରେ ସକ୍ଷମ ହୋଇଥିଲେ ତେଣୁ ଗାନ୍ଧିଜୀଙ୍କ ଦର୍ଶନ ପ୍ରକୃତରେ ଶ୍ରେଷ୍ଠ ଦର୍ଶନ ବୋଲି ରାଜ୍ୟପାଳ ତାଙ୍କ ଭାଷଣରେ କହିଥିଲେ।

ଏହି ସଭାରେ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ। ଏହି ଉପଲକ୍ଷେ ଏକ ବାର୍ଷିକ ମୁଖପତ୍ର ଉନମୋଚିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

‘ସମାଜ’ର ୧୦୪ ତମ ପୂର୍ତ୍ତି ଉତ୍ସବରେ ଯୋଗ ଦେଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ

ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ଦୈନିକ ସମ୍ବାଦପତ୍ର ‘ସମାଜ’ର ୧୦୪ ତମ ପୂର୍ତ୍ତି ଉତ୍ସବ କଟକର ଶାରଳା ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରାଧୀନ ଦେଶକୁ ସ୍ୱାଧୀନ କରିବାରେ ‘ସମାଜ’ର ଭୂମିକା ଗୁରୂତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ।

ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ସଂଗଠନ ଦକ୍ଷତା ବିକାଶର ମୁଖ୍ୟ ପରାମର୍ଶଦାତା ସୁବ୍ରତ ବାଗ୍‌ଚୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ, ୧୯୧୯ ଦ୍ବିତୀୟ ବିଶ୍ବଯୁଦ୍ଧର ଶେଷ ସମୟରେ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ଆଜି ଏକ ବହୁମୁଖୀ ମହାଦ୍ରୁମରେ ପରିଣତ ହୋଇଛି

ପ୍ରାରମ୍ଭରେ ‘ସମାଜ’ ସମ୍ପାଦକ ପ୍ରମୋଦକୁମାର ମହାପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ପରିଚାଳକ ଶିବରାମ ମିଶ୍ର ବିବରଣୀ ପାଠ କରି ‘ସମାଜ’ ପକ୍ଷରୁ ପ୍ରତିବର୍ଷ ଗ୍ରହଣ କରାଯାଇଥିବା ସେବାମୂଳକ କାର୍ଯ୍ୟର ଏକ ସୂକ୍ଷ୍ମ ସୂଚନା ଉପସ୍ଥାପନ କରିଥିଲେ। ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଅତିଥିଙ୍କଦ୍ବାରା ‘ସମାଜ’ର ବାର୍ଷିକ ବିଶେଷାଙ୍କ, ମାସିକ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ପୂଜା ସଂଖ୍ୟା ଓ ସୁସ୍ଥ ସାମ୍ବାଦିକତା ଆହ୍ବାନ ଶୀର୍ଷକ ଏକ ଲୋଗୋକୁ ଉନ୍ମୋଚନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଓଡିଶା ଗସ୍ତ, ବାଣପୁର ମା ଭଗବତୀଙ୍କୁ କରିବେ ଦର୍ଶନ

ରାୟପୁର: ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ୬ ଦିନିଆ ଓଡିଶା ଗସ୍ତରେ ଆସୁଥିବାର ରାଜଭବନ ସୁତ୍ରରୁ ଜଣାପଡିଛି। ସେ ଆସନ୍ତାକାଲି ୨୦ ତାରିଖ ସଂଧ୍ୟାରେ ରାୟପୁରରୁ ବାହାରି ଭୁବନେଶ୍ବରରେ ପହଞ୍ଚିବେ। ସେହିଦିନ ସେ ଭୁବନେଶ୍ବରସ୍ଥିତ ନିଜ ବାସଭବନରେ ଅବସ୍ଥାନ କରିବେ।

ତାପରଦିନ ୨୧ ତାରିଖରେ ସେ କେତେକ ବିଶିଷ୍ଠ ଲୋକଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସଂଧ୍ୟାରେ ସେ ଜୟଦେବ ଭବନରେ ଆୟୋଜିତ ସ୍ବାଭିମାନ ସମ୍ମିଳନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

୨୩ ତାରିଖରେ ତାଙ୍କର ଜନ୍ମମାଟି ବାଣପୁର ଗସ୍ତ ରହିଛି। ସେ ଭୁବନେଶ୍ବରରୁ ବାହାରି ମା ଭଗବତୀ ମନ୍ଦିର ଯିବେ। ସେଠାରେ ମାଆଙ୍କୁ ଦର୍ଶନ କରିବା ସହିତ ନିଜ ଜନ୍ମସ୍ଥାନ ଗୋଡିଝର ଗ୍ରାମକୁ ଗସ୍ତ କରିବେ। ସେଠାରେ ସେ ନିଜ ପିତାଙ୍କ ଆରଧ୍ୟ ଠାକୁର ବାଲୁଙ୍କେଶ୍ବର ଦେବଙ୍କୁ ଦର୍ଶନ କରିବେ। ଏଥିସହିତ ସେ ନିଜ ପିତାମାତାଙ୍କ ସମାଧିସ୍ଥଳରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ସଂଧ୍ୟାରେ ସେ ବାଲୁଗାଁ, ଗମ୍ଭାରୀମୁଣ୍ଡା ଏବଂ ବାଣପୁରଠାରେ ଆୟୋଜିତ ବିଭିନ୍ନ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବେ। ସେଠାରେ ଚିଲିକାର ନାଗରିକମାନେ ଛତିଶଗଡ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା କରିବେ। ସେ ବାଲୁଗାଁରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ୯୦ ବର୍ଷ ବୟସରେ କଲେ ପଦାର୍ପଣ

ଭୁବନେଶ୍ବର, ଆଜି ୯୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଛତିଶଗଡର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନ। ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ବିଶ୍ବଭୂଷଣ ।

ଓଡିଶା ରାଜନୈତିକ ଇତିହାସରେ ସେ ହେଉଛନ୍ତି ଜଣେ ବେଶ୍ ପରିଚିତ ବ୍ୟକ୍ତିତ୍ବ। ଭାରତୀୟ ଜନସଂଘରୁ ରାଜନୈତିକ ଜୀବନ ଆରମ୍ଭ କରି ଆନ୍ଧ୍ର ପ୍ରଦେଶ ଏବଂ ଏବେ ଛତିଶଗଡର ରାଜ୍ୟପାଳ ହେବା କିଛି ସହଜ କଥା ନୁହେଁ।

ବିଶ୍ବଭୂଷଣଙ୍କ ରାଜନୈତିକ ଜୀବନ ବେଶ ଲମ୍ବା। ସେ ପ୍ରଥମେ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ।୧୯୭୭ ମସିହାରେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।

୧୯୭୫ ମସିହାରେ ସେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ମିସା ଆଇନରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ୮ ବର୍ଷ ଧରି ବିଜେପିର ରାଜ୍ୟ ସଭାପତି ରହିଥିଲେ । ପରେ ସେ ବିଜେପି ଛାଡ଼ି ଜନତା ପାର୍ଟିରେ ସାମିଲ ହୋଇଥିଲେ ମଧ୍ୟ ପୁଣିଥରେ ୧୯୯୬ ଏପ୍ରିଲ ମାସରେ ବିଜେପିକୁ ଫେରିଥିଲେ।

ବିଜୁ ପଟ୍ଟନାୟକଙ୍କ ସରକାରରେ ଶ୍ରୀ ହରିଚନ୍ଦନ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ସେ ଚିଲିକା ଏବଂ ଭୁବନେଶ୍ୱରରୁ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।ସେ ଦୁଇଥର ଜନତା ଦଳରୁ ଏବଂ ତିନି ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି। ଏହି ବରିଷ୍ଠ ବିଜେପି ନେତା ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ନବୀନ ପଟ୍ଟନାୟକ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ସେ ରାଜସ୍ୱ, ଆଇନ, ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି।

ରାଜନୀତି ବ୍ୟତୀତ ସାହିତ୍ୟରେ ବେଶ୍‌ ରୁଚି ରଖିଛନ୍ତି ଶ୍ରୀ ହରିଚନ୍ଦନ। ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ‘ମାତୃଭାଷା’, ‘ଶେଷ ଝଲକ୍‌’, ‘ରାଣା ପ୍ରତାପ’, ‘ଅସ୍ତଶିଖା’ ଓ ‘ମାନସୀ’ ପ୍ରମୁଖ। ଲେଖାଲେଖିରେ ରୁଚି ରଖିଥିବା ବିଶ୍ୱଭୂଷଣ ପାଇକ ଆନ୍ଦୋଳନର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଜପତି କପିଳେନ୍ଦ୍ର ଦେବଙ୍କ ଉପରେ ଲିଖିତ ପୁସ୍ତକକୁ ଲୋକର୍ପଣ କଲେ ରାଜ୍ୟପାଳ ବିଶ୍ବଭୂଷଣ

ଭୁବନେଶ୍ବର: ବିଜୟିନୀ ସ୍ମୃତି ଟ୍ରଷ୍ଟ ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନ, ଭୁବନେଶ୍ୱରଠାରେ ଡାକ୍ତର ଇନ୍ଦ୍ରମଣି ଜେନାଙ୍କ ରଚିତ ଉପନ୍ୟାସ ‘ଦିଗ୍‌ବିଜୟୀ ଗଜପତି’ ଏବଂ ‘ଆମଚଳଣି, ଆମ ଚରିତ୍ର, ଆମଚମକ’ ପୁସ୍ତକ ଉନ୍ମୋଚନ ସଭାରେ ଛତିଶଗଡ଼଼ ରାଜ୍ୟପାଳ ଶ୍ରୀବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ପୁସ୍ତକର ଉନ୍ମୋଚନ କରିଥିଲେ।

ରାଜ୍ୟପାଳ ଶ୍ରୀହରିଚନ୍ଦନ ଏହି ଅବସରରେ ଗଙ୍ଗାଠାରୁ କୃଷ୍ଣା ପର୍ଯ୍ୟନ୍ତ ବିଜୟର ବାନା ଉଡାଇଥିବା ଓଡ଼ିଶାର ଦିଗବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କୁ ସ୍ମରଣ କରିଥିଲେ। କପିଳେନ୍ଦ୍ର ଦେବ ହେଉଛନ୍ତି ଓଡ଼ିଶାର ଗର୍ବିତ ଇତିହାସର ଦିଗ୍‌ବିଜୟୀ ମହାନାୟକ। ଜାତୀୟ ସ୍ତରରେ ଓଡ଼ିଶାର ବୀରତ୍ୱ,ସଂହତି ଓ ଅପୂର୍ବ ସାହସିକତାର ସୂଚନା ଦେଇଥିଲେ। ବାସ୍ତବରେ ସେ ଥିଲେ ନିର୍ଭିକ, ସାହସୀ,ବୀର, ପ୍ରଜାହିତକାରୀ, ଦେଶମାତୃକାର ସର୍ବଶ୍ରେଷ୍ଠ ମହାନାୟକ।

୧୪୩୫ ଖ୍ରୀଷ୍ଟାବ୍ଦରୁ ୧୪୬୫ ପର୍ଯ୍ୟନ୍ତ ତାଙ୍କର ଶାସନ କାଳରେ ଅନେକ ଲୋକହିତର କାର୍ଯ୍ୟମାନ କରିଥିବାର ଦୃଷ୍ଟାନ୍ତ ମିଳିଥାଏ। ପ୍ରଜାବତ୍ସଳତା ଓ ସୁଶାସନ କାରଣରୁ ତାଙ୍କର ସୁଖ୍ୟାତି ଆଜି ପର୍ଯ୍ୟନ୍ତ ଲୋକଲୋଚନରେ ରହିଆସିଛି। ସେ ଏଭଳି ଜଣେ ସମ୍ରାଟ ଥିଲେ ଯିଏ ଜୀବନରେ କେବ ପରାଜୟର ସ୍ୱାଦ ଚାଖି ନାହାନ୍ତି ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି।

ରାଜ୍ୟପାଳ ଶ୍ରୀହରିଚନ୍ଦନ ଓଡ଼ିଶାର ମହାନାୟକ ଦିଗବିଜୟୀ କପିଳେନ୍ଦ୍ର ଦେବଙ୍କର ଅଦମ୍ୟ ବୀରତ୍ୱକୁ ମନେ ପକାଇ ଓଡ଼ିଶାର ଜନସାଧାରଣକୁ ତାଙ୍କ ଭଳି ଲଢ଼ୁଆ ହେବା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି,ତୁମର ପୂର୍ବ ପୁରୁଷ ସଂଗ୍ରାମୀ, ଲଢ଼ୁଆ ବୀର ଥିଲେ,ତୁମେ ସେହି ବୀରମାନଙ୍କର ଦାୟାଦ; କାପୁରୁଷ ନୁହଁ। ତୁମେ ନିଜକୁ ଚିହ୍ନ, ଜାଣ, ଅନ୍ୟାୟ ଅନୀତି ବିରୁଦ୍ଧରେ ଲଢ଼େଇ କର। ସେହିବୀରମାନଙ୍କୁ ମନେପକାଇ ଆମେ ତାଙ୍କ ଭଳି ହେବାକୁ ଆଜିର ଯୁବକମାନଙ୍କୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।

‘ଦିଗ୍‌ବିଜୟୀ ଗଜପତି’ ଏବଂ ‘ଆମ ଚଳଣୀ, ଆମ ଚରିତ୍ର, ଆମ ଚମକ’ ପୁସ୍ତକର ରଚୟିତା ଡାକ୍ତର ଇନ୍ଦ୍ରମଣି ଜେନାଙ୍କୁ ଦିଗ୍‌ବିଜୟୀ ଗଜପତି କପିଳେନ୍ଦ୍ର ଦେବଙ୍କ ଉପରେ ଏଭଳି ଉପନ୍ୟାସ ପୁସ୍ତକ ରଚନା କରିଥିବାରୁ ରାଜ୍ୟପାଳ ସାଧୁବାଦ ଜଣାଇଛନ୍ତି। ଏହି ପୁସ୍ତକ ଆମ ସାହିତ୍ୟ ଭଣ୍ଡାରକୁ ଋଦ୍ଧିମନ୍ତ କରିବା ସହିତ ସାଧାରଣ ଲୋକମାନେ ଆମ ଓଡ଼ିଶାର ଗର୍ବିତ ଇତିହାସକୁ ଜାଣିବାକୁ ପାଇବେ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ଐତିହାସିକ ନିହାର ରଂଜନ ପଟ୍ଟନାୟକ, ସଭାର ସଭାପତି ପ୍ରଫେସର ବିଜୟାନନ୍ଦ ସିଂହ ଉନ୍ମୋଚିତ ପୁସ୍ତକ ଉପରେ ନିଜସ୍ୱ ମତ ରଖିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମାନବିକ ଅଧିକାର କାହାର ଦୟା କିମ୍ବା ଅନୁକମ୍ପା ନୁହେଁ: ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର: ବିଶ୍ୱ ମାନିବିକ ଅଧିକାର ସୁରକ୍ଷା ସଂସ୍ଥା ଆନୁକୂଲ୍ୟରେ ଅନୁଷ୍ଠିତ ମାଟି, ମା’ ଓ ମଣିଷର ସୁରକ୍ଷା ପାଇଁ ମାନବିକ ଅଧିକାର ଉପରେ ହୋଟେଲ୍ ନ୍ୟୁମାରିଅନ ଠାରେ ହୋଇଥିବା ଆଲୋଚନା ଚକ୍ରରେ ଛତିଶଗଡ଼଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ କହିଛନ୍ତି ଯେ ମାଟି, ମା’, ବନ, ଲତା, ପାହାଡ଼, ନଦନଦୀ ଆଦି ପ୍ରାକୃତିକ ସଂପଦ ଉପରେ ତୁମର ଅଧିକାର ଅଛି।

ଏହି ଅଧିକାରକୁ କିଏ କାହାକୁ ଦିଏ ନାହିଁ, ଅଧିକାର ସାବ୍ୟସ୍ତ କରିବାକୁ ପଡ଼େ। କେବଳ ପୀଡ଼ିତ, ଦଳିତ, ନିଷ୍ପେସିତ ମାନବିକ ଅଧିକାରରୁ ବଂଚିତ ହେଉନାହାନ୍ତି ବରଂ ଆମର ଚତୁଃପାଶ୍ୱର୍ରେ ଥିବା ପ୍ରାଣୀ ସଂପଦ, ଜଗଲ ସଂପଦ, ଜଳ ସଂପଦ ଆଦି ଅପବ୍ୟୟିତ ଓ ପ୍ରଦ୍ୟୁଷିତ ହେଉଅଛି। ଆମ ଚତୁଃପାଶ୍ୱର୍ରୁ ଦିନକୁ ଦିନ ଗଛଲତା ଆଦି ହ୍ରାସ ପାଇବାରେ ଲାଗିଛି ଯାହାର ପ୍ରଭାବ ଏବେ ଆମ ଉପରେ ପଡ଼ିବାରେ ଲାଗିଛି।

ମାଟି, ମା’, ମଣିଷ ଓ ପ୍ରାକୃତିକ ସଂପଦର ସୁରକ୍ଷା ଆମର ପରମ ଦାୟିତ୍ୱ ଓ ଏହା ଆମର ଅଧିକାର । ଆମ ମା, ମାଟିର ମାନବିକ ଅଧିକାର ଉଲଂଘନ ହେଉଛି ବୋଲି କହି କେବଳ କ୍ରନ୍ଦନ କଲେ ତୁମ ମୁହଁକୁ କେହି ଚାହିଁବେ ନାହିଁ ବରଂ ତୁମର ଏହି ଅଧିକାରକୁ ହାସଲ କରିବା ପାଇଁ ମୁହଁ ଖୋଲ, ପ୍ରତିବାଦ କର, ଲଢ଼େଇ କର ବୋଲି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଉପସ୍ଥିତ ସଭାସଦ୍‌କୁ ଉଦ୍‌ବୋଧନ ଦେଇଥିଲେ।

ଉକ୍ତ ବୈଠକରେ ରାଜ୍ୟପାଳଙ୍କ ସମେତ ବିଶ୍ୱ ମାନବିକ ଅଧିକାର ସୁରକ୍ଷା ସଂସ୍ଥାର ସଭାପତି ଅଭିନ୍ନ ହୋତାଙ୍କ ସମେତ ଅନ୍ୟ ଅତିଥିମାନେ ସଭାରେ ଯୋଗଦେଇ ମାନବିକ ସୁରକ୍ଷା ଉପରେ ନିଜସ୍ୱ ମତାମତ ରଖିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ ଦୁର୍ଘଟଣା ଆହତଙ୍କୁ ଭେଟିଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

କଟକ: ଆଜି କଟକ ବଡ ମେଡିକାଲରେ ଟ୍ରେନ ଦୁର୍ଘଟଣା ଆହତଙ୍କୁ ଭେଟିଛନ୍ତି ଛତିଶଗଡ ରାଜ୍ୟପାଳ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ। ଅପରାହ୍ନରେ ରାଜ୍ୟପାଳ ମେଡିକାଲରେ ପହଞ୍ଚିବା ପରେ ସେଠାରେ ପ୍ରଶାସନ ତରଫରୁ ତାଙ୍କୁ ଆହତଙ୍କ ପାଖକୁ ନିଆଯାଇଥିଲା। ସେମାନଙ୍କୁ ଭେଟିବା ପରେ ସେ ଡାକ୍ତରଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

ଛତିଶଗଡ ରାଜ୍ୟପାଳଙ୍କ ୪ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ସେ ଆଜି ସକାଳେ ଭୁବନେଶ୍ବରରେ ପହଞ୍ଚିବା ପରେ ଅପରାହ୍ନରେ କଟକ ମେଡିକାଲ ଗସ୍ତ କରିଥିଲେ। ଆସନ୍ତାକାଲି ସକାଳେ ସେ ପ୍ରଭୃ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଯିବେ। ସଂଧ୍ୟାରେ ବିଶ୍ୱମାନବିକ ଅଧିକାର ସୁରକ୍ଷା ସଂସ୍ଥା ଆନୁକୁଲ୍ୟରେ ଅନୁଷ୍ଠିତ ‘ମାଟି, ମା’ ଓ ମଣିଷର ସୁରକ୍ଷା ପାଇଁ ମାନବିକ ଅଧିକାର’ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

୧୬ ତାରିଖ ପୂର୍ବାହ୍ନରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିବେ ଏବଂ ଅପରାହ୍ନରେ ଓଡ଼ିଶାର ଦିଗ୍‌ବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଉପରେ ଡାକ୍ତର ସୋମନାଥ ପ୍ରସାଦ ଜେନାଙ୍କ ଦ୍ୱାରା ଲିଖିତ ଉପନ୍ୟାସ “ଦିଗ୍‌ବିଜୟୀ ଗଜପତି” ପୁସ୍ତକ ଉନ୍ମୋଚନ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଜସ୍ୱ ଅଭିବ୍ୟକ୍ତି ରଖିବେ ଏବଂ ଉକ୍ତ ପୁସ୍ତକ ଉନ୍ମୋଚନ କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସିବେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ରାୟପୁର: ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଛତିଶଗଡ଼ ରାଜଭବନରୁ ପ୍ରକାଶିତ ଏକ ପ୍ରେସବିବୃତିରୁ ଜଣାପଡ଼ିଛି । ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।

ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଓଡ଼ିଶା ଗସ୍ତର ପ୍ରଥମ ଦିନ ୧୪ ତାରିଖ ପୂର୍ବାହ୍ନରେ ରାୟପୁର ବିମାନବନ୍ଦରୁ ବାହାରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ନିଜସ୍ୱ ବାସଭବନକୁ ଯିବେ ଏବଂ ସଂଧ୍ୟାରେ କଟକ ଏସ.ସି.ବି. ମେଡିକାଲ କଲେଜ ଅଭିମୁଖେ ଯାତ୍ରା କରିବେ। ବାଲେଶ୍ୱର ରେଳ ଦୁର୍ଘଟଣାରେ ସେଠାରେ ଚିକିତ୍ସିତ ହେଉଥିବା ପିଡ଼ିତ ବ୍ୟକ୍ତିମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରଙ୍କ ଠାରୁ ପଚାରି ବୁଝିବେ।

୧୫ ତାରିଖ ପୂର୍ବାହ୍ନରେ ରାଜ୍ୟପାଳ ମହାପ୍ରଭୂ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଉକ୍ତଦିନ ସଂଧ୍ୟାରେ ବିଶ୍ୱମାନବିକ ଅଧିକାର ସୁରକ୍ଷା ସଂସ୍ଥା ଆନୁକୁଲ୍ୟରେ ଅନୁଷ୍ଠିତ ‘ମାଟି, ମା’ ଓ ମଣିଷର ସୁରକ୍ଷା ପାଇଁ ମାନବିକ ଅଧିକାର’ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

୧୬ ତାରିଖ ପୂର୍ବାହ୍ନରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିବେ ଏବଂ ଅପରାହ୍ନରେ ଓଡ଼ିଶାର ଦିଗ୍‌ବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଉପରେ ଡାକ୍ତର ସୋମନାଥ ପ୍ରସାଦ ଜେନାଙ୍କ ଦ୍ୱାରା ଲିଖିତ ଉପନ୍ୟାସ “ଦିଗ୍‌ବିଜୟୀ ଗଜପତି” ପୁସ୍ତକ ଉନ୍ମୋଚନ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଜସ୍ୱ ଅଭିବ୍ୟକ୍ତି ରଖିବେ ଏବଂ ଉକ୍ତ ପୁସ୍ତକ ଉନ୍ମୋଚନ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦରଣୀୟା ମା’ ହୀରାବେନ୍ ମୋଦିଙ୍କ ୧୦୦ତମ ଜନ୍ମତ୍ସୋବରେ ଉଦ୍‌ଘାଟକ ଭାବେ ଯୋଗ ଦେବା ପାଇଁ ସେ ୧୭ ତାରିଖ ଅପରାହ୍ନରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ୧୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍ ମୋଦିଙ୍କର ୧୦୦ତମ ଜନ୍ମତ୍ସୋବ ଅବସରରେ ଆଇ.ଆଇ.ସି. ନୂଆଦିଲ୍ଲୀ ଠାରେ ସି.ଏନ.ଏମ.ଏସ. (ସେଂଟର ଫର ନରେନ୍ଦ୍ର ମୋଦି ଷ୍ଟଡି) ଆନୁକୁଲ୍ୟରେ ଅନୁଷ୍ଠିତ “ଏକ ମା’ର ପ୍ରଭାବ: ମୋଦିଙ୍କ ମା’ କିପରି ମୋଦିଙ୍କ ନେତୃତ୍ୱ ଓ ଦୃଷ୍ଟିକୋଣକୁ ତିଆରି କରିଥିଲେ” କର୍ମଶାଳାରେ ଯୋଗ ଦେବେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ଉପରେ ପ୍ରକାଶ ପାଇବାକୁ ଥିବା ପୁସ୍ତକ “ମା’ ଓ“ସ୍ମରଣୀକା” ଉଭୟ ଉନ୍ମୋଚନ କରି ଉକ୍ତ ସଭାକୁ ଉଧ୍‌ବୋଧନ ଦେବେ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ୧୯ ତାରିଖ ସଂଧ୍ୟାରେ ରାୟପୁର ରାଜଭବନ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ବଭୂଷଣ ହରିଚନ୍ଦନ ଛତିଶଗଡ ରାଜ୍ୟପାଳ ଭାବେ ନେଲେ ଶପଥ, ଯୋଗଦେଲେ ଓଡିଶା ଅତିଥୀ

ରାୟପୁର: ଆଜି ପୂର୍ବାହ୍ନରେ ଛତିଶଗଡ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଶ୍ବଭୂଷଣ ହରିଚନ୍ଦନ। ରାୟପୁରର ରାଜଭବନରେ ଥିବା ଦରବାର ହଲରେ ତାଙ୍କୁ ଶପଥପାଠ କରାଇଥିଲେ ଛତିଶଗଡ ହାଇକୋର୍ଟର ମୁଖ୍ୟ ବିଚାରପତି ଅରୂପ ଗୋସ୍ବାମୀ। ଏହି ସମାରୋହରେ ଛତିଶଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ବରିଷ୍ଠ ମନ୍ତ୍ରୀ ଏବଂ ରାଜ୍ୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଏହି ସମାରୋହରେ ଲେଡି ଗଭର୍ଣ୍ଣର ସୁପ୍ରଭା ହରିଚନ୍ଦନ ଏବଂ ତାଙ୍କର ପୁତ୍ର ପୃଥୀରାଜ ହରିଚନ୍ଦନ ମଧ୍ୟ ଯୋଗଦେଇଥିଲେ। ଏହି ଅବସରରେ ଓଡିଶାରୁ କେତେକ ନେତା ତଥା ବରିଷ୍ଠ ବ୍ୟକ୍ତି ଏହି ସମାହୋରରେ ଯୋଗଦେବା ପାଇଁ ଯାଇଥିଲେ। ସେମାନେ ହେଲେ ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ଭ୍ରୁଗ ବକ୍ସିପାତ୍ର ଏବଂ ସାମ୍ବାଦିକ କିଶୋର ଦ୍ବିବେଦୀ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ଛତିଶଗଡର ରାଜ୍ୟପାଳ ଭାବେ ଶପଥ ନେବେ ବିଶ୍ବଭୂଷଣ ହରିଚନ୍ଦନ

ରାୟପୁର: ଆସନ୍ତାକାଲି ଛତିଶଗଡର ରାଜ୍ୟପାଳ ଭାବେ ଶପଥ ନେବେ ବିଶ୍ବଭୂଷଣ ହରିଚନ୍ଦନ। ଆଜି ସକାଳେ ଉଭୟ ବିଶ୍ବଭୂଷଣ, ତାଙ୍କର ଧର୍ମପତ୍ନୀ ଏବଂ ପୁତ୍ର ପୃଥୀରାଜ ହରିଚନ୍ଦନ ରାୟପୁରରେ ପହଁଚିଛନ୍ତି। ମଙ୍ଗଳବାର ଦିନ ବିଶ୍ବଭୂଷଣ ଆନ୍ଧ୍ର ପ୍ରଦେଶରୁ ବିଦାୟ ନେଇଥିଲେ।

ଆଜି ସକାଳେ ବିଶ୍ବଭୂଷଣ ସପରିବାରେ ରାୟପୁରର ସ୍ବାମୀ ବିବେକାନନ୍ଦ ବିମାନ ବନ୍ଦରରେ ଅବତରଣ କରିଥିଲେ। ବିମାନ ବନ୍ଦରରେ ତାଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସେଠାରେ ନୂଆ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ବିଶ୍ୱ ଭୂଷଣ ହରିଚନ୍ଦନ ଆସନ୍ତାକାଲି ସକାଳ ୧୧.୩୦ ରେ ରାଜଭବନର ଦରବାର ହଲରେ ଆୟୋଜିତ ଏକ ସମାରୋହରେ ଶପଥ ଗ୍ରହଣ କରିବେ। ଛତିଶଗଡ ହାଇକୋର୍ଟର ପ୍ରଧାନ ବିଚାରପତି ଅରୁପ କୁମାର ଗୋସ୍ୱାମୀ ତାଙ୍କୁ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରାଇବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ, ବିଧାନସଭା ବାଚସ୍ପତି, କ୍ୟାବିନେଟ ସଦସ୍ୟ, ଜନ ପ୍ରତିନିଧୀ, ନିମନ୍ତ୍ରିତ ମାନ୍ୟଗଣ୍ୟ ବ୍ୟକ୍ତି ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆନ୍ଧ୍ର ପ୍ରଦେଶରୁ ବିଦାୟ ନେଲେ ବିଶ୍ବଭୂଷଣ ହରିଚନ୍ଦନ, ପାଦଛୁଇଁ ମୁଣ୍ଡିଆ ମାରିଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଶେଷରେ ଆନ୍ଧ୍ର ପ୍ରଦେଶରୁ ବିଦାୟ ନେଇଛନ୍ତି ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ନିକଟରେ ତାଙ୍କର ଛତିଶଗଡକୁ ବଦଳି ହୋଇଥିବାରୁ ସେ ଆନ୍ଧପ୍ରଦେଶ ରାଜଭବନ ଛାଡିଛନ୍ତି। ସେଥିପାଇଁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ତାଙ୍କ ଧର୍ମପତ୍ନୀ ଉଭୟ ରାଜ୍ୟପାଳ ଏବଂ ଲେଡି ଗଭର୍ଣ୍ଣରଙ୍କୁ ବିଦାୟ ଦେଇଛନ୍ତି।

ତେବେ ଏହି ବିଦାୟ ବେଳେ ଜଗନମୋହନ ବିଶ୍ବଭୂଷଣ ହରିଚନ୍ଦନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଛନ୍ତି। ଯାହାକୁ ନେଇ ଆନ୍ଧ୍ର ପ୍ରଦେଶରେ ତାଙ୍କର ଏପରି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ରାଜ୍ୟର ବହୁ ନେତା ତଥା ବରିଷ୍ଠ ଅଧିକାରୀ ଉଭୟଙ୍କୁ ବିଦାୟ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତିଶଗଡର ରାଜ୍ୟପାଳ ହେଲେ ବିଶ୍ବଭୂଷଣ ହରିଚନ୍ଦନ, ବଦଳିଲେ ୧୨ଟି ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୩ଟି ରାଜ୍ୟର ରାଜ୍ୟପାଳଙ୍କୁ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ଅବସର ପ୍ରାପ୍ତ ଜଷ୍ଟିସ୍ ଏ୍‌ ଅବଦୁଲ ନଜୀରଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।

ସେହିପରି ଚର୍ଚ୍ଚାରେ ରହିଥିବା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ରମେଶ ବେସଙ୍କୁ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଅନ୍ୟ ରାଜ୍ୟପାଳମାନେ ହେଲେ

ଅନୁସୂୟା ୱିକି ମଣିପୁର

ଲେଫ୍ଟନାଣ୍ଟ ଜେନେରାଲ କେ.ଟି ପରନାୟକ-ଅରୁଣାଚଳ ପ୍ରଦେଶ

ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ-ସିକିମ

ସିପି ରାଧାକ୍ରିଷ୍ଣନ- ଝାଡ଼ଖଣ୍ଡ

ଗୁଲାବ ଚାନ୍ଦ କଟାରିଆ-ଆସାମ

ଶିବ ପ୍ରତାପ ଶୁକ୍ଳା- ହିମାଚଳପ୍ରଦେଶ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଭବନରେ ଭେଟାଭେଟି ହେଲେ ସର୍ବୋଚ୍ଚ ପଦରେ ଥିବା ଦୁଇ ଓଡିଆ

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଭବନରେ ଭାଟଭେଟି ହୋଇଛନ୍ତି ସର୍ବୋଚ୍ଚ ପଦରେ ଥିବା ଦୁଇ ଓଡିଆ। ସେମାନେ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଗତକାଲି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆଜି ବିଭିନ୍ନ ରାଜ୍ୟର ରାଜ୍ୟପାଳମାନେ ସୌଜନ୍ୟ ସାକ୍ଷାତ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଶ୍ବଭୂଷଣ ଅନ୍ୟତମ।

ବିଶ୍ବଭୂଷଣ ଏବଂ ଦ୍ରୌପଦୀ ମୁର୍ମୁ ଉଭୟ ଓଡିଶା ବିଜେପିରୁ ରାଜନୀତିରୁ ଏହି ସ୍ତରକୁ ଉଠିଛନ୍ତି। ଉଭୟ ମଧ୍ୟ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଥିବା ବେଳେ ମନ୍ତ୍ରୀ ରହିଥିଲେ। ସେହିପରି ଦ୍ରୌପଦୀ ମୁର୍ମୁ ଯେପରି ରାଜ୍ୟପାଳ ଥିଲେ ବିଶ୍ବଭୂଷଣ ମଧ୍ୟ ରାଜ୍ୟପାଳ ହୋଇଛନ୍ତି। ଉଭୟ ବେଶ କିଛି ସମୟ ଧରି ପୁରୁଣା ସ୍ମତି ରୋମନ୍ଥନ କରିଥିଲେ ବୋଲି ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ବଭୂଷଣ ହରିଚନ୍ଦନ, ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ତଥା ଓଡିଶା ବିଜେପିର ତୁଙ୍ଗ ନେତା ବିଶ୍ବଭୂଷଣ ହରିଚନ୍ଦନ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀସ୍ଥିତି ବାସଭବନରେ ଏହି ଭେଟଘାଟ ହୋଇଛି। ଏହି ସାକ୍ଷାତ ଏକ ସୌଜନମୂଳକ ଥିଲା। ସାକ୍ଷାତ ବେଳେ ବିଶ୍ବଭୂଷଣ ପ୍ରଧାନମନ୍ତ୍ରୀଙ୍କୁ  ତିରୂପତି ବାଲାଜୀଙ୍କ ଫଟୋ ସହ ନୀଳ ଉତ୍ତରୀୟ ଉପହାର ଦେଇଥିଲେ। ତାହାକୁ ପ୍ରଧାନମନ୍ତ୍ରୀ ସାଦରେ ଗ୍ରହଣ କରି  ନୀଳ ଉତ୍ତରୀୟ ପିନ୍ଧି ବିଶ୍ବଭୂଷଣଙ୍କ ସହିତ କଥା ହୋଇଥିଲେ।

ଗୋଟିଏ ରାଜ୍ୟର ରାଜ୍ୟପାଳ ଭାବେ ବିଶ୍ବଭୂଷଣ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ। ରାଜ୍ୟପାଳ କାହିଁକି ବିଶ୍ବଭୂଷଣ ଜଣେ ପୂର୍ବତନ ମନ୍ତ୍ରୀ ଭାବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିପାରିବେ। ହେଲେ ଏହି ସାକ୍ଷାତକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ରାଜ୍ୟ ରାଜନୀତିରେ ଏହି ଭିଟଘାଟକୁ ନେଇ ବେଶ୍ କିଛି ଆଲୋଚନା ଚାଲିଛି।

ପ୍ରଧାନମନ୍ତ୍ରୀଙ୍କୁ ବିଶ୍ବଭୂଷଣ ଫୁଲତୋଡା ସହିତ ପ୍ରଭୃ ବାଲାଜୀଙ୍କ ଫଟୋ ଓ ଉତ୍ତରୀୟ ପ୍ରଦାନ ପରେ ଉଭୟ ବସି କିଛି ସମୟ କଥା ହୋଇଥିଲେ। ଏହାହିଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଉଭୟ କଣ ଏବଂ କେଉଁ ବିଷୟରେ କଥା ହେଲେ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଛି। ଏଥିରେ ଦୁଇ ପ୍ରକାରର ଚର୍ଚ୍ଚା ସାମାନାକୁ ଆସିଛି। ଯାହାକୁ ବିଜେପି ନେତାମାନେ ଖଣ୍ଡନ କରୁଥିଲେ ମଧ୍ୟ ସାଧାରଣରେ ତାହାକୁ କେହି ଅସମ୍ଭବ ବୋଲି କହିପାରୁ ନାହାଁନ୍ତି।

ପ୍ରଥମ ଚର୍ଚ୍ଚା ହେଲା ଯେ, ରାଷ୍ଟ୍ରପତି ନିର୍ବାଚନ ଆଗରେ ଥିବାରୁ ଏହି ଭେଟଘାଟ ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଉଛି। ପ୍ରତିଷ୍ଠିତ ମହଲରେ ଆଲୋଚନା ହେଉଛି ଯେ, ହୁଏତ ବିଶ୍ବଭୂଷଣଙ୍କୁ ମୋଦୀ ରାଷ୍ଟ୍ରପତି ପ୍ରାର୍ଥୀ କରିପାରନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟପାଳରୁ ରାଷ୍ଟ୍ରପତି ହୋଇଛନ୍ତି। ସେ ଯେପରି ରାଜଭବନରୁ ରାଷ୍ଟ୍ରପତି ଭବନ ଗଲେ ବିଶ୍ବଭୂଷଣ ମଧ୍ୟ ଯାଇପାରନ୍ତି ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ମୋଦୀ ଓଡିଶାର ପ୍ରମୁଖ ବ୍ୟକ୍ତିତ୍ବଙ୍କୁ ବହୁ ଉଚ୍ଚ ସ୍ଥାନରେ ଅବସ୍ଥାପିତ କରାଇଛନ୍ତି। ପୂର୍ବରୁ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, ଜମ୍ମୁକାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ତଥା ବର୍ତ୍ତମାନର ସିଏଜି ଗିରିଶ ମୁର୍ମୁ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ପ୍ରଧାନମନ୍ତ୍ରୀଙ୍କ ପ୍ରିନସପାଲ ସଚିବ ପିକେ ମିଶ୍ରଙ୍କ ପରି ଅନେକ ବ୍ୟକ୍ତିତ୍ବ ଅଛନ୍ତି। ଏମାନେ ଦେଶର ବହୁ ଉଚ୍ଚପଦବୀରେ ଅବସ୍ଥାପିତ ହୋଇଛନ୍ତି। ତେଣୁ ସେଥିରେ ବିଶ୍ବଭୂଷଣ ହରିଚନ୍ଦନଙ୍କ ନାମ ବିଚାରକୁ ନିଆଯାଇପାରେ ବୋଲି କୁହାଯାଇଛି।

ଚର୍ଚ୍ଚା ନମ୍ବର ଦୁଇରେ ହେଲା ଯେ, ବିଶ୍ବଭୂଷଣ ପୁଣି ଥରେ ଓଡିଶାର ପ୍ରତ୍ୟେକ୍ଷ ରାଜନୀତିକୁ ଆସିପାରନ୍ତି। କାରଣ ଓଡିଶାରେ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ବିଜେପି ବାରମ୍ବାର ହାରିବାରେ ଲାଗିଛି। ଯେପରି ସଫଳତା ହାସଲ କରିବା କଥା ତାହା ହୋଇପାରୁ ନାହିଁ। ମୋଦୀଶାହା ଧର୍ମେନ୍ଦ୍ରଙ୍କୁ ବେଶ ପାୱାରଫୁଲ କଲେ ମଧ୍ୟ ଓଡିଶା ଲୋକେ ତାଙ୍କୁ ଗ୍ରହଣ କରିପାରୁ ନାହାଁନ୍ତି। ତାଙ୍କର ବିକଳ୍ପ ଭାବେ ଅପରାଜିତା ଷଡଙ୍ଗୀଙ୍କୁ ଉପସ୍ଥାପିତ କରାଯାଇଥିଲେ ମଧ୍ୟ ସେ ମଧ୍ୟ ଲୋକପ୍ରିୟତା ହାସଲ କରିପାରୁ ନାହାଁନ୍ତି।

ଏହା ବାଦ ବର୍ତ୍ତମାନ ଓଡିଶା ବିଜେପିରେ ରାଜ୍ୟ ସ୍ତରୀୟ ଚେହେରା ହେବା ପରି କେନ୍ଦ୍ରୀୟ ନେତୃତ୍ୟ ପାଖରେ କେହି ଦେଖା ଯାଉ ନାହାଁନ୍ତି। ଫଳରେ ମୋଦୀ ୨୦୨୪ ରେ ବିଶ୍ବଭୂଷଣଙ୍କୁ ଓଡିଶାର ବିଜେପି ଚେହେରା କରି ପ୍ରତ୍ୟେକ୍ଷ ରାଜନୀତିକୁ ଆଣିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ତେବେ ଏହାକୁ ନେଇ କେହି କିଛି ମନ୍ତବ୍ୟ ଦେଇ ନାହାଁନ୍ତି। ହେଲେ ରାଜନୀତିରେ ଏ ସବୁ କିଛି ଅସମ୍ଭବ ନୁହେଁ ବୋଲି ଅଣ ରାଜନୈତିକ ବ୍ୟକ୍ତିତ୍ବ ମତ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମହାପ୍ରଭୁ ଶ୍ରୀଜଗନ୍ନାଥ କୋଟି ଓଡ଼ିଆର ମଉଡ଼ମଣି: ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

ଭୁବନେଶ୍ୱର: ଓଡ଼ିଶାର ବିଦ୍ୱାନମାନଙ୍କର ଅଗ୍ରଣୀ ଅନୁଷ୍ଠାନ, ଉତ୍କଳ ବିଦ୍ୱତ ପରିଷଦ ତରଫରୁ ଏକ ଦୁଇଦିନିଆ ଆଲୋଚନାଚକ୍ର ଆଜି ସନ୍ଧ୍ୟାରେ ଜୁମ୍ ଭିଡ଼ିଓ ଯୋଗେ ଉଦ୍‌ଘାଟିତ ହୋଇଯାଇଛି। ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ରାଜଭବନରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ‘ଇତିହାସ ପୃଷ୍ଠାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା’ ସମ୍ବନ୍ଧୀୟ ଆଲୋଚନାଚକ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଉଦ୍‌ଘାଟନୀ ଭାଷଣରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ନିଜ ବକ୍ତବ୍ୟରେ କହିଲେ ଯେ, ‘ଶ୍ରୀଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆର ମଉଡ଼ମଣି। ଏ ଜାତିର ପ୍ରାଣ ଓ ପରିଚୟ। ଇତିହାସକୁ ଅବଲୋକନ କଲେ ଜଣାଯାଏ ବହୁ ଘାତ ପ୍ରତିଘାତ ଭିତରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରାକୁ ଓଡ଼ିଆମାନେ ରକ୍ଷା କରିବାକୁ ଅନେକ ବଳିଦାନ ଦେଇଛନ୍ତି। ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ଅତିଶୀଘ୍ର ଏ କରୋନା ମହାମାରୀ ଦୂର ହେଉ ଏବଂ ଜନସାଧାରଣ ପୁନର୍ବାର ଶାନ୍ତି ଓ ମୈତ୍ରୀର ବାତାବରଣରେ ଜୀବନଯାପନ କରନ୍ତୁ।’

ପୁରୀ ଗଜପତି ମହାରାଜା କହିଲେ ଯେ ‘ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। ସ୍କନ୍ଧପୁରାଣ, ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟରୁ ଜଣାଯାଏ ଯେ ରାଜା ଇନ୍ଦଦ୍ୟୁମ୍ନଙ୍କ ଠାରୁ ଏ ପରମ୍ପରା ଆରମ୍ଭ ହୋଇଛି। ପ୍ରତ୍ୟେକ ଶ୍ରୀଜଗନ୍ନାଥପ୍ରେମୀ ସ୍କନ୍ଧପୁରାଣ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ ପଢି ମହାପ୍ରଭୁଙ୍କ ବିଷୟରେ ଅଧିକରୁ ଅଧିକ ଜାଣିଲେ ଆମ ସଂସ୍କୃତି ଓ ପରମ୍ପରା ରକ୍ଷା ହୋଇପାରିବ।

ବରେଣ୍ୟ ବକ୍ତାମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର ହରେକୃଷ୍ଣ ଶତପଥୀ, ପଦ୍ମବିଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଧର୍ମଶାସ୍ତ୍ରବିତ୍ ଡଃ ଅତୁଲ କୁମାର ନନ୍ଦ, ଐତିହ୍ୟ ବିଶାରଦ ଡଃ ସୁରେନ୍ଦ୍ର କୁମାର ମିଶ୍ର ଶ୍ରୀଜଗନ୍ନାଥଙ୍କ ଉପରେ ତଥ୍ୟ ଓ ତତ୍ତ୍ୱଭିତ୍ତିକ ପ୍ରବନ୍ଧମାନ ଉପସ୍ଥାପନ କରିଥିଲେ।

ପ୍ରାରମ୍ଭରେ ସ୍ୱାଗତ ଭାଷଣ ଆନ୍ତରାଷ୍ଟ୍ରୀୟ ହିନ୍ଦୁ ମହାସଭାର ସଭାପତି ଡଃ ବଦ୍ରୀନାଥ ପଟ୍ଟନାୟକ, ଅତିଥି ପରିଚୟ ପ୍ରଦାନ, ଉତ୍କଳ ବିଦ୍ୱତ ପରିଷଦର ଉପଦେଷ୍ଟା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ ରଥ ଆଲୋଚନାଚକ୍ରର ବିଷୟବସ୍ତୁ ସମ୍ବନ୍ଧରେ ପ୍ରାଥମିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଐତିହ୍ୟ ସଂରକ୍ଷଣ ପରିଷଦର ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ବିଜୟଚନ୍ଦ୍ର ବ୍ରହ୍ମା, ପଣ୍ଡିତ କମଳାକାନ୍ତ ଆଚାର୍ଯ୍ୟ ଓ ସୌମ୍ୟାଶ୍ରୀ ଆଶୀର୍ବାଦମ। ଆଜିର କାର୍ଯ୍ୟକ୍ରମରେ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ପ୍ରଫେସର ବୁଦ୍ଧଦେବ ମିଶ୍ର, ତିରୁପତିରୁ ଡଃ ଜ୍ଞାନ ରଞ୍ଜନ ପଣ୍ଡା, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ପଣ୍ଡିତ ବିନୋଦ ବିହାରୀ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସଡକ ଦୁର୍ଘଟଣାରେ ୬ ଶ୍ରମିକ ମୃତ: ଶୋକ ବ୍ୟକ୍ତ କଲେ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ୬ ଜଣ କୃଷି ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲା ଅନ୍ତର୍ଗତ ନୁଜିବିଦୁ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ପୋଲିସର ସୂଚନା ମୁତାବକ, ନୁଜିବିଦୁ ନିକଟସ୍ଥ ଲିୟୋନ ଟାଣ୍ଡା ନାମକ ଏକ ଆଦିବାସୀ ବସ୍ତି ଅଞ୍ଚଳର ଶ୍ରମିକମାନେ ଚାଷ କମ କରିବା ଲାଗି ଅଟୋ ଯୋଗେ ନିକଟସ୍ଥ ଗାଁକୁ ଯାଉଥିଲେ। ହଠାତ ଏକ ଅଜଣା ଗାଡି ଆସି ସେମାନଙ୍କ ଅଟୋକୁ ଧକ୍କା ଦେଇଥିଲା।

ଯାହାଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତଙ୍କୁ ନୁଜିବିଦୁ ଏବଂ ବିଜୟୱାଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଗାଡିକୁ ଖୋଜିବାରେ ଲାଗିପଡ଼ିଛି।

ଏନେଇ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ, ପ୍ପୁରବା ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଜନ ସେନା ଅଧ୍ୟକ୍ଷ ପବନ କଲ୍ୟାଣ ଶୋକ ବ୍ୟକ୍ତ କରିଛନ୍ତି।