ଭୁବନେଶ୍ବର: ଆଜି ୯୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଆନ୍ଧ୍ର ପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ସେ ଓଡିଶା ରାଜନୀତିରେ ଭୀଷ୍ମ ପିତାମହ ଭାବେ ପରିଚିତ । ଜଣେ ପାଇକ ପୁଅ ହିସାବରେ ସେ ଯେପରି ଶିଖରୀକୁ ଛୁଇଁଛନ୍ତି ହୁଏତ ଆଉ କେହି ସେପରି ହୋଇପାରି ନାହିଁ।
ପରିଣତ ବୟସରେ ମଧ୍ୟ ସେ ଓଡିଶାର ପାଇକମାନଙ୍କ ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ସେ ଯେ କେବଳ ଜଣେ ରାଜନେତା ତାହା ନୁହେଁ। ସେ ଏକାଧାରରେ ଜଣେ ସାହିତ୍ୟିକ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଭାବେ ମଧ୍ୟ ପରିଚିତ।୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିବା ବିଶ୍ବଭୂଷଣ ଭାରତୀୟ ଜନସଂଘରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।
ସେ ପ୍ରଥମେ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ। ୧୯୭୭ ମସିହାରେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୧୯୭୫ ମସିହାରେ ସେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ମିସା ଆଇନରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ।
ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ୮ ବର୍ଷ ଧରି ବିଜେପିର ରାଜ୍ୟ ସଭାପତି ରହିଥିଲେ। ପରେ ସେ ବିଜେପି ଛାଡ଼ି ଜନତା ପାର୍ଟିରେ ସାମିଲ ହୋଇଥିଲେ ମଧ୍ୟ ପୁଣିଥରେ ୧୯୯୬ ଏପ୍ରିଲ ମାସରେ ବିଜେପିକୁ ଫେରିଥିଲେ।
ବିଜୁ ପଟ୍ଟନାୟକଙ୍କ ସରକାରରେ ଶ୍ରୀ ହରିଚନ୍ଦନ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ସେ ଚିଲିକା ଏବଂ ଭୁବନେଶ୍ୱରରୁ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଦୁଇଥର ଜନତା ଦଳରୁ ଏବଂ ତିନି ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି।
ଏହି ବରିଷ୍ଠ ବିଜେପି ନେତା ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀତ୍ବ ସମୟରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ସେ ରାଜସ୍ୱ, ଆଇନ, ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ସେ ଓଡିଶା ରାଜନୀତିର ଜଣେ ଭୀଷ୍ମ ପିତାମହ।
ରାଜନୀତି ବ୍ୟତୀତ ସାହିତ୍ୟରେ ମଧ୍ୟ ବେଶ୍ ରୁଚି ରଖିଛନ୍ତି ଶ୍ରୀ ହରିଚନ୍ଦନ। ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ‘ମାତୃଭାଷା’, ‘ଶେଷ ଝଲକ୍’, ‘ରାଣା ପ୍ରତାପ’, ‘ଅସ୍ତଶିଖା’, ମହାସଂଗ୍ରାମର ମହାନାୟକ ବକ୍ସି ଜଗବନ୍ଧୁ, ‘ମାନସୀ’ ଏଇ ମାଟି କଥା କୁହେ, ସଂଘର୍ଷ ସରି ନାହିଁ ପ୍ରମୁଖ। ଲେଖାଲେଖିରେ ରୁଚି ରଖିଥିବା ବିଶ୍ୱଭୂଷଣ ପାଇକ ଆନ୍ଦୋଳନର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।


