ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେଡି ବର୍ତ୍ତମାନ ତିଆରି କରୁଛି ବଡ ରଣନୀତି। ବିଶେଷ କରି ଚାଷୀମାନଙ୍କୁ ନେଇ ବିଜେଡି ରାଜ୍ୟର ବିଜେପି ସରକାରଙ୍କୁ ଘେରିବା ପାଇଁ ଯୋଜନା କରୁଛି। ସେଥିପାଇଁ ଦଳ ଆସନ୍ତା ୧୮ ତାରିଖରେ ଆୟୋଜିତ କରୁଛି ବିରାଟ ଚାଷୀ ସମାବେଶ। ଏହି ସମାବେଶ ବରଗଡରେ ହେବ। କାରଣ ସେଠାରେ ବର୍ତ୍ତମାନ ଚାଷୀମାନେ ଯେପରି ସମସ୍ୟା ଭିତରେ ଗତିକରୁଛନ୍ତି ତାହାକୁ ଲୋକଲୋଚନକୁ ଦଳ ଆଣିବ।
ଏ ନେଇ ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରାଯାଇଛି। ଏଥିରେ ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ମିଶ୍ର, ସଂଜୟ ଦାସବର୍ମା, ସ୍ନେହାଙ୍ଗିନ ଛୁରିଆ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ଏଥିରେ କୁହାଯାଇଛି ଯେ, ଆସନ୍ତା ୧୮ ତାରିଖରେ ବରଗଡରେ ଏହି ଚାଷୀ ସମ୍ମିଳନୀ କରାଯିବ। ଏଥିରେ ଦଳର ତୁଙ୍ଗ ନେତା ଯୋଗଦେବେ ବୋଲି ସେ କହିଛନ୍ତି। ତେବେ ଏହି ସମ୍ମିଳନୀରେ ନବୀନ ପଟ୍ଟନାୟକ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଶ୍ରୀ ଆଚାର୍ଯ୍ୟ ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟ ବିଜେପି ସରକାରଙ୍କ ଗତ ୧୩ ମାସର ଶାସନକାଳରେ ଚାଷୀମାନଙ୍କ ସମସ୍ୟା ଅହେତୁକ ବୃଦ୍ଧି ପାଇଛି । ରାଜ୍ୟ ସରକାର ଏହି ସମସ୍ୟା ଗୁଡିକର ପ୍ରତିକାର କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି । ଏହି କାରଣରୁ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ କୃଷି ଉତ୍ପାଦନର ବିକାଶ ହାର ୭.୮% ଥିଲାବେଳେ, ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୩.୮%କୁ ଖସିଆସିଛି ବୋଲି ସେ କହିଛନ୍ତି।
ତେବେ ଶଙ୍ଖ ଭବନରେ ବିଜୁ କୃଷକ ସାମ୍ମୁଖ୍ୟ ପକ୍ଷରୁ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନିତି ଓ ଚାଷୀଙ୍କ ସମସ୍ୟା ସଂପର୍କରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ପ୍ରସନ୍ନ ଆଚାର୍ଯ୍ୟ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାରୁ କୃଷକ ପ୍ରତିନିଧିମାନେ ଯୋଗଦେଇଥିଲା।
ଏଥିରେ ଦଳର ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ କୁମାର ଦାସବର୍ମା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ପ୍ରତାପ ଜେନା, ପ୍ରଣବ ବଳବନ୍ତରାୟ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ,ପ୍ରୀତିରଞ୍ଜନ ଘଡେଇ, ବଦ୍ରି ପାତ୍ର, ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା, ପ୍ରଫୁଲ୍ଲ ସାମଲ, ଅମର ପଟ୍ଟନାୟକ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ରମେଶ ମାଝୀଙ୍କ ସହିତ ଦଳୀୟ ବିଧାୟକଗଣ ଓ ବିଭିନ୍ନ ଜିଲ୍ଲାର ସଭାପତିମାନେ ଅଂଶଗ୍ରହଣ କରିଥିଲେ।