ଭୁବନେଶ୍ବର: ଆସନ୍ତାକାଲି ବିଜୁ ଜନତା ଦଳ ବରଗଡରେ କରିବ ବିରାଟ ଚାଷୀ ସମାବେଶ। ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ପ୍ରସଂଗକୁ ନେଇ ଏହି ସମାବେଶ କରିବ ଦଳ। ସେଥିପାଇଁ ବରଗଡରେ ଦଳ ତରଫରୁ ଚାଲିଛି ବଡ ପ୍ରସ୍ତୁତି। ଏ ସଂପର୍କରେ ଦଳ ତରଫରୁ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୂର୍ବରୁ ସୂଚନା ପ୍ରଦାନ କରାଯାଇଛି।
ତେବେ ଏହି ଆନ୍ଦୋଳନ କରିବା ନେଇ ଶଙ୍ଖ ଭବନରେ ବିଜୁ କୃଷକ ସାମ୍ମୁଖ୍ୟ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ରାଜ୍ୟ ସରକାରଙ୍କ ଚାଷୀ ମାରଣ ନିତି ଓ ଚାଷୀଙ୍କ ସମସ୍ୟା ସଂପର୍କରେ ଏହି ବୈଠକ ହୋଇଥିଲା। ଏଥିରେ ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାରୁ କୃଷକ ପ୍ରତିନିଧିମାନେ ଯୋଗଦେଇଥିଲା।
ବିଜେଡି କହିଛି ଯେ, ରାଜ୍ୟ ବିଜେପି ସରକାରଙ୍କ ଗତ ୧୩ ମାସର ଶାସନକାଳରେ ଚାଷୀମାନଙ୍କ ସମସ୍ୟା ଅହେତୁକ ବୃଦ୍ଧି ପାଇଛି । ରାଜ୍ୟ ସରକାର ଏହି ସମସ୍ୟା ଗୁଡିକର ପ୍ରତିକାର କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି । ଏହି କାରଣରୁ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ କୃଷି ଉତ୍ପାଦନର ବିକାଶ ହାର ୭.୮% ଥିଲାବେଳେ, ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୩.୮%କୁ ଖସିଆସିଛି ବୋଲି ସେ କହିଛନ୍ତି।
ତେବେ ଏହି ବୈଠକରେ ଦଳର ତୁଙ୍ଗ ନେତାମାନେ ସେଠାରେ ଉପସ୍ଥିତ ରହିବେ। ସେମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ସାହୁ, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ କୁମାର ଦାସବର୍ମା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ପ୍ରତାପ ଜେନା, ପ୍ରଣବ ବଳବନ୍ତରାୟ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ,ପ୍ରୀତିରଞ୍ଜନ ଘଡେଇ, ବଦ୍ରି ପାତ୍ର, ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା, ପ୍ରଫୁଲ୍ଲ ସାମଲ, ଅମର ପଟ୍ଟନାୟକ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ରମେଶ ମାଝୀ ପ୍ରମୁଖ ଯୋଗଦେବେ। ତେବେ ଏହି ବିଶାଳ ସମାବେଶରେ ନବୀନ ପଟ୍ଟନାୟକ ଯୋଗଦେବେ କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ।