The Samikhsya Desk: ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣଙ୍କ ପିଠି ଥାପୁଡେଇ ଆର୍ଶିବାଦ କଲେ ତେବେ ଆପଣଙ୍କ ଭାଗ୍ୟ ଉଦୟ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କ୍ଷେତ୍ରରେ ସେହିପରି ପରିସ୍ଥିତି ଆସିଛି। ଖୋଦ ପ୍ରଧାନମନ୍ତ୍ରୀ ତାଙ୍କ ବାଲୁକା କଳା ପାଖକୁ ଆସି ତାଙ୍କ ପିଠି ଥାପୁଡେଇଲେ। ଆଉ ତାଙ୍କ ବାଲୁକା କଳାକୁ ସେ ବେଶ ପ୍ରଶଂସା ମଧ୍ୟ କଲେ। ଯାହାକୁ ନେଇ ସୁଦର୍ଶନ ନିଜକୁ ଧନ୍ୟ ମନେ କରିବା ସହିତ ଖୁସି ପ୍ରକଟ ମଧ୍ୟ କରିଛନ୍ତି।
ଅବସର ଥିଲା ମୁମ୍ବାଇରେ ଆୟୋଜିତ ଭାରତ ସାମୁଦ୍ରିକ ସପ୍ତାହ 2025 ବା ଇଣ୍ଡିଆ ମେରିଟାଇମ ଉଇକି 2025। ଏହି ସମ୍ମିଳନୀରେ ବାଲୁକା ଶିଳ୍ପୀ ସୁଦର୍ଶନ ଅତିଥୀଙ୍କ ପାଇଁ ନିର୍ମାଣ କରିଥିଲେ ଏକ ସୁନ୍ଦର ବାଲୁକା କଳା। ଏଥିରେ ସେ ବାଲିଯାତ୍ରା ଉପରେ 30 ଫୁଟ ଉଚ୍ଚତାର ଏହି କଳା ନିର୍ମାଣ କରିଥିଲେ। ଗତକାଲି ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗଦେବା ଅବସରରେ ସୁଦର୍ଶନଙ୍କ ବାଲୁକା କଳା ଦେଖିଥିଲେ। ସେ ସୁଦର୍ଶନଙ୍କ ପିଠି ଥାପୁଡେଇ ଏହି କଳାକୁ ବେଶ ପ୍ରଶଂସା କରିଥିଲେ।


