Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତର ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲାଗି ବିଶ୍ୱସ୍ତରୀୟ ସଡ଼କ ଭିତ୍ତିଭୂମି ନିର୍ମାଣ ଜରୁରୀ: ନୀତିନ ଗଡ଼କରୀ
ବିଶେଷ ଖବର

ଭାରତର ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲାଗି ବିଶ୍ୱସ୍ତରୀୟ ସଡ଼କ ଭିତ୍ତିଭୂମି ନିର୍ମାଣ ଜରୁରୀ: ନୀତିନ ଗଡ଼କରୀ

November 7, 2025No Comments5 Mins Read
Share Facebook Twitter LinkedIn Email WhatsApp Copy Link
ନୀତିନ ଗଡ଼କରୀ
ଭାରତର ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲାଗି ବିଶ୍ୱସ୍ତରୀୟ ସଡ଼କ ଭିତ୍ତିଭୂମି ନିର୍ମାଣ ଜରୁରୀ: ନୀତିନ ଗଡ଼କରୀ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନ ଠାରେ ଆଜି ଇଣ୍ଡିଆନ ରୋଡ୍ସ କଂଗ୍ରେସ (ଆଇଆରସି)ର 84ତମ ବାର୍ଷିକ ଅଧିବେଶନ ଉଦଘାଟିତ ହୋଇଯାଇଛି। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶବିଦେଶର 3500ରୁ ଅଧିକ ଇଞ୍ଜିନିୟର, ବୈଷୟିକ ବିଶେଷଜ୍ଞ, ପ୍ରଦର୍ଶକ, ପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି।

ଅଧିବେଶନକୁ ଉଦଘାଟନ କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି, ସଡ଼କ, ସେତୁ, ସୁଡ଼ଙ୍ଗ ଭଳି ଭିତ୍ତିଭୂମି ନିର୍ମାଣ ଲାଗି ବିଚାରବିମର୍ଶ କରିବା ନିମନ୍ତେ ଏହା ହେଉଛି ଭାରତର ସବୁଠୁ ବଡ଼ ଜ୍ଞାନବିନିମୟ କାର୍ଯ୍ୟକ୍ରମ। ସେ କହିଛନ୍ତି, ସଡ଼କ ଯୋଗାଯୋଗ ଭିତ୍ତିଭୂମି କ୍ଷେତ୍ରରେ ପ୍ରଯୁକ୍ତି, ଗବେଷଣା ଏବଂ ନବସୃଜନ ଲାଗି ବର୍ତ୍ତମାନ ହିଁ ପ୍ରକୃଷ୍ଟ ସମୟ। ଭାରତ ଏବେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା। ଏହାକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପ ନେଇଛନ୍ତି । ଆମେ ଏବେ ବିଶ୍ୱଗୁରୁ ହେବାର ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛୁ। ଏଥିପାଇଁ ଆମକୁ ବିଶ୍ୱସ୍ତରୀୟ ଭିତ୍ତିଭୂମିର ଆବଶ୍ୟକତା ରହିଛି। ମିତବ୍ୟୟୀ, ଉନ୍ନତ ମାନର ଭିତ୍ତିଭୂମି ନିର୍ମାଣ କରିବା ଆବଶ୍ୟକତା ରହିଥିବା ବେଳେ ନିର୍ମାଣ ଖର୍ଚ୍ଚ କମାଇବା ପାଇଁ ଯୋଜନା ପ୍ରଣୟନ କରାଯିବା ଉଚିତ୍‌ ବୋଲି ଶ୍ରୀ ଗଡ଼କରୀ ଗୁରୁତ୍ୱାରୋପ କହିଛନ୍ତି।

ଏହି ଅଧିବେଶନରେ ହେବାକୁ ଥିବା ବିଚାରବିମର୍ଶ ଦେଶର ଇଞ୍ଜିନିୟରମାନଙ୍କୁ ଦେଶର ବିକାଶରେ ଯୋଗଦାନ ଦେବାକୁ ଅନୁପ୍ରାଣିତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ ଆହୁରି କହିଛନ୍ତି, ଆଇଆରସି ହେଉଛି ଭାରତର ସଡ଼କ ଇଞ୍ଜିନିୟରିଂର ଆତ୍ମା । ଦେଶରେ ସଡ଼କ ଭିତ୍ତିଭୂମି ନିର୍ମାଣ ଲାଗି ଉତ୍ତରଦାୟିତ୍ୱ, ଗମ୍ଭୀର ଆଭିମୁଖ୍ୟ, ଗୁଣବତ୍ତା ପାଇଁ ପ୍ରତିବଦ୍ଧତା ଏବଂ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଅନୁରୂପ ଭାବେ ଆମକୁ ଆମ ପରିବେଶ ଓ ଜୀବଜଗତର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସଡ଼କ ନିର୍ମାଣରେ ବର୍ଜ୍ୟବସ୍ତୁ ଉପଯୋଗ କରିବା ଲାଗି ଯୋଜନା ଏବଂ ନୀତି ପ୍ରଣୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଥିଲେ, ଭାରତର ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲାଗି ଆମେ ନୂତନ ପଦ୍ଧତି ଓ ସଫଳ ପ୍ରୟୋଗ କରିବାକୁ ଚାହୁଁଛୁ । ଏଥିପାଇଁ କାର୍ଯ୍ୟଧାରା, ମାର୍ଗଦର୍ଶିକା ଏବଂ ଡିଜାଇନ୍‌ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ଲାଗି ସେ ଆଇଆରସିକୁ ଅନୁରୋଧ କରିଥିଲେ। ପରିବର୍ତ୍ତନ ପାଇଁ ନୂଆ ପ୍ରୟୋଗ ଜରୁରୀ ଏବଂ ଏହା ଉପରେ ଏହି ଅଧିବେଶନରେ ଆଲୋଚନା ଲାଗି ସେ ଆହ୍ୱାନ କରିଥିଲେ। ଶ୍ରୀ ଗଡ଼କରୀ କହିଥିଲେ, ଭାରତର ସଡ଼କ ନେଟୱର୍କ ବିଶ୍ୱରେ ଏକ ନମ୍ବର ହେବାକୁ ଯାଉଛି। ଉନ୍ନତ ସଡ଼କ ବିକଶିତ ହେଲେ ବାଣିଜ୍ୟ, ବ୍ୟବସାୟ ଓ ଶିଳ୍ପର ଆଗମନ ହୋଇଥାଏ । ଏସବୁକୁ ପ୍ରୋତ୍ସାହନ ମିଳିଲେ ପୁଞ୍ଜିନିବେଶ, ରୋଜଗାର ସୃଜନ ଏବଂ ଆର୍ଥିକ ଅଭିବୃଦ୍ଧିର ମାର୍ଗ ପ୍ରଶସ୍ତ ହୁଏ। ଆଇଆରସି ଅଧିବେଶନରେ ଶ୍ରେଷ୍ଠ କାର୍ଯ୍ୟପଦ୍ଧତି, ଗବେଷଣା, ନବସୃଜନ ଏବଂ କ୍ଷେତ୍ରୀୟ ଅଭିଜ୍ଞତାର ବିନିମୟ ଲାଗି ସେ ପରାମର୍ଶ ଦେଇଥିଲେ ।

ଶ୍ରୀ ଗଡ଼କରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ସଡ଼କ ନିର୍ମାଣରେ ଐତିହାସିକ ପ୍ରଗତି ହାସଲ କରିଛି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବର୍ତ୍ତମାନ ସୁଦ୍ଧା ସର୍ବାଧିକ 2 ଲକ୍ଷ 87 ହଜାର କୋଟି ଟଙ୍କାର ବଜେଟ୍‌ ଆବଣ୍ଟନ ହାସଲ କରିଛି । ସଡ଼କ ନିର୍ମାଣ କ୍ଷେତ୍ରରେ ଅର୍ଥ କିମ୍ବା ସମ୍ବଳର ଅଭାବ ନାହିଁ । ସଡ଼କ ନେଟୱର୍କର ମୁଦ୍ରୀକରଣ ଦ୍ୱାରା 15 ଲକ୍ଷ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରାଯାଇପାରିବ । ତେବେ ଏଥିପାଇଁ ସ୍ୱଚ୍ଛତା, ସଚ୍ଚୋଟତା, ସକାରାତ୍ମକ ଆଭିମୁଖ୍ୟ ଏବଂ ଦ୍ରୁତ ନିର୍ଣ୍ଣୟ ପ୍ରକ୍ରିୟାର ଆବଶ୍ୟକତା ରହିଛି । କେନ୍ଦ୍ର ମନ୍ତ୍ରୀ କହିଥିଲେ, ସରକାର ଦ୍ରୁତ ଗତିରେ ରାଜପଥ ନିର୍ମାଣ କରୁଛନ୍ତି । 2014ରେ 91 ହଜାର 287 କିଲୋମିଟର ରାଜପଥ ଥିବା ବେଳେ ବର୍ତ୍ତମାନ ଏହା 60% ବୃଦ୍ଧି ପାଇ 1,46,342 କିଲୋମିଟରରେ ପହଞ୍ଚିଛି ।

ଶ୍ରୀ ଗଡ଼କରୀ କହିଥିଲେ, ଦେଶରେ ଉନ୍ନତ ସଡ଼କ ନିର୍ମାଣ କାରଣରୁ ଆର୍ଥିକ ବିକାଶ ତ୍ୱରାନ୍ୱିତ ହୋଇଛି। ଉପାନ୍ତ ଏବଂ ଆଦିବାସୀ ଅଞ୍ଚଳରେ ମଧ୍ୟ ଭଲ ରାସ୍ତା ନିର୍ମିତ ହୋଇଛି । ଭଲ ସଡ଼କ ନିର୍ମାଣ କାରଣରୁ ଦେଶରେ ଲଜିଷ୍ଟିକ୍ସ ଖର୍ଚ୍ଚ 16 ପ୍ରତିଶତରୁ 11 ପ୍ରତିଶତକୁ ହ୍ରାସ ପାଇଥିବା ପ୍ରତିଷ୍ଠିତ ଆଇଆଇଟିଗୁଡ଼ିକର ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି । ସଡ଼କ ଭିତ୍ତିଭୂମି ଦେଶର ଶିଳ୍ପ, ରପ୍ତାନି, ବ୍ୟବସାୟ ବାଣିଜ୍ୟକୁ ଗତିଶୀଳ କରିବ। ଏହା ଲୋକଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି କରିବ।

ଦେଶରେ ବିକଳ୍ପ ଇନ୍ଧନ କ୍ଷେତ୍ରରେ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରି ଶ୍ରୀ ଗଡ଼କରୀ କହିଥିଲେ, ସବୁଜ ହାଇଡ୍ରୋଜେନ ଚାଳିତ ବାହନ ଚଳାଚଳ ପାଇଁ 10ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି, ସେଥିମଧ୍ୟରୁ ଗୋଟିଏ ଓଡ଼ିଶାରେ ରହିଛି । ହାଇଡ୍ରୋଜେନ ଭଳି ସବୁଜ ଇନ୍ଧନ କ୍ଷେତ୍ରରେ ନିର୍ଭରଶୀଳତା ଦେଶର ତୈଳ ଆମଦାନୀ ହ୍ରାସ କରିବ । ଗବେଷଣା ଓ ନବସୃଜନ ବଳରେ ଉନ୍ନତ ସଡ଼କ ଏବଂ ବିକଳ୍ପ ଇନ୍ଧନ ଜରିଆରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରି ଦେଶକୁ ସମୃଦ୍ଧ କରାଯାଇପାରିବ ।

ସେ କହିଥିଲେ, ଇଥାନଲ୍, ମିଥାନଲ୍, ବାୟୋ-ଏଲଏନଜି, ସିଏନଜି ଏବଂ ସବୁଜ ହାଇଡ୍ରୋଜେନର ବହୁଳ ଗ୍ରହଣୀୟତା ଦ୍ୱାରା ଭାରତ ଇନ୍ଧନ ଆମଦାନୀକାରୀ ରାଷ୍ଟ୍ରରୁ ଇନ୍ଧନ ରପ୍ତାନିକାରୀ ରାଷ୍ଟ୍ର ହେବା ଦିଗରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନ ଆଣୁଛି । ଅନୁରୂପ ଭାବେ ସରକାର ସଡ଼କ ସୁରକ୍ଷା, ଆଧୁନିକ ଇଞ୍ଜିନିୟରିଂ ମାନଦଣ୍ଡ, ଦକ୍ଷ ପରିବହନ ବ୍ୟବସ୍ଥା ଏବଂ ସମସ୍ତଙ୍କ ପାଇଁ ସୁରକ୍ଷିତ ଓ ଅଧିକ ଦକ୍ଷ ପରିବହନ ସୁନିଶ୍ଚିତ କରିବା ପାଇଁ ଦେଶବ୍ୟାପୀ ସଚେତନତା ପଦକ୍ଷେପଗୁଡ଼ିକୁ ଏକୀକୃତ କରିବା ପାଇଁ ଗଭୀର ଭାବରେ ସଂକଳ୍ପବଦ୍ଧ ।

ସଡ଼କ ଦୁର୍ଘଟଣା କାରଣରୁ ଦେଶରେ ବର୍ଷକୁ 1 ଲକ୍ଷ 80 ହଜାର ଲୋକଙ୍କ ପ୍ରାଣହାନି ଘଟିବାକୁ ନେଇ କେନ୍ଦ୍ର ମନ୍ତ୍ରୀ ଚିନ୍ତାବ୍ୟକ୍ତ କରିବା ସହିତ ସଡ଼କ ସୁରକ୍ଷା ଏବଂ ଦୁର୍ଘଟଣା ହ୍ରାସ ପାଇଁ ସରକାରୀ ସ୍ତରରେ ହେଉଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଡିପିଆରରେ ତ୍ରୁଟି କାରଣରୁ ଅନେକ ଦୁର୍ଘଟଣା ହେଉଥିବାରୁ ଏଥିରେ ସୁଧାର ଆଣିବା ଲାଗି ସେ ଇଞ୍ଜିନିୟର ଏବଂ ଅନ୍ୟ ପେସାଦାରମାନଙ୍କୁ ଅନୁରୋଧ କରିଥିଲେ। ସଡ଼କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବଜେଟ୍‌ ପ୍ରସ୍ତୁତ କରାଯାଉଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ, ସଡ଼କ ଦୁର୍ଘଟଣାରେ ଆହତଙ୍କ ଜୀବନ ରକ୍ଷା କରୁଥିବା ସ୍ୱେଚ୍ଛାସେବୀଙ୍କୁ ପୁଲିସ ଜେରା କରିପାରିବ ନାହିଁ । ଏଥିପାଇଁ ସରକାର ଆଇନ ଆଣିଛନ୍ତି ।

ସଡ଼କ ନିର୍ମାଣ ସମୟରେ ପରିବେଶ ଓ ଜୀବଜଗତର ସୁରକ୍ଷା ଉପରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ରାସ୍ତା ନିର୍ମାଣ କାରଣରୁ ଦେଶରେ ସର୍ବାଧିକ ପ୍ରଦୂଷଣ ହେଉଛି। ଏହାର ସମାଧାନ ଲାଗି ବର୍ତ୍ତମାନ ସଡ଼କ ନିର୍ମାଣରେ ବର୍ଜ୍ୟବସ୍ତୁର ଉପଯୋଗ କରାଯାଉଛି । ଏବେ ସୁଦ୍ଧା 80 ଲକ୍ଷ ଟନ୍‌ ସହରାଞ୍ଚଳ ବର୍ଜ୍ୟବସ୍ତୁକୁ ରାସ୍ତା ନିର୍ମାଣରେ ଉପଯୋଗ କରାଯାଇଛି । ରାଜପଥ ନିର୍ମାଣରେ ବାୟୋ-ବିଟୁମେନ୍ ଏବଂ ପୁନଃଚକ୍ରିତ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ବ୍ୟବହାର ଦୀର୍ଘସ୍ଥାୟିତ୍ୱ ଏବଂ ମୂଲ୍ୟ ଦକ୍ଷତାକୁ ଆହୁରି ବୃଦ୍ଧି କରୁଛି, ଯାହା ପରିବେଶ-ସଚେତନ ବିକାଶ ପାଇଁ ଆମର ଦୃଷ୍ଟିକୋଣ ସହିତ ସମନ୍ୱିତ । ସେ ଆହୁରି କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ନବସୃଜନ ଏବଂ ସ୍ଥାୟୀ ଗତିଶୀଳତା ସମାଧାନ ଉପରେ ଆଧାରିତ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି କରିବା। ଏହି ପରିବର୍ତ୍ତନକାରୀ ଏଜେଣ୍ଡା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ଭିତ୍ତିଭୂମି-ଦକ୍ଷତା ଇକୋସିଷ୍ଟମକୁ ମଜବୁତ କରିବ ଏବଂ ଭାରତକୁ ଏକ ଆତ୍ମନିର୍ଭରଶୀଳ ଓ ସ୍ଥିର ଭବିଷ୍ୟତ ଆଡକୁ ଆଗେଇ ନେବ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, 2036 ସୁଦ୍ଧା ବିକଶିତ ଓଡ଼ିଶା ଏବଂ 2047 ସୁଦ୍ଧା ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ଲାଗି ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱାରୋପ କରୁଛନ୍ତି। ଏଥିପାଇଁ ସେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହଯୋଗ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଆଇଆରସିର ଏହି ଅଧିବେଶନରୁ ବାହାରିଥିବା ନିଷ୍କର୍ସ ଦେଶରେ ସଡ଼କ କ୍ଷେତ୍ରକୁ ଅଧିକ ଗତିଶୀଳ କରିବ।

ଆଇଆରସିର ଏହି ବାର୍ଷିକ କାର୍ଯ୍ୟକ୍ରମରେ ଏକାଧିକ ବୈଷୟିକ ଅଧିବେଶନ ଆୟୋଜନ କରାଯିବା ସହିତ ବିଶେଷଜ୍ଞମାନେ ଦେଶର ସଡ଼କ ନିର୍ମାଣ କ୍ଷେତ୍ରରେ ସୁଧାର ଆଣିବା ଲାଗି ନବସୃଜନ, ସହଭାଗିତା, ଜ୍ଞାନ ବିନିମୟ ଲାଗି ବିଚାରବିମର୍ଶ କରିବେ । ଓଡ଼ିଶାରେ ଷଷ୍ଠ ଥର ପାଇଁ ଏହି ଅଧିବେଶନ ଆୟୋଜନ କରାଯାଉଛି। ଚଳିତ ଥର ଓଡ଼ିଶାର ସଂସ୍କୃତି, ପରମ୍ପରା, ନୃତ୍ୟ, ସଙ୍ଗୀତ, ଖାଦ୍ୟପେୟର ଝଲକ ଏହି ଅଧିବେଶନରେ ଦେଖିବାକୁ ମିଳିଛି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଆଇଆରସିର ଅଧ୍ୟକ୍ଷ ମନୋରଞ୍ଜନ ପରିଡ଼ାଙ୍କ ସମେତ ଭାରତ ଏବଂ ଓଡ଼ିଶା ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ, ଆଇଆରସିର କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ଅବସରରେ ସଡ଼କ ନିର୍ମାଣ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ ଇଞ୍ଜିନିୟରମାନଙ୍କୁ ସମ୍ମାନିତ କରାଯାଇଥିଲା।

ଆଇଆରସିର 84ତମ ଅଧିବେଶନ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବିକାଶଧାରା ଭାରତ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

President’s Address in Assembly: ଆଚରଣ ଠିକ୍ ରଖିବାକୁ ବିଧାୟକଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି

November 27, 2025

ଅପରେସନ ସିନ୍ଦୁର ପରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରଶଂସକ ହେଲେ ଅନେକ ଦେଶ: କିଣିବ ଏହି ମୁସଲିମ ଦେଶ!

November 27, 2025

President in Odisha Assambly: ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା

November 27, 2025

ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 27, 2025
Latest News

ଟ୍ରେନ୍ ଉପରେ ପଥର ଫିଙ୍ଗିବା ମାମଲା: 45 ଅଭିଯୁକ୍ତ ଗିରଫ, ସହଯୋଗ ପାଇଁ ପୂର୍ବତଟ ରେଳପଥର ନିବେଦନ

November 27, 2025

ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ସରକାର: ସମନ୍ୱୟ ସମିତି

November 27, 2025

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ: ଆସାମ ବିଧାନସଭାରେ ଆଗତ ହେଲା ବିଲ୍

November 27, 2025

ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

November 27, 2025

IITF 2025: ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.