ସମୀକ୍ଷା ବ୍ୟୁରୋ
କେନ୍ଦ୍ର ସରକାର ଜମ୍ମୁକାଶ୍ମୀରରେ ଧାରା ୩୭୦କୁ ସମାପ୍ତ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ସଂସଦରେ ହଙ୍ଗାମା ସୃଷ୍ଟି ହୋଇଛି । କିନ୍ତୁ ଦେଶରେ ପ୍ରାୟ ୧୧ଟି ରାଜ୍ୟରେ ଏପରି କିଛି ଧାରା ଲାଗୁ ହୋଇଛି । କେନ୍ଦ୍ର ସରକାରଙ୍କ ତରଫରୁ ସେଠାରେ କିଛି ବିଶେଷ ଅଗ୍ରାଧିକାର ଦିଆଯାଇଥାଏ । ଧାରା ୩୭୧ରେ ଅନ୍ତର୍ଗତରେ କେନ୍ଦ୍ର ସରକାର ସେହି ସମସ୍ତ ରାଜ୍ୟକୁ ବିକାଶ, ସୁରକ୍ଷା ଆଦି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ସ୍ବତନ୍ତ୍ରତା ଦେଇଥା’ନ୍ତି ।
ମହାରାଷ୍ଟ୍ର/ଗୁଜରାଟ – ଆର୍ଟିକିଲ୍ ୩୭୧
ମହାରାଷ୍ଟ୍ର ଓ ଗୁଜୁରାଟ ଏହି ଦୁଇରାଜ୍ୟରେ ରାଜ୍ୟପାଳଙ୍କ ଧାରା ୩୭୧ ସମ୍ବନ୍ଧୀୟ ବିଶେଷ ସ୍ବତନ୍ତ୍ରତା ରହିଛି । ମହାରାଷ୍ଟ୍ରର ବିଦର୍ଭ, ମରାଠାଓ୍ବାଡା ଓ ଗୁଜୁରାଟର ସୌରାଷ୍ଟ୍ର ଓ କଚ୍ଛର ଅଲଗା ବିକାଶ ବୋର୍ଡ ନିର୍ମାଣ କରାଯାଇ ଏହି ଅଞ୍ଚଳରେ ବିକାଶ କାର୍ଯ୍ୟ ପାଇଁ ଯଥାସମ୍ଭବ ଅର୍ଥଯୋଗାଣ କରାଯାଏ । ନିଯୁକ୍ତିଭିତ୍ତିକ ଶିକ୍ଷା, ଭୋକେଶନାଲ୍ ଟ୍ରେନିଂ ଓ ରୋଜଗାର ପାଇଁ ଉପଯୁକ୍ତ କାର୍ଯ୍ୟକ୍ରମ ପାଇଁ ରାଜ୍ୟପାଳଙ୍କ ଦ୍ବାରା ଏହି ବିଶେଷ ବ୍ୟବସ୍ଥା ଉପଲବ୍ଧ।
କର୍ଣ୍ଣାଟକ – ଆର୍ଟିକିଲ୍ ୩୭୧ ଜେ (୯୮ତମ ସମ୍ବିଧାନ ସଂଶୋଧନ ଆକ୍ଟ -୨୦୧୨)
ହାଇଦ୍ରାବାଦ ଓ କର୍ଣ୍ଣାଟକ କ୍ଷେତ୍ରରେ ଭିନ୍ନ ଭିନ୍ନ ବିକାଶ ବୋର୍ଡର ପ୍ରାବଧାନ ରହିଛି । ଏଠାରେ ସରକାରୀ ଚାକିରିରେ ଏହି କ୍ଷେତ୍ରର ଲୋକଙ୍କୁ ସମାନ ଭାଗିଦାରୀ ମିଳିଥାଏ । ଏଠାରେ ରାଜ୍ୟସରକାରଙ୍କ ଶିକ୍ଷଣ ସଂସ୍ଥା ଓ ଚାକିରିରେ ରାଜ୍ୟବାସୀଙ୍କୁ ଆୟୁ ସୀମାରେ ମଧ୍ୟ ସଂରକ୍ଷଣ ଦିଆଯାଇଛି ।
ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା – ୩୭୧ଡି, ଧାରା ୩୨ର ସଂଶୋଧନ (୧୯୭୩)
ଏହି ଦୁଇ ରାଜ୍ୟ ପାଇଁ ରାଷ୍ଟ୍ରପତିଙ୍କ ବିଶେଷ ଅଧିକାର ରହିଛି । ଏହି ଦୁଇ ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ସେହି ରାଜ୍ୟର ବ୍ୟକ୍ତିଙ୍କ ସମାନସଂଖ୍ୟକ ଭାଗିଦାରୀ ଓ ସଂରକ୍ଷଣ ବ୍ୟବସ୍ଥା ରହିଛି । ରାଷ୍ଟ୍ରପତି ନାଗରିକଙ୍କ ସେବା ସମ୍ବନ୍ଧୀୟ ସମସ୍ୟା ତଥା ନିଯୁକ୍ତି ସମ୍ବନ୍ଧୀୟ ମାମଲାର ସମାଧାନ ପାଇଁ ହାଇକୋର୍ଟ ବ୍ୟତୀତ ଅଲଗା ଟ୍ରିବ୍ୟୁନାଲ୍ କରିପାରିବେ ।
ମଣିପୁର – ୩୭୧ ସି (୨୭ତମ ସଂଶୋଧନ ଆକ୍ଟ – ୧୯୭୧)
ଏହି ରାଜ୍ୟରେ ରାଷ୍ଟ୍ରପତି ବା ରାଜ୍ୟପାଳଙ୍କୁ ଦ୍ବାରା ଚୟନ ହୋଇଥିବା ପ୍ରତିନିଧିଙ୍କ କମିଟି ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିପାରିବେ । ରାଜ୍ୟପାଳ ଏହାର ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବେ ।
ମିଜୋରାମ – ୩୭୧ଜି (୫୩ତମ ସଂଶୋଧନ ଆକ୍ଟ -୧୯୮୬)
ଏହି ରାଜ୍ୟରେ ଜମି ମାଲିକାନା ପାଇଁ ମିଜୋ ସମୁଦାୟଙ୍କ ପ୍ରଥାକୁ ପାଳନ କରାଯାଇଥାଏ । ସେହିପରି ଶାସକୀୟ, ନାଗରିକ ଓ ଅପରାଧିକ ନ୍ୟାୟ ସମ୍ବନ୍ଧୀୟ ନିୟମ ପାଇଁ କେନ୍ଦ୍ର ସରକାର ଏହି ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଯଦି ରାଜ୍ୟର ବିଧାନସଭା କିଛି ସଂକଳ୍ପ ବା କାନୁନ୍ ଆଣିନ୍ତି, ତେବେ ଏହା ଉପରେ କେନ୍ଦ୍ର ସରକାର କିଛି ନିଷ୍ପତ୍ତି ନେଇ ପାରିବେ ।
ନାଗାଲାଣ୍ଡ – ୩୭୧ଏ (୧୩ତମ ସଂଶୋଧନ ଆକ୍ଟ -୧୯୬୨)
ଏହି ରାଜ୍ୟରେ ଜମି ମାଲିକାନା ପାଇଁ ନାଗା ସମୁଦାୟଙ୍କ ପ୍ରଥାକୁ ପାଳନ କରାଯାଇଥାଏ । ସେହିପରି ଶାସକୀୟ, ନାଗରିକ ଓ ଅପରାଧିକ ନ୍ୟାୟ ସମ୍ବନ୍ଧୀୟ ନିୟମ ପାଇଁକେନ୍ଦ୍ର ସରକାର ଏହି ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଯଦି ରାଜ୍ୟର ବିଧାନସଭା କିଛି ସଂକଳ୍ପ ବା କାନୁନ୍ ଆଣିନ୍ତି, ତେବେ ଏହା ଉପରେ କେନ୍ଦ୍ର ସରକାର କିଛି ନିଷ୍ପତ୍ତି ନେଇ ପାରିବେ । ୧୯୬୦ରେ ନାଗାବାସୀଙ୍କ ସହ ଭାରତ ସରକାରଙ୍କ ଚୁକ୍ତି କରାଯାଇଥିଲା ।
ଅରୁଣାଚଳପ୍ରଦେଶ – ୩୭୧ଏଚ୍ (୫୫ତମ ସଂଶୋଧନ ଆକ୍ଟ – ୧୯୮୬)
ଏହି ରାଜ୍ୟରେ ରାଜ୍ୟପାଳଙ୍କୁ ରାଜ୍ୟର ଆଇନ୍ ଓ ସୁରକ୍ଷା ପାଇଁ ବିଶେଷ ଅଧିକାର ରହିଛି । ସେ ମନ୍ତ୍ରୀ ତଥା ପରିଷଦ ସହ ଚର୍ଚ୍ଚା କରି ନିଷ୍ପତ୍ତି ନେଇ ଆଇନ୍ ଲାଗୁ କରିପାରିବେ । କିନ୍ତୁ ଏହି ସମୟରେ ମନ୍ତ୍ରି ତଥା ପାରିଷଦ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ କୌଣସି ପ୍ରଶ୍ନ ଉଠାଇପାରିବେ ନାହିଁ । ରାଜ୍ୟପାଳଙ୍କ ନିଷ୍ପତ୍ତି ହିଁ ସର୍ବୋଚ୍ଚ ତଥା ଅନ୍ତିମ ନିଷ୍ପତ୍ତି ହୋଇଥାଏ ।
ଆସାମ – ୩୭୧ ବି (୨୨ତମ ସଂଶୋଧନ ଆକ୍ଟ -୧୯୬୯)
ରାଷ୍ଟ୍ରପତିଙ୍କ ଦ୍ବାରା ଏହି ରାଜ୍ୟର ଆଦିବାସୀ ଅଞ୍ଚଳରୁ ନିର୍ବାଚିତ ବିଧାନସଭାର ପ୍ରତିନିଧିଙ୍କ ଏକ କମିଟି ହୋଇଥାଏ । ଯାହା ରାଜ୍ୟର ବିକାଶ କାର୍ଯ୍ୟର ସମୀକ୍ଷା କରି ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେଇଥା’ନ୍ତି ।
ସିକ୍କିମ୍ – ୩୭୧ଏଫ୍ (୩୬ତମ ସଂଶୋଧନ ଆକ୍ଟ – ୧୯୭୫)
ଏହି ରାଜ୍ୟରେ ବିଧାନସଭାର ପ୍ରତିନିଧିମାନେ ଜଣେ ପ୍ରତିନିଧି ଚୟନ କରିଥା’ନ୍ତି ଯିଏ ରାଜ୍ୟର ବିଭିନ୍ନ ବର୍ଗଙ୍କ ଅଧିକାର ତଥା ରୁଚି ପ୍ରତି ଧ୍ୟାନ ଦେବେ । ସଂସଦର ବିଧାନସଭାରେ କିଛି ଆସନ ବିଭିନ୍ନ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥାଏ । ରାଜ୍ୟପାଳଙ୍କ ବିଶେଷ ଅଧିକାରରେ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସମାନତା ବ୍ୟବସ୍ଥା କରାଯାଇଥାଏ । ରାଜ୍ୟପାଳଙ୍କ ଏହି ସମ୍ପର୍କିତ ନିଷ୍ପତ୍ତି ଉପରେ କୋର୍ଟରେ କୌଣସି ପ୍ରକାର ଅପିଲ୍ କରାଯାଇପାରିବ ନାହିଁ ।