ଭୁବନେଶ୍ବର: ପ୍ରଥମରୁ ଦ୍ବାଦଶ ଶ୍ରେଣୀର ସମସ୍ତ ପୁସ୍ତକ ପରିବର୍ତ୍ତନ ହେବ। ଏ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି କରିଛି। ଆଜି ଗଣଶିକ୍ଷା ବିଭାଗର ପ୍ରଶ୍ନଉତ୍ତରରେ ଏହି ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ପ୍ରଶ୍ନର ଉତ୍ତରେ ମନ୍ତ୍ରୀ କହିଛନ୍ତି ଏହାର ଚୁଡାନ୍ତ ରୂପ ଦିଆଯାଉଛି। ତେବେ କି ପ୍ରକାରର ପାଠ୍ୟ ପୁସ୍ତକ ପ୍ରଚଳନ ହେବ ସେ ନେଇ ମନ୍ତ୍ରୀ କୌଣସି ସୂଚନା ଦେଇ ନ ଥିଲେ।
ସେ କହିଛନ୍ତି ଯେ, ଆଗାମୀ ଦିନରେ ଛାତ୍ରଛାତ୍ରୀ ଆଉ ପୁରୁଣା ବହି ପଢିବେ ନାହିଁ। ନୂଆ ସିଲାବସରେ ନୂଆ ବହି ପଢିବେ। ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ସ୍କୁଲରେ ଏହି ନୂତନ ପାଠ୍ୟ ପୁସ୍ତକ ପ୍ରଚଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସ୍କୁଲ ଶିକ୍ଷାରେ ସମୟ ଉପଯୋଗୀ ପାଠ୍ୟକ୍ରମ ଏବଂ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ପାଇଁ ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି। ତେବେ ଏହା ବର୍ତ୍ତମାନ ଲାଗୁ ହେବ ନାହିଁ। ପର୍ଯ୍ୟାୟ କ୍ରମେ ଏହି ନୂତନ ପାଠ୍ୟ ପୁସ୍ତକ ପ୍ରଚଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


