ଭୁବନେଶ୍ୱର: ଖୋର୍ଦ୍ଧା ମହୋତ୍ସବ ୨୦୨୫ ଆଜି ଏକ ଉତ୍ସବ କିମ୍ବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଞ୍ଚ ହୋଇ ରହିନି, ଏହା ଆଜି ପାଲଟିଛି ବିକାଶର ମଞ୍ଚ, ଏହା କହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୫୧୬ କୋଟି ଟଙ୍କାର ବ୍ୟୟ ବରାଦରେ ୩୯ଟି ପ୍ରକଳ୍ପର ଶୁଭରମ୍ଭ କରିଛନ୍ତି।
ଏଥି ମଧ୍ୟରୁ ୩୨ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବା ସହିତ ୭ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ଏହି ସମସ୍ତ ପ୍ରକଳ୍ପ ମାନଙ୍କ ମଧ୍ୟରେ ରାସ୍ତା, ସ୍ୱାସ୍ଥ୍ୟ, ପରିବହନର ପ୍ରକଳ୍ପ ମାନ ସ୍ଥାନିତ ହୋଇଛି।
ମୁଖ୍ୟମନ୍ତ୍ରୀ କହିଥିଲେଯେ ଖୋର୍ଦ୍ଧାକୁ ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା ଭାବେ ବିକଶିତ କରିବା କାରଣ ଆଗାମୀ ଦିନରେ ଏଇ ଖୋର୍ଦ୍ଧା ପାଇକ ମାଟିର ଯୁବ ପୀଢ଼ିଙ୍କ ହାତରେ ସେମିକଣ୍ଡକ୍ଟର ଚିପ ତିଆରି ହେବ ଆଉ ଅଗ୍ନି, ପୃଥ୍ଵୀ, ଆକାଶ ଭଳି ମିସାଇଲରେ ଏହି ଚିପ ବ୍ୟବହାର ହେବ।
୨୦୩୬ ରେ ଯେତେବେଳେ ଆମେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ଏକ ଶହ ବର୍ଷ ପୂର୍ତ୍ତି ପାଳନ କରିବା, ସେତେବେଳେ ଆମ ରାଜ୍ୟ ଦେଶର ପ୍ରଥମ ପାଞ୍ଚଗୋଟି ବିକଶିତ ରାଜ୍ୟ ଭାବେ ସ୍ଥାନ ପାଇବ। ଏହି ସ୍ଵପ୍ନକୁ ସାକାର କରିବା ପାଇଁ ଆମ ସରକାର ପ୍ରଥମ ଦିନରୁ ହିଁ କାର୍ଯ୍ୟ କରି ଆସୁଛନ୍ତି। ସମୃଦ୍ଧ ଓଡିଶା ଗଠନ ପାଇଁ ପ୍ରତ୍ଯେକ ଜିଲ୍ଲା ସମୃଦ୍ଧ ହେବା ଆବଶ୍ୟକ, ତେଣୁ ଆଗାମୀ ଦିନରେ ସମୃଦ୍ଧ ଖୋର୍ଦ୍ଧା ଜିଲ୍ଲା ବିକଶିତ ଓଡ଼ିଶା ଗଠନ ଦିଗରେ ଏକ ମହତ୍ବପୂର୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଖୋର୍ଦ୍ଧାର ଇତିହାସ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ମାଟି ହେଉଛି ବୀରମାଟି, ଏ ମାଟି ହେଉଛି ବଳିଦାନ, ତ୍ୟାଗ ଏବଂ ଶୌର୍ଯ୍ୟର ପ୍ରତୀକ। ଓଡିଶା ରାଜ୍ୟର ସୁଦୀର୍ଘ ଇତିହାସରେ ଖୋର୍ଦ୍ଧା ଜିଲ୍ଲାର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ଲମ୍ବା ସମୟ ଧରି ଏହା ଓଡିଶା ଶାସନର ପ୍ରଶାସନିକ କେନ୍ଦ୍ର ହୋଇ ରହିଥିଲା। ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ଏ ମାଟିର ବୀର ପାଇକ, ଚାଷୀ, ମୁଲିଆ, ସାଧାରଣ ଲୋକେ, ବର୍ବର ଇଂରେଜ ଶାସକ ବିରୁଦ୍ଧରେ ବକ୍ସି ଜଗବନ୍ଧୁ ବିଦ୍ଯାଧର ମହାପାତ୍ରଙ୍କ ନେତୃତ୍ଵରେ ଲଢିଥିଲେ। ଏହାର ବହୁ ପୂର୍ବରୁ ୧୮୦୪ ମସିହାରେ ଏହି ବିଦ୍ରୋହ କୁହୁଳିଥିଲା ଖୋର୍ଦ୍ଧା ଗଡର ବାଳକ ରାଜା ମୁକୁଣ୍ଡାଦେବଙ୍କ ଚାଳକ ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ନେତୃତ୍ଵରେ। ପାଇକଙ୍କ ଏହି ବିଦ୍ରୋହ ବ୍ରିଟିଶ ସରକାରକୁ ସେ ସମୟରେ ବି ଦୋହଲାଇ ଦେଇଥିଲା।
ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଏହାର ଆବଶ୍ୟକତା ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖୋର୍ଦ୍ଧା ଜିଲ୍ଲାରେ ଡବଲ ଇଞ୍ଜିନ ସରକାର ଏହି ଦିଗରେ କାର୍ଯ୍ୟରତ। କେନ୍ଦ୍ର ସରକାର ଏବେ ନିକଟରେ କ୍ୟାପିଟାଲ ରିଜନ୍ ରିଙ୍ଗ୍ ରୋଡ୍ କୁ ଅନୁମୋଦନ ଦେଇଛନ୍ତି। ୧୧୧ କିଲୋମିଟର ବିଶିଷ୍ଟ ଏହି ରାସ୍ତା କଟକ ଟାଙ୍ଗୀ ଠାରୁ ଆରମ୍ଭ ହୋଇ ଆପଣଙ୍କ ରାମେଶ୍ୱର ପର୍ଯ୍ୟନ୍ତ ନିର୍ମାଣ କରାଯିବ। ଏହା ଦ୍ୱାରା ଖୋର୍ଦ୍ଧାଠୁ ଭୁବନେଶ୍ୱର ଦେଇ କଟକ ପର୍ଯ୍ୟନ୍ତ ସବୁ ଅଞ୍ଚଳର ସଂପ୍ରସାରଣ ହେବ। ଏ ତିନୋଟି ସହର ଗୋଟିଏ ସହର ପରି ଏକ ବ୍ୟାପକ ଅଞ୍ଚଳରେ ପରିବ୍ୟାପ୍ତ ହେବ ଏବଂ ଏହି ଅଞ୍ଚଳ ହେବ ଓଡିଶାର ଅର୍ଥନୈତିକ ଆକ୍ଟିଭିଟିର ପ୍ରାଣକେନ୍ଦ୍ର।
ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜନ୍ ସୃଷ୍ଟି ସମ୍ପର୍କରେ ବୈଠକରେ ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁର ଜିଲ୍ଲାରେ ଏହି ଅର୍ଥନୈତିକ ଜୋନ୍ କାର୍ଯ୍ୟକ୍ଷମ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏଗୁଡିକୁ ସବୁ ରାଜ୍ୟର ‘ଗ୍ରୋଥ୍ ହବ୍’ ଭାବେ ବିକଶିତ ହେବ। ଆପଣମାନେ ଜାଣନ୍ତି, ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ଦୀର୍ଘ ୪୦-୫୦ ବର୍ଷ ଧରି କଚ୍ଛପ ଗତିରେ ଚାଲିଥିଲା। ମୋଦୀଜୀ ଆସିବା ପରେ ଆଜି ଏହା ପ୍ରାୟ ସମ୍ପୂର୍ଣ୍ଣ ହେବା ଉପରେ। ୩୦୧ କିଲୋମିଟରରୁ ଆଉ ୭୫ କିଲୋମିଟର ଦଶପଲ୍ଲା ଓ ପୁରୁଣା କଟକ ମଧ୍ୟରେ ନିର୍ମାଣ ହେଉଛି। ଆସନ୍ତା ବର୍ଷ ଶେଷ ସୁଦ୍ଧା ସମ୍ଭବତଃ ଆପଣମାନେ ସିଧାସଳଖ ଏହି ଲାଇନରେ ନୂଆ ଟ୍ରେନରେ ବଲାଙ୍ଗିର ପର୍ଯ୍ୟନ୍ତ ଯାତ୍ରା କରିପାରିବେ। ଆଗମି ଦିନରେ ଏହି ରେଳ ପଥ ଉପକୂଳ ଓଡିଶା ଏବଂ ପଶ୍ଚିମ ଓଡିଶାର ଜୀବନ ରେଖା ହେବାକୁ ଯାଉଛି ବୋଲି ସେ କହିଥିଲେ।
ସେ ଆହୁରି କହିଥିଲେଯେ, ଆମ ସରକାର ହେଉଛି ଲୋକଙ୍କ ସରକାର, ଆପଣମାନଙ୍କର ସରକାର। ତେଣୁ, ଏ ରାଜ୍ୟର ଲୋକଙ୍କ ମତାମତ, ଭାବାବେଗକୁ ସମ୍ମାନ ଜଣାଇ ଆମେ କାର୍ଯ୍ୟ କରୁଛୁ। ଓଡିଶାର ବିକାଶ ପାଇଁ ଆପଣଙ୍କ ସରକାର ପ୍ରତିବଦ୍ଧ ହୋଇ କାମ କରୁଛି। ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୁଁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ପରି ସହର ଗସ୍ତ କରି ଶଳ୍ପପତିମାନଙ୍କ ସହିତ ବୈଠକ କରୁଛି ଏବଂ ସେମାନଙ୍କୁ ଓଡିଶାରେ ନିବେଶ କରିବାକୁ ଅନୁରୋଧ କରୁଛି। ନୂଆ ନୂଆ ଭିତ୍ତିଭୂମି ସ୍ଥାପନ ହେଉଛି, ଶିଳ୍ପ ଉପଯୋଗୀ ଅନେକ ନୀତି ପ୍ରସ୍ତୁତ କରାଯାଉଛି, ଶିଳ୍ପ ସଂସ୍ଥାମାନଙ୍କର ଆବଶ୍ୟକତା ଅନୁଯାୟୀ ଦକ୍ଷ ମାନବସମ୍ବଳ ସୃଷ୍ଟି ପାଇଁ ସିଙ୍ଗାପୁର ଭଳି ଦେଶ ସହିତ ସହଭାଗୀତା କରାଯାଇଛି। ଏହି ପ୍ରୟାସର ଅଂଶ ସ୍ୱରୂପ ଗତ ଏପ୍ରିଲ ମାସରେ ମୁଁ ଖୋର୍ଦ୍ଧା ଆସି ପ୍ରାୟ ୬ ହଜାର କୋଟି ଟଙ୍କାର ୧୩ଟି ପ୍ରକଳ୍ପର ଭିତ୍ତି ସ୍ଥାପନ କରିଥିଲି। ଏହା ଦ୍ୱାରା ୩୭ ହଜାର ନିଯୁକ୍ତି ସୃଷ୍ଟି ସୁନିଶ୍ଚିତ ହୋଇପାରିଛି। କେବଳ ପାରମ୍ପରିକ ଖଣି ଓ ମେଟାଲ୍ସ ଜନିତ ଶିଳ୍ପ ନୁହେଁ, ସେମିକଣ୍ଡକ୍ଟର, ଇଲୋକ୍ଟ୍ରୋନିକ୍ସ, ଟେକ୍ସଟାଇଲ୍ସ, କେମିକାଲ୍ସ, ପେଟ୍ରୋ-କେମିକାଲ୍ସ, ଫିନଟେକ୍, ଇନ୍ସିଓର୍ ଟେକ୍, ଟୁରିଜିମ୍ ଆଦି ବିଭିନ୍ନ କ୍ଷେତ୍ରରେ ଶିଳ୍ପର ବିବିଧକରଣ ମଧ୍ୟ କରାଯାଉଛି। ଆସନ୍ତା ଦିନମାନଙ୍କରେ ଏହି ଶିଳ୍ପାୟନ ଆହୁରି ତୀବ୍ରତର ହେବ କାରଣ ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବା ଶ୍ରମ ବଜାରକୁ କାର୍ଯ୍ୟ ଅନ୍ଵେଷଣରେ ପ୍ରବେଶ କରୁଛନ୍ତି। ତାଙ୍କ ପାଇଁ ଆମକୁ ନୂତନ ସୁଯୋଗ ସୃଷ୍ଟି କରିବାକୁ ପଡିବ।
ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରଶାନ୍ତ ଜଗଦେବ, ପୂର୍ବତନ ବିଧାୟକ ଦିଲୀପ ହରିଚନ୍ଦନ, ମହୋତ୍ସବ ସମ୍ପାଦକ ନରେନ୍ଦ୍ର ପୃଷ୍ଟି, ଜିଲ୍ଲାପାଳ ଅମୃତ ଋତୁରାଜ, ସିଡିଓ ଜ୍ୟୋତି ଶଙ୍କର ସାହୁ, ବିଏମସି କମିଶନର ଚଞ୍ଚଳ ରାଣା ପ୍ରମୁଖ ମଂଚାସୀନ ଥିଲେ।


