ଭୁବନେଶ୍ଵର: ନୂଆବର୍ଷ ପାଇଁ ରାଜଧାନୀ ଭୁବନେଶ୍ୱରରେ ଜାରି ହୋଇଛି କଡ଼ା କଟକଣା । ସହରର ୧୮ ଟି ସ୍ଥାନରେ ନାକାବନ୍ଦୀ ହେବା ସହ ୧୮ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ୨୯ଟି ଛକରେ ୱାଚ୍ ଟିମ୍ ପକ୍ଷରୁ ଚେକିଂ କରାଯିବ। ନୂଆବର୍ଷ ପାଳନ ପାଇଁ ରାତି ୧୨ ଟା ଯାଏ ଅନୁମତି ପ୍ରଦାନ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ. ସିଂ। ସେ କହିଛନ୍ତି, ମଦ୍ୟପାନ କରି ଗାଡ଼ି ଚଳାଇଲେ ଗାଡି ସିଜ୍ କରାଯିବ।
ଏଥିସହ ଡିଜେ ବଜାଇବାକୁ କାହାରିକୁ ଅନୁମତି ମିଳିବ ନାହିଁ। ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଡିସିପିଙ୍କ ନେତୃତ୍ୱରେ ୫ ଜଣ ଅତିରିକ୍ତ ଡିସିପି, ୮ ଜଣ ଏସିପି, ୩୦ ଜଣ ଇନ୍ସପେକ୍ଟର, ୯୬ ଜଣ ସବଇନ୍ସପେକ୍ଟର ଓ ଏଏସଆଇ ଏବଂ ୫୮ ଜଣ କନଷ୍ଟେବଳ ନିୟୋଜିତ ହେବେ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।


