ଭୁବନେଶ୍ବର: ପ୍ରଖ୍ୟାତ ସଂଗୀତଜ୍ଞ ସୁମନ୍ତ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ହୋଇଛି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ମୃତି ସୁମନ୍ତ ସଂଧ୍ୟା। ଗତ ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ବର ରବିନ୍ଦ୍ର ମଣ୍ଡପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଅତିଥିଗଣ ସ୍ବର୍ଗତ ସୁମନ୍ତ ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ଏଥିରେ ବିଶିଷ୍ଠ ସଂଗୀତ ସାଧକ ଗୁରୁ ଘନଶ୍ୟାମ ପଣ୍ଡା ଏବଂ ଗୁରୁ ରମେଶଚନ୍ଦ୍ର ଦାସଙ୍କୁ ସ୍ମୃତି ସୁମନ୍ତ ସମ୍ମାନ ପ୍ରଦାନ କରାଯାଇଥିଲା।

ସଂଗୀତ ସଂଧ୍ୟା କାର୍ଯ୍ୟକ୍ରମରେ ଓଡିଶୀ ସଂଗୀତଜ୍ଞ ଗୁରୁ ବିଜୟ ଜେନା ଓ ନାଜିଆ ଆଲାମ ସୁମନ୍ତ ମହାନ୍ତିଙ୍କୁ ସଂଗୀତ ସଂଯୋଜିତ ଗୀତ ଗୋବିନ୍ଦ ଗାନ କରିଥିଲେ। ଏହାପରେ ପ୍ରଖ୍ୟାତ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ବର ସ୍ବାଇଁ ସଂଯୋଜନାରେ ବାଦ୍ୟବାଣୀ ଗୁରୁକୂଳ ଶିଳ୍ପୀମାନେ ‘ମୁଡ୍ ଅଫ ଦ ରିଦିମ୍’ ପରିବେଷଣ କରିଥିଲେ। ସେହିପରି ଏକକ ନୃତ୍ୟ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ନୃତ୍ୟଶିଳ୍ପୀ ନିତ୍ୟାନନ୍ଦ ଦାସ ପଂଗୁ ଲଂଘୟତେ ଗିରି ନୃତ୍ୟ ପରିବେଷଣ କରିଥିଲେ। ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜଗନ୍ନାଥଷ୍ଟକମ୍ ଏବଂ କୃଷ୍ଣାମୃତଂ ଦର୍ଶକଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ, ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଦେବ ପ୍ରସାଦ ଦାସ, ବିଶିଷ୍ଠ ଓଡିଶୀ କଣ୍ଠଶିଳ୍ପୀ ଗୁରୁ ରାମହରି ଦାସ, ସିନେ ସମୀକ୍ଷକ ଦିଲ୍ଲୀପ ହାଲି ପ୍ରମୁଖ ଯୋଗଦେଇଥିଲେ। ସୁମନ୍ତ ମହାନ୍ତି ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂପାଦିକା ଜ୍ୟୋସ୍ନା ମହାପାତ୍ର ଧନ୍ୟବାଦ ଦେଇଥିବା ବେଳେ ସଂଗୀତା ଗୋସାଇଁ ମଞ୍ଚ ପରିଚାଳନା କରିଥିଲେ।


