Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି ସିନେମା

ଆସନ୍ତାକାଲି ରବିନ୍ଦ୍ରମଣ୍ଡପରେ ପରିବେଷଣ ହେବ ନାଟକ ‘ଅବୈଧ ପାପ’

ଭୁବନେଶ୍ବର: ବର୍ତ୍ତମାନ ଲୋକଙ୍କ ମଧ୍ୟରେ ନାଟକ ଦେଖିବା ଆଗ୍ରହ ସୃଷ୍ଟି ହେବାରେ ଲାଗିଛି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଲୋକେ ଟିକେଟ କିଣି ନାଟକ ଦେଖିବାର ଆଗ୍ରହ ମଧ୍ୟ ସୃଷ୍ଟି ହୋଇଛି। ଫଳରେ ବିଭିନ୍ନ ନାଟ୍ୟ ସଂସ୍ଥା ଭିନ୍ନ ଭିନ୍ନ ସମୟରେ ନାଟକ ପରିବେଷଣ କରିବାରେ ଲାଗିଛନ୍ତି।

ଏହି ପରିପ୍ରେକ୍ଷୀରେ ଓଡିଶାର ପ୍ରଖ୍ୟାତ ନାଟ୍ୟ ଅଭିନେତା ତଥା ନିର୍ଦ୍ଦେଶକ ଶରତ ସମ୍ରାଟ ମଙ୍ଗଳବାର ଦିନ ଏକ ନାଟକ ପରିବେଷଣ କରିବାକୁ ଯାଉଛନ୍ତି। ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ପରିବେଷଣ ହେବାକୁ ଥିବା ଏହି ନାଟକର ନାମ ‘ଅବୈଧ ପାପ’। ଏହାର କାହାଣୀ, ପରିକଳ୍ପନା ନିର୍ଦ୍ଦେଶନା ସହିତ ନିଜେ ଅଭିନୟ କରିଛନ୍ତି ଶରତ ସମ୍ରାଟ।

Categories
ବିଶେଷ ଖବର ରାଜ୍ୟ ଖବର

ନୂଆ ରୂପରେ ସଜେଇ ହେଲା ଭୁବନେଶ୍ବରର ଉତ୍କଳ ମଣ୍ଡପ, ଖର୍ଚ୍ଚ ହେଲା ୯୬ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜଧାନୀ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣ୍ଡପ ଏବେ ନୂଆ ରୂପରେ ସଜେଇ ହୋଇଛି। ଏହି ମଣ୍ଡପର ଏବେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଛି। ଏଣିକି ଦର୍ଶକମାନେ ଏକ ଆକର୍ଷଣୀୟ ମଣ୍ଡପରେ ମନୋଜ୍ଞ ପରିବେଶ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ।

ରାଜ୍ୟ ସରକାରଙ୍କ ତରଫରୁ ୯୬ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାସ୍ତା ଓ କୋଠାବାଡି (ପୂର୍ତ୍ତ) ବିଭାଗ ଦ୍ୱାରା ଏହି କାର‌୍ୟ୍ୟ ସମାପ୍ତ କରାଯାଇଛି। ଏଠାରେ ଯେପରି ସାଂସ୍କୃତିକ ଦଳମାନେ ନିଜକୁକାର‌୍ୟ୍ୟକ୍ରମ ପାଇଁ ପ୍ରସ୍ତୁତି କରିପାରିବେ, ସେଥିପାଇଁ ମଞ୍ଚ ପଛପଟେ ଥିବା ୨ ଟି ବେସମେଣ୍ଟ ହଲ ଓ ଗ୍ରୀନରୁମ୍ଗୁଡିକର ଆଧୁନିକୀକରଣ କରାଯାଇଛି।

ସବୁ ପ୍ରକୋଷ୍ଠରେ ସୁନ୍ଦର ସୁନ୍ଦର ଆକର୍ଷଣୀୟ ଦର୍ପଣ ଲଗାଯାଇଥିବାବେଳେ ଏଲ୍.ଇ.ଡି ଆଲୋକରେ ମଞ୍ଚ ସଜେଇହୋଇଛି । ନବୀକରଣ କରାଯାଇଥିବା ଏହି ଉତ୍କଳମଣ୍ଡପରେ ଏଣିକି ବିଭିନ୍ନ ସଂସ୍ଥା ଦ୍ୱାରା ସାଂସ୍କୃତିକ ଆୟୋଜନ କରିବା ସହଜ ହୋଇଛି।

ଏଠାରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଇଚ୍ଛୁକ ଅନୁଷ୍ଠାନମାନେ eDistrict.odisha.gov.in ଓ୍ୱେବ୍ ସାଇଟ୍ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନ୍ ଲାଇନ୍ ଯୋଗେ ଉତ୍କଳ ମଣ୍ଡପ ବୁକିଂ କରିପାରିବେ ବୋଲି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସୂଚନା ଦିଆଯାଇଛି।

ସୌନ୍ଦର‌୍ୟ୍ୟକରଣ କରାଯାଇଥିବା ଏହି ଉତ୍କଳ ମଣ୍ଡପକୁ ଆଜି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ବିଭାଗୀୟ ଅଧିକାରୀଙ୍କ ସମେତ ପରିଦର୍ଶନ କରିଥିଲେ।

ପ୍ରକାଶ ଥାଉକି,ଚଳିତ ବର୍ଷ ଫେବୃୟାରୀ ୨୪ ତାରିଖରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ଅଧିକ୍ଷଣ ଯନ୍ତ୍ରୀ , (ରାସ୍ତା ଓ କୋଠାବାଡି) ଡିଭିଜନ-୪,ନିର୍ମାଣସୌଧ,ଭୁବନେଶ୍ୱର ଓ ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତି ପ୍ରମୁଖ ପରିଦର୍ଶନ କରି ଏହାର ନବୀକରଣ ନିମନ୍ତେ ଉତ୍କଳମଣ୍ଡପ ପରିଦର୍ଶନ କରିଥିଲେ।

ତଦନୁସାରେ ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି(ପୂର୍ତ୍ତ) ବିଭାଗକୁ ଉତ୍କଳମଣ୍ଡପର ନବୀକରଣ କାର‌୍ୟ୍ୟ ପାଇଁ ଗତ ମଇ ୨ ତାରିଖରେ ହସ୍ତାନ୍ତର କରାଯାଇଥିଲା ଓ ଇତିମଧ୍ୟରେ ମଣ୍ଡପର ନବୀକରଣ କାର୍ଯ୍ୟ ସଂପାଦନ କରାଯାଇଛି।

ଆଜି ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀଙ୍କ ଉତ୍କଳମଣ୍ଡପ ପରିଦର୍ଶନ ସମୟରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଉପ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ମିଶ୍ର, ଉତ୍କଳ ମଣ୍ଡପର ପରିଚାଳକ ଶ୍ରୀ ପ୍ରମୋଦ ବିଶ୍ୱାଳଙ୍କ ସମେତ ପୂର୍ତ୍ତ, ବିଦ୍ୟୁତ୍ ବିଭାଗ ଓ ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନାଟ୍ୟପ୍ରେମୀଙ୍କ ପାଇଁ ଖୁସି ଖବର, ମାର୍ଚ୍ଚ ମାସ ସାରା ହେବ ନାଟକ ଉତ୍ସବ, ଜାଣନ୍ତୁ କେଉଁ ଦିନ କଣ

ଭୁବନେଶ୍ବର: କୋଭିଡ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ସମସ୍ତ ପ୍ରେକ୍ଷାଳୟ ବନ୍ଦ ରହିଥିବାରୁ ସାଂସ୍କୃତିକ ଅନୁଷ୍ଠାନ ପାଇଁ ବହୁ କଷ୍ଟଦାୟକ ପରିସ୍ଥିତି ଥିଲା। ହେଲେ ବର୍ତ୍ତମାନ ସ୍ବାଭିବିକ ପରିସ୍ଥିତ ଆସିବାରୁ ରାଜ୍ୟର ପ୍ରେକ୍ଷାଳୟ ଗୁଡିକ ଖୋଲିବା ଆରମ୍ଭ କରିଛି। ଫଳରେ ଆସନ୍ତା ମାର୍ଚ୍ଚ ମାସ ସାରା ଓଡିଶାର ବିଭିନ୍ନ ସ୍ଥାନରେ ନାଟକ ଉତ୍ସବ ଆରମ୍ଭ ହେବାକୁ ଯାଉଛି। ଜାଣନ୍ତୁ କେଉଁଦିନ କେଉଁଠି ହେବ ଏହି ଉତ୍ସବ

ମାର୍ଚ୍ଚ ୧ରୁ ୮ ନୟାଗଡର ପଠାଣି ସାମନ୍ତ ଅଡିଟୋରିୟମ ଠାରେ ନାଟ୍ୟଧାରା ଦ୍ବାରା ରାଜ୍ୟ ସ୍ତରୀୟ ନାଟକ ଉତ୍ସବ।

ମାର୍ଚ୍ଚ ୧ ରୁ ୭ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହେବାକୁ ଯାଉଛି ପୂର୍ବ ରଙ୍ଗ ଜାତୀୟ ନାଟ୍ୟ ଉତ୍ସବ।

ମାର୍ଚ୍ଚ ୯ ରୁ ୧୩ ରଙ୍ଗ ସଙ୍ଗମ ରାଜ୍ୟସ୍ତରୀୟ ନାଟ୍ୟ ଉତ୍ସବ

ମାର୍ଚ୍ଚ ୨୫ ରୁ ୨୭ ବିଶ୍ଵନାଟ୍ୟ ଦିବସ ଅବସରରେ ନାଟକ ଓ ଆଲୋଚନାଚକ୍ର

ମାର୍ଚ୍ଚ ୮ ଜୀବନରେଖା, ଭୁବନେଶ୍ୱର ର ନାଟକ “ଅଗରବତୀ”

ମାର୍ଚ୍ଚ ୨୦ ରୁ ୨୪ ରବୀନ୍ଦ୍ର ମଣ୍ଡପରେ ଶତତାଦ୍ଦୀର କଳାକାର, ଭୁବନେଶ୍ୱର ଦ୍ଵାରା ବହୁଭାଷୀ ଜାତୀୟ କଳିଙ୍ଗ ନାଟ୍ୟ ଉତ୍ସବ

ମାର୍ଚ୍ଚ ୮ ରୁ ୧୩ ବ୍ରହ୍ମପୁରର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ଜାତୀୟ ନାଟକ ଉତ୍ସବ। ଆୟୋଜକ ଓଡିଶା ନାଟକ ସମାରୋହ ସମିତି, ବ୍ରହ୍ମପୁର

ମାର୍ଚ୍ଚ ୧୩ ରୁ ୧୭ ପ୍ରକାଶମ ହଲ, ଗିରି ମାର୍କେଟ, ବ୍ରହ୍ମପୁର ଠାରେ ରାଜ୍ୟସ୍ତରୀୟ ନାଟକ ଉତ୍ସବ। ଆୟୋଜକ ଗଂଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ,ବ୍ରହ୍ମପୁର।

ମାର୍ଚ୍ଚ ୨୩ ରୁ ୨୮ ରାଉରକେଲା ର ସିଭିକ୍ ସେଣ୍ଟର ଠାରେ ଜାତୀୟ ନାଟକ ଉତ୍ସବ।ଆୟୋଜକ ସମ୍ପର୍କ,ରାଉରକେଲା

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

କଟକରେ ଉତ୍କଳ ଗୌରବ ମଧୁସୂଦନ ଓ ରବିନ୍ଦ୍ର ମଣ୍ଡପରେ ନାଟ୍ୟକାର ଅସୀମ ବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ନାଟ୍ୟକାର ଅସୀମ ବସୁଙ୍କ ପୂର୍ଣ୍ଣାବାୟବ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଛି । ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ଭାବେ ଆୟୋଜନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ପ୍ରତିମୂର୍ତ୍ତିଗୁଡିକୁ ସୁଇଚ୍‌ ଟିପି ଅନାବରଣ କରିଥିଲେ।

ଏହି ଅବସରରେ ଭିଡିଓ ବାର୍ତ୍ତା ଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ଉତ୍କଳ ଗୌରବ ମଧୁସୂଦନ ଓଡ଼ିଆ ଜାତିର ଅସ୍ମିତା ପାଇଁ ଯେଉଁ ତ୍ୟାଗ ଓ ସଂଘର୍ଷ କରିଯାଇଛନ୍ତି ତାକୁ କୌଣସି ଓଡିଆ କେବେ ବି ଭୁଲି ପାରିବ ନାହିଁ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଓଡ଼ିଆର ସ୍ୱାଭିମାନ ସକାଶେ ତାଙ୍କ ଅବଦାନ ଥିଲା ଅତୁଳନୀୟ। ସେହି ପରି ନାଟ୍ୟକାର, ନିର୍ଦ୍ଦେଶକ, ଲେଖକ ଶ୍ରୀ ଅସୀମ ବସୁ ଥିଲେ ଜଣେ ଲବ୍ଧ ପ୍ରତିଷ୍ଠ କଳାକାର । ଓଡ଼ିଆ ମଞ୍ଚ ନାଟକ ଓ ମଞ୍ଚ କଳାକୁ ସେ ଏକ ନୂତନ ଦିଗ ଦେଇ କଳା ଜଗତରେ ବେଶ୍‌ ସୁନାମ ଅର୍ଜନ କରି ପାରିଥିଲେ।

ଏହି ଦୁଇ ମହାନ୍‌ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତା’ର ପ୍ରତିଶୃତି ରକ୍ଷା କରିଛି ବୋଲି କହିଥିଲେ । ଏହି ଦୁଇଟି ପ୍ରତିମୂର୍ତ୍ତି ମଧ୍ୟରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତି କଟକ ବିଡାନାସୀ ନିକଟସ୍ଥ ମଧୁ-ସେତୁ ପାଖରେ ସ୍ଥାପିତ କରାଯାଇଥିବା ବେଳେ ଅସୀମ ବସୁଙ୍କ ପ୍ରତିମୂତ୍ତି ଭୁବନେଶ୍ୱରସ୍ଥିତ ରବିନ୍ଦ୍ର ମଣ୍ଡପ ପରିସରରେ ସ୍ଥପନ କରାଯାଇଛି ।

ଏହି ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ,ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ପାଣିଗ୍ରାହୀ ମଧୁବାବୁଙ୍କ ପ୍ରତିମୂର୍ତ୍ତିର ମୂର୍ତ୍ତିକାର ଜୟନ୍ତ କୁମାର ଦାସ ଓ ଅସୀମ ବସୁଙ୍କ ପ୍ରତିମୂର୍ତ୍ତିର ମୂର୍ତ୍ତିକାର ସରୋଜ କୁମାର ଭଞ୍ଜକୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ଅସୀମ ବସୁୁଙ୍କ ପତ୍ନୀ ଗୀତା ବସୁ, ଝିଅ ଅତସୀ ବସୁ ଓ ଭାସ୍ପତି ବସୁ ଏବଂ ପୁଅ ଗୌତମ ବସୁ ଉପସ୍ଥିତ ଥିଲେ।