Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଟକଠାରେ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଲେ ଉପରାଷ୍ଟ୍ରପତି
ବିଶେଷ ଖବର

କଟକଠାରେ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଲେ ଉପରାଷ୍ଟ୍ରପତି

January 23, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
କଟକଠାରେ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଲେ ଉପରାଷ୍ଟ୍ରପତି
କଟକଠାରେ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତର ଉପ-ରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ ଆଜି କଟକସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମସ୍ଥାନ ସଂଗ୍ରହାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 129ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜିତ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଇଛନ୍ତି।

ସମାବେଶକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ନେତାଜୀଙ୍କୁ ଭାରତର ଜଣେ ମହାନ ସୁପୁତ୍ର ଭାବରେ ବର୍ଣ୍ଣନା କରିବା ସହିତ ତାଙ୍କ ପ୍ରତି ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନେତାଜୀଙ୍କ ଜନ୍ମସ୍ଥାନକୁ ତାଙ୍କର ଗସ୍ତକୁ ସେ ଗଭୀର ଭାବରେ ପ୍ରେରଣାଦାୟକ ବୋଲି କହିଥିଲେ। ସେ କହିଥିଲେ ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କେବଳ ଭାରତର ସ୍ୱାଧୀନତା ପାଇଁ ଲଢ଼ି ନଥିଲେ ବରଂ ସ୍ୱାଧୀନତା ପରେ ଦେଶର ଶାସନ ପାଇଁ ତାଙ୍କର ଏକ ସ୍ପଷ୍ଟ ଦୃଷ୍ଟିକୋଣ ଥିଲା। ନେତାଜୀ ଭାରତକୁ ଏକ ମଜବୁତ, ଶକ୍ତିଶାଳୀ ଏବଂ ଦାରିଦ୍ର୍ୟମୁକ୍ତ ରାଷ୍ଟ୍ର ଭାବେ ନିର୍ମାଣ କରିବାକୁ ପରିକଳ୍ପନା କରିଥିଲେ।

ଆଜାଦ ହିନ୍ଦ୍‌ ଫୌଜର ପରିକ୍ରମା ସଙ୍ଗୀତ ‘‘କଦମ କଦମ୍‌ ବଢ଼ାଏ ଯା’’ର ଉତ୍ସାହ ଉଦ୍ରେକକାରୀ ସ୍ୱରକୁ ସ୍ମୃତିଚାରଣ କରି ଉପରାଷ୍ଟ୍ରପତି କହିଥିଲେ, ମଜବୁତ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ନେତାଜୀଙ୍କର ଦୂରଦୃଷ୍ଟି ଦେଶକୁ ଲଗାତାର ପ୍ରେରଣା ଦେଇ ଆସୁଛି। ନେତାଜୀଙ୍କ ସାହସ, ଏକତା ଏବଂ ମାତୃଭୂମି ପ୍ରତି ସର୍ବୋଚ୍ଚ ସମର୍ପଣର ଆଦର୍ଶରୁ ପ୍ରେରଣା ନେଇ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବା ପାଇଁ ସାମୂହିକ ଭାବରେ ପ୍ରତିଜ୍ଞା କରିବାକୁ ସେ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ।

ଉପରାଷ୍ଟ୍ରପତି କହିଥିଲେ, ଭାରତର ସଭ୍ୟତାଗତ ଯାତ୍ରାରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏଠାରେ ଇତିହାସ, ଆଧ୍ୟାତ୍ମିକତା ଏବଂ ସଂସ୍କୃତି ଏକତ୍ରିତ ହୋଇଛି। ଜନଜାତି କଲ୍ୟାଣ, ଆଦିବାସୀ ସମ୍ପ୍ରଦାୟର ଜୀବନଧାରଣ ମାନ ଉନ୍ନତ କରିବା ପାଇଁ ଲକ୍ଷ୍ୟବଦ୍ଧ ପ୍ରୟାସ ଏବଂ ନିରନ୍ତର ଭିତ୍ତିଭୂମି ବିକାଶ ଲାଗି ସେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ରାଜ୍ୟର ପ୍ରଗତିକୁ ନେଇ ବିଶ୍ୱାସ ପ୍ରକଟ କରି ସେ କହିଥିଲେ, ନିରନ୍ତର ସୁଶାସନ ସହିତ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବରେ ଉଭା ହେବ।

ଏହି କାର୍ଯ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେକର୍ଡ ହୋଇଥିବା ଭାଷଣ ପ୍ରସାରଣ କରାଯାଇଥିଲା। ଉପରାଷ୍ଟ୍ରପତି କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନେତାଜୀଙ୍କୁ ଯଥାର୍ଥ ସମ୍ମାନ ପ୍ରଦାନ କରିଛନ୍ତି। 2021 ମସିହାରୁ ନେତାଜୀଙ୍କ ଜନ୍ମବାର୍ଷିକୀକୁ ପରାକ୍ରମ ଦିବସ ଭାବରେ ପାଳନ କରାଯାଉଛି ଏବଂ ରସ୍ ଦ୍ୱୀପକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ ଭାବରେ ନାମିତ କରାଯାଇଛି। ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ନିର୍ଣ୍ଣାୟକ ନେତୃତ୍ୱ, ନିର୍ଭୀକ ଦୃଷ୍ଟିକୋଣ ଏବଂ ଜାତୀୟ ସୁରକ୍ଷା ଓ ସ୍ୱାବଲମ୍ବନ ପ୍ରତି ଅଟଳ ପ୍ରତିବଦ୍ଧତା ପ୍ରକୃତରେ ତାଙ୍କର ପରାକ୍ରମ ଭାବନାକୁ ପ୍ରତିଫଳିତ କରେ। ସେ ଆହୁରି ମଧ୍ୟ କହିଥିଲେ, ପରାକ୍ରମ ଦିବସ କେବଳ ନେତାଜୀଙ୍କ ବୀରତ୍ୱକୁ ମନେ ପକାଇବାର ଏକ ଅବସର ନୁହେଁ, ବରଂ ପ୍ରତ୍ୟେକ ଭାରତୀୟଙ୍କୁ ଦେଶ ସେବାରେ ସାହସିକ ଭାବରେ କାର୍ଯ୍ୟ କରିବା ପାଇଁ ଏକ ଆହ୍ୱାନ। ନେତାଜୀଙ୍କ ଜୀବନ କାହାଣୀ ତାଙ୍କ ମନରେ ପ୍ରଥମେ ଦେଶପ୍ରେମର ଉତ୍ସାହ ଭରିଥିଲା, ଯାହା ଜନସେବା ଏବଂ ଜାତୀୟ କର୍ତ୍ତବ୍ୟ ପ୍ରତି ଜୀବନବ୍ୟାପୀ ପ୍ରତିବଦ୍ଧତାକୁ ପ୍ରେରଣା ଦେଇଥିଲା ବୋଲି ସେ କହିଥିଲେ।

ଏହି ସ୍ମାରକୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ, ଉପରାଷ୍ଟ୍ରପତି ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ଏକ ପ୍ରଦର୍ଶନୀ, ଆଜାଦ ହିନ୍ଦ ଫୌଜ ଉପରେ ଡାକ ଟିକଟ ଗ୍ୟାଲେରୀ ଏବଂ ନେତାଜୀ ସଂସ୍କୃତି ଭବନର ଉଦଘାଟନ କରିଥିଲେ। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସହାୟତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ  ନେତାଜୀଙ୍କୁ ଉପଯୁକ୍ତ ଭାବରେ ସମ୍ମାନିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ସେ କହିଥିଲେ, ଏପରି ସଂଗ୍ରହାଳୟ ଏବଂ ପ୍ରଦର୍ଶନୀଗୁଡ଼ିକ ଯୁବ ପିଢ଼ିକୁ ଭାରତର ସ୍ୱାଧୀନତା ସୁରକ୍ଷିତ କରିବା ପାଇଁ ସ୍ୱାଧୀନତା ସଂଗ୍ରାମୀମାନେ ଦେଇଥିବା ମହାନ ବଳିଦାନ ଏବଂ କଷ୍ଟକୁ ହୃଦୟଙ୍ଗମ କରିବାରେ ସହାୟତା କରିବ।

ଉପରାଷ୍ଟ୍ରପତି ସ୍ୱାଧୀନତା ସଂଗ୍ରାମୀ ମାୟାଧର ମଲ୍ଲିକ ଏବଂ ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡର ବି.ଏସ୍. ସିଂହଦେଓଙ୍କୁ ସମ୍ମାନିତ କରିଥିଲେ ତଥା ଆଜାଦ୍‌ ହିନ୍ଦ ଫୌଜର ଯବାନଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ କରିଥିଲେ। ସେ କହିଥିଲେ, ସ୍ୱାଧୀନତା ସଂଗ୍ରାମୀ ଏବଂ ସାହସୀ ସୈନିକଙ୍କ ସାହସ, ତ୍ୟାଗ ଏବଂ ନିଃସ୍ୱାର୍ଥପର ସେବା ପାଇଁ ଦେଶ ସର୍ବଦା ଋଣୀ ରହିବ। ଏହି ଅବସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମସ୍ଥାନ ସଂଗ୍ରହାଳୟ ଉପରେ ଏକ ସ୍ୱତନ୍ତ୍ର ପ୍ରଚ୍ଛଦକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କଟକ ପରାକ୍ରମ ଦିବସ ସମାରୋହ ସି. ପି. ରାଧାକୃଷ୍ଣନ୍
Share. Facebook Twitter LinkedIn Email WhatsApp Copy Link

Related Posts

ଶିଶୁକୁ ଯୌନ ନିର୍ଯାତନା ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

February 14, 2026

ଭାରତୀୟ ସେନାରେ ଯୋଗଦେବା ପାଇଁ ବଡ଼ ସୁଯୋଗ: ଜାଣନ୍ତୁ ଆବେଦନ ପ୍ରକ୍ରିୟା

February 14, 2026

ନିଶା କାରବାରକୁ ବିରୋଧ କରିବାରୁ ଯୁବକକୁ ମାରଣାନ୍ତକ ଆକ୍ରମଣ

February 14, 2026

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026
Latest News

ଶିଶୁକୁ ଯୌନ ନିର୍ଯାତନା ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

February 14, 2026

ଭାଲେଣ୍ଟାଇନ୍ସ ଡେ’ରେ ସୁନା ଏବଂ ରୂପା ମୂଲ୍ୟ କେତେ?: ଜାଣନ୍ତୁ ଆଜିର ଦର

February 14, 2026

500 କିଲୋମିଟର ପରିସର ଏବଂ କମ ମୂଲ୍ୟ ସହିତ ଲଞ୍ଚ ହେବ Tata Sierra EV: ଜାଣନ୍ତୁ କେବେ?

February 14, 2026

ଭାରତୀୟ ସେନାରେ ଯୋଗଦେବା ପାଇଁ ବଡ଼ ସୁଯୋଗ: ଜାଣନ୍ତୁ ଆବେଦନ ପ୍ରକ୍ରିୟା

February 14, 2026

ନିଶା କାରବାରକୁ ବିରୋଧ କରିବାରୁ ଯୁବକକୁ ମାରଣାନ୍ତକ ଆକ୍ରମଣ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.