ଭୁବନେଶ୍ବର: ବାଣପୁର ନିକଟସ୍ଥ ତୋରସିଂହ ଗ୍ରାମରେ ପୋଲ ଭୁଷୁଡିବା ଘଟଣା “ସମୀକ୍ଷା” ରେ ପ୍ରକାଶିତ ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଏ ନେଇ ମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି।
ସେ କହିଛନ୍ତି ଯେ, ” ଆଜି ମୋ ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ଗ୍ରାମ ପାଖରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ପୁରୁଣା ପୋଲ ଦୁର୍ଭାଗ୍ୟବଶତଃ ଭୁଶୁଡି ଯାଇଥିବା ସମ୍ବାଦ ପାଇ ତୁରନ୍ତ ପଦକ୍ଷେପ ନିଆଯାଇଛି। ନୂତନ ପୋଲ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଲୋକମାନଙ୍କର ଯାତାୟାତ ସୁବିଧା ନିମନ୍ତେ ସେହି ସ୍ଥାନରେ ତୁରନ୍ତ ଏକ Fair Weather Road ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”
ସେ ପୁଣି କହିଛନ୍ତି ଯେ,ଏହି ସ୍ଥାନରେ ପ୍ରାୟ ଚାରି ବର୍ଷ ପୂର୍ବରୁ ନିର୍ମାଣ ହେବାକୁ ଥିବା ନୂତନ ପୋଲ ପୂର୍ବତନ ସରକାରଙ୍କ ଅବହେଳା ହେତୁ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଯାଇଥିଲା ଏବଂ ସମ୍ପୃକ୍ତ ଠିକାଦାର କାମକୁ ଅଧାରେ ଛାଡ଼ି ଚାଲିଯାଇଥିଲେ।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ହସ୍ତକ୍ଷେପ କରାଯାଇ ନୂତନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଯାହାର ପ୍ରକ୍ରିୟା ଏବେ ଆରମ୍ଭ ହୋଇସାରିଛି।
ଏହି ମଧ୍ୟବର୍ତ୍ତୀ ସମୟରେ ସ୍ଥାନୀୟ ଲୋକମାନେ ଆଗାମୀ କିଛିଦିନ ପାଇଁ ସାମୟିକ ଅସୁବିଧାକୁ ସହଯୋଗର ସହିତ ସହ୍ୟ କରିବେ ବୋଲି ମୁଁ ଆଶା କରୁଛି। ଖୁବଶୀଘ୍ର ଏହି ସ୍ଥାନରେ ନୂତନ ପୋଲ ନିର୍ମାଣ ସହ ରାସ୍ତା ପ୍ରଶସ୍ତିକରଣ କାର୍ୟ୍ୟ ଆରମ୍ଭ କରାଯିବ।
ଏହା ସହ, ସୁନାଖଳା–ଆୟତପୁର ପୂର୍ତ୍ତ ବିଭାଗ ରାସ୍ତାର ପ୍ରଶସ୍ତିକରଣ ପାଇଁ ହୋଇଥିବା ଟେଣ୍ଡର୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବାବେଳେ ଖୁବ୍ ଶୀଘ୍ର ସେହି କାର୍ୟ୍ୟ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ମୋ ନିର୍ବାଚନ ମଣ୍ଡଳୀରେ ଏକ ସୁଦୃଢ଼ ଓ ବିସ୍ତୃତ ରାସ୍ତା ନେଟୱାର୍କ ଗଠନ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ।ସେହି ଦୃଷ୍ଟିକୋଣରୁ ଚଳିତ ଓ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ପ୍ରାୟ ୨୦୦ କିଲୋମିଟରରୁ ଅଧିକ ଦୈର୍ଘ୍ୟର ରାସ୍ତା ନିର୍ମାଣ ପ୍ରକ୍ରିୟା ହାତକୁ ନିଆଯାଇଛି।


