ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ବୟସ ହୋଇଥିଲା। ସେ ବୟସାଧିକ ବ୍ୟାଧିରେ ପିଡିତ ଥାଇ ଚିକିତ୍ସିତ ହେଉଥିଲେ। ଆଜି ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଭୁବନେଶ୍ବରସ୍ଥିତ ତାଙ୍କ ବାସ ଭବନରେ ଶେଷ ଦର୍ଶନ କରିବା ପାଇଁ ବହୁ ନେତା ଓ ସମର୍ଥକଙ୍କ ଭିଡ ଲାଗି ରହିଛି।
କାହ୍ନ ଚରଣ ଲେଙ୍କା କଂଗ୍ରେସର ଜଣେ ବରିଷ୍ଠ ନେତା। ସେ କେନ୍ଦ୍ରରେ ରେଳ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ଚୌଦ୍ୱାରର ବିଧାୟକ ଥିଲେ । ୧୯୮୮ରୁ ୧୯୯୪ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ପି.ଭି ନରସିଂହ ରାଓଙ୍କ ସରକାରରେ ସେ ରେଳ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।


