ଭୁବନେଶ୍ୱର: ରାଜ୍ୟ ସରକାର ଖୁବ୍ ଶୀଘ୍ର State Institute for Transformative Initiatives ବା SITI Odisha ପ୍ରତିଷ୍ଠା କରିବେ। ଏହା ରାଜ୍ୟ ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ବା ଏକ ଶୀର୍ଷସ୍ତରୀୟ ରଣନୈତିକ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରିବ। ସମୃଦ୍ଧ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ ଦିଗରେ ଏହା ରାଜ୍ୟ ସରକାରଙ୍କ ମାର୍ଗଦର୍ଶନ କରିବ। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏହି ସମ୍ପର୍କିତ ଏକ ସଂକଳ୍ପ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ପୂର୍ବରୁ ୧୮ ଜୁଲାଇ ୨୦୨୪ ରେ ‘ରାଜ୍ୟ ଯୋଜନା ବୋର୍ଡ’ (State Planning Board)କୁ ଭାଙ୍ଗି ଦେଇଛନ୍ତି। ଯେହେତୁ ପାରମ୍ପରିକ ଯୋଜନା ପ୍ରଣାଳୀ ବର୍ତ୍ତମାନ ସମୟରେ ଅପ୍ରାସଙ୍ଗିକ ହୋଇପଡ଼ିଛି, SITI Odisha ବର୍ତ୍ତମାନ ସମୟରେ ଏକ ଦୂରଦୃଷ୍ଟିସମ୍ପନ୍ନ ବିକଳ୍ପ ବ୍ୟବସ୍ଥା ପ୍ରଦାନ କରିବ।
ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ ନୀତି ପ୍ରସ୍ତୁତ କରିବାକୁ ଆଧୁନିକ ଚିନ୍ତାଧାରା ସହିତ ଇନୋଭେସନ, କୋ-ଅପରେଟିଭ୍ ଫେଡେରାଲିଜିମ୍ ଏବଂ ମାପଯୋଗ୍ୟ ଫଳାଫଳ ସମ୍ପର୍କରେ ପରାମର୍ଶ ଯୋଗାଇଦେବ । ଏହା ସର୍ବୋଚ୍ଚ ସ୍ତରରେ ସରକାରଙ୍କୁ ରଣନୈତିକ ଦିଗଦର୍ଶନ ପ୍ରଦାନ କରିବ।
SITI-Odisha ମୁଖ୍ୟତଃ ଛଅଟି ବିଷୟ ଉପରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନ କରିବ:
୧. ଅର୍ଥନୀତି ଓ ଅର୍ଥ
୨. ଗ୍ରାମୀଣ ଅର୍ଥନୀତି ଓ ଜୀବିକା
୩. ନିଯୁକ୍ତି ଓ ସହରୀ ବିକାଶ
୪. ଚିନ୍ତାଧାରା ଓ ଇନୋଭେସନ
୫. ଶକ୍ତି ପରିବର୍ତ୍ତନ (Energy Transition)
୬. ପରିବେଶ ଓ ଜଙ୍ଗଲ ଏବଂ ଖଣି ଓ ପ୍ରାକୃତିକ ସମ୍ପଦ
SITI-Odisha ର ଏକ ଗଭର୍ଣ୍ଣିଙ୍ଗ କାଉନସିଲ୍ ରହିବ। ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିବେ। ଏଥିସହ ଜଣେ ଉପାଧ୍ୟକ୍ଷ, ଚାରିଜଣ ପୂର୍ଣ୍ଣ କାଳୀନ ସଦସ୍ୟ, ନଅଜଣ ଏକ୍ସ-ଅଫିସିଓ ସଦସ୍ୟ ଏବଂ ଦୁଇଜଣ ସ୍ପେଶାଲ ଇନ୍ଭାଇଟି ରହିବେ। ଏହି ପରିଷଦ ବର୍ଷକୁ ଅତିକମରେ ଥରେ ବୈଠକ କରିବେ। ସିଟି ଓଡିଶାର ଉପାଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ହେବେ ଏବଂ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିବ।
ବିଭିନ୍ନ କ୍ଷେତ୍ରର ଚାରିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ କରିବେ। ସେମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇବେ। ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହାର ସଦସ୍ୟ ସଚିବ ଦାୟିତ୍ୱ ତୁଲାଇବେ।
ମୁଖ୍ୟମନ୍ତ୍ରୀ ଜଣେ ଚିଫ ଏକ୍ଜିକ୍ୟୁଟିଭ୍ ଅଫିସର ବା ସିଇଓ ନିଯୁକ୍ତ କରିବେ। ସିଇଓ IAS କ୍ୟାଡରରେ ଜଣେ ପ୍ରମୁଖ ସଚିବ କିମ୍ବା କମିଶନର-ତଥା-ସଚିବ ପାହ୍ୟାର ହୋଇଥିବେ।
ଏଥିସହିତ, ସମ୍ପୃକ୍ତ ବିଷୟବସ୍ତୁ ଉପରେ ଜ୍ଞାନ ଓ ଅଭିଜ୍ଞତା ଥିବା ଜଣେ ପ୍ରୋଗ୍ରାମ ଡାଇରେକ୍ଟର, ଏକ ବହୁମୁଖୀ ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟେସନ ୟୁନିଟ୍ (PIU) ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ଏକ ପ୍ରଶାସନିକ ୟୁନିଟ୍ ରହିବ।
SITI Odisha ଅଧୀନରେ ଷ୍ଟେଟ ମନିଟରିଂ ଆଣ୍ଡ ଇଭାଲ୍ୟୁଏସନ ଅଫିସ ମଧ୍ୟ ରହିବ। ଏହା evidence-driven governance ପାଇଁ ଏକ ନୋଡାଲ୍ ସଂସ୍ଥା ଭାବେ କାର୍ଯ୍ୟ କରିବ।
SITI-Odisha ସମ୍ପୂର୍ଣ୍ଣ ଭାବେ ଯୋଜନା ଓ ସଂଯୋଜନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବ।


