ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଦେବାଶିଷ ସାମନ୍ତରାୟ। ଆଜି ସକାଳେ ଦେବାଶିଷ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଏହାପରେ ସେ ଉପରାଷ୍ଟ୍ରପତିଙ୍କୁ ଭେଟି ତାଙ୍କର ରାଜ୍ୟସଭାରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାପରେ ସେ ଗଣମାଧ୍ୟମକୁ ତାଙ୍କର ଇସ୍ତଫା ଦେବାର କାରଣ ସହିତ ଆଗାମୀ ଦିନରେ କଣ କରିବେ ସେ ନେଇ ସୂଚନା ପ୍ରଦାନ କରିଛନ୍ତି।
ସେ ଗଣମାଧ୍ୟମ ଆଗରେ ପୁଣି ଥରେ ଭି କେ ପାଣ୍ଡିଆନଙ୍କୁ ଗାଳି କରିଛନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନ ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଦଳକୁ ଚଳାଉଛନ୍ତି। ମୁଁ ନବୀନ ବାବୁଙ୍କୁ ଦେଖା କରିବାକୁ ଚାହୁଥିଲେ ମଧ୍ୟ ସେମାନେ କେହି ଦେଖା କରାଇଦେଲେ ନାହିଁ। ଏହାପରେ ମୋତେ ଦଳ ଭିତରେ ଅଣଦେଖା କରାଯାଇ ଆସୁଥିଲା। ମୁଁ ଭାବିଲି ଦଳ ମୋର କୌଣସି ସେବା ଚାହୁଁ ନାହିଁ। ସେଥିପାଇଁ ଇସ୍ତଫା ଦେଲି।
ତେବେ ଭବିଷ୍ୟତରେ ସେ କଣ କରିବେ ବୋଲି ପଚରାଯିବା ପରେ ପରୋକ୍ଷରେ ବିଜେପିରେ ଯୋଗଦେଉଛନ୍ତି ବୋଲି ସୂଚାଇ ଦେଲେ। ସେ କହିଲେ ଯେ, ଗୋଟିଏ ରାଷ୍ଟ୍ରିୟ ଦଳରେ ମୁଁ ଯୋଗଦେବି। ଲୋକଙ୍କର ଯେମିତି ସେବା କରୁଥିଲା ତାହା ବଜାଇ ରଖିବି ବୋଲି ଦେବାଶିଷ କହିଛନ୍ତି।
ସୂଚନା ଅନୁସାରେ ଆସନ୍ତାକାଲି ଦେବାଶିଷ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହେଉଛନ୍ତି। ଏଥିପାଇଁ ଦଳ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି। ଦେବାଶିଷ ପୂର୍ବରୁ ବିଜେପିର ସାମିଲ ହେବେ ବୋଲି ସଙ୍କେତ ମିଳିଥିଲା। ସେ ବାରମ୍ବାର ବିଜେପି ନେତାଙ୍କ ସହିତ ଆଲୋଚନା କରୁଥିବାର ଖବର ଜଣାପଡିଥିଲା।


