ରଙ୍ଗାଚରଣ ପ୍ରଧାନ
ବର୍ଷା ବନ୍ଦ ହେବା ପରେ ଆପଣ ଘରୁ ବାହାରି ବଜାର ଆଡକୁ ଯାଇଛନ୍ତି । ଆପଣ ଦେଖିଲେ ବାଟରେ ଗୋଟିଏ ୫୦୦ ଟଙ୍କିଆ ନୋଟ୍ ପଡିଛି । ଆପଣ ଯାଇ ସେହି ଟଙ୍କାରେ ଗୋଟିଏ ସଦ୍ୟ ପ୍ରକାଶିତ ବହିଟିଏ କିଣି ଦେଲେ । ବହି ଦୋକାନୀଟା ସେହି ଟଙ୍କାରେ ସେଦିନ ତା’ର ସାନ୍ଧ୍ୟକାଳୀନ କୋଟାର ମଦ କିଣି ଦେଲା । ମଦ ଦୋକାନୀ ତା’ ପସନ୍ଦର ହିରୋଇନ୍ ଅଭିନୀତ ଗୋଟିଏ ଫିଲିମ୍ ଦେଖିନେଲା ଓ ହଲ୍ ରେ ବସି ପପକର୍ଣ ଓ ଥଣ୍ଡା ପାନୀୟର ମଜା ନେଲା । ସିନେମା ହଲ୍ ମାଲିକ ୫୦୦ ଟଙ୍କାରେ ଗୋଟିଏ ଟ୍ୟାକ୍ସି ଭଡା କରି ସହରର ସେମୁଣ୍ଡରେ ହେଉଥିବା ଏକ ବିବାହ ଉତ୍ସବକୁ ଗଲା ।
ଏଠାରେ ତାହେଲେ ଆପଣ କ’ଣ ଦେଖିଲେ ? ଆପଣ ବାଟରୁ ଗୋଟାଇଥିବା ୫୦୦ ଟଙ୍କିଆ ନୋଟ୍ ୪ ଥର ଖର୍ଚ୍ଚ ହେଲା । ଏହାକୁ ଅନ୍ୟଭାଷାରେ କହିଲେ ବୁଝାଯିବ ଯେ ଗୋଟିଏ ୫୦୦ ଟଙ୍କାର ନୋଟ ୨୦୦୦ ଟଙ୍କାର ଜିଡିପି ସୄଷ୍ଟି କଲା । ସରଳ ଭାଷାରେ କହିଲେ ଅର୍ଥନୈତିକ ଗତିବିଧି ବା କାର୍ଯ୍ୟକଳାପର ସମଷ୍ଟିକୁ ଜିଡିପି କୁହାଯାଏ । ଆପଣ ଯଦି ପାଇଥିବା ଟଙ୍କାକୁ ଖର୍ଚ୍ଚ କରି ନଥାନ୍ତେ ତେବେ ଶୂନ୍ୟ ଜିଡିପି ସୄଷ୍ଟି ହୋଇଥାନ୍ତା ।
ଚଳିତ ବର୍ଷର ଆରମ୍ଭରୁ ଏହି ଅର୍ଥନୈତିକ କାର୍ଯ୍ୟକଳାପ ବା ଜିଡିପି କମିବାରେ ଲାଗିଛି । ଏହାକୁ ଆମେ ମାନ୍ଦାବସ୍ଥା ବା ସ୍ଲୋ ଡାଉନ୍ କହୁଛୁ । ଗତ ଜାନୁଆରୀ ଠାରୁ ମାର୍ଚ୍ଚ ମଧ୍ୟରେ ଜିଡିପି ବୄଦ୍ଧିଦର କମି କମି ୫.୮%ରେ ପହଞ୍ଚିଲାଣି । ଯାହା ଜଣାପଡୁଛି ପରବର୍ତ୍ତୀ ତ୍ରୈମାସିକ ବା ଏପ୍ରିଲଠାରୁ ଜୁନ୍ ମଧ୍ୟରେ ଏହି ବୄଦ୍ଧି ଦର ଆହୁରି କମ୍ ରହିବ ।
ମୂଖ୍ୟତଃ ୪ଟି ଜିନିଷରୁ ଜିଡିପିକୁ କଳନା କରାଯାଏ । ସେଗୁଡିକ ହେଲା , (କ) ଘରୋଇ ବା ଅଣସରକାରୀ ବ୍ୟୟ ,(ଖ) ପୁଞ୍ଜି ଲଗାଣ , (ଗ) ସରକାରୀ ବ୍ୟୟ ଓ (ଘ) ନେଟ ଆମଦାନୀ (ରପ୍ତାନୀ – ଆମଦାନୀ) ।ଚାଲନ୍ତୁ, ଏହି ମାନ୍ଦା ଅବସ୍ଥା କ’ଣ ତାହା ବୁଝିବା ପାଇଁ ୧୫ଟି ମୁଖ୍ୟ କାର୍ଯ୍ୟକଳାପର ସୁଚକାଙ୍କ କ’ଣ ସୁଚନା ଦେଉଛନ୍ତି ତାହା ଦେଖିବା । ମନେ ରଖନ୍ତୁ, ଏଥିପାଇଁ ୨୦୧୮ ମସିହା ଏପ୍ରିଲ-ଜୁନ୍ ର ତ୍ରୈମାସିକକୁ ୨୦୧୯ର ସେହି ତ୍ରୈମାସିକ ସହ ତୁଳନା କରାଯାଇଛି ।
(କ) ଘରୋଇ ବା ଅଣସରକାରୀ ବ୍ୟୟ ।
ଏହା ସମୁଦାୟ ଜିଡିପିର ୫ ଭାଗରୁ ୩ ଭାଗ । ଏହା କମିଲେ ସମୂଦାୟ ଜିଡିପି ଓ ଅର୍ଥନୀତି ବାଧାପ୍ରାପ୍ତ ହେବ ।
(୧) କାର୍ ବିକ୍ରୀ : ସି.ଏମ୍.ଆଇ.ଇ ଦେଇଥିବା ତଥ୍ୟ ଅନୁଯାୟୀ ଗତବର୍ଷ ଯେତିକି କାର୍ ବିକ୍ରୀ ହୋଇଥିଲା ଏବର୍ଷ ତା’ଠାରୁ ୨୩.୩% କମିଛି । ୨୦୦୪ ମସିହାଠାରୁ କାର୍ ବିକ୍ରୀରେ ଏମିତି ମାନ୍ଦା ଅବସ୍ଥା କେବେ ବି ଦେଖା ଦେଇ ନଥିଲା । କାର୍ ବିକ୍ରୀ ଏଇଥିପାଇଁ ଗୁରୁତ୍ବପୂର୍ଣ ଯେ ଗୋଟିଏ ପଟେ ଏହାଦ୍ବାରା କାର୍ ଡିଲର ହାତ ବାନ୍ଧି ବସେ ତ ଅନ୍ୟ ଦିଗରେ ଟାୟାର, ଇସ୍ପାତ ଓ ଷ୍ଟିଅରିଂ ଉତ୍ପାଦନ ବି କମିଯାଏ । ଏହି ତିନିମାସରେ କାର୍ ୠଣରେ ବୄଦ୍ଧି ବି ହ୍ରାସ ପାଇ ୫.୧%ରେ ପହଞ୍ଚିଛି ଯାହା କି ଗତ ୫ ବର୍ଷରେ ସବୁଠାରୁ କମ୍ ।
(୨) ଦୁଇଚକିଆ ଯାନ ବିକ୍ରୀ : ଗତବର୍ଷ ଏହା ଯେତିକି ବିକ୍ରୀ ହୋଇଥିଲା ଏବର୍ଷ ତାହାଠାରୁ ୧୧.୭% କମ୍ ବିକ୍ରୀ ହୋଇଛି । ୨୦୦୮ ମସିହା ଅକ୍ଟୋବର-ଡିସେମ୍ବର ତ୍ରୈମାସିକ ଠାରୁ ଏହା ସବୁଠାରୁ ବଡ ହ୍ରାସ ।
(୩) ଟ୍ରାକ୍ଟର ବିକ୍ରୀ – ଗ୍ରାମ୍ୟ ଅର୍ଥନିତୀରେ କେତେ ଚାହିଦା ରହିଛି ଏହିଥିରୁ ସୂଚନା ମିଳେ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଟ୍ରାକ୍ଟର ବିକ୍ରୀରେ ୧୪.୧% ହ୍ରାସ ଆସିଛି । ଗତ ୪ ବର୍ଷରେ ଏହା ସବୁଠାରୁ ବଡ ହ୍ରାସ ।
(୪) ରିଅଲ୍ ଇଷ୍ଟେଟ୍ : ୨୦୧୯ ମାର୍ଚ୍ଚ ସୁଦ୍ଧା ଦେଶର ୩୦ଟି ପ୍ରମୂଖ ସହରରେ ୧୨,୮୦,୦୦୦ ଟି ଗୄହ ବିକ୍ରୀ ନ ହୋଇ ପଡି ରହିଛି । ୨୦୧୮ ମାର୍ଚ୍ଚଠାରୁ ଏହି ସଂଖ୍ୟା ୭% ଅଧିକ । ସିମେଣ୍ଟ, ଲୁହାଛଡ, ରଙ୍ଗ ଭଳି ପ୍ରାୟ ୨୫୦ଟି ଜିନିଷର ଉତ୍ପାଦନ ରିଅଲ୍ ଇଷ୍ଟେଟ ବ୍ୟବସାୟ ଉପରେ ନିର୍ଭର କରିଥାଏ ।
(୫) ବ୍ୟାଙ୍କ ଖୁଚୁରା ୠଣ : ଗତବର୍ଷ ବ୍ୟାଙ୍କଗୁଡିକ ଦେଇଥିବା ଖୁଚୁରା ୠଣ ୧୭.୯% ହାରରେ ବୄଦ୍ଧି ପାଇଥିବା ବେଳେ ଏବର୍ଷ ତାହା ୧୬.୬% ହାରରେ ବୄଦ୍ଧି ପାଇଛି । ତେଣୁ ଏଥିରେ ସେତେଟା ହ୍ରାସ ଆସିନାହିଁ । ଏହି ଖୁଚୁରା ୠଣରେ ଗୄହ ୠଣର ଅଂଶ ହେଉଛି ଅଧାରୁ ଅଧିକ। କେବଳ ଗୄହ ୠଣକୁ ଯଦି ଆମେ ଦେଖିବା ତେବେ ପାଇବା ଯେ ଏଥିରେ ଗତବର୍ଷ ଅପେକ୍ଷା ଏବର୍ଷର ବୄଦ୍ଧି ଦର ଅଧିକ ହୋଇଛି ।
ତେଣୁ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଯେ ଗୄହ ୠଣ ସଂଖ୍ୟା ବଢିବା ସତ୍ତ୍ବେ ତେଣେ ବିକ୍ରୀ ନ ହୋଇ ପଡି ରହିଥିବା ଗୄହର ସଂଖ୍ୟା ବି ବଢୁଛି । ଏହାର କାରଣ ଏଇଆ ହୋଇଥାଇପାରେ ଯେ ଲୋକେ ବ୍ୟାଙ୍କ ୠଣ ନେଇ ବିଲ୍ଡରଙ୍କଠାରୁ ଘର ନ କିଣି, ୨୦୦୩ ଠାରୁ ୨୦୧୨ ମଧ୍ୟରେ ଯେଉଁମାନେ ଅଧିକ ସଂଖ୍ୟକ ଘର କିଣି ନିଜ ପାଖରେ ରଖିଥିଲେ ସେହିମାନଙ୍କଠାରୁ କିଣୁଛନ୍ତି । ତେଣୁ ସେସବୁ ନୂଆ ଘର ନୂହେଁ ଏବଂ ବ୍ୟାଙ୍କ ଦେଉଥିବା ଗୄହ ୠଣର ସଂଖ୍ୟା ବଢିବା ସତ୍ତ୍ବେ ଯେଉଁ ଭଳି ଅର୍ଥନୈତିକ କାର୍ଯ୍ୟକଳାପରେ ବୄଦ୍ଧି ଆସିବା କଥା ତାହା ହେଉ ନାହିଁ ।
ଏହି ଖୁଚୁରା ବ୍ୟାଙ୍କ ୠଣର ଆଉ ଏକ ଅଂଶ ହେଉଛି କ୍ରେଡିଟ୍ କାର୍ଡ । ଗତ ବର୍ଷ ଏହି ୠଣ ୩୧.୩% ବୄଦ୍ଧି ପାଇଥିବା ବେଳେ ଏବର୍ଷ ତାହା ୨୭.୬% ବୄଦ୍ଧି ପାଇଛି । ଏହା ବି ଅବଶ୍ୟ ଏତେ ବଡ ହ୍ରାସ ନୂହେଁ । ତେବେ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଲୋକେ ସମାଜର ଏକ ନିର୍ଦ୍ଦିଷ୍ଟ ଆୟ ବର୍ଗର ଲୋକ ଯେଉଁମାନେ ମଲ୍ କିମ୍ବା ରେଷ୍ଟୁରାଣ୍ଟରେ ଖର୍ଚ୍ଚ କରିବା କମେଇ ନାହାନ୍ତି ।
(୬) ଏଫ୍.ଏମ୍.ସି.ଜି କମ୍ପାନୀ : ଚଳିତ ବର୍ଷ ହିନ୍ଦୁସ୍ଥାନ ୟୁନିଲିଭରର ବିକ୍ରୀରେ ୫ % ବୄଦ୍ଧି ହୋଇଥିବା ବେଳେ ଗତ ବର୍ଷ ବୄଦ୍ଧି ଦର ୧୨% ଥିଲା । ଗତବର୍ଷ ଡାବର ଇଣ୍ଡିଆର ବିକ୍ରୀ ବୄଦ୍ଧି ୨୧% ଥିବା ବେଳେ ଏବର୍ଷ ତାହା ୬% ହୋଇଛି । ସେହିପରି ଗତବର୍ଷ ବ୍ରିଟାନିଆର ୧୩% ଥିବାବେଳେ ଏବର୍ଷ ତାହା ୬ % ହୋଇଛି । ଦୈନିକ ଉପଭୋକ୍ତା ଖର୍ଚ୍ଚ କମିଯିବା ଏକ ଚିନ୍ତାଜନକ ବିଷୟ ।
(୭) ସୁନା, ରୁପା ଓ କଞ୍ଚାତେଲ ବ୍ୟତୀତ ଅନ୍ୟ ସାମଗ୍ରୀର ଆମଦାନୀ : ଏହି ଆମଦାନୀରୁ ଜଣା ପଡେ ଲୋକଙ୍କର ବିଦେଶୀ ଦ୍ରବ୍ୟ ପ୍ରତି ଚାହିଦା କେତେ ଅଛି । ଗତ ବର୍ଷ ଏହା ୬.୩% ବୄଦ୍ଧି ପାଇଥିବା ବେଳେ ଏବର୍ଷ ତାହା ୫.୩% କମିଛି ।
(ଖ) ପୁଞ୍ଜି ଲଗାଣ ।
ଜିଡିପି ବୄଦ୍ଧି ପାଇଁ ପୁଞ୍ଜି ଲଗାଣରେ ବୄଦ୍ଧି ନିହାତି ଜରୁରୀ । ଏହାର ସରଳ କାରଣ ହେଉଛି ଏହା ଦ୍ବାରା ରୋଜଗାର ସୄଷ୍ଟି ହୁଏ, ଲୋକଙ୍କର ଆୟ ବଢେ, ଖର୍ଚ୍ଚ ବଢେ ଏବଂ ଏସବୁ ଯୋଗୁଁ ଅର୍ଥନୈତିକ ଗତିବିଧି ବି ବଢେ । ଦୁର୍ଭାଗ୍ୟବଶତଃ ଏ କ୍ଷେତ୍ରରେ ବି ପରିସ୍ଥିତି ଭଲ ନାହିଁ ।
(୮) ବ୍ୟବସାୟିକ ଯାନର ବିକ୍ରୀ : କଞ୍ଚାମାଲ ଓ ଉତ୍ପାଦିତ ଦ୍ରବ୍ୟର ପରିବହନ କରୁଥିବା ଏସବୁ ଯାନର ବିକ୍ରୀରୁ ଅର୍ଥନୈତିକ କାର୍ଯ୍ୟକଳାପର ଏକ ସୂଚନା ମିଳେ । ଚଳିତ ବର୍ଷ ଏହି ଯାନ ବିକ୍ରୀରେ ୯.୫% ହ୍ରାସ ଆସିଛି । ଗତ ୫ ବର୍ଷ ମଧ୍ୟରେ ଏହା ସବୁଠାରୁ ବଡ ହ୍ରାସ । ଗତବର୍ଷ ଏହି ସମୟ ମଧ୍ୟରେ ଏହା ୫୧.୬% ବୄଦ୍ଧି ହୋଇଥିଲା ।
(୯) ଶିଳ୍ପକୁ ବ୍ୟାଙ୍କ ୠଣ : ଗତବର୍ଷ ଏହା ୦.୯% ବୄଦ୍ଧି ପାଇଥିବା ବେଳେ ଏବର୍ଷ ତାହା ୬.୫% ବୄଦ୍ଧି ପାଇଛି । ଏମିତିରେ ଏହା ସ୍ବାଗତଯୋଗ୍ୟ ହେବା କଥା । ମାତ୍ର ଏଥି ମଧ୍ୟରୁ ଅଧିକାଂଶ ୠଣ ବୄହତ ଶିଳ୍ପକୁ ଦିଆଯାଇଛି । ଗତ ବର୍ଷ ବୄହତଶିଳ୍ପକୁ ଦିଆଯାଇଥିବା ୠଣରେ ୦.୮% ବୄଦ୍ଧି ପାଇଥିବା ବେଳେ ଏବର୍ଷ ତାହା ୭.୬% ବୄଦ୍ଧି ପାଇଛି । ଅନ୍ୟ ପକ୍ଷରେ ଗତ ବର୍ଷ କ୍ଷୁଦ୍ରଶିଳ୍ପକୁ ମିଳିଥିବା ୠଣରେ ୦.୭% ବୄଦ୍ଧି ହୋଇଥିବା ବେଳେ ଏବର୍ଷ ତାହା ୦.୬% ବୄଦ୍ଧି ପାଇଛି । ବଡ ବଡ ଶିଳ୍ପକୁ ୠଣ ମିଳିବା ବି ଜରୁରୀ ଅଟେ । ମାତ୍ର ଯେତେବେଳେ ଅର୍ଥନୀତିରେ ବୄଦ୍ଧି ହେଉଥାଏ ସେତେବେଳେ ଏହି କ୍ଷୁଦ୍ରଶିଳ୍ପମାନେ ହିଁ ଅଧିକାଂଶ ରୋଜଗାର ସୄଷ୍ଟି କରିଥାନ୍ତି ।
(୧୦) ରେଳ ପରିବହନ : ଯେତେବେଳେ ଅର୍ଥନୈତିକ ଗତିବିଧି ବଢି ଥାଏ ସେତେବେଳେ ରେଳଦ୍ବାରା କୋଇଲା, ପିଗ୍ ଲୁହା, ସିମେଣ୍ଟ, ସାର, ପେଟ୍ରୋଲିଅମ ଓ ଇସ୍ପାତର ପରିବହନ ବି ବୄଦ୍ଧି ପାଇ ଥାଏ । ଏହା ପୁଞ୍ଜିଲଗାଣ ବୄଦ୍ଧିର ଏକ ଭଲ ସଙ୍କେତ । ଗତ ବର୍ଷ ଏହା ୬.୪% ବୄଦ୍ଧି ପାଇଥିବା ବେଳେ ଏବର୍ଷ ଏହାର ବୄଦ୍ଧି ଦର ହେଉଛି ୨.୭% । ଗତ ଅଢେଇ ବର୍ଷରେ ଏହି ବୄଦ୍ଧି ଦର ହେଉଛି ସବୁଠାରୁ କମ୍ ।
(୧୧) ଇସ୍ପାତ ଖର୍ଚ୍ଚ : ଦେଶରେ ଯେତେବେଳେ ଇସ୍ପାତ ଖର୍ଚ୍ଚ ବଢିଥାଏ ସେତେବେଳେ ଅଧିକ ଭିତିଭୂମୀର ନିର୍ମାଣ ଓ ପୁଞ୍ଜି ଲଗାଣର ସୂଚନା ମିଳିଥାଏ । ଗତ ବର୍ଷ ଇସ୍ପାତର ଖର୍ଚ୍ଚ ୮.୮% ଦରରେ ବୄଦ୍ଧି ପାଇଥିବା ବେଳେ ଏବର୍ଷ ସେହି ଦର ୬.୬% ରହିଛି । ଏହା ଗତ ୨ ବର୍ଷରେ ରେକର୍ଡ କରାଯାଇଥିବା ସବୁଠାରୁ କମ ତ୍ରୈମାସିକ ବୄଦ୍ଧି ।
(୧୨) ନୂଆ ପ୍ରକଳ୍ପ ପାଇଁ ପୁଞ୍ଜି ଲଗାଣ : ନୂଆ ପ୍ରକଳ୍ପ ଘୋଷଣାରେ ୭୯.୫% ହ୍ରାସ ପାଇଛି । ଚଳିତ ବର୍ଷ ୭୧୩୩୭ କୋଟୀ ଟଙ୍କାର ପୁଞ୍ଜି ଘୋଷଣା ହୋଇଛି । ଏହା ୨୦୦୪ ସେପ୍ଟେମ୍ବର ଠାରୁ ହୋଇଥିବା ସବୁ ତ୍ରୈମାସିକ ପ୍ରକଳ୍ପ ଘୋଷଣା ମଧ୍ୟରେ ସବୁଠାରୁ କମ୍ । ଏହାର ଅର୍ଥ ହେଉଛି, ସରକାର ଯାହା କୁହନ୍ତୁ ପଛେ, ଶିଳ୍ପପତି ବା ପୁଞ୍ଜିଲଗାଣକାରୀଙ୍କ ମଧ୍ୟରେ ଅର୍ଥନିତୀ ପ୍ରତି ଭରଷା ଆସୁନାହିଁ ।
(୧୩) ଶେଷ ହୋଇଥିବା ପ୍ରକଳ୍ପ : ଅନ୍ୟ ପକ୍ଷରେ ଶେଷ ହେଉଥିବା ନିର୍ମାଣାଧୀନ ପ୍ରକଳ୍ପ କଥା ବି ଯଦି ଦେଖିବା, ଗତ ବର୍ଷ ତୁଳନାରେ ଏହି ସଂଖ୍ୟାରେ ୪୮% ହ୍ରାସ ଘଟିଛି । ଗତ ଜୁନ୍ ସୁଦ୍ଧା ସରିଥିବା ପ୍ରକଳ୍ପର ମୂଲ୍ୟ ହେଉଛି ୬୯୪୯୪ କୋଟୀ ଟଙ୍କା । ଏହା ଗତ ୫ ବର୍ଷରେ ଯେ କୌଣସି ତ୍ରୈମାସିକ ଠାରୁ କମ୍ ।
(ଗ) ସରକାରୀ ବ୍ୟୟ ।
(୧୪) ମାନ୍ଦା ଅର୍ଥନିତୀରେ କ୍ରିୟାଶୀଳତା ଆଣିବା ପାଇଁ ୨୦୦୮-୦୯ ଓ ୨୦୦୯-୧୦ ମସିହାର ଆର୍ଥିକ ସଙ୍କଟ ବେଳେ ତତ୍କାଳୀନ ସରକାର ନିଜର ବ୍ୟୟ ବଢାଇଥିଲେ । ଗତ ଦୁଇବର୍ଷରେ ମଧ୍ୟ ସରକାର ଜିଡିପିର ଯଥାକ୍ରମେ ୧୯.୧% ଓ ୧୩.୨% ବ୍ୟୟ କରିଛନ୍ତି ଯାହା କି ସେ ସମୟ ପରଠାରୁ ସର୍ବାଧିକ । କିନ୍ତୁ ଏବେ ଯେତେବେଳେ ସରକାରଙ୍କର ଟିକସ ଆଦାୟ ଗତବର୍ଷର ୨୨.୧% ବୄଦ୍ଧି ତୁଳନାରେ ଏବର୍ଷ ମାତ୍ର ୧.୪% ହୋଇଛି ସରକାର ଏବର୍ଷ ତାହା କରି ପାରିବେ କି ? ଏହା ଏକ ବଡ ପ୍ରଶ୍ନ । ସରକାର ଟଙ୍କା କେଉଁଠାରୁ ଆଣିବେ ?
(ଘ) ନେଟ୍ ଆମଦାନୀ
(୧୫) ଗତ ବର୍ଷ ନେଟ୍ ଆମଦାନୀ ୪୬.୬ ବିଲିଅନ୍ ଡଲାର୍ ଥିବା ବେଳେ ଏବର୍ଷ ତାହା ୪୬ ବିଲିଅନ୍ ଡଲାର ରହିଛି । ଏହାର କାରଣ ହେଉଛି ଯେ ଏହି ଦୁଇଟି ତ୍ରୈମାସିକରେ ଉଭୟ ରପ୍ତାନୀ ଓ ଆମଦାନୀ ସମାନ ସ୍ତରରେ ରହିଛି ବା ରପ୍ତାନୀ ବୄଦ୍ଧି ପାଇଁ ଆବଶ୍ୟକ ହେଉଥିବା ଆର୍ଥିକ ଗତିବିଧି ବଢି ନାହିଁ ।
ଉପର ଆଲୋଚନାରୁ ଜଣାଯାଏ ଯେ ଆର୍ଥିକ ଗତିବିଧିର ସମସ୍ତ ଦିଗରେ ମାନ୍ଦା ଅବସ୍ଥା ଆସିଛି ଯାହା ଖୁବ୍ କ୍ବଚିତ୍ ଦେଖା ଯାଇଥାଏ । ଆମେ ଆର୍ଥିକ ମାନ୍ଦାବସ୍ଥା ଭିତରେ ବୁଡି ସାରିଲୁଣି । ଏଠାରେ ବିଡମ୍ବନା ହେଉଛି ଏଇଆ ଯେ ଏହି ଆର୍ଥିକ ମାନ୍ଦାବସ୍ଥା ସମସ୍ତଙ୍କୁ ଦେଖା ଯାଉଛି, କିନ୍ତୁ ସରକାରଙ୍କୁ ନୂହେଁ । ଏହି ମାନ୍ଦା ଅବସ୍ଥାରୁ ମୁକୁଳିବା ପାଇଁ ସର୍ବପ୍ରଥମ ପଦକ୍ଷେପ ହେଉଛି ଅର୍ଥନିତୀରେ ମାନ୍ଦା ଅବସ୍ଥା ଆସିଛି ବୋଲି ସରକାର ସ୍ବୀକାର କରିବା ।
(ଲାଇଭ୍ ମିଣ୍ଟରେ ପ୍ରକାଶିତ ବିବେକ କାଉଲଙ୍କ ଲେଖାର ଅବଲମ୍ବନରେ )