ଭୁବନେଶ୍ବର: ଭୁବନେଶ୍ୱର ୟୁନିଟ୍–୨ ଠାରେ ନିର୍ମାଣ ହେବ ଜନାଶ୍ରୟ ଭବନ। ଏଥିରେ ବିଭିନ୍ନ ଜିଲ୍ଲାରୁ ରାଜଧାନୀକୁ ଆସୁଥିବା ଲୋକମାନଙ୍କର ସୁବିଧା ରହଣି ବ୍ୟବସ୍ଥା କରାଯିବ। ସେଥିପାଇଁ 30 ଜିଲ୍ଲା ପାଇଁ 30ଟି ଭବନ ନିର୍ମାଣ କରାଯିବ। ଆଜି ଏହି କାର୍ଯ୍ୟର ତଦାରଖ କରିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହିତ ବିଭାଗୀୟ ଅଧିକାରୀ।
ଏହି ଜନାଶ୍ରୟ ଭବନ ନିର୍ମାଣ ହେବା ଦ୍ୱାରା ଓଡ଼ିଶାର ପ୍ରତିଟି ଜିଲ୍ଲାରୁ ବିଭିନ୍ନ କାର୍ଯ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଭୁବନେଶ୍ୱର ଆସୁଥିବା ସାଧାରଣ ଲୋକମାନେ ସୁବିଧାଜନକ ରହଣି ବ୍ୟବସ୍ଥା ପାଇପାରିବେ। ଏହା ଜନସାଧାରଣଙ୍କ ସୁବିଧା ବୃଦ୍ଧି କରିବା ସହିତ ଲୋକଙ୍କ ସରକାରଙ୍କ ଜନକଲ୍ୟାଣମୂଳକ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଇଛି। ଓଡିଶା ସରକାରଙ୍କ ଦୁଇ ବର୍ଷ ପୁର୍ତ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ଏହି ଅବସରରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଇଆଇସି(ରୋଡ଼ସ୍) ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦଙ୍କ ସମେତ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।


