ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ଡାଇଭର୍ସନ, ସୁରକ୍ଷିତ ଯାତାୟାତ ଓ ନିର୍ଦ୍ଧାରିତ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। ଭୁବନେଶ୍ୱର, ବ୍ରହ୍ମଗିରି କିମ୍ୱା କୋଣାର୍କ ପାର୍ଶ୍ୱରୁ ପୁରୀ ଆସୁଥିବା ଦୁଇ ଚକିଆ ଯାନଗୁଡ଼ିକୁ ମ୍ୟୁନିସିପାଲଟି ମାର୍କେଟରେ ଥିବା ପାର୍କିଂରେ ପାର୍କ କରିବେ ଶ୍ରଦ୍ଧାଳୁ। ସମୁଦ୍ରକୂଳକୁ ଆସୁଥିବା ଶ୍ରଦ୍ଧାଳୁମାନେ ଭିଆଇପି ରୋଡ୍ ଦେଇ ଦିଗବାରେଣୀ ଠାରେ ଗାଡ଼ିକୁ ପାର୍କିଂ କରିବେ।
ସେହପରି ଭୁବନେଶ୍ୱରରୁ ଆସୁଥିବା ଚାରି ଚକିଆ ଯାନଗୁଡିକ ସାକ୍ଷୀଗୋପାଳ, ମାଳତିପାଟପୁର, ବାଟଗାଁ ଏବଂ ଶ୍ରୀସେତୁ ଦେଇ NEW JBPC ପାର୍କିଂରେ ଗାଡ଼ି ରଖିବେ। ଏଥିସହ ଚାରି ଚକିଆ ଗାଡ଼ିଗୁଡ଼ିକ ପାଇଁ ଜେଲ୍ ରୋଡ, ଶରଧାବାଲି ନିକଟ, ବ୍ଲୁ ଫ୍ଲାଗ ବିଚ୍ ଓ ହୋଟେଲ୍ ନୀଳାଚଳ ଅଶୋକ ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏଗୁଡ଼ିକ ପୂର୍ଣ୍ଣ ହେବା ପରେ ମାଳତିପାଟପୁର, ROB, ବାଇଦାସନଗର, ଗ୍ରିଡ୍ ଷ୍ଟେସନ୍, ଭୂଦାନ ଦେଇ ତାଳବଣିଆରେ ପାର୍କିଂ କରାଯିବ। ଶ୍ରଦ୍ଧାଳୁମାନେ ଫେରିଲା ବେଳେ ସେହି ସମାନ ରାସ୍ତା ଦେଇ ଫେରିବା ପାଇଁ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।


