ଭୁବନେଶ୍ବର: ନାଇଡୁ କମିଶନ ତଦନ୍ତ ରିପୋର୍ଟ ହଜିବା ଘଟଣା ବର୍ତ୍ତମାନ ନୂଆ ମୋଡ ନେଇଛି। ଏହି ଫାଇଲ କିପରି ହଜିଲା ସେ ନେଇ ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ। ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। କନ୍ଧମାଳ ଦଙ୍ଗା ଏବଂ ସ୍ବାମୀ ଲକ୍ଷଣାନନ୍ଦ ସରସ୍ବତୀ ହତ୍ୟା ଘଟଣା ନେଇ ଜଷ୍ଟିସ ଏସ ଏସ ନାଇଡୁ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ। ତେବେ ସେହି ରିପୋର୍ଟ ବର୍ତ୍ତମାନ ହଜିଯାଇଛି ବୋଲି ଗୃହ ବିଭାଗ ତରଫରୁ କ୍ୟାପିଟାଲ ଥାନାରେ ଏଫଆଇଆର ଦିଆଯାଇଛି।
କ୍ୟାପିଟାଲ ପୋଲିସ ଏହାର ତଦନ୍ତ କରିବା ପାଇଁ ତତକାଳିନ ମୁଖ୍ୟମନ୍ତ୍ରୀଙ୍କ ବରିଷ୍ଠ ଅଧିକାରୀଙ୍କୁ ନୋଟିସ କରିଥିଲେ। ହେଲେ କେବଳ ବରିଷ୍ଠ ଅଧିକାରୀ ମନୋଜ ମିଶ୍ର ହାଜର ହୋଇଥିଲେ। ସେହିପରି ବହୁ ଚର୍ଚ୍ଚିତ ଭି କେ ପାଣ୍ଡିଆନଙ୍କୁ ମଧ୍ୟ ଥାନାରେ ହାଜର ପାଇଁ ନୋଟିସ କରାଯାଇଛି। ହେଲେ ସେ ବିଦେଶରେ ଥିବାରୁ ହାଜର ହୋଇପାରିବେ ନାହିଁ ବୋଲି ମେଲ ଯୋଗ ଜଣାଇଛନ୍ତି। ସେ ବିଦେଶ ଗସ୍ତରୁ ଫେରିବା ପରେ ହାଜର ହେବେ ବୋଲି କହିଛନ୍ତି। ତେବେ ଏପରି ପରିସ୍ଥିତିରେ ଆଜି ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି।


