ଭୁବନେଶ୍ବର: ଦେଶର ପ୍ରମୁଖ କଂପାନୀ ବେଦାନ୍ତକୁ ଲାଗିଛି ଝଟକା। ତାହା ହେଲା କଂପାନୀ ଭୂତଳରୁ ପର୍ଯ୍ୟାପ୍ତ ପାଣି ବାହାର କରି ବ୍ୟବହାର କରୁଛି। ଝାରସୁଗୁଡାରେ ପ୍ରତିଷ୍ଠିତ ବେଦାନ୍ତ କଂପାନୀ ଦୀର୍ଘ ବର୍ଷ ଧରି ଏପରି କରି ଆସୁଛି। ଫଳରେ ଭୂତଳ ଜଳ ହ୍ରାସ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଏହା ଉପରେ ତୁରନ୍ତ ତଦନ୍ତ କରାଯାଉ ବୋଲି କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ବା CGWB ଜିଲ୍ଲା ପ୍ରଶାସନକୁ ନୋଟିସ କରିଛି। ଏପରି କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ ବୋଲି ବୋର୍ଡ କହିଛି।
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜିଲ୍ଲା ପ୍ରଶାସନକୁ ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରିବାକୁ CGWB କହିଛି। ଚଳିତ ଅଗଷ୍ଟ ତିନି ତାରିଖରେ CGWB ଝାରସୁଗୁଡା ଜିଲ୍ଲାପାଳଙ୍କୁ ଏହ ଚିଠି କରିଛି। ସେହିପରି ବୋର୍ଡ ରାଜ୍ୟ ସରକାରଙ୍କୁ ମଧ୍ୟ ଏ ନେଇ ଅବଗତ କରାଇଛି। ପ୍ରଶାସନ ଯଥାଶିଘ୍ର ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି।
ବିଭିନ୍ନ ସମୟରେ ବେଦାନ୍ତ କଂପାନୀ ଓଡିଶାରେ ବିବାଦୀୟ ହୋଇ ଆସୁଛି। କେତେବେଳେ ଫ୍ଲାଏ ଆସ୍ ରାସ୍ତା କଡରେ ଫିଙ୍ଗିବା ହେଉ କିମ୍ବା କେତେବେଳେ ପାଉଁଶ ପୋଖରୀ ଭୁଷୁଡିବା ହେଉ, ବିଭିନ୍ନ ସମୟରେ ବିବାଦୀୟ ହୋଇ ଆସିଛି। ସେହିପରି ଦେବାନ୍ତ କଂପାନୀ ତରଫରୁ ରାୟଗଡାରେ ସିଜିମାଳି ପାହାଡ ଅଧିକାର କରିବା ପାଇଁ ବଳ ପ୍ରୟୋଗ କରୁଥିବାର ଅଭିଯୋଗ ହୋଇ ଆସୁଛି। କଂପାନୀ ପୋଲିସକୁ ମାଧ୍ୟମ କରି ନୀରିହ ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ଆନ୍ଦୋଳନ ମଧ୍ୟ ହେଉଛି।
ତେବେ ଏସବୁ ବିବାଦୀୟ ଭିତରେ ବର୍ତ୍ତମାନ ଏହି ନୂଆ ବିବାଦ ଆରମ୍ଭ ହୋଇଛି। ଏହାକୁ ନେଇ ଖୁବ ଶିଘ୍ର ଜିଲ୍ଲା ପ୍ରଶାସନ ଏକ କମିଟି ଗଠନ କରି ଏହାର ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡିଛି।


