ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଛଳରେ ପୋଲିସର ବଡ଼ଧରଣର ଏନକାଉଣ୍ଟର। ବିଳମ୍ବିତ ରାତିରେ ସିମୁଳିଆ ଅଡା ଛକ ନିକଟରେ ପୋଲିସ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ଡକାୟତ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆହତ ଡକାୟତ ଜଣକ ଲୋକେଶ ସିଂ ବୋଲି ସୂଚନା ମିଳିଛି। ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସିମୁଳିଆର ଅଡା ଅଞ୍ଚଳରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଲୁଚି ରହିଥିବା ନେଇ ସିମୁଳିଆ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହା ପରେ ପୋଲିସ ପାଟ୍ରୋଲିଂ ଟିମ୍ ସେଠାରେ ପହଞ୍ଚି ଚଢ଼ାଉ କରିବା ସହ ଅପରାଧୀଙ୍କୁ ଧରିବାକୁ ଯୋଜନା କରିଥିଲା। ପୋଲିସକୁ ଦେଖି ଦୁଇ ଡକାୟତ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ଗୋଡ଼ାଇବାରୁ ସେମାନେ ପୋଲିସ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା। ପୋଲିସ ଗୁଳି ଲୋକେଶର ଗୋଡ଼ରେ ବାଜିବାରୁ ସେ ସେଠାରେ ଟଳି ପଡ଼ିଥିଲେ। ତେବେ ଏହାର ସୁଯୋଗ ନେଇ ଅନ୍ୟ ଜଣେ ସହଯୋଗୀ ଅନ୍ଧାରର ଫାଇଦା ଉଠାଇ ଫେରାର ହୋଇଯାଇଥିଲା।
ପୋଲିସ ସୂଚନା ଅନୁଯାୟୀ, ଗୁରୁତର ଆହତ ଲୋକେଶ ଏବଂ ତାଙ୍କ ସହଯୋଗୀ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଡକାୟତି, ଦାଦାବଟି ଆଦାୟ, ଛିନତାଇ ଏବଂ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପରେ ଦୀର୍ଘଦିନ ହେବ ସମ୍ପୃକ୍ତ ଥିଲେ। ପୋଲିସ ସେମାନଙ୍କୁ ଧରିବା ପାଇଁ ଦୀର୍ଘଦିନ ହେବ ଟ୍ରାକ୍ କରୁଥିଲା। ଘଟଣାପରେ ସିମୁଳିଆ ପୋଲିସ ଘଟଣାସ୍ଥଳରେ ଜଗି ରହିବା ସହ ଫେରାର ଅପରାଧୀକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।


