ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ବ୍ରିଜ୍ରେ ପୁଣି ଏକ ଅଘଟଣ ଘଟିଛି। ବ୍ରିଜ୍ ଉପରେ ଅଟୋ ରଖି ଜଣେ ଚାଳକ କୁଆଖାଇ ନଦୀକୁ ଡେଇଁପଡ଼ିଥିବା ସନ୍ଦେହ କରାଯାଉଛି। ନିଖୋଜ ଅଟୋ ଚାଳକ ଜଣକ ଲିଙ୍ଗରାଜ ଥାନା ଅନ୍ତର୍ଗତ ହରଚଣ୍ଡୀ ସାହିର ସଞ୍ଜୟ ସ୍ୱାଇଁ। ଖବର ପାଇ ବାଲିଅନ୍ତା ଓ ଭୁବନେଶ୍ୱର ଅଗ୍ନିଶମ ବାହିନୀ ବୋଟ୍ ଯୋଗେ ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲେ ହେଁ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ଗତ ୫ ତାରିଖରେ ସମାନ ସ୍ଥାନରୁ ପୁରୁଣା ଭୁବନେଶ୍ୱରର ଭବାନୀ ଶଙ୍କର ନାମକ ଜଣେ ଯୁବକ ନଦୀକୁ ଡେଇଁ ପ୍ରାଣ ହରାଇଥିଲେ। ନିଖୋଜ ସଞ୍ଜୟ ସମ୍ପୃକ୍ତ ମୃତ ଭବାନୀଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି।
ପ୍ରାଥମିକ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି। ଟଙ୍କପାଣି ବ୍ରିଜ୍ ଉପରେ ଅଟୋଟି ଛିଡ଼ା ହୋଇଥିବା ବେଳେ ତା’ ନିକଟରୁ ଚପଲ ଜବତ ହୋଇଛି। ବାଲିଅନ୍ତା ପୋଲିସ ଗାଡ଼ିଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଗାଡ଼ିଟି ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନାମରେ ପଞ୍ଜୀକୃତ ଥିବା ଜଣାପଡ଼ିଛି। ତେବେ ଯୁବକ ଜଣକ ସତରେ ନଦୀକୁ ଡେଇଁଛନ୍ତି କିମ୍ବା ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଛାଡ଼ି ଅନ୍ୟ କୁଆଡ଼େ ଚାଲିଯାଇଛନ୍ତି, ପୋଲିସ ସେହି ଦିଗକୁ ମଧ୍ୟ ଗୁରୁତ୍ୱ ଦେଇ ତଦନ୍ତ ଚଳାଇଛି।


