ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ୱର ଜିଲ୍ଲାରୁ ପାଞ୍ଚଟି ବିରଳ ବିଦେଶୀ ଶିଶୁ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସରକାରୀ ଗସ୍ତ ଅବସରରେ ଦୁବାଇରେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ମଧ୍ୟରେ ଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ରାଜ୍ୟର ଏହି ସଂବେଦନଶୀଳ ଘଟଣାକ୍ରମ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି। ଏହି ଅତି ବିରଳ ଓ ବିଦେଶୀ ବନ୍ୟପ୍ରାଣୀମାନେ କେଉଁ ପରିସ୍ଥିତିରେ ଏବଂ କିପରି ସୀମା ପାର ହୋଇ ଓଡ଼ିଶାରେ ପହଞ୍ଚିଲେ, ସେ ନେଇ ସବିଶେଷ ତଦନ୍ତ କରିବାକୁ ସେ ସମ୍ପୃକ୍ତ ଉଚ୍ଚକର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ ସ୍ପଷ୍ଟ କରିଛନ୍ତି ଯେ ବିଦେଶୀ ବନ୍ୟପ୍ରାଣୀଙ୍କ ବେଆଇନ ଚାଲାଣ କିମ୍ବା କାରବାର ପାଇଁ ଓଡ଼ିଶାକୁ କେବେହେଲେ ଏକ ଗମନାଗମନ ବା ଟ୍ରାଞ୍ଜିଟ ପଥ ହେବାକୁ ଦିଆଯିବ ନାହିଁ। ଏହି ବନ୍ୟପ୍ରାଣୀ ଚୋରା ଚାଲାଣ ପଛରେ ଯଦି କୌଣସି ଆନ୍ତଃରାଜ୍ୟ କିମ୍ବା ଆନ୍ତର୍ଜାତୀୟ ଗିରୋହ ସମ୍ପୃକ୍ତ ଥାଆନ୍ତି, ତେବେ ସେମାନଙ୍କୁ ସମ୍ପୂର୍ଣ୍ଣ ଚିହ୍ନଟ କରାଯାଇ ଆଇନ ଅନୁଯାୟୀ ସବୁଠାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସଂବେଦନଶୀଳ ମାମଲାରେ ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ସେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ବିଭାଗ, ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ସହିତ ନିବିଡ଼ ସମନ୍ୱୟ ରଖି ମିଳିତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହିତ, ଏହି ଶିଶୁ ଓରାଙ୍ଗଉଟାନଗୁଡ଼ିକୁ କେଉଁ ନିର୍ଦ୍ଦିଷ୍ଟ ମାର୍ଗ ଦେଇ ଅଣାଯାଇଥିଲା, ସେମାନଙ୍କ ପରିବହନରେ କେଉଁସବୁ ଅସାମାଜିକ ବ୍ୟକ୍ତି ସମ୍ପୃକ୍ତ ଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ସେମାନଙ୍କୁ ବାଲେଶ୍ୱର ପର୍ଯ୍ୟନ୍ତ ନିଆଯାଉଥିଲା, ସେସବୁର ମୂଳ ପର୍ଯ୍ୟନ୍ତ ଯିବା ପାଇଁ କୁହାଯାଇଛି। ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ସମୟରେ ଉଦ୍ଧାର ହୋଇଥିବା ଶିଶୁ ପ୍ରାଣୀଗୁଡ଼ିକର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ପ୍ରଚଳିତ ବନ୍ୟପ୍ରାଣୀ ସୁରକ୍ଷା ନିୟମାବଳୀ ଅନୁଯାୟୀ ସେମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ଚିକିତ୍ସା ସେବା, ସୁରକ୍ଷିତ ଆଶ୍ରୟ ଏବଂ ନିୟମିତ ଯତ୍ନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ କଠୋର ଆଦେଶ ଦେଇଛନ୍ତି।


