ଭୁବନେଶ୍ବର: ବିଶ୍ୱର ସର୍ବବୃହତ୍ ବାର୍ଷିକ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ‘ବରଗଡ଼ ଧନୁଯାତ୍ରା ମହୋତ୍ସବ’ର ୭୯ତମ ସଂସ୍କରଣ ଆସନ୍ତାବର୍ଷ ଆୟୋଜିତ ହେବ। ଏହି ମହାନ୍ ଐତିହାସିକ ପରମ୍ପରାରର ଆୟୋଜନ ନେଇ ତାରିଖ ଧାର୍ଯ୍ୟ କରାଯାଇଛି। ରିପୋର୍ଟ ଅନୁସାରେ ଏଥରର ବରଗଡ଼ ଧନୁଯାତ୍ରା ୨୦୨୭ ଜାନୁଆରୀ ୧୨ ତାରିଖ (ପୌଷ ଶୁକ୍ଳପକ୍ଷ)ରୁ ଆରମ୍ଭ ହୋଇ ଜାନୁଆରୀ ୨୨ ତାରିଖ (ପୌଷ ପୂର୍ଣ୍ଣିମା) ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୧୧ ଦିନ ଧରି ଚାଲିବାକୁ ଥିବା ଏହି ଐତିହାସିକ ଲୋକନାଟ୍ୟ ମହୋତ୍ସବରେ ସମଗ୍ର ବରଗଡ଼ ସହର ଏକ ଜୀବନ୍ତ ପୌରାଣିକ ନଗରୀରେ ରୂପାନ୍ତରିତ ହେବ। ପ୍ରାୟ ୮ କିଲୋମିଟର ପରିମିତ ଅଞ୍ଚଳରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ।
ଏହି ଯାତ୍ରା କାଳରେ ସମଗ୍ର ବରଗଡ଼ ପୌରାଞ୍ଚଳ କଂସ ମହାରାଜାଙ୍କ ‘ମଥୁରାନଗରୀ’ ପାଲଟିଥାଏ। ନିକଟସ୍ଥ ଅମ୍ବାପାଲି ଗ୍ରାମ ଶ୍ରୀକୃଷ୍ଣଙ୍କ ‘ଗୋପପୁର’ ଏବଂ ଉଭୟଙ୍କ ମଝିରେ ପ୍ରବାହିତ ଜୀରା ନଦୀ ‘ଯମୁନା ନଦୀ’ ଭାବେ କଳ୍ପିତ ହୋଇଥାଏ। ଏହି ୧୧ ଦିନର ଯାତ୍ରା ସମୟରେ ବରଗଡ଼ରେ ମହାରାଜା କଂସଙ୍କ ହୁକୁମ ଚାଲେ। ସହରରେ ନଗର ଭ୍ରମଣ ସମୟରେ କଂସ ପ୍ରଜା ତଥା ପ୍ରଶାସନିକ ଅଧିକାରୀଙ୍କ ଉପରେ ଦଣ୍ଡାଦେଶ ଓ ଜୋରିମାନା ଧାର୍ଯ୍ୟ କରନ୍ତି, ଯାହାକି ଏହି ଯାତ୍ରାକୁ ଅଧିକ ନିଆରା କରିଥାଏ। ତେବେ ଶ୍ରୀକୃଷ୍ଣ-ବଳରାମଙ୍କ ଜନ୍ମ, କଂସାସୁରର ଅତ୍ୟାଚାର, ବାଲ୍ୟଲୀଳା, ମଥୁରା ଆଗମନ ଏବଂ ଶେଷ ଦିନ ପୌଷ ପୂର୍ଣ୍ଣିମାରେ ଧନୁଭଙ୍ଗ ଏବଂ ଶେଷରେ କଂସ ବଧ ସହ ଅସତ୍ୟ ଉପରେ ସତ୍ୟର ବିଜୟ ସହିତ ଏହି ମହୋତ୍ସବ ଉଦ୍ଯାପିତ ହୋଇଥାଏ। ବିଶ୍ୱପ୍ରସିଦ୍ଧ ଏହି ମହାମହୋତ୍ସବ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ତଥା ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏହି ୧୧ ଦିନ ଧରି ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଶହ ଶହ ଲୋକକଳା ଦଳ ସେମାନଙ୍କ ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନ କରିବେ। ଏହା ସହିତ ସ୍ଥାନୀୟ ମୀନାବଜାର, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଦେଶ-ବିଦେଶରୁ ଆସୁଥିବା ଲକ୍ଷାଧିକ ଦର୍ଶକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିବ। ଶାନ୍ତିଶୃଙ୍ଖଳା ରକ୍ଷା ଓ ଶୃଙ୍ଖଳିତ ଯାତାୟାତ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ବରଗଡ଼ ଧନୁଯାତ୍ରା କେବଳ ପଶ୍ଚିମ ଓଡ଼ିଶା କାହିଁକି ସମଗ୍ର ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ଲୋକଆଦୃତି ହାସଲ କରିଛି।


