IDBI Bank Sale Controversy: ଦେଶର ଅନ୍ୟତମ ଅଗ୍ରଣୀ ବ୍ୟାଙ୍କ ଆଇଡିବିଆଇ ବ୍ୟାଙ୍କକୁ କେନ୍ଦ୍ର ସରକାର ବିକିବା ପାଇଁ କରିଥିବା ପ୍ରସ୍ତାବକୁ କର୍ମଚାରୀ ଓ ଅଫିସର ସଂଘ ବିରୋଧ କରିଛି। United Forum of IDBI Officers and Employees ତରଫରୁ କୁହାଯାଇଛି ଯେ, ଏହି ପ୍ରସ୍ତାବକୁ ବିରୋଧ କରି ବ୍ୟାଙ୍କକୁ ଦୁଇଦିନ ପାଇଁ ବନ୍ଦ କରାଯିବ। ଆସନ୍ତା ନଭେମ୍ବର ଦୁଇ ଓ ତିନି ତାରିଖରେ ଦେଶର ସମସ୍ତ IDBI ବ୍ୟାଙ୍କ ବନ୍ଦ ରହିବ ବୋଲି ଫୋରମ ଘୋଷଣା କରିଛି।
ଏହି ଫୋରମ ଦାବି କରିଛି ଯେ, ସରକାର ପ୍ରସ୍ତାବିତ ବିକ୍ରୟ ପ୍ରକ୍ରିୟାକୁ ବନ୍ଦ କରନ୍ତୁ ଏବଂ IDBI ବ୍ୟାଙ୍କରେ ଅତିକମରେ ୬ ପ୍ରତିଶତ ଇକ୍ୱିଟି (ଅଂଶଧନ) ଅଧିଗ୍ରହଣ କରନ୍ତୁ। ଏହି ଅଂଶଧନ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଠାରୁ କିମ୍ବା ବଜାର ମାଧ୍ୟମରେ ହାସଲ କରାଯାଇପାରେ, ଯାହା ଫଳରେ ବ୍ୟାଙ୍କରେ ସରକାରଙ୍କ ଅଂଶଧନ ଅତିକମରେ ୫୧ ପ୍ରତିଶତ ବଜାୟ ରହିବ।
ଆହୁରି କୁହାଯାଇଛି ଯେ, ଏହା ଦ୍ୱାରା ୨୦୦୩ ମସିହା ଡିସେମ୍ବର ମାସରେ ସଂସଦରେ ଦିଆଯାଇଥିବା ସେହି ପ୍ରତିଶ୍ରୁତିର ସମ୍ମାନ ରକ୍ଷା ହେବ, ଯେଉଁଥିରେ ସରକାର ବ୍ୟାଙ୍କ ଉପରେ ନିଜର ସଂଖ୍ୟାଗରିଷ୍ଠ ମାଲିକାନା ବଜାୟ ରଖିବେ ବୋଲି ପ୍ରତିଶୃତି ଦେଇଥିଲେ।
ଫୋରମ୍ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଘ, ଟ୍ରେଡ୍ ୟୁନିଅନ୍, ଗ୍ରାହକ, ଜମାକାରୀ ଏବଂ ନାଗରିକ ସମାଜ ସଂଗଠନଗୁଡ଼ିକୁ ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ନିବେଦନ କରିଛି। ଫୋରମ କହିଛି ଯେ ସରକାର ଏବଂ ବ୍ୟାଙ୍କ ପରିଚାଳନା ସହିତ ଆଲୋଚନା ପାଇଁ ଖୋଲା ଅଛି କିନ୍ତୁ ଚେତାବନୀ ଦେଇଛି ଯେ ଯଦି ଏହାର ଦାବି ସମାଧାନ ନ ହୁଏ, ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯାଇପାରିବ, ଯେଉଁଥିରେ ଦୀର୍ଘ କିମ୍ବା ଅନିର୍ଦ୍ଦିଷ୍ଟ ଧର୍ମଘଟ ମଧ୍ୟ ଅନ୍ତର୍ଭୁକ୍ତ।
ଏଠାରେ ସୂଚନା ଯୋଗ୍ୟ ଯେ, କେନ୍ଦ୍ର ସରକାର IDBI Bank ର 60.72% ଅଂଶଧନ କାନାଡା କଂପାନୀ Fairfax Financial କୁ ବିକ୍ରି କରିବା ପାଇଁ ନିଷ୍ପତି କରିଛନ୍ତି। ଏହାକୁ ନେଇ ବର୍ତ୍ତମାନ କର୍ମଚାରୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହାଦ୍ବାରା ବ୍ୟାଙ୍କ ସଂପୂର୍ଣ୍ଣ ଭାବେ ବିଦେଶ କଂପାନୀ ଦ୍ବାରା ପରିଚାଳତ ହେବ। ଫଳରେ କର୍ମଚାରୀଙ୍କ ଭବିଷ୍ୟତ କଣ ହେବ ସେ ନେଇ ସମସ୍ତେ ସନ୍ଦେହାନ ଅବସ୍ଥାରେ ଅଛନ୍ତି।


