ଭୁବନେଶ୍ବର: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖର ସେହି ପ୍ରଳୟଙ୍କରୀ ମହାବାତ୍ୟାର ତାଣ୍ଡବଲୀଳାକୁ ଦୀର୍ଘ ୨୭ ବର୍ଷ ପୂରିବାକୁ ବସିଥିଲେ ହେଁ, ଓଡ଼ିଶାବାସୀଙ୍କ ମନରୁ ସେହି କଳାଦିନର ଆଶଙ୍କା ଓ ଭୟ ଆଜି ବି ଲିଭିନାହିଁ। ଅକ୍ଟୋବର ଶେଷ ସପ୍ତାହ ଆସିଲେ ହିଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାବାସୀଙ୍କ ମନରେ ପ୍ରକୃତିର କୋପକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଏ। ଚଳିତ ବର୍ଷ ମଧ୍ୟ ଠିକ୍ ଏହି ସମୟରେ ବଙ୍ଗୋପସାଗରରେ ଏକ ସାମ୍ଭାବ୍ୟ ବାତ୍ୟାର ଚିତ୍ର ସ୍ପଷ୍ଟ ହେବା ପରେ ରାଜ୍ୟସାରା ଆଶଙ୍କା ଓ ପ୍ରସ୍ତୁତିର ପରିବେଶ ସୃଷ୍ଟି ହୋଇଛି।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ଏବଂ ତାହାର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଶକ୍ତିଶାଳୀ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଛି। ଏହା କ୍ରମଶଃ ଅଧିକ ଘନୀଭୂତ ହୋଇ ଆଜି ୨୪ ତାରିଖରେ ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଏହା ଅଧିକ ସକ୍ରିୟ ହୋଇ ୨୫ ତାରିଖରେ ଗଭୀର ଅବପାତରେ ପରିଣତ ହେବା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ୨୬ ତାରିଖ ସକାଳ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଏକ ପୂର୍ଣ୍ଣାଙ୍ଗ ବାତ୍ୟାର ରୂପ ଧାରଣ କରିବ। ଏହି ବାତ୍ୟାର ନାମକରଣ ‘ଅର୍ଣ୍ଣବ’ ରଖାଯାଇଥିବା ନେଇ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୨୭ ଏବଂ ୨୮ ତାରିଖ ବେଳକୁ ଏହି ବାତ୍ୟା ଆହୁରି ଅଧିକ ଭୟଙ୍କର ରୂପ ଧାରଣ କରି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗେଇବ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ସାମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ଜରୁରୀ ସମୀକ୍ଷା ବୈଠକ କରି ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ରାଜସ୍ୱ ମନ୍ତ୍ରୀ ମଧ୍ୟ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରିବା ସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ନେଇ ଘୋଷଣା କରିଛନ୍ତି।
ସମ୍ଭାବ୍ୟ ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବାକୁ ଥିବା ଗଞ୍ଜାମ ଜିଲ୍ଲାରେ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜିଲ୍ଲାରେ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲ୍ଲାକୁ ୨ଟି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏବଂ ୯ଟି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ଟିମ୍ ପ୍ରେରଣ କରାଯାଉଛି। ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି।


