ଭୋପାଳ: ମଧ୍ୟପ୍ରଦେଶର ମୋରେନା ଆଞ୍ଚଳିକ ବନ ବିଭାଗ ଅଧୀନରୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ୧୯ ମାସର ଏକ ପୁରୁଷ ଚିତା ଶାବକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଉଦ୍ଧାର ପରେ ଜରୁରୀକାଳୀନ ଅସ୍ତ୍ରୋପଚାର ସମୟରେ ଚିତା ଶାବକଟିର ଶରୀରରୁ ୫ଟି ବନ୍ଧୁକ ଗୁଳି ବା ଛୋଟ ଛୋଟ ଛର୍ରା ଗୁଳି ଉଦ୍ଧାର କରାଯାଇଛି। ୨୦୨୨ ମସିହାରେ ଭାରତରେ ଚିତା ପୁନରୁଦ୍ଧାର ପ୍ରକଳ୍ପ ଆରମ୍ଭ ହେବା ପରଠାରୁ ଗୁଳିମାଡ଼ରେ କୌଣସି ଚିତାର ମୃତ୍ୟୁ ହେବା ଏହା ପ୍ରଥମ ଘଟଣା।
କୁନୋ ଜାତୀୟ ଉଦ୍ୟାନର ଏହି ୧୯ ମାସର ଚିତା ଶାବକଟିକୁ ଅକ୍ଟୋବର ୨୫ ତାରିଖରେ ମୋରେନା ଜଙ୍ଗଲରୁ କ୍ଷତାକ୍ତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଥିଲା। ସେହିଦିନଠାରୁ ପ୍ରାଣୀଚିକିତ୍ସକଙ୍କ ଏକ ସ୍ୱେଚ୍ଛାସେବୀ ଦଳ ତାହାର ଚିକିତ୍ସା କରୁଥିଲେ। ମାତ୍ର ଅସ୍ତ୍ରୋପଚାର ପରେ ମଧ୍ୟ ଶରୀରରେ ଗଭୀର ଆଘାତ ଯୋଗୁଁ ମଙ୍ଗଳବାର ଭୋର ସମୟରେ ତାହାର ମୃତ୍ୟୁ ହୋଇଥିଲା। ଗୁଳିମାଡ଼ର ସ୍ପଷ୍ଟ ପ୍ରମାଣ ମିଳିବା ପରେ ମଧ୍ୟପ୍ରଦେଶ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି। ଏହି ଘଟଣାର ପୂରା ତଦନ୍ତ କରିବା ଏବଂ ଦୋଷୀଙ୍କୁ ଧରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି।
ଭାରତରେ ଚିତା ଶିକାର ହେବାର ଏହି ଘଟଣା ଦୀର୍ଘ ୭୯ ବର୍ଷ ପୁରୁଣା କଳା ଇତିହାସକୁ ପୁଣି ଥରେ ତାଜା କରିଦେଇଛି। ୧୯୪୭ ମସିହାରେ ବର୍ତ୍ତମାନର ଛତିଶଗଡ଼ ଅନ୍ତର୍ଗତ କୋରିଆର ମହାରାଜା ରମାଣୁଜ ପ୍ରତାପ ସିଂହ ଦେଓ ଦେଶର ଶେଷ ତିନୋଟି ଏସୀୟ ଚିତାକୁ ଗୁଳି କରି ହତ୍ୟା କରିଥିଲେ। ତା’ ପରଠାରୁ ୧୯୫୨ ମସିହାରେ ଭାରତରୁ ଚିତା ବଂଶ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଥିବା ଘୋଷଣା କରାଯାଇଥିଲା।
ଦୀର୍ଘ ଦଶନ୍ଧି ପରେ ୨୦୨୨ରେ ଆଫ୍ରିକାରୁ ଚିତା ଆଣି ଭାରତରେ ପୁଣି ଥରେ ସେମାନଙ୍କ ବଂଶ ରକ୍ଷା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ର ଏଭଳି ଏକ ସୁରକ୍ଷିତ ପ୍ରକଳ୍ପ ମଧ୍ୟରେ ଶିକାରୀଙ୍କ ଗୁଳିରେ ଚିତା ଶାବକର ମୃତ୍ୟୁ ହେବା ବନ୍ୟପ୍ରାଣୀ ସୁରକ୍ଷା ଓ ଜଙ୍ଗଲ ବିଭାଗର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।


