ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟଜନିତ କ୍ଷୟକ୍ଷତିର ଆକଳନ ନିମନ୍ତେ କେନ୍ଦ୍ର ସରକାରଙ୍କ ଏକ ୮ ଜଣିଆ ଆନ୍ତଃମନ୍ତ୍ରଣାଳୟସ୍ତରୀୟ କେନ୍ଦ୍ରୀୟ ଟିମ୍ ସୋମବାରଠାରୁ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କରିବେ। ଏହି ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ସ୍ଥଳଭିତ୍ତିକ ଆକଳନ କରିବେ। କେନ୍ଦ୍ରୀୟ ଟିମ୍ର ନେତୃତ୍ୱ ନେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କର।
ସେ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଟିମ୍ର ଅନ୍ୟ ସଦସ୍ୟମାନେ ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା କିମ୍ବା ନଭେମ୍ବର ୩ ତାରିଖ ସକାଳ ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ପ୍ରସ୍ତୁତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିବେ। ଏହି କେନ୍ଦ୍ରୀୟ ଟିମ୍ରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗରଅଧିକାରୀମାନେ ସଦସ୍ୟ ଭାବେ ସାମିଲ ଅଛନ୍ତି। ରବି ଶଙ୍କର, ଯୁଗ୍ମ ସଚିବ କେନ୍ଦ୍ର ଗୃହ ମନ୍ତ୍ରଣାଳୟ- ଟିମ୍ ଲିଡର ରହିଛନ୍ତି।
ସେହିପରି ଡ. ମାନ୍ ସିଂହ, ନିର୍ଦ୍ଦେଶକ, କୃଷି ଓ କୃଷକ କଲ୍ୟାଣ ବିଭାଗ, ଧାନ ବିକାଶ ନିର୍ଦ୍ଦେଶାଳୟ, ପାଟନା, ରାହୁଲ ଚୌରାସିଆ, ଉପନିର୍ଦ୍ଦେଶକ, ବ୍ୟୟ ବିଭାଗ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ, ନୂଆଦିଲ୍ଲୀ, ଦିଲ୍ଲୀପ କୁମାର ଜେନା, ନିର୍ଦ୍ଦେଶକ, ଜଳଶକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଜଳ ଆୟୋଗ, ଭୁବନେଶ୍ୱର, କରନ ସରିନ୍, ଉପନିର୍ଦ୍ଦେଶକ, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ, କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ, ନୂଆଦିଲ୍ଲୀ, ସୁନୀଲ କୁମାର, ଅଧୀକ୍ଷଣ ଯନ୍ତ୍ରୀ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଭୁବନେଶ୍ୱର, ଅଜୟ କୁମାର ସାହୁ, ଅନୁଶାସନ ସଚିବ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ନୂଆଦିଲ୍ଲୀ ଏବଂ ସି. ସାଇ କୃଷ୍ଣ, ବୈଜ୍ଞାନିକ ‘ଡି’, ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ର, ଇସ୍ରୋ, ମହାକାଶ ବିଭାଗ, ହାଇଦ୍ରାବାଦ ରହିଛନ୍ତି। ଏହି ଗସ୍ତ ସମୟରେ କେନ୍ଦ୍ରୀୟ ଟିମ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ କୃଷି, ଭିତ୍ତିଭୂମି, ସଡ଼କ, ବିଦ୍ୟୁତ, ଜଳସମ୍ପଦ ତଥା ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବେ। ଏଥିସହିତ ପ୍ରଭାବିତ ଅଞ୍ଚଳର ସ୍ଥିତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିବେ।


