ବାଲେଶ୍ୱର: ରାଜ୍ୟର ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ବଡ଼ ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ୱରରୁ ମଧୁବାବୁ ପେନସନ୍ ଯୋଜନାର ୫,୦୫,୮୧୭ ଜଣ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ୍ – UPMP ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏଣିକି ଆବେଦନ, ଯାଞ୍ଚ ଓ ଭତ୍ତା ପ୍ରଦାନ ସବୁ ଏହି ପୋର୍ଟାଲ୍ ମାଧ୍ୟମରେ ହେବ।
ନୂଆ ହିତାଧିକାରୀଙ୍କୁ ଅକ୍ଟୋବର ମାସଠାରୁ ଭତ୍ତା ମିଳିବ। ପ୍ରତି ହିତାଧିକାରୀଙ୍କୁ ମାସିକ ୧୦୦୦ ଟଙ୍କା ମିଳିବ। ଏଥିପାଇଁ ରାଜ୍ୟ ସରକାରଙ୍କ ବାର୍ଷିକ ୬୨୫ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ।
ଏହା ସହିତ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ୮୦ ବର୍ଷ ପୂରଣ ହେଲେ ବିନା ନୂଆ ଆବେଦନରେ ମାସିକ ୩୫୦୦ ଟଙ୍କା ଭତ୍ତା ମିଳିବ।
ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ:
ନଭେମ୍ବର ୧୧ ଓ ୧୨ – ଜିଲ୍ଲା ସ୍ତରରେ
ନଭେମ୍ବର ୧୩ ଓ ୧୪ – ବ୍ଲକ୍ ସ୍ତରରେ
ନଭେମ୍ବର ୧୫ – ପଞ୍ଚାୟତ / ୱାର୍ଡ କାର୍ଯ୍ୟାଳୟରେ ନଗଦ ପ୍ରଦାନ
ଡିସେମ୍ବରଠାରୁ ପ୍ରତି ମାସ ୧୫ ତାରିଖରେ ନିୟମିତ ଭତ୍ତା ମିଳିବ।
ଏଣିକି ଆବେଦନ କଲେ ପରବର୍ତ୍ତୀ ମାସରୁ ଭତ୍ତା ମିଳିବାର ନିୟମ ରହିବ। ଯୋଗ୍ୟ ବ୍ୟକ୍ତି ବିଡିଓ କାର୍ଯ୍ୟାଳୟ କିମ୍ବା upmp.odisha.gov.in ରେ ଆବେଦନ କରିପାରିବେ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ଓ ଅନ୍ୟ ନେତା ଉପସ୍ଥିତ ଥିଲେ।


