Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାମ ଜେଠମଲାନି, ଯାହାଙ୍କ ପାପୁଲିରେ ଆଇନ ଓ ସମ୍ବିଧାନର ସବୁ ସୂତ୍ର ଲେଖା ହୋଇ ରହିଥିଲା
ବିଶେଷ ଖବର

ରାମ ଜେଠମଲାନି, ଯାହାଙ୍କ ପାପୁଲିରେ ଆଇନ ଓ ସମ୍ବିଧାନର ସବୁ ସୂତ୍ର ଲେଖା ହୋଇ ରହିଥିଲା

September 8, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଭାରତୀୟ ଆଇନ ଓ ସମ୍ବିଧାନ ବିଷୟରେ ଯେତେବେଳେ ବି ଚର୍ଚ୍ଚା ହେବ, ସେତେବେଳେ ରାମ ଜେଠମଲାନି(୧୪,ସେପ୍ଟେମ୍ବର, ୧୯୨୩-୮, ଅଗଷ୍ଟ, ୨୦୧୯, ଜନ୍ମସ୍ଥାନ କରାଚି) ଙ୍କ ନାଁ  ନିଶ୍ଚୟ ଆସିବ। ଭଲରେ ହେଉ ବା ଭୁଲରେ, ପ୍ରେମରେ ହେଉ ବା ଉପେକ୍ଷାରେ, ଆଦର୍ଶ ପାଇଁ ହେଉ ବା ସ୍ଵାର୍ଥ ପାଇଁ, କିଛି ଗୋଟାଏ ଉଦ୍ଦେଶ୍ୟ ନେଇ ଯେତେବେଳେ ବି ଭାରତର ନ୍ୟାୟିକ ଇତିହାସ ଲେଖାଯିବ, ସେତେବେଳେ ରାମ ଜେଠମଲାନିଙ୍କୁ ମନେ ପକାଇବାକୁ ଇତିହାସ ବାଧ୍ୟ ହେବ। ସମ୍ବିଧାନ ଓ ଆଇନକୁ ନିଜ ପାପୁଲିରେ ଦର୍ପଣ ଭଳି ଦେଖି ପାରୁଥିବା ଆମ ଦେଶର ଅଳ୍ପ କେତେଜଣ ବଡ ଓକିଲଙ୍କ ଭିତରେ ସେ ଥିଲେ ଅନ୍ୟତମ। ଭାରତର ଇତିହାସ ତାଙ୍କୁ କାହାର ଓକିଲ ଭାବରେ ମନେ ରଖିବ, ସେ ଏକ ବିଚିତ୍ର ପ୍ରଶ୍ନ। ଏକଦା ବମ୍ବେ ସହରର ସବୁ କୁଖ୍ୟାତ ଡନ ତାଙ୍କର ମହକିଲ ଥିଲେ। ସତୁରୀ ଦଶକର କୁଖ୍ୟାତ ଡନ ହାଜୀ ମସ୍ତାନଠୁ ଆରମ୍ଭ କରି ନବେ ଦଶକର ହର୍ଷଦ ମେହେଟା ପର୍ଯ୍ୟନ୍ତ, ବହୁ ଅପରାଧୀଙ୍କ ମାମଲା ସେ ଲଢିଛନ୍ତି। ଏହା ସାଙ୍ଗକୁ ମାନବାଧିକାର ପାଇଁ ସଂଘର୍ଷ କରି ଜେଲ ଯାଇଥିବା ଡାକ୍ତର ବିନାୟକ ସେନଙ୍କ ଭଳି ଭଦ୍ରଲୋକଙ୍କ ପାଇଁ ମଧ୍ୟ ସେ ବିନା ପଇସାରେ ଲଢେଇ କରିଛନ୍ତି। ଗୋଟେ ପକ୍ଷରେ ଖଣି ମାଫିଆଙ୍କ ସପକ୍ଷରେ ଯୁକ୍ତି କରିଛନ୍ତି ତ ଅପର ପକ୍ଷରେ ଦୁର୍ନୀତି ବିରୋଧରେ ବହୁ ଶକ୍ତିଶାଳୀ ପଦକ୍ଷେପ ନେଇଛନ୍ତି। ଭାରତର ଉଚ୍ଚ ନ୍ୟାୟାଳୟରେ ଦୁର୍ନୀତି ହେଉଛି ବୋଲି ମାନ୍ୟବର ବିଚାରପତିମାନଙ୍କ ଆଖି ରେ ଆଖି ମିଶେଇ ସିଧାସଳଖ ଅଭିଯୋଗ କରିଛନ୍ତି।

ବାସ୍ତବରେ ରାମ ଜେଠମଲାନୀଙ୍କ ବ୍ୟକ୍ତିତ୍ବକୁ କୌଣସି ଗୋଟିଏ ଆଦର୍ଶ ବା ନୈତିକତାର ଆଧାରରେ ଆକଳନ କରି ହେବନାହିଁ। ଏପରିକି ରାଜନୀତିରେ ତାଙ୍କୁ କୌଣସି ବିଚାର ଭିତରେ ମଧ୍ୟ ସୀମିତ ରଖିହେବା ନାହିଁ। ଜନସଙ୍ଘ, ବିଜେପି ଓ ଶିବସେନାରୁ ସେ ନିର୍ବାଚନ ଲଢିଛନ୍ତି, ତାର ବିପରୀତ ରେ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ମଧ୍ୟ ତାଙ୍କୁ ନିଜର ପ୍ରାର୍ଥୀ କରିଛି। ୧୯୭୫ ମସିହାର ଜରୁରୀ କାଳୀନ ପରିସ୍ଥିତିକୁ ସେ ତୀବ୍ର ବିରୋଧ କରିଥିଲେ। ରାଜନୀତିରେ ତାଙ୍କର ଏକମାତ୍ର ପରିଚୟ ହେଉଛି, ସେ କାହାର ମଧ୍ୟ ଶତ୍ରୁ ହୋଇପାରିବେ। ଏକଦା ବିଶ୍ଵନାଥ ପ୍ରତାପ ସିଂଙ୍କୁ ସମର୍ଥନ କରି ସେ ଚନ୍ଦ୍ରଶେଖରଙ୍କ ସମର୍ଥକଙ୍କ ଠାରୁ ମାଡ ଖାଇଥିଲେ। ପରେ ସେ ଭି.ପି.ସିଂଙ୍କ ବିରୋଧୀ ପାଲଟିଲେ। ଅଟଳ ବିହାରୀ ବାଜପାୟୀଙ୍କ ସରକାରରେ ସେ ଆଇନ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଥିଲେ, ହେଲେ ବାଜପାୟୀଙ୍କ ସହ ତାଙ୍କର ପ୍ରବଳ ବିରୋଧ ରହିଥିଲା। ୨୦୦୪ ରେ ସେ ବାଜପାୟୀଙ୍କ ବିରୋଧରେ ନିର୍ବାଚନ ମଧ୍ୟ ଲଢିଥିଲେ। ୨୦୧୪ ରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ସେ ସମର୍ଥନ କରିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଘୋର ବିରୋଧ ମଧ୍ୟ କରିଥିଲେ।

ମୋଟାମୋଟି ତାଙ୍କ ବ୍ୟକ୍ତିତ୍ବର ଏକ ବିଶିଷ୍ଟ ଦିଗ ହେଉଛି- ସେ ନିଜ ମର୍ଜିର ମାଲିକ। କଥା କହିବାରେ ଓ ତର୍କ କରିବାରେ ସେ ହିଚକିଚ  କରିବା ଲୋକ ନଥିଲେ। ଯାହା କହିବେ ଠାଏ ଠାଏ କହିବେ ଓ ଯାହା କରିବେ ଲୋକଙ୍କ ଆଗରେ କରିବେ। ନିଜକୁ ଜଣେ ଆଦର୍ଶବାଦୀ ମଣିଷ ବୋଲି ସେ କେବେ କହିନାହାନ୍ତି। ତାଙ୍କ ଜୀବନର ସ୍ପଷ୍ଟ ଦର୍ଶନ ଥିଲା- ଜଣେ ଓକିଲ ଭାବରେ ମହକିଲକୁ ସୁରକ୍ଷା ଦେବା। ସେଥିରେ ମହକିଲର ଆଦର୍ଶ, ରାଜନୀତି ଓ ନୈତିକତାକୁ ସେ ଆକଳନ କରୁ ନ ଥିଲେ। ଦେଶର ଆଇନ ମନ୍ତ୍ରୀ ଥିବା ବେଳେ ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଏ.ଏସ.ଆନନ୍ଦ ଓ ଆଟର୍ଣ୍ଣୀ ଜେନେରାଲ ସୋଲି ସରାବଜୀଙ୍କ ସହ ଖୋଲାଖୋଲି ଯୁକ୍ତିତର୍କ କରିଛନ୍ତି।

ଭାରତର ସବୁଠୁ ବଡ ଓକିଲ ଭାବରେ ତାଙ୍କୁ ଆମେ ଦେଖି ଆସିଛୁ। ୯୨ ବର୍ଷ ବୟସ ପର୍ଯ୍ୟନ୍ତ ବିଚକ୍ଷଣ ଦକ୍ଷତାର ସହ ସେ ଅଦାଲତରେ ନିଜର ପକ୍ଷ ରଖିଛନ୍ତି। ରାଜନୀତିରେ ସେ ହାରିଛନ୍ତି ଓ ଜିତିଛନ୍ତି। ଓକିଲ ଭାବରେ ମଧ୍ୟ ହାର ଜିତର ମୁକାବିଲା କରିଛନ୍ତି। ହେଲେ ମଣିଷ ଭାବରେ ନିଜ ସର୍ତ୍ତରେ ସେ ବଞ୍ଚିଛନ୍ତି। ପେଷାଦାର ଓକିଲ ଭାବରେ ଆଇନକୁ ଓ ସମ୍ବିଧାନକୁ ସେ ନିଜ ପାପୁଲିରେ ଆୟତ୍ତ କରି ରଖିଥିଲେ। ତାଙ୍କର ଅବର୍ତ୍ତମାନରେ ଦେଶର ଅଦାଲତ ଗୁଡିକ କେଉଁଠି ନା କେଉଁଠି ଗୋଟେ ଶୂନ୍ୟତା ଅନୁଭବ ନିଶ୍ଚୟ କରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

February 14, 2026

ଭାରତୀୟ ସେନାରେ ଯୋଗଦେବା ପାଇଁ ବଡ଼ ସୁଯୋଗ: ଜାଣନ୍ତୁ ଆବେଦନ ପ୍ରକ୍ରିୟା

February 14, 2026

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026
Latest News

ଆର. ପ୍ରେମଦାସା ଷ୍ଟାଡିୟମରେ ହେବ ଭାରତ ଏବଂ ପାକିସ୍ତାନ ମ୍ୟାଚ: ଜାଣନ୍ତୁ ଉଭୟ ଦଳର ରେକର୍ଡ

February 14, 2026

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

February 14, 2026

ପୁଲୱାମା ଆକ୍ରମଣକୁ ବ୍ଲାକ୍ ଡେ ଭାବେ ପାଳନ

February 14, 2026

ମଙ୍ଗଳାଜୋଡି ଜଳାଶୟରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

February 14, 2026

ଓଡିଆ ଚଳଚ୍ଚିତ୍ର “ବରବଧୂ” ରେ ସମ୍ବଲପୁର ପୁଅ ହାସ୍ୟାଭିନେତା ରିତେନ୍ ପଟ୍ଟନାୟକଙ୍କ କମାଲ୍

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.