Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅର୍ଥନୀତିର ଏ ବିଷମ ସଙ୍କଟରୁ ମୁକୁଳିବାର ବାଟ ସରକାର ଖୋଜୁଛନ୍ତି ନା କେବଳ ଅନ୍ଧାରରେ ବାଡିବୁଲା ଚାଲିଛି ?
ବିଶେଷ ଖବର

ଅର୍ଥନୀତିର ଏ ବିଷମ ସଙ୍କଟରୁ ମୁକୁଳିବାର ବାଟ ସରକାର ଖୋଜୁଛନ୍ତି ନା କେବଳ ଅନ୍ଧାରରେ ବାଡିବୁଲା ଚାଲିଛି ?

September 9, 2019No Comments6 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

ଦେଶର ଅର୍ଥମନ୍ତ୍ରୀ ନିଜେ ସ୍ବୀକାର କରି ସାରିବା ପରେ କାହା ମନରେ ଏଥିନେଇ ଆଉ କୌଣସି ସନ୍ଦେହ ରହିବା ଉଚିତ୍ ନୂହେଁ ଯେ ଦେଶ ଏକ ଭୟଙ୍କର ଆର୍ଥିକ ସ୍ଥିତି ମଧ୍ୟ ଦେଇ ଗତି କରୁଛି । ମାତ୍ର ଏଠାରେ ତାତ୍ପର୍ଯ୍ୟପୁର୍ଣ ପ୍ରଶ୍ନ ହେଉଛି ଯେ ସରକାର କେତେବେଳେ ଏ କଥା ମାନିଲେ ? ଯେତେବେଳେ ପ୍ରମୁଖ ଶିଳ୍ପପତିମାନେ ସରକାର ବିରୋଧରେ କିଛି କହିବା ପାଇଁ ସେମାନଙ୍କର ଥିବା ପାରମ୍ପରିକ ଦ୍ବିଧାକୁ ଛାଡି ଖୋଲାଖୋଲି ଭାବେ ଗଣମାଧ୍ୟମ ଆଗରେ ହତାଶା ଓ କ୍ରୋଧ ପ୍ରକାଶ କରିବାରେ ଲାଗିଲେ ସେତେବେଳେ ଯାଇ ସରକାର ସ୍ବୀକାର କରିବାକୁ ବାଧ୍ୟ ହେଲେ । ଯେତେବେଳେ ଷ୍ଟକ୍ ବଜାର ସୂଚକାଙ୍କ ଦୄତବେଗରେ ଖସିବାରେ ଲାଗିଲା ସେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପରିସ୍ଥିତିକୁ ଆୟତ୍ତ କରିବା ଉଦ୍ଦେଶ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ମାତ୍ର କେଇ ଦିନ ପୂର୍ବେ ବଜେଟରେ ସେ କରିଥିବା ଅନେକ ଗୁଡିଏ ପ୍ରସ୍ତାବ ଗୋଟିକ ପରେ ଗୋଟିଏ କାଢି ନେଲେ ଓ ଆହୁରି ଗୁଡିଏ ନୂଆ ଘୋଷଣା କରି ପକାଇଲେ ।

ଅର୍ଥମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ ଦେଖିବା ପରେ ମନେହେଲା ସତେ ଯେପରି ସେଦିନ ସେ ଏହି ଦୁଇଟି ବର୍ଗକୁ ସମ୍ବୋଧନ କରୁଥିଲେ – ଷ୍ଟକ୍ ବଜାର ଓ ବଡ ବଡ କମ୍ପାନୀର ମାଲିକ । ଶିଳ୍ପପତିମାନେ ସରକାର ସେମାନଙ୍କ କଥା ଶୁଣିଥିବାରୁ ମନକୁ ସନ୍ତୁଷ୍ଟ ଘୋଷଣା କରିଥିବା ସତ୍ତ୍ବେ ସେସବୁ ପଦକ୍ଷେପଗୁଡିକ ପର୍ଯ୍ୟାପ୍ତ ନୁହେଁ ( ଏ ଦିଲ୍ ମାଙ୍ଗେ ମୋର୍ ) ବୋଲି କହିଛନ୍ତି । ଏଣେ ଷ୍ଟକ୍ ବଜାରର ସୁଚକାଙ୍କ ନିତି ଖସିବାରେ ଲାଗିଛି ।

ସରକାରଙ୍କର ଏସବୁ ଘୋଷଣାଗୁଡିକରୁ ସ୍ପଷ୍ଟ ବାରି ହେଉଛି ଯେ ସେମାନେ ପରିସ୍ଥିତିକୁ ବୁଝି ସଠିକ୍ ପଦକ୍ଷେପ ନେବା ପାଇଁ ଯେଉଁ ମନସ୍ତତ୍ବ ଦରକାର ତାହା ଏ ପର୍ଯ୍ୟନ୍ତ ଜୁଟାଇ ପାରି ନାହାନ୍ତି ।

ପ୍ରଥମତଃ ଷ୍ଟକ୍ ବଜାରର ହାଲଚାଲ୍ ଦେଶର ଗୋଟିଏ ବହୁଚର୍ଚ୍ଚିତ ବିଷୟ ହୋଇଥିଲେ ମଧ୍ୟ ଏହା କିନ୍ତୁ ଆର୍ଥିକ ପରିସ୍ଥିତିର ଏକ ନଗଣ୍ୟ ପ୍ରତିଫଳନ । ଉଦାହରଣ ସ୍ବରୁପ, ଗତବର୍ଷ ଦେଶରେ ଯେତେବେଳେ ଘରୋଇ ମାଲିକଙ୍କ ଦ୍ବାରା ଶିଳ୍ପ ଓ ବ୍ୟବସାୟରେ ପୁଞ୍ଜି ନିବେଶ କ୍ରମାଗତ ଭାବେ କମିବାରେ ଲାଗିଥିଲା ସେତେବେଳେ ଷ୍ଟକ୍ ବଜାର କିନ୍ତୁ ଉତ୍ସବର ମିଜାଜରେ ରହିଥିଲା । ବିଦେଶୀ ପୋର୍ଟଫୋଲିଓ ପୁଞ୍ଜିନିବେଶକାରୀଙ୍କ ( FPI – Foreign Portfolio Investors) ଉପରେ ଗତ ବଜେଟରେ ଯେଉଁ ସରଚାର୍ଜ ଲଗା ଯାଇଥିଲା, ସରକାର ଷ୍ଟକ୍ ବଜାରକୁ ଖୁସି କରିବା ପାଇଁ, ସେଦିନ ତାହା ପ୍ରତ୍ୟାହାର କରିବା ସତ୍ତ୍ବେ ସେମାନେ କିନ୍ତୁ ଷ୍ଟକ୍ ବଜାରରୁ ନିଜର ନିବେଶ କାଢିବାରେ ଲାଗିଛନ୍ତି । ଏହାର ମୂଳ କାରଣ ହେଉଛି ଭାରତର ଆର୍ଥିକ ଅଭିବୄଦ୍ଧି ଓ ଲାଭର ସମ୍ଭାବନା ଉପରେ ସେମାନେ ଆଉ ଭରଷା କରି ପାରୁ ନାହାନ୍ତି ।
ବଜେଟ ଘୋଷଣା ଠାରୁ ଆଜି ପର୍ଯ୍ୟନ୍ତ ସେମାନେ ପ୍ରାୟ ୧୧ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରି ସାରିଲେଣି ।

ଏଣେ ବିକ୍ରି ହ୍ରାସରେ ଗତ ୧୯ ବର୍ଷର ରେକର୍ଡ ଭାଙ୍ଗିଥିବା ଅଟୋମୋବାଇଲ୍ ଶିଳ୍ପକୁ ଶକ୍ତିବର୍ଦ୍ଧକ ଉଦ୍ଦୀପନା ଯୋଗାଇବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ସେମାନଙ୍କ ପାଖରେ ଗଚ୍ଛିତ ଥିବା ବିଏସ୍-୪ ଯାନର ବ୍ୟବହାର ଉପରେ ଲଗାଯାଇଥିବା କଟକଣା ପ୍ରତ୍ୟାହାର କରାଗଲା , ସରକାର ବି ଏଣିକି ସେସବୁ କିଣିବାକୁ ରାଜି ହେଲେ ଏବଂ ସେମାନଙ୍କ ପାଇଁ ଥିବା ଟିକସ ରିହାତିକୁ ଦୁଇଗୁଣ କରାଗଲା । କମ୍ପାନୀମାନଙ୍କ ଦ୍ବାରା ସି.ଏସ୍.ଆର୍ ପାଣ୍ଠି ବ୍ୟବହାର ନ କରିବାକୁ ଆଉ ଅପରାଧ ବୋଲି ଧରାଯିବ ନାହିଁ । ବ୍ୟାଙ୍କମାନେ କେମିତି ସେମାନଙ୍କୁ ସହଜରେ ୠଣ ଦେବେ ସେଥିପାଇଁ ବ୍ୟବସ୍ଥାକୁ ଏତେ କୋହଳ କରି ଦିଆଗଲା ଯେ ଯଦି କୌଣସି ବ୍ୟାଙ୍କ ଅଧିକାରୀ ୠଣ ପ୍ରଦାନ ବେଳେ ଜାଣିଶୁଣି ଅସାବଧାନତା ଦେଖାଇଥାଏ, ଯେମିତି ବିଜୟ ମାଲ୍ୟା ଓ ଅନ୍ୟ ପଳାତକଙ୍କ କ୍ଷେତ୍ରରେ ଦେଖା ଯାଇଥିଲା, ତାହାଲେ ସେହି ଅଧିକାରୀଙ୍କ ବିରୁଦ୍ଧରେ କୌଣସି ଶୄଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କିମ୍ବା ତଦନ୍ତ ହେବ ନାହିଁ ବୋଲି ଅଭୟ ବାଣି ଶୁଣାଇ ଦିଆଗଲା । କମ୍ପାନୀଗୁଡିକୁ ୠଣ ଯୋଗାଇବା ପାଇଁ ବ୍ୟାଙ୍କଗୁଡିକ ପାଖରେ କାଳେ ଟଙ୍କାର ଅଭାବ ରହିବ ସେଥିପାଇଁ ସରକାର ଖୁବ୍ ଶୀଘ୍ର ସେମାନଙ୍କୁ ପୂର୍ବରୁ ଘୋଷିତ ୭୦ ହଜାର କୋଟୀ ଟଙ୍କାର ପୁଞ୍ଜି ଯୋଗାଇ ଦେବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କଲେ ।

ମାତ୍ର ଏସବୁ ଘୋଷଣା କ’ଣ ଅର୍ଥନୀତିକୁ ସଞ୍ଜିବନୀ ଯୋଗାଇବାରେ ସଫଳ ସାବ୍ୟସ୍ତ ହେବ ? ସେହି କମ୍ପାନୀ ମାଲିକମାନଙ୍କ ମଧ୍ୟରୁ ଜଣେ, ବଜାଜ୍ ଅଟୋକମ୍ପାନୀର ମାଲିକ, ରାହୁଲ୍ ବଜାଜ୍ ତାଙ୍କର ଚିରାଚରିତ ରୋକଠୋକ ଢଙ୍ଗରେ ଯେଉଁ ବୟାନ ଦେଇଛନ୍ତି ତାହା ଏହି ପ୍ରଶ୍ନର ଉତ୍ତର ଦେଇ ପାରିବ ।

ସେ କହିଛନ୍ତି “ଯଦି ଡିମାଣ୍ଡ ନାହିଁ ଓ ଘରୋଇ ପୁଞ୍ଜି ନିବେଶ ନାହିଁ, ଆର୍ଥିକ ଅଭିବୄଦ୍ଧି କେଉଁଠାରୁ ଆସିବ ? କ’ଣ ଆକାଶରୁ ଖସିବ ?”

ଉଭୟ ଜିଡିପି ଅଭିବୄଦ୍ଧି ହାର ୫%କୁ ଖସିଯିବାର କାରଣ ଓ ମାନ୍ଦାବସ୍ଥାକୁ ବୁଝିବା ଆଦୌ ଜଟିଳ କଥା ନୁହେଁ । ଲୋକଙ୍କ ପାଖରେ ଜିନିଷ କିଣିବା ପାଇଁ ଟଙ୍କା ନାହିଁ । ଫଳରେ ଦୋକାନୀର ବିକ୍ରୀ କମିଯାଇଛି । ତେଣୁ ଦୋକାନୀ ହୋଲସେଲର ଠାରୁ ଷ୍ଟକ ଉଠାଉ ନାହିଁ । କାରଖାନା ମାଲିକ ହୋଲସେଲରକୁ ଉତ୍ପାଦିତ ଜିନିଷ ଦେଉ ନଥିବାରୁ ତା’ର ଉତ୍ପାଦନ କମ୍ କରୁଛି । ସେଥିପାଇଁ ସେ ଶ୍ରମିକ ଛଟେଇ କରୁଛି । ବ୍ୟାପକ ଛଟେଇ ଯୋଗୁଁ ଲୋକଙ୍କ ହାତକୁ ଟଙ୍କା ଆସୁନାହିଁ ଏବଂ ସେମାନେ ଜିନିଷ କିଣୁ ନାହାନ୍ତି । ଏହା ହେଉଛି ବର୍ତ୍ତମାନ ପରିସ୍ଥିତିକୁ ବର୍ଣନା କରୁଥିବା ଚକ୍ରର ଏକ ସରଳ ନମୂନା ଯାହା ଯେ କେହି ବୁଝି ପାରିବ । ମାତ୍ର ଦୁଃଖର କଥା, ସରକାର ଏହା ବୁଝୁ ନାହାନ୍ତି କିମ୍ବା ବୁଝି ଅବୁଝା ରହୁଛନ୍ତି ନଚେତ୍ ବୁଝିବାର କ୍ଷମତା ହରାଇଛନ୍ତି ।

ବର୍ତ୍ତମାନ ସରକାରଙ୍କ ସ୍ତାବକମାନେ କହୁଛନ୍ତି ଯେ ଏହି ଆର୍ଥିକ ମାନ୍ଦା ଅବସ୍ଥା ଏକ ସ୍ବାଭାବିକ ଆର୍ଥିକ ଚକ୍ରର ଅଂଶ ଅଟେ । ଅର୍ଥାତ୍ ଏହା ଆପେ ଆସିଛି ଓ ଆପେ ଚାଲିଯିବ । ଆଉ କେତେକ ସରକାରୀ ଅର୍ଥଶାସ୍ତ୍ରୀଙ୍କ କହିବା ଅନୁଯାୟୀ ବୈଦେଶିକ ଆର୍ଥିକ ଘଟଣାବଳୀର ପ୍ରଭାବ ଭାରତର ଅର୍ଥନୀତିରେ ପ୍ରତିକୂଳ ପ୍ରଭାବ ପକାଇଛି । ଏହା ଆଂଶିକ ଭାବେ ସତ ହୋଇପାରେ । ମାତ୍ର ଏ ଘଟଣାବଳୀର ପ୍ରକୋପ ଏତେ ନୁହେଁ ଯାହା ଯୋଗୁଁ ୨୦୦୮ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ପୄଥିବୀର ଅନେକ ଦେଶ ଉପରେ ଆର୍ଥିକ କରାଳ ପ୍ରଭାବ ପଡିଥିଲା । ବହୁ ଚର୍ଚ୍ଚିତ ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧ ଭିଏତନାମ୍ , ଫିଲିପାଇନ୍ସ, ବଙ୍ଗଳାଦେଶ ଆଦି ଦେଶ ପାଇଁ ବରଦାନ ସଦୄଶ ହୋଇଛି । ମାତ୍ର ଭାରତ ତାହାର ସୁଯୋଗ ନେଇ ପାରି ନାହିଁ । ଗତ ଏପ୍ରିଲ୍-ଜୁନ୍ ତ୍ରୈମାସିକ ପାଇଁ ଏସିଆର ପ୍ରାୟ ପ୍ରତ୍ୟେକ ଦେଶର ଜିଡିପି ବୄଦ୍ଧି ଦର ଭାରତଠାରୁ ଅଧିକ ହୋଇଛି । ତା’ ଛଡା ମୋଦୀ ସରକାର ତା’ର ସମୂଦାୟ ସାଢେ ୫ ବର୍ଷ କାଳ ମଧ୍ୟରେ ବିଦେଶରୁ ପୂର୍ବାପେକ୍ଷା ଅତି କମ୍ ଦରରେ କଞ୍ଚାତେଲ କିଣି ଆମଦାନୀ ଉପରେ ଚାପ କରିବାର ସୁଯୋଗ ପାଇବା ପରେ ଏବେ ନିଜର ଭୁଲ୍ ପାଇଁ ବୈଦେଶିକ କାରଣକୁ ଦୋଷ ଦେବା ଉଚିତ୍ ନୁହେଁ ।

୨୦୧୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଆନିମଲ୍ ସ୍ପିରିଟ୍ କଥା କହିଥିଲେ ଯେଉଁଥି ପାଇଁ ନିୟମ କାନୁନ ଓ ସାବଧାନତାକୁ ଝରକା ଦେଇ ବାହାରେ ଫିଙ୍ଗି ଅନେକ ଲୋକଙ୍କୁ ୠଣ ଦିଆଯାଇଥିଲା । ସେତେବେଳେ ବି ଦେଶରେ ଚାହିଦା ବା ଡିମାଣ୍ଡ କମ୍ ଥିବାରୁ ସେସବୁ ୠଣରେ ଗଢି ଉଠିଥିବା କମ୍ପାନୀଗୁଡିକ କ୍ଷତିଗ୍ରସ୍ତ ହେଲେ ଯାହା ଫଳରେ ଅନାଦେୟ ୠଣ ଯୋଗୁଁ ବ୍ୟାଙ୍କଗୁଡିକ ରୁଗ୍ଣ ହେଲେ ଯାହାର ପରିଣାମ ଆଜି ବି ଅନୁଭୁତ ହେଉଛି । ଆଜିର ସରକାର ବି ସେହି ଆନିମଲ୍ ସ୍ପିରିଟର କଥା କହି ବ୍ୟାଙ୍କ ଅଧିକାରୀମାନଙ୍କୁ କମ୍ପାନୀମାନଙ୍କୁ ୠଣ ଦେବାବେଳେ ବେପରୁଆ ହେବା ପାଇଁ ଉତ୍ସାହିତ କରୁଛି ।

ଦୀର୍ଘ ଦିନ ଧରି ମୋଦୀ ସରକାର ବ୍ୟାଙ୍କଗୁଡିକର ଆଦାୟ ହୋଇ ପାରୁନଥିବା ୠଣର ପାହାଡ ଉପରେ ଚୁପ୍ ହୋଇ ବସି ରହିବା ପରେ ଆଜି ସରକାରୀ ବ୍ୟାଙ୍କଗୁଡିକୁ ୭୦ ହଜାର କୋଟି ଟଙ୍କାର ପୁଞ୍ଜି ଦେବାକୁ ଯାଉଛି । ମାତ୍ର ଏହି ସାନି ପୁଞ୍ଜି ଯୋଗାଣ ଏକ ବହୁ ବିଳମ୍ବିତ ଓ ଅଯଥେଷ୍ଟ ପଦକ୍ଷେପ । ତଥାପି ଏହାର ମାନେ ନୁହେଁ ଯେ କମ୍ପାନୀମାନଙ୍କୁ ୠଣ ଦେବା ପାଇଁ ବ୍ୟାଙ୍କଗୁଡିକ ପାଖରେ ଟଙ୍କା ନାହିଁ । ଅସଲ ସମସ୍ୟା ହେଉଛି ଅଧିକାଂଶ କମ୍ପାନୀଗୁଡିକ ପାଖରେ ଶିଳ୍ପର ବିସ୍ତାର କିମ୍ବା ନୂଆ ଶିଳ୍ପ ସ୍ଥାପନର କୌଣସି ଯୋଜନା ନ ଥିବାରୁ ସେମାନେ ବ୍ୟାଙ୍କରୁ ୠଣ ନେବାକୁ ଆସୁ ନାହାନ୍ତି । କାରଣ ସେମାନେ ଜାଣିଛନ୍ତି ଯେ ଲୋକଙ୍କର କ୍ରୟ ଶକ୍ତି ନଥିବାରୁ ସେମାନଙ୍କ ଜିନିଷ ବିକ୍ରୀ ହେବ ନାହିଁ ।

ଦୀର୍ଘ ପ୍ରାୟ ଦେଢ ଦଶନ୍ଧି ହେବ କୄଷି ସଙ୍କଟ ଅଧିକରୁ ଅଧିକ ଉତ୍କଟ ହୋଇ ଚାଲିଥିବା ବେଳେ ମୋଦୀ ସରକାର କୌଣସି ପଦକ୍ଷେପ ନ ନେଇ ଚାଷୀ ମୄତ୍ୟୁ ସମ୍ବନ୍ଧୀୟ ତଥ୍ୟକୁ ନଷ୍ଟ କରିଦେଲେ । ସାରା ଦେଶର ମୁଦ୍ରାସ୍ଫିତି କମ୍ ରଖିବାର ବୋଝ ଦେଶର କୄଷକମାନଙ୍କ ମୁଣ୍ଡରେ ଲଦି ଦେଇ ଧାନ ଓ ଗହମର ସମର୍ଥନ ମୂଲ୍ୟକୁ ଜାଣିଶୁଣି କମ୍ ରଖିଲେ । ଯଦି ଜନସଂଖ୍ୟାର ୫୦% ଥିବା ଏହି କୄଷକମାନଙ୍କ ହାତକୁ ଦୁଇ ପଇସା ନ ଆସିଲା ତେବେ କ୍ରୟଶକ୍ତି କୁଆଡୁ ଆସିବ ?

ନୋଟବନ୍ଦୀ ଓ ଜିଏସଟି ଭଳି ଲଗାତର ଚଡକ ଫଳରେ କ୍ଷୁଦ୍ର, ମଧ୍ୟମ ଓ ଅନୌପଚାରିକ କ୍ଷେତ୍ରକୁ ଧ୍ବଂସ କରି ଦିଆଗଲା । ଦେଶର ୮୫% ରୋଜଗାର ଏହି ଅନୌପଚାରିକ କ୍ଷେତ୍ରରୁ ଆସିଥାଏ । ତେଣୁ କ୍ରୟଶକ୍ତି କେଉଁଠାରୁ ଆସିବ ?

ଯଦି ନିର୍ବାଚନ ଜିତିବା ପାଇଁ ସରକାରୀ ଦଳ ଏକ ସ୍ଲୋଗାନ୍ ପ୍ରଚାର କରେ ଯେ ‘ଆଧି ରୋଟି ଖାଏଙ୍ଗେ ମୋଦିଜୀ କୋ ଜିତାଏଙ୍ଗେ’ ତାହାର ଅର୍ଥ ହେଲା ଦେଶରେ କ୍ରୟଶକ୍ତି କମିବା ବିଷୟରେ ସରକାର ଭଲଭାବେ ଅବଗତ ଥାଇ ମଧ୍ୟ ବେପରୁଆ ଥିଲା ।ଏବେ ଷ୍ଟକ୍ ବଜାର ସୁଚକାଙ୍କ କମିବା ପରେ ଓ କମ୍ପାନୀ ମାଲିକମାନଙ୍କ ବିଷେଦ୍ଗାର ପରେ ଯାଇ ସରକାର ଏହା ସ୍ବୀକାର କରିବାକୁ ରାଜି ହେଲା ।

ବର୍ତ୍ତମାନ ସରକାର ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ନେଉଥିବା ପଦକ୍ଷେପଗୁଡିକର ପ୍ରାଥମିକତା ବିଷୟରେ ଆଉ ଥରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ସୂଧ ହାର ହ୍ରାସ କରି କମ୍ପାନୀମାନଙ୍କୁ ୠଣ ପାଇଁ ଆକୄଷ୍ଟ କରିବା କିମ୍ବା ଟିକସରେ ରିହାତି ଦେବା ଆଦୌ ପ୍ରଭାବ ପକାଇବ ନାହିଁ । ଅନ୍ୟ ପକ୍ଷରେ ଜମି ଅଧିଗ୍ରହଣକୁ ସହଜ କରିବା ଓ ଶ୍ରମ୍ ଆଇନର ସଂସ୍କାର ନାଁରେ ଶ୍ରମିକଙ୍କୁ ଆହୁରି ନିର୍ଯ୍ୟାତିତ କରିବା ପରିସ୍ଥିତିକୁ ଆହୁରି ବିଗାଡିବ । ଇନଫ୍ରାଷ୍ଟ୍ରକ୍ଚର ବା ଭିତ୍ତିଭୂମୀ, ଶିକ୍ଷା, ସ୍ବାସ୍ଥ୍ୟ ଓ ସାଧାରଣ ଲୋକଙ୍କ ପାଇଁ ତୁରନ୍ତ ରୋଜଗାର ସୄଷ୍ଟି କରୁଥିବା ସମସ୍ତ କ୍ଷେତ୍ରରେ ସରକାର ଟଙ୍କା ଖର୍ଚ୍ଚ କରନ୍ତୁ । ଦେଶରେ ତୁରନ୍ତ ଡିମାଣ୍ଡ ବା ଚାହିଦା ବଢାଇବା ସରକାରଙ୍କର ଏକମାତ୍ର ବଡ ଲକ୍ଷ ହେଉ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025

ଭାରତକୁ ଶତ୍ରୁ ପରି ବ୍ୟବହାର କରିବା ରଣନୈତିକ ଭୁଲ’: ଟ୍ରମ୍ଫଙ୍କୁ ଭର୍ତ୍ସନା କଲେ ନିକି ହେଲି

August 21, 2025
Latest News

ପ୍ରଦେଶ କଂଗ୍ରେସ ଗଠନ କଲା ସୃଜନ କମିଟି ଓ ୱାର ରୁମ କମିଟି, ଜାଣନ୍ତୁ ଏହା କଣ

August 21, 2025

ପୁଣି ଓଡିଶାକୁ ଫେରିବ ପୋସ୍କୋ, କେନ୍ଦୁଝରରେ କରିବ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

August 21, 2025

‘କର୍ମଚାରୀ ସଂକଳ୍ପ ସମ୍ମିଳନୀ’କୁ ସମ୍ବୋଧନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

August 21, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.