ପଞ୍ଚାନନ କାନୁନଗୋ
ଭାରତରେ ବହୁଦିନ ଧରି ଗୋଟିଏ ଗଣତାନ୍ତ୍ରିକ ବିଡ଼ମ୍ବନା ଦୃଶ୍ୟମାନ ହେଲା । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଅସ୍ଥିରତା ଦେଖାଦେଲା । ନିର୍ବାଚିତ ପ୍ରତିନିଧିମାନେ ବାରମ୍ବାର ଦଳ ବଦଳ କରି ଅସ୍ଥିରତା ସୃଷ୍ଟି କଲେ । ଫଳତଃ ଗୋଟିଏ ନବବାର୍ତ୍ତା “ଆୟାରାମ ଗୟାରାମ”ର ସୁତ୍ରପାତ ହେଲା । ଏପରି ଏକ ଲଜ୍ଜାଜନକ ପରିସ୍ଥିତିରୁ ମୁକୁଳିବା ପାଇଁ ଦେଶବ୍ୟାପୀ ସଚେତନତା ସୃଷ୍ଟି ହେଲା । ପରିଣାମ ସ୍ୱରୂପ ସମ୍ବିଧାନର ଧାରା ୧୦୨(୨) ଏବଂ ୧୯୨(୨)କୁ ସଜଡ଼ାଯାଇ ଦଳବିରୋଧି ଆଇନ ପ୍ରସ୍ତୁତ ହେଲା । ଏହା ସଂବିଧାନର ୧୦ମ ପରିଚ୍ଛଦରେ ସ୍ଥାନିତ ହେଲା । ପୋଲିସ୍ ଡାଳେ ଡାଳେ ଗଲେ, ଚୋରମାନେ ପତରେ ପତରେ ଯିବାର ବାଟ ଖୋଜିଲାପରି ନୀତିହିନ ରାଜନେତାମାନେ ଏବେ ନୂଆ ବାଟମାନ ବାହାର କଲେଣି । ଦଳବଦଳର ଏକ ସୁଚିନ୍ତିତ ପ୍ରକ୍ରିୟା ଜାହିର କରି ଲୋକ ପ୍ରତିନିଧିମୂଳକ ବ୍ୟବସ୍ଥାକୁ ଅସ୍ଥିର କରି ନିଜ ଇଚ୍ଛାରେ ଚଳାଇବାର ବ୍ୟବସ୍ଥା କଲେଣି ।
ଏବେ ତାର ପ୍ରମାଣ ଗୋଆ ଓ ରାଜସ୍ଥାନରେ ମିଳି ସାରିଲାଣି । ପୁନଶ୍ଚ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଉଦ୍ୟମ ଆରମ୍ଭ ହେଲା । ସଂଖ୍ୟାହୀନ ଥାଇ ସରକାର ଗଢ଼ିଥିବା ବି.ଜେ.ପି. ସରକାର ଅନ୍ୟଦଳ ମାନଙ୍କର ସହାୟତା ନେଇଛି । କାଳେ କେହି କ୍ଷୁଦ୍ରଦଳ ହାତ ଛାଡ଼ିଦେଲେ ସରକାର ଭାଙ୍ଗିଯିବ, ସେହି ଭୟରେ ମୁଖ୍ୟ ଦାବୀଦାର ଦଳ, କଂଗ୍ରେସର 4ଜଣ ସଦସ୍ୟଙ୍କୁ କେବଳ ଦଳରୁ ନୁହେଁ, ବିଧାନସଭାରୁ ଇସ୍ତଫା ଦେଇଦେଲେ, ଫଳତଃ ଏମାନେ ବହିଷ୍କୃତ ନ ହୋଇ ପୁନଃ ନିର୍ବାଚିତ ହେବାର ସୁଯୋଗ ପାଇଲେ । ଦାବୀଦାର ଦଳଙ୍କ କଂଗ୍ରେସର ସଂଖ୍ୟା କମାଇ ଦିଆଗଲା । ଯେଉଁଠି ସରକାର ଅଛି ତାକୁ ଭାଙ୍ଗିବାକୁ ହେଲେ ସରକାରରେ ଥିବା ଦଳ ବା ଗଠବନ୍ଧନର ସଂଖ୍ୟା କମାଇଦେବାର ପ୍ରଚେଷ୍ଟା ଚାଲୁଛି । ସେଥିରୁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଅର୍ଥାତ୍ ଦଳର ୨/୩ଅଂଶ ସଦସ୍ୟ ଅଲଗା ହେବାର ଇଚ୍ଛା ପ୍ରକାଶ ନକଲେ କିଛି ସଦସ୍ୟଙ୍କୁ ଇସ୍ତଫା କରେଇ ଦିଆଯାଉଛି । ଗୃହର ମୋଟ ସଂଖ୍ୟା କମେଇ ଦେଇ ନୂଆ ସରକାର ଗଠନର ହୀନ ଓ ଅଗଣତାନ୍ତ୍ରିକ ଉଦ୍ୟମ ଆରମ୍ଭ ହେଉଛି ଏବଂ ଯେକୌଣସି ପ୍ରକାରରେ ସରକାର ଗଠନ ହେବା ପରେ ଏହି ଖାଲି ପଡ଼ିଥିବା ସ୍ଥାନମାନଙ୍କରେ ଉପନିର୍ବାଚନ କରାଯାଉଛି । ସରକାରରେ ଥିବା ଦଳ ନିଜ ପକ୍ଷର ପ୍ରାର୍ଥୀଙ୍କୁ ଜିତାଇ ଆଣିବା ଦେଖାଯାଉଛି । ଏପରି ଅବସ୍ଥା ଯେ ସରକାର ଗଠନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳ ମଧ୍ୟରେ ଦେଖାଯାଉଛି ତା ନୁହେଁ । ଏପରି ହୀନ ଚକ୍ରାନ୍ତ ମଧ୍ୟ ଗୋଟିଏ ଦଳର ଆଭ୍ୟନ୍ତରୀଣ କ୍ଷମତା କନ୍ଦଳ ହେତୁ ଘଟୁଥିବା ଦେଖାଯାଉଛି । ଓଡ଼ିଶା ବିଧାନସଭାରେ ବିରୋଧି ଦଳର ମାନ୍ୟତା ହାସଲପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୧୪+, ସେହି ଆଧାରରେ ବିରୋଧି ଦଳ ନେତା ଭାବେ ଥିବା ଶ୍ରୀ ନରସିଂହ ମିଶ୍ରଙ୍କୁ ହଟାଇବାର ଚକ୍ରାନ୍ତ ହେଲା । ଜଣେ ସଦସ୍ୟ ଶ୍ରୀ ସଗରିଆ ହଠାତ୍ ବିଧାନସଭା ପଦରୁ ଇସ୍ତଫା ଦେଇଦେଲେ । ଆବଶ୍ୟକ ସଂଖ୍ୟା ନ ରହିଲେ ଶ୍ରୀ ନରସିଂହ ମିଶ୍ର ବିଦା ହୋଇ ଯାଇଥାନ୍ତେ । ହେଲେ ତାଙ୍କର ଭାଗ୍ୟକୁ ଜଣେ ସ୍ୱାଧୀନ ସଦସ୍ୟ (ସମତାକ୍ରାନ୍ତି)ର ଶ୍ରୀ ଜର୍ଜ ତିର୍କୀ ହଠାତ୍ କଂଗ୍ରେସରେ ମିଶିଗଲେ । ଆବଶ୍ୟକ ସଂଖ୍ୟକ ସଦସ୍ୟ ଥିବାରୁ ଶ୍ରୀ ମିଶ୍ର ବିରୋଧି ଦଳର ନେତାଭାବେ ପୂର୍ବ ସ୍ଥାନ ସୁରକ୍ଷିତ ରଖିପାରିଲେ ।
ଏପରି ହଟଚମଟ ପ୍ରକ୍ରିୟା ଯେ ‘ଦଳବଦଳ’ କୁପ୍ରଥାକୁ ବଞ୍ଚାଇ ରଖିଛି, ଏ କଥା ଧରିନେବାକୁ ହେବ ।
ଏଥି ସହିତ ନିର୍ବାଚନ ସମୟର ଘଟଣା ଏକ ଚିରାଚରିତ ଋତୁ ପରି ଆସିଯାଇଥାଏ । ବିଭିନ୍ନ ଦଳରୁ ବିଧାୟକ ଥା’ନ୍ତୁ ବା ନଥାନ୍ତୁ ନେତାମାନେ ବେଳକାଳ ଉଣ୍ଡି ଅନ୍ୟ ଦଳରେ ଯୋଗ ଦେଇଥାନ୍ତି । ଏଥିରେ କାହାରି କିଛି ଆପତ୍ତି କରିବାର ନାହିଁ । କାରଣ ସେ ନିଜ ଦଳର ଆଦର୍ଶଗତ ବିଚ୍ୟୁତି ହେତୁ ହେଉ ଅବା ନିଜର ଆତ୍ମସମ୍ମାନ ଜନିତ କାରଣ ହେତୁ ହେଉ ଦଳ ଛାଡ଼ିପାରନ୍ତି । ଏଥିରେ ଲୋକମତର ଦ୍ୱାହୀ ଦେଇଥିବା ବ୍ୟକ୍ତି ଜାଣିବା ଦରକାର ଯେ ଏହା କିପରି ସେ ସଂଗ୍ରହ କଲେ ତାର ଚିତ୍ର ପରିଷ୍କାର କରିବା ଦରକାର । ନଚେତ୍ ସେ ଯେ ନିଜର କୌଣସି ସୁବିଧାପାଇଁ ଏହା କରୁଛନ୍ତି ସେପରି ବୁଝିବାକୁ ହୋଇଥାଏ । ଗୋଟିଏ ଦଳ ଏହାଦ୍ୱାରା ହଠାତ୍ ଚମକି ଉଠିଥାଏ ଏବଂ ସେହି ସମୟର ନିର୍ବାଚନ ପ୍ରକ୍ରିୟାରେ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ହୁଏ । ନିଜର ଘର ଭୁଷୁଡ଼ି ପଡ଼ୁଥିବାରୁ ଜନସାଧାରଣ ଦୂରେଇ ରହିବାର ଆଶଙ୍କା ଥାଏ । ଏଥିପାଇଁ ଦଳଟି କ୍ଷତି ସହିବାର ଆଶଙ୍କା ଥାଏ । ଅବଶ୍ୟ ଗଣତାନ୍ତ୍ରିକ ପରମ୍ପରାରେ ଲୋକମାନଙ୍କ ରାୟ ବା ସିଦ୍ଧାନ୍ତ ହେଉଛି ସର୍ବୋଚ୍ଚ । ସେମାନେ ଏପରି ଆଚରଣ କରୁଥିବା ନେତାମାନଙ୍କୁ ପାନେ ଚଖାଇଥାନ୍ତି । ଓଡ଼ିଶାରେ ତାର ଏକ ଉଦାହରଣ ଅଛି । ଗତ ୨୦୧୪ ନିର୍ବାଚନବେଳେ ଏପରି ଦଳବଦଳ କରିଥିବା ବ୍ୟକ୍ତିକୁ ତାଙ୍କ ନିର୍ବାଚନମଣ୍ଡଳୀର ଭୋଟଦାତାମାନେ ପରାଜୟର ସ୍ୱାଦ ଚଖାଇଥିଲେ । ସେ ପୂର୍ବରୁ ଯେଉଁ ଦଳର ପ୍ରାର୍ଥୀଭାବେ ତିନିଥର ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଜିତିଥିଲେ, ଯୋଗ ଦେଇଥିବା ନୂଆ ଦଳର ଅନୁକୁଳ ପରିସ୍ଥିତିରେ ଅତ୍ୟନ୍ତ ଅଧିକ ସୁବିଧା ପାଇ ମଧ୍ୟ ହାରିଗଲେ । ସେ ଥିଲେ କଂଗ୍ରେସ ଦଳର ବ୍ରଜରାଜନଗର ସଦସ୍ୟ ଶ୍ରୀ ଅନୁପ ସାଏ । ଏପରି ଏକ ଗଣତାନ୍ତ୍ରିକ ବିଡ଼ମ୍ବନାକୁ ଏଡ଼େଇବାକୁ ହେଲେ ଲୋକ ପ୍ରତିନିଧିମୂଳକ ଆଇନର ପରିବର୍ତ୍ତନ ହେବା ଆବଶ୍ୟକ । ଜଣେ ଦଳ ତ୍ୟାଗକରି ଅନ୍ୟ ଦଳରେ ସାମିଲ ହେବାକୁ ଚାହିଁଲେ ଯେଉଁ ଦଳରେ ଅଛନ୍ତି ସେହି ଦଳର ସଦସ୍ୟ ପଦରୁ ଅନ୍ତତଃ ୬ମାସ ପୂର୍ବରୁ ଛାଡ଼ିଥିବେ । ତା’ର ପ୍ରମାଣପତ୍ର ନଦେଲେ କୌଣସି ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ । ପ୍ରାର୍ଥୀ ହେବା ନିମନ୍ତେ ଏହା ତାଙ୍କର ଅଯୋଗ୍ୟତା ବୋଲି ବିଚାର କରିବାକୁ ହେବ । ଅଧିକନ୍ତୁ କୌଣସି ବ୍ୟକ୍ତି ନିର୍ବାଚନ ଘୋଷଣାର ୬ ମାସ ପୂର୍ବରୁ ଦଳର ପ୍ରାଥମିକ ସଦସ୍ୟ ନ ହୋଇଥିଲେ ତାଙ୍କର ପ୍ରାର୍ଥୀପତ୍ର ଯାଞ୍ଚ୍ ବେଳେ କାଟ୍ ଖାଇବା ଦରକାର । ଏଥିପାଇଁ ଲୋକ ପ୍ରତିନିଧିମୂଳକ ଆଇନରେ ଆବଶ୍ୟକ ସଂଶୋଧନ ହେବା ଦରକାର ।
ଏମ୍.-୭୧, ମଧୁସୂଦନ ନଗର, ଭୁବନେଶ୍ୱର-୭୫୧୦୦୧
ମୋ. : ୯୪୩୮୩୬୦୮୪୯