
କେଦାର ମିଶ୍ର
ଯେଉଁ ଭାରତୀୟ ମାନେ ସ୍ବାଧୀନତା ଅନ୍ଦୋଳନ ଅଥବା ସ୍ବାଧୀନତା ପରେ ପରେ ଜନ୍ମ ହେଇଥିଲେ, ସେମାନେ ଭାରତୀୟ ରାଜନୀତିର ଅସ୍ଥିରତା ଓ ଦୋଦୁଲ୍ୟମାନ ସ୍ଥିତି ଦେଖିନଥିଲେ.। ସେମାନଂକ ଆଗରେ ଜଣେ ବିଶାଳକାୟ ନେତା ଥିଲେ, ଯାହାଂକର କୌଣସି ବିକଳ୍ପ ନଥିଲା। ୧୯୪୭ ରୁ ୧୯୬୪, ସତର ବର୍ଷ ଧରି ପଣ୍ଡିତ ଜବାହରଲାଲ ନେହେରୁଂକୁ ଦେଶର ସର୍ବଶ୍ରେଷ୍ଠ ନେତା, ଶାସକ ଓ ଗଣତନ୍ତ୍ର ର ମହାନାୟକ ଭାବରେ ଦେଖିଲାବେଳେ ତାଂକ ଆଗରେ ବିକଳ୍ପ ହୋଇ ଛିଡା ହେଲା ଭଳି ନେତୃତ୍ବ କାହାର ନଥିଲା। ଯଦିଓ ସେଇ ସମାନ ସମୟରେ ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଇ ଏମ ଏସ ନମ୍ବୁଦ୍ରିପାଦଙ୍କ ଭଳି ନେତା କଂଗ୍ରେସ ବାହାରେ ରହି ବେଶ ଚର୍ଚ୍ଚିତ ଓ ନେହେରୁଂକ ସମାଲୋଚକ ଭାବରେ ବେଶ ଜଣା ଶୁଣା, ତଥାପି ଶାସନତନ୍ତ୍ରରେ ଓ ଭୋଟ ରାଜନୀତିରେ ନେହେରୁ ନିର୍ବିକଲ୍ପ ନେତା। ସେତେବେଳେ କଂଗ୍ରେସ ଭିତରେ ବି କିଛି କମ ବଡ ନେତା ନଥିଲେ, ହେଲେ ପଣ୍ଡିତଜୀଙ୍କ ବରଗଛ ତଳେ ଆଉ କେହି ଉଧେଇପାରିବାର ସମ୍ଭାବନା ନଥିଲା। ନେହେରୁଂକ ପରେ ଅଳ୍ପ ସମୟ ଲାଗି ଲାଲ ବାହାଦୁର ଶାସ୍ତ୍ରୀ ନିଜ ସରଳତା ଓ ଦୃଢ଼ତା କାରଣରୁ ନେତୃତ୍ବର ନୂତନ ପରିଭାଷା ନିର୍ମାଣ କରିବାରେ ସଫଳ ହୋଇଥିଲେ। ୧୯୪୭ ରୁ ୧୯୮୪ ପର୍ଯନ୍ତ ଦେଶବାସୀ ମାତ୍ର ପାଂଚ ଜଣ ପ୍ରଧାନମତ୍ରୀ ଦେଖିଥିଲେ। ନେହେରୁ, ଶାସ୍ତ୍ରୀଜୀ,ଇନ୍ଦିରା ଗାନ୍ଧୀ ଓ ମୋରାରଜୀ ଭାଇ ଦେଶାଇ। ମଝିରେ ଅଳ୍ପ ସମୟ ଲାଗି କାମ ଚଳା ପ୍ରଧାନମତ୍ରୀ ଭାବରେ ଗୁଲାଜାରୀ ଲାଲ ନନ୍ଦା ଦାୟିତ୍ବ ନିର୍ବାହ କରିଥିଲେ। ନେହେରୁଂକ ବ୍ୟକ୍ତିତ୍ବର ଏକ ଅଦଭୁତ ପ୍ରଭାବ ଭାରତୀୟ ରାଜନୀତି ରେ ରହିଥିଲା। ଇନ୍ଦିରା ଗାନ୍ଧୀ ନେହେରୁଂକ ପ୍ରଭାବ ରୁ ମୁକ୍ତ ହୋଇ ଏକ ସ୍ବତନ୍ତ୍ର ନେତୃତ୍ବ ପ୍ରତିଷ୍ଠା କରିବାକୁ ଢେର ସମୟ ଲାଗିଥିଲା। ମୋଟାମୋଟି ପ୍ରଥମ ୪୭ ବର୍ଷ ଭାରତୀୟ ରାଜନୀତିରେ ଆମେ ଯେଉଁ ପ୍ରଧାନମନ୍ତ୍ରୀ ମାନଂକୁ ଦେଖିଥିଲେ ସେମାନେ ନିଜ ନିଜ ମର୍ୟାଦା ଓ ଗରିମା କୁ ପ୍ରତିଷ୍ଠିତ କରିଛନ୍ତି। କେବଳ ଜରୁରୀ କାଳୀନ ପରିସ୍ଥିତି ସମୟରେ ଇନ୍ଦିରାଙ୍କୁ ଗଣତନ୍ତ୍ର ବିରୋଧୀ ଓ ଏକଛତ୍ରବାଦୀ ଭାବରେ ନିନ୍ଦିତ ହେବାକୁ ପଡିଥିଲା। ତେବେ ଅଳ୍ପ ସମୟ ଭିତରେ ଇନ୍ଦିରା ନିଜ ପୁରୁଣା ପ୍ରତିଷ୍ଠା ଫେରି ପାଇଥିଲେ ଓ ଅଶୀ ନିର୍ବାଚନରେ ତାଂକ ନେତୃତ୍ବ ପୁଣିଥରେ ଲୋକଂକ ଦ୍ବାରା ସ୍ବୀକୃତି ପାଇଥିଲା।
ପ୍ରଥମ ଚାଳିଶ ବର୍ଷରେ ମାତ୍ର ପାଂଚ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିଥିବା ଭାରତୀୟଂକ ତୁଳନା ରେ ସତୁରୀ ଦଶକର ଭାରତରେ ଜନ୍ମିତ ନାଗରିକ ମାନେ ଅନେକ ନୁଆ ରାଜନୈତିକ ନାଟକ ଦେଖିଛନ୍ତି। ୧୯୮୪ ରୁ ୨୦୧୬, ମାତ୍ର ୩୨ ବର୍ଷରେ ଆମେ ଆଠ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛୁ। ୧୯୮୪ ରେ ଐତିହାସିକ ଜନମତ ପାଇ ସରକାର ଗଢିଥିବା ରାଜୀବ ଗାନ୍ଧୀ ୧୯୮୯ ରେ ଶୋଚନୀୟ ଭାବେ ପରାସ୍ତ ହେଉଛନ୍ତି। ତାଂକ ପରେ ମନମୋହନ ସିଂ କୁ ବାଦ ଦେଲେ ଆଉ କୌଣସି ପ୍ରଧାନମନ୍ତ୍ରୀ ଅଧିକ ସମୟ ଶାସନରେ ରହିପାରିବାର ସୁଯୋଗ ପାଇନାହାନ୍ତି। ଅଳ୍ପ ସମୟ ପ୍ରଧାନମନ୍ତ୍ରୀ ପଦବୀ ମଣ୍ଡନ କରିଥିବା ନେତା ମାନଂକ ମଧ୍ୟରେ ଚନ୍ଦ୍ରଶେଖର ଓ ଇନ୍ଦ୍ରକୁମାର ଗୁଜରାଲ ଭାରତୀୟ ରାଜନୀତିରେ ନିଜ ମର୍ୟାଦାବନ୍ତ ଉଚ୍ଚାରଣ ଓ ଆଚରଣ ଲାଗି ବେଶ ପ୍ରସିଦ୍ଧ। ଦକ୍ଷିଣ ପନ୍ଥୀ ରାଜନୀତିର ପ୍ରଥମ ନେତା ଭାବରେ ଅଟଳ ବିହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବା ପରେ ତାଂକ ଉପରେ ସଂଘ ର ଚାପ ରହିବ ଓ ସେ ଏହାକୁ ଅଣଦେଖା କରିପାରିବେ ନାହିଁ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା , କିନ୍ତୁ ନରମପନ୍ଥୀ ବାଜପାୟୀ ସବୁ ଚର୍ଚ୍ଚା ଓ ଆଲୋଚନା କୁ ମିଛ ପ୍ରମାଣିତ କରି ଜଣେ ଗଣତାନ୍ତ୍ରିକ ଓ ଉଦାର ପ୍ରଧାନମନ୍ତ୍ରୀ ଭାବରେ ସବୁ ବର୍ଗର ଲୋକଂକ ଦ୍ବାରା ଗୃହୀତ ହୋଇପାରିଥିଲେ। ବାଜପୟୀଙ୍କୁ ସେତେବେଳେ ” ଜଣେ ସମର୍ଥ ସଠିକ ରାଜନେତା ଯିଏ ବେଠିକ ଦଳରେ ରହିଛନ୍ତି” ବୋଲି କୁହାଯାଉଥିଲା। ନେହେରୁଂକ ଠାରୁ ଆରମ୍ଭ କରି ମନମୋହନ ସିଂଙ୍କ ପର୍ଯନ୍ତ ସବୁ ପ୍ରଧାନମନ୍ତ୍ରୀ ଏ ଦେଶର ସାମ୍ବିଧାନିକ ଦାୟିତ୍ବ ନିଷ୍ଠାର ସହ ତୁଲାଇବା ସହିତ ନିଜ ବ୍ୟକ୍ତିତ୍ବରେ ଉଦାରତା ତଥା ସମସ୍ତଂକୁ ଏକାଠି ସାଂଗରେ ନେଇ ରାଜନୀତି କରିବାର ପ୍ରବଣତା ପ୍ରଦର୍ଶନ କରିଆସିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ପଦ ଦଳୀୟ ଭାବନା ର ସଂକୀର୍ଣ୍ଣତାରୁ ଅନେକ ସମୟରେ ମୁକ୍ତ ରହିଛି. ସଂସଦ ଭିତରେ ଓ ବାହାରେ ପ୍ରଧାନମନ୍ତ୍ରୀଙ୍କୁ ଜାତିର ନେତା ଭାବରେ ସମସ୍ତେ ସମ୍ମାନ ଦେଇ ଆସିଛନ୍ତି।
ଏତେ ସବୁ କଥା କହିବାର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ପଦ ର ଗରିମା ଓ ଗୌରବ ସମ୍ପର୍କରେ ଏକ ପୃଷ୍ଠଭୂମି ନିର୍ମାଣ କରିବା। ୨୦୧୪ ସାଧାରଣ ନିର୍ବାଚନ ରେ ଯେତେବେଳେ ପ୍ରବଳ କଂଗ୍ରେସ ବିରୋଧୀ ହାୱା ବୋହିଲା ତାର ସିଧାସଳଖ ଲାଭ ଭାରତୀୟ ଜନତା ପାର୍ଟି କୁ ମିଳିଲା। ପ୍ରାୟ ତିରିଶ ବର୍ଷ ପରେ ଦେଶର ଜନସାଧାରଣ ଗୋଟିଏ ଦଳକୁ ପୂର୍ଣ ବହୁମତ ଦେଇ ସରକାର ଗଢିବାର ସୁଯୋଗ ପ୍ରଦାନ କଲେ। ୨୦୦୨ ମସିହାରେ ଗୁଜରାଟ ଦଂଗା ପାଇଁ ନିନ୍ଦିତ ଓ ଜାତୀୟ ରାଜନୀତିରେ ସେଯାଏ ଅସ୍ପୃଶ୍ୟ ରହିଆସିଥିବା ନରେନ୍ଦ୍ର ମୋଦୀ ୨୦୧୪ ବେଳକୁ ମହାନାୟକ ଭାବରେ ଜାତୀୟ ରାଜନୀତିରେ ନିଜର ପତିଆରା ପ୍ରମାଣିତ କଲେ। ଯେଉଁମାନେ ନରେନ୍ଦ୍ର ମୋଦୀଙ୍କ ରାଜନୀତିର ସମୀକ୍ଷକ ସେମାନେ ଭଲ ଭାବରେ ଜାଣନ୍ତି ଯେ ମୋଦୀ ମୂଳତଃ ସଂଘର ଅନୁଗତ ପ୍ରଚାରକ ଓ ତାଂକ ବ୍ୟକ୍ତିତ୍ବରେ ବାଜପାୟୀଙ୍କ ନରମ ଓ ଉଦାର ପ୍ରକୃତି ନାହିଁ। ଆଜି ପର୍ଯନ୍ତ ଦେଶର ସମସ୍ତ ପ୍ରଧାନମନ୍ତ୍ରୀ ସକାରାତ୍ମକ ରାଜନୈତିକ ଚିନ୍ତନ ରୁ ଅସିଥିବା ବେଳେ ନରେନ୍ଦ୍ର ଭାଇ ଏକ ନକାରାତ୍ମକ, ଆକ୍ରମକ ତଥା ଅନୁଦାର ଚିନ୍ତନରୁ ରାଜନୀତିକୁ ଆସିଛନ୍ତି। ତେଣୁ ତାଂକ ରାଜନୀତି ରୁ ଅଲଗା ପ୍ରକାର ଆକ୍ରମକତା ଦେଖିବାକୁ ମିଳିବ ବୋଲି ସମସ୍ତଂକ ମନରେ ଏକ ପ୍ରକାର ପ୍ରସ୍ତୁତି ରହିଥିଲା। ହେଲେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ପ୍ରଥମ ଦିନ ହଠାତ ଅନ୍ୟ ଜଣେ ମୋଦୀ ଆମକୁ ଟିକେ ହତଚକିତ କରିଦେଲେ। ନିଜ ଶପଥ ଗ୍ରହଣ ଉତ୍ସବ କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ନବାଜ ଶରିଫଙ୍କୁ ନିମନ୍ତ୍ରଣ କରି ସେ ବୋଧେ ଏକ ବାର୍ତା ଦେବାକୁ ଚାହିଁଥିଲେ ଯେ , ତାଂକ ଚରମପନ୍ଥୀ ବ୍ୟକ୍ତିତ୍ବ କଥା ସତ ନୁହଁ। ଅଳ୍ପ ସମୟ ପାଇଁ ହେଉ ପଛେ ମୋଦୀ ନିଜକୁ ଜଣେ ଉଦାରବାଦୀ ରାଜନେତା ଭାବେ ଦେଖେଇବାର ପ୍ରୟାସ ରେ ସଫଳ ହୋଇଥିଲେ। ପରବର୍ତ୍ତୀ ଦିନ ଗୁଡିକରେ ଦୃଶ୍ୟପଟ କିନ୍ତୁ ବଦଳିଗଲା. ପ୍ରଧାନମନ୍ତ୍ରୀ ଭାବେ ଗତ ସତୁରୀ ବର୍ଷ ଧରି ଯେଉଁ ଅନୁଷ୍ଠାନ ଓ ପରମ୍ପରା ରହିଥିଲା ତାକୁ ଅନେକ ପ୍ରକାରେ ମୋଦୀ ଭାଂଗିବା ଆରମ୍ଭ କଲେ। ଅବଶ୍ୟ ଭାଂଗିବା ସହିତ ନୁଆ ଗଢା ହେବାର ସମ୍ପର୍କ ରହିଛି। ତେଣୁ ମୋଦୀ ଯାହା ଭାଙ୍ଗୁଛନ୍ତି ସେଥିରୁ ନୁଆ କିଛି ଜନ୍ମ ନେଇପାରେ ବୋଲି ଅନେକେ ଭାବୁଥିଲେ। ଆଜି ପ୍ରଧାନମନ୍ତ୍ରୀ ଆସନରେ ପାଞ୍ଚ ବର୍ଷ ପୂରଣ କରିବାକୁ ଯାଉଥିବା ଥିବା ମୋଦୀଙ୍କ କାର୍ୟକାଳର ନିରପେକ୍ଷ ଆକଳନ କରିବାର ସମୟ ଆସି ଯାଇଛି. ପ୍ରଧାନମନ୍ତ୍ରୀ ଭାବରେ ସେ ଏହି ସାମ୍ବିଧାନିକ ପଦ କୁ କେତେ ମର୍ୟାଦା ର ସହ ନିଭାଇଛନ୍ତି ଓ ତାଂକ ଉପସ୍ଥିତି ପ୍ରଧାନମନ୍ତ୍ରୀ ଅନୁଷ୍ଠାନ କୁ କେତେ ଅଧିକ ଗୌରବ ମଣ୍ଡିତ କରିଛି , ତାର ଆକଳନ ମଧ୍ୟ ଆଜି ଜରୁରୀ।
ସତୁରୀ ବର୍ଷର ଗଣତନ୍ତ୍ର ଓ ପାଞ୍ଚ ବର୍ଷର ମୋଦୀତନ୍ତ୍ର କୁ ଅଲଗା କରି ଦେଖିବା ହୁଏତ ଟିକେ ଅବାନ୍ତର ମନେ ହୋଇପାରେ । ତେବେ, ଏହି ଅବାନ୍ତର ପ୍ରସଂଗ ଭିତରେ କିଛିଟା ବାସ୍ତବତା ନିହାତି ରହିଛି। ମୋଦିଂକ ରାଜନୀତିରେ ଯେଉଁ ଆକ୍ରାମକ ପ୍ରଚାରକଟି ରହିଥିଲା ସେ ହଠାତ ବିଶ୍ବ ରାଜନୀତିରେ ମହାନ ନାୟକ ହେବା ଲାଗି ଯୋଜନା ପ୍ରସ୍ତୁତ କଲା ଓ ସେଇ ଯୋଜନା ର ଅଂଶ ଭାବରେ ମୋଦୀ ପ୍ରଥମ ତିନି ବର୍ଷ ପ୍ରୁଥିବୀ ପରିଭ୍ରମଣରେ ବାହାରିଲେ। ଏହି ସମୟ ରେ ଦେଶ ତୁଳନାରେ ବିଦେଶ ମୋଦିଂକ ଲାଗି ପ୍ରାଥମିକତା ପାଲଟିଗଲା। ହିନ୍ଦୀ ରେ ଆମେରିକା ରେ ଓଜସ୍ଵୀ ଭାଷଣ ଦେଇ ପ୍ରବାସୀ ଭାରତୀୟଂକୁ ପ୍ରଭାବିତ କରିବା ଓ ନିଜସ୍ବ ମୌଳିକ କୂଟନୀତି ମାଧ୍ୟମରେ ବିଶ୍ବ ରାଜନୀତିକୁ ଦିଗଦର୍ଶନ ଦେବା ଦୁଇଟି ଅଲଗା କଥା, ତାହା ମୋଦିଂକ ଉପଦେଷ୍ଟା ମାନେ ଆକଳନ କରିପାରିନଥିଲେ। ସେମାନେ ଭାବିଲେ, ନେହେରୁଂକୁ ଖର୍ବ କରି ଦେଖେଇଲେ ମୋଦୀ ବିରାଟ ହୋଇ ଦିଶିବେ। ସେଥିଲାଗି ଦେଶରେ ନେହେରୁଂକ ବିରୋଧରେ ଏକ ଅପପ୍ରଚାରର ବାତାବରଣ ସୃଷ୍ଟି କରାଗଲା। . ନେହେରୁଂକ ପ୍ରତି ସେ ସମୟର ବିଶ୍ବ ନେତୃତ୍ବର ଯେଉଁ ଆସ୍ଥା ଥିଲା,ତାହା କେବଳ ପ୍ରଚାର ସର୍ବସ୍ବ ଧାରଣାରୁ ଜନ୍ମ ନେଇନଥିଲା। ନେହେରୁ ଥିଲେ ବିଶ୍ବ ଯୁଦ୍ଧ ପରବର୍ତ୍ତୀ ପୃଥିବୀ ରେ ତୃତୀୟ ବିଶ୍ବର ପ୍ରଚଣ୍ଡ ପ୍ରବକ୍ତା। ତେଣୁ ନେହେରୁଙ୍କ ନେତୃତ୍ବର ପ୍ରଭାବ କେନେଡିଂକ ଉପରେ ଯେତିକି ପଡୁଥିଲା, ସେତିକି ପତିଆରା ଷ୍ଟାଲିନଙ୍କ ଉପରେ ମଧ୍ୟ ଥିଲା। ମୋଦିଂକ ପାଖରେ ନେହେରୁଂକ ବ୍ୟକ୍ତିତ୍ବ ନାହିଁ, କିନ୍ତୁ ନେହେରୁଂକ ସ୍ଥାନ ହାସଲ କରିବାର ଏକ ପ୍ରଚଣ୍ଡ ଲାଳସା ରହିଛି। ତେଣୁ ତାଂକର ବିଦେଶ ନୀତିରେ ଅଧିକ ବ୍ୟାକୁଳତା ରହିଛି। ଏକ ବ୍ୟାକୁଳ ବିଦେଶ ନୀତି ଗଭୀର କୂଟନୈତିକ ପ୍ରଭାବ ପକେଇପାରିବ ନାହିଁ। ଗତ ପାଞ୍ଚ ବର୍ଷ ଭିତରେ ମୋଦିଂକ ବିଦେଶ ନୀତି କେବଳ ପ୍ରଚାର ସର୍ବସ୍ବ କୋଳାହଳ ର ରୂପ ନେଇଛି।
ତେଣୁ ମୋଦୀ, କେବଳ ପ୍ରଧାନମନ୍ତ୍ରୀ ହୋଇଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ପଦ ଓ ଅନୁଷ୍ଠାନକୁ ଗୌରବ ଦେବାରେ ନିର୍ଘାତ ଭାବରେ ବିଫଳ ହୋଇଛନ୍ତି। ,