ସଂପଦ ଦଳାଇ
ଦେଶରେ ଦେଖାଦେଇଥିବା ମାନ୍ଦା ଅବସ୍ଥା କେବଳ ଶିଳ୍ପ ବା ବାଣିଜ୍ୟ ଉପରେ ନୁହେଁ ପର୍ବପର୍ବାଣୀରେ ମଧ୍ୟ ଏହାର ପ୍ରଭାବ ପଡିଛି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଚଳିତ ବର୍ଷ ଧନତରାସ। ସାଧାରଣତଃ ଧନତରାସରେ ହିନ୍ଦୁମାନେ ସୁନା,ରୂପା କିମ୍ବା କୌଣସି ମେଟାଲ ପଦାର୍ଥ କିଣିବାର ପ୍ରଥା ରହିଛି। ବିଶ୍ବାସ ରହିଛି ଏହି ଧନତରାସ ଦିନରେ ସୁନାରୂପା କିଣିଲେ ମା ଲକ୍ଷ୍ମୀ ଆର୍ଶିବାଦ କରିଥାନ୍ତି। ଘରେ ଧନ ସଂପତ୍ତି ବୃଦ୍ଧି ଘଟିଥାଏ। ସେଥିପାଇଁ ଏହି ଧନତରାସକୁ ହିନ୍ଦୁ ଭକ୍ତମାନେ ଏବଂ ସୁନା ବେପାରୀମାନେ ଅପେକ୍ଷା କରି ରହିଥାନ୍ତି।
ହେଲେ ଚଳିତ ବର୍ଷ ଧନତରାସ ସୁନା ବେପାରୀଙ୍କ ପାଇଁ ସବୁଠାରୁ “ହତୋତ୍ସାହ ଧନତରାସ” ଥିଲା। ଦେଶରେ ମାନ୍ଦା ଅବସ୍ଥା ଯୋଗୁଁ ଚଳିତ ବର୍ଷ ସୁନା ବିକ୍ରିର ପରିମାଣ ଗତ ଦଶ ବର୍ଷ ବ୍ୟବସାୟକୁ ତୁଳନାରେ ସବୁଠାରୁ କମ ବ୍ୟବସାୟ ହୋଇଛି। ଅର୍ଥାତ ଚଳିତ ବର୍ଷ ୪୦ ପ୍ରତିଶତ ବିକ୍ରି ହ୍ରାସ ପାଇଛି। କନଫେଡ୍ରେସନ ଅଫ ଅଲ ଇଣ୍ଡିଆ ଟ୍ରେଡରସ ସଂସ୍ଥାର ହିସାବ ଅନୁସାରେ ଚଳିତ ବର୍ଷ ଧନତରାସରେ ସର୍ବଭାରତୀୟ ସ୍ତରରେ୨୫୦୦ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଏହି ଗୋଟିଏ ଦିନରେ ଗ୍ରାହକମାନେ ୬୦୦୦ କେଜିର ସୁନା କିଣିଛନ୍ତି। ହେଲେ ଗତ ବର୍ଷ ତୁଳନାରେ ଏହା ପୁରା ହ୍ରାସ ପାଇଛି।
ଗତ ୨୦୧୮ ବର୍ଷରେ କେବଳ ଧନତରାସ ଦିନ ସର୍ବ ଭାରତୀୟ ସ୍ତରରେ ୧୭୦୦୦ କେଜି ସୁନା ବିକ୍ରି ହୋଇଥିଲା। ଯାହାର ସେତେବେଳେର ମୂଲ୍ୟ ଥିଲା ୫୫୦୦ କୋଟି ଟଙ୍କା। ଏହି ହିସାବ ସୂଚାଇ ଦେଉଛି ଯେ, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧୧ ହଜାର କେଜି ସୁନା ବିକ୍ରିରେ ହ୍ରାସ ଘଟିଛି। ଯଦି ସୁନା ମୂଲ୍ୟ ତୁଳନା କରାଯାଏ ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମୂଲ୍ୟରେ ଦଶଗ୍ରାମକୁ ପ୍ରାୟ ୬ ହଜାର ଟଙ୍କା ବୃଦ୍ଧି ଘଟିଛି। ଗତ ବର୍ଷ ଧନତରାସ ବେଳକୁ ସୁନା ଦର ହାରାହାରି ଦଶ ଗ୍ରାମକୁ ୩୨୬୯୦ ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ୩୯୨୪୦ଟଙ୍କା ଥିଲା। ଚଳିତ ବର୍ଷ ଧନତରାସ ସମୟରେ ସର୍ବ ଭାରତୀୟ ସ୍ତରରେ ସୁନା ଦର ହାରାହାରି ୨୨୦ ଟଙ୍କା ବୃଦ୍ଧି ଘଟିଥିଲା।
ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଆର୍ଥିକ ମାନ୍ଦା ଅବସ୍ଥା ଏଥର ସୁନା ବଜାରକୁ ଦୋହଲାଇ ଦେଇଛି। ତେବେ ସୁନା ରୂପା ଅପେକ୍ଷା ଚଳିତ ବର୍ଷ ପିତ୍ତଲ କଂସା ବିକ୍ରି ବୃଦ୍ଧି ପାଇଛି ବୋଲି ଟ୍ରେଡର ସଂଘ ଅନୁମାନ କରିଛି। ବିଶ୍ବାସ ରହିଛି ଏହି ଦିନ କୌଣସି ମେଟାଲ କିଣିଲେ ଶୁଭ ହୁଏ। ସୁନା କିଣିଲେ ଆହୁରି ଶୁଭ ହୁଏ। ତେଣୁ ମାନ୍ଦା ଅବସ୍ଥା ଯୋଗୁଁ ଚଳିତ ବର୍ଷ ଗ୍ରାହକମାନେ ପିତ୍ତଳ କଂସାରେ କାମ ଚଳାଇ ଦେଇଛନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଆସନ୍ତା ବିବାହ ଋତୁରେ ସୁନା ବିକ୍ରୀ ବୃଦ୍ଧି ଘଟିବ ବୋଲି ସୁନା ବେପାରୀ ଆଶା ରଖିଛନ୍ତି।