Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନେତାଜୀ ଫାଇଲ୍ସ ଓ ନେତାଜୀଙ୍କ ଜୀବନ ତଥା ରାଜନୀତିକୁ ନେଇ ଗାଲୁଆଙ୍କର ଇତିହାସ ଚର୍ଚ୍ଚା
ବିଶେଷ ଖବର

ନେତାଜୀ ଫାଇଲ୍ସ ଓ ନେତାଜୀଙ୍କ ଜୀବନ ତଥା ରାଜନୀତିକୁ ନେଇ ଗାଲୁଆଙ୍କର ଇତିହାସ ଚର୍ଚ୍ଚା

January 23, 2019No Comments7 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜି ଯଦି ବଞ୍ଚିଥାନ୍ତେ, ତା’ହେଲେ ତାଙ୍କୁ ୧୨୨ ବର୍ଷ ହେଉଥା’ନ୍ତା । ୧୯୪୫ ମସିହା ଅଗଷ୍ଟ ମାସରୁ ଆଜି ପର୍ଯ୍ୟନ୍ତ  ନେତାଜୀଙ୍କ ମୃତ୍ୟକୁ ନେଇ ଅନେକ ଗୁଜବ, ଗୁମର ଓ ଗୁରୁତର ତଥ୍ୟ ସଂକଟ ରହିଆସିଛି । ଚାରି ବର୍ଷ ତଳେ ପଶ୍ଚିମବଙ୍ଗ ସରକାର ନେତାଜୀଙ୍କ ସମ୍ପର୍କିତ  ପ୍ରାୟ ୧୦୦୦ ପୃଷ୍ଠାରୁ ଅଧିକ ଗୋପନ ଫାଇଲ୍‌କୁ ଜନସାଧାରଣଙ୍କ ଅବଗତି ନିମେନ୍ତ ପ୍ରକାଶିତ କରିଥିଲେ । ଏହି ଫାଇଲ୍‌ ପ୍ରକାଶ ପାଇବା ପୂର୍ବରୁ ନେତାଜୀଙ୍କ ଜୀବନ ଓ ମୃତ୍ୟୁକୁ ନେଇ ଅନେକ  କାହାଣୀ ଶୁଣିବାକୁ ମିଳିଛି । ହଠାତ୍‌ ଗତ କେଇ ବର୍ଷ ହେଲା ନେତାଜୀଙ୍କ ଜୀବନ ଓ ମୃତ୍ୟୁ ରହସ୍ୟକୁ ନେଇ ଭାରତୀୟ ଗଣମାଧ୍ୟମ ଉତ୍ସାହିତ ହୋଇପଡିଥିଲା । ଏବେ ଅବଶ୍ୟ ସେ ଉତ୍ସାହ ଆଉ ନାହିଁ।  ଯେତେବେଳେ ମୁଖାର୍ଜୀ କମିଶନ ବସିଥିଲା, ସେତେବେଳେ ଗଣମାଧ୍ୟମେର ଏ ସଂକ୍ରାନ୍ତରେ କାଁ ଭାଁ ଚର୍ଚ୍ଚା ଆମେ ଶୁଣିବାକୁ ପାଇଥିଲୁ । ହଠାତ୍‌ ନେତାଜୀଙ୍କର ମୃତ୍ୟୁ ରହସ୍ୟକୁ ନେଇ  ଏନଡିଏ ସରକାରର  ତତ୍ପରତାର କାରଣ କ’ଣ ? ୨୦୧୪-୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତାଜୀଙ୍କ ଜୀବନରୁ ରାଜନୈତିକ ଲାଭ ଉଠାଇବା ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ ।  ଏହି ପ୍ରତିଯୋଗିତାରେ ବୋଷ୍‌ ପରିବାରର ଅନେକ ସଦସ୍ୟ ମଧ୍ୟ ସାମିଲ୍‌ । ପଶ୍ଚିମବଙ୍ଗ ସରକାରଙ୍କ ଫାଇଲ୍‌ ସବୁ ପ୍ରକାଶ ପାଇଲା ପରେ ନେତାଜୀ ରହସ୍ୟ ଉନ୍ମୋଚନ ହେବା ପରିବର୍ତ୍ତେ ଏହା ଅଧିକରୁ ଅଧିକ ଜଟିଳ ହେବାକୁ ଆରମ୍ଭ କଲା । ନେତାଜୀଙ୍କ ଜୀବନକୁ ନେଇ ଅତି କଦର୍ଯ୍ୟ ଓ ଅନାବଶ୍ୟକ ତଥ୍ୟଗୁଡ଼ିକ ଗଣମାଧ୍ୟମରେ ପ୍ରକାଶ ପାଉଛି । ନେତାଜୀ ଏକାଧିକ ବିବାହ କରିଥିଲେ, ତାଙ୍କର ଜଣେ ଚେକୋସ୍ଲୋଭାକୀଆନ୍‌ ପତ୍ନୀଙ୍କୁ ଠାବ କରାଯାଇଛି, ସେ ସାଧୁ ବେଶରେ ବିଭିନ୍ନ ସ୍ଥାନରେ ରହୁଥିଲେ ଇତ୍ୟାଦି ବହୁ ଛଳନାପୂର୍ଣ୍ଣ ତଥ୍ୟ ଏବେ ଗଣମାଧ୍ୟମରେ ଚର୍ଚ୍ଚିତ ହେଉଛି । ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକଙ୍କୁ ଆଜି ରୋଚକ ଗୁଜବ ଓ ଗାଲୁ ଗପର ନାୟକ ଭାବରେ ଆମେ ଉପସ୍ଥାପନ କରୁଛୁ ।

୧୮ ଅଗଷ୍ଟ ୧୯୪୫ରେ  ତାଇପେଇଠାରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ଘଟିଛି ବୋଲି ୨୩ ଅଗଷ୍ଟ ଦିନ ଜାପାନ ଘୋଷଣା କଲା । ସେହିଦିନଠୁ ଆଜି ପର୍ଯ୍ୟନ୍ତ  ନେତାଜୀଙ୍କ ମୃତ୍ୟକୁ ନେଇ ରହସ୍ୟ ଘନୀଭୂତ ହୋଇ ଚାଲିଛି । ଏହି ରହସ୍ୟରୁ ଫାଇଦା ଉଠାଇବାକୁ ଯାଇ ନିଖୋଜ ନେତାଜୀଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କ ପରିକଳ୍ପିତ ଶତ୍ରୁ ଭାବରେ କେହି କେହି ଚର୍ଚ୍ଚା ଜାରି ରଖିଛନ୍ତି । ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ଭଳି ଗୁଜବ ପ୍ରିୟ ନେତା ନେହେରୁଙ୍କୁ ଜଣେ ଭୟାଳୁ ଓ ନେତାଜୀଙ୍କୁ ଡରୁଥିବା ନେତା ଭାବରେ ଉପସ୍ଥାପନ କରିଛନ୍ତି । ସମ୍ପ୍ରତି ଫେସବୁକ୍‌ ତଥା ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ବହୁ ସତ୍ୟ ମିଛ ତଥ୍ୟ ଦେଇ ନେହେରୁଙ୍କୁ ସୁଭାଷ ବିରୋଧୀ ବୋଲି ବର୍ଣ୍ଣନା କରାଯାଇଛି । ଏହାପଛରେ କାରଣ ଅତ୍ୟନ୍ତ ସ୍ପଷ୍ଟ । ବର୍ତ୍ତମାନ ଶାସନ କରୁଥିବା ଭାରତୀୟ ଜନତା ପାର୍ଟିର ମାତୃ ସଂସ୍ଥା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ନେହେରୁଙ୍କୁ ନିଜର ଏକନମ୍ବର ଶତ୍ରୁ ଭାବରେ ଗଣନା କରିଥାଏ । ନେହେରୁ ଦେଶରେ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ଜୀବନବୋଧର ସୂତ୍ରଧର ଥିଲେ । ଯାହାକୁ ମାନିବା ପାଇଁ ଆରଏସ୍‌ଏସ୍‌ ପ୍ରସ୍ତୁତ ନୁହେଁ । ତେଣୁ ଆରଏସଏସ୍‌ ଭିତରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନେହେରୁଙ୍କୁ ଖଳନାୟକ ଭାବେର ଚିତ୍ରିତ କରି ତାଙ୍କ ପ୍ରତିପକ୍ଷରେ ନେତାଜୀଙ୍କୁ ନାୟକ କରି ଛିଡ଼ା କରାଉଛନ୍ତି।

ତେବେ ଅସଲ ସତ୍ୟ ହେଉଛି ପୂରାପୂରି ଅଲଗା। ଭାରତୀୟ ଜାତୀୟ ଜୀବନରେ ନେହେରୁ ଓ ନେତାଜୀ ଦୁଇଟି ସମାନ୍ତରାଳ ବିଚାରର ପ୍ରତିନିଧି ହୋଇଥିଲେ ମଧ୍ୟ ସେମାନଙ୍କର ଲକ୍ଷ୍ୟ ଥିଲା ଏକ । ନେହେରୁ ଗଣତାନ୍ତ୍ରିକ ସମାଜବାଦରେ ବିଶ୍ଵାସ  କରୁଥିବାବେଳେ ନେତାଜୀ ଦେଶ ସ୍ବାଧୀନତା ପାଇଁ ଯେକୌଣସି ଶକ୍ତି ସହ ସହଯୋଗ କରିବାକୁ ପ୍ରସ୍ତୁତ ଥିଲେ । ସେଥିପାଇଁ ନିନ୍ଦିତ ନାଜିବାଦୀ ନେତୃତ୍ବ ଓ ହିଟଲର୍‌ ସହ ହାତ ମିଳାଇବାକୁ ସେ ପଛଘୁଞ୍ଚା ଦେଇନଥିଲେ । ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଦୃଷ୍ଟିରୁ ନେତାଜୀଙ୍କର ନିଷ୍ପତ୍ତିକୁ ଆମେ ସମ୍ମାନ ଦେବାକୁ ବାଧ୍ୟ । ତେବେ ନେତାଜୀଙ୍କୁ ସମ୍ମାନ ଦେବାକୁ ଯାଇ ଫାଶୀବାଦକୁ ସମର୍ଥନ କରିବା ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ ।

ନେତାଜୀ ଓ ନେହେରୁଙ୍କ ସମ୍ପର୍କ ଅତି ଜଟିଳ । ଉଭୟଙ୍କ ରାଜନୈତିକ ଜୀବନ ଭାରତୀୟ ଜାତୀୟ କଂଗ୍ରେସରୁ ଆରମ୍ଭ ହୋଇଛି । ଗାନ୍ଧିଜୀଙ୍କ ପଟ୍ଟଶିଷ୍ୟ ଭାବରେ ନେତାଜୀ ଓ ନେହେରୁ ସମାନ ସମୟରେ କାମ ଆରମ୍ଭ କରିଛନ୍ତି । ବିଭିନ୍ନ ସମୟରେ ମତଭେଦ ହୋଇଛି । ସେହି ମତଭେଦର ତୀବ୍ରତା ବୈଚାରିକ ଦୃଷ୍ଟିରୁ ବେଶ୍‌ ଗମ୍ଭୀର । ତେବେ ସେମାନଙ୍କର ଚିଠିପତ୍ର ଓ ଆଳାପ ଆଲୋଚନାରୁ ଯାହା ଜଣାପଡେ, ଉଭୟ ପରସ୍ପର ପ୍ରତି ବେଶ୍‌ ଶ୍ରଦ୍ଧାଶୀଳ । ବୈଚାରିକ ବିଭେଦ ସେମାନଙ୍କୁ ବ୍ୟକ୍ତିଗତ ଶତ୍ରୁ କରିନାହିଁ । ନେହେରୁ ପ୍ରଧାନମନ୍ତ୍ରୀ ହେଲା ପରେ ଯେତେବେଳେ ନେତାଜୀଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଉପୁଜୁଛି, ତାକୁ ନେଇ ବିଭିନ୍ନ ସମୟରେ କଂଗ୍ରେସ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ୧୯୪୬ରେ ବ୍ରିଟିଶ୍‌ ସରକାର ନେତାଜୀଙ୍କ ମୃତ୍ୟୁର ଅନୁସନ୍ଧାନ କରିବା ପାଇଁ  ଦୁଇଟି ପୁଲିସସ୍ତରୀୟ କମିଟି ଗଠନ କରିଥିଲେ । ଦୁଇଟିଯାକ କମିଟି ନେତାଜୀଙ୍କ ମୃତ୍ୟୁକୁ ନେଇ ନିଜର ସ୍ପଷ୍ଟ ମତ ରଖିଥିଲେ । ଏହାପରେ ୩ ଡିସେମ୍ବର ୧୯୫୫ ଦିନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ନେତାଜୀଙ୍କ ମୃତ୍ୟୁର ଆଧିକାରିକ ତଦନ୍ତ କରାଯିବ ଘୋଷଣା କଲେ । ତାଙ୍କର ଘୋଷଣାନୁଯାୟୀ ୫ ଏପ୍ରିଲ୍‌ ୧୯୫୬ରେ ଶାହାନଓ୍ବାଜ୍‌ ହୁସୈନ୍‌ କମିଟି ଗଠନ କରାଗଲା । ଏହି କମିଟିର ଅଧ୍ୟକ୍ଷ ଭାବରେ ନେତାଜୀଙ୍କ ଭାରତୀୟ ଜାତୀୟ ବାହିନୀର କମାଣ୍ଡର୍‌ ଶାହାନଓ୍ବାଜ୍‌ ଖାନ୍‌ଙ୍କୁ ନିଯୁକ୍ତି ଦିଆଯାଇଥିଲା । କମିଟିର ଅନ୍ୟ ସଦସ୍ୟମାନଙ୍କ ଭିତରେ ଥିଲେ ସୁଭାଷ ଚନ୍ଦ୍ର ବୋଷଙ୍କ ବଡ଼ ଭାଇ ସୁରେଶ ଚନ୍ଦ୍ର ବୋଷ ଓ ଆଇସିଏସ୍‌ ଅଧିକାରୀ ଏସ୍‌.ଏନ୍‌. ମିତ୍ର । ଏମାନେ ସମସ୍ତେ ନେତାଜୀଙ୍କ ଘନିଷ୍ଠ ସହଯୋଗୀ ଓ ସମ୍ପର୍କୀୟ । ବିଭିନ୍ନ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କମିଟି ନିଷ୍ପତ୍ତି ନେଲେ ଯେ, ନେତାଜୀ ଆଉ ଜୀବିତ ନାହାନ୍ତି । ପୁଣି ୧୧ ଜୁଲାଇ ୧୯୭୦ ମସିହାରେ ପଞ୍ଜାବ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡି.ଡି. ଖୋସଲାଙ୍କ ନେତୃତ୍ବରେ ଆଉ ଏକ ତଦନ୍ତ କମିଶନ ଗଠନ କରାଗଲା । ଏହି କମିଶନ ମଧ୍ୟ ନେତାଜୀଙ୍କ ମୃତ୍ୟୁକୁ ନେଇ ସ୍ପଷ୍ଟ ମତ ରଖିଥିଲେ ।

ତେବେ ନେତାଜୀଙ୍କ ପରିବାରର କିଛି ସଦସ୍ୟ ଓ ନେତାଜୀଙ୍କ ଗଠିତ ଫର୍‌ଓ୍ବାର୍ଡ ବ୍ଲକ୍‌ର ନେତାମାନେ ନେତାଜୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିଚାଲିଥିଲେ । ଯାହାର ପରିଣତି ସ୍ବରୂପ ୧୯୯୯ ମସିହାରେ ଜଷ୍ଟିସ୍‌ ମନୋଜ ମୁଖାର୍ଜୀ କମିଶନ ଗଠନ କରାଗଲା । ମୁଖାର୍ଜୀ କମିଶନ ତାଙ୍କ ରିପୋର୍ଟରେ ପୂର୍ବଦୁଇଟି କମିଶନର ତଥ୍ୟକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେ ଯାବତ୍‌ ବନ୍ଦ ହୋଇଯାଇଥିବା ମୃତ୍ୟୁ ରହସ୍ୟ ପୁଣି ଥରେ ନୂଆ ଢଙ୍ଗରେ ଲୋକଙ୍କ ମନକୁ ଆକ୍ରାନ୍ତ କଲା । କେବେ ଫଇଜାବାଦ ବା ଅଯୋଧ୍ୟାରେ ରହୁଥିବା ଜଣେ ଗୁମ୍‌ନାମୀ ବାବା ଭଗବାନ ଦାସଙ୍କୁ ନେତାଜୀ ବୋଲି କୁହାଗଲା । ପୁଣି କେବେ ପୁରୀରେ ରହୁଥିବା ପ୍ରଣବାନନ୍ଦ ବୋଲି ଜଣେ ସାଧୁଙ୍କୁ ନେତାଜୀ ବୋଲି ପରିଚିହ୍ନିତ କରାଗଲା । ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଦୁର୍ଦ୍ଦର୍ଷ ସେନାପତି ସନ୍ନ୍ୟାସୀ ଭାବରେ ଗୋପନ ଜୀବନଯାପନ କରିଥିଲେ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ନେହେରୁ ଓ କଂଗ୍ରେସ ସରକାରକୁ ଡରି ନେତାଜୀ ଆତ୍ମଗୋପନ କରିଥିଲେ ବୋଲି ଯେଉଁମାନେ ଯୁକ୍ତି କରୁଛନ୍ତି, ସେମାନଙ୍କୁ ବଳି ନିର୍ବୋଧ ଆଉ କେହି ନଥିବେ । ନେତାଜୀଙ୍କର ବ୍ୟକ୍ତିତ୍ବ ଓ ଚରିତ୍ରର ଗୋଟିଏ ସ୍ପଷ୍ଟ ଦିଗ ହେଉଛି, ତାଙ୍କ ସାହସିକତା । ଏମିତି କୌଣସି ପ୍ରତିବନ୍ଧକ ନାହିଁ, ଯିଏ ନେତାଜୀଙ୍କୁ ତାଙ୍କ ଲକ୍ଷ୍ୟ ପଥରେ ଅଟକାଇ ପାରିଥାନ୍ତା । କୌଣସି ମିଛ ଭେଳିକି ଆଗରେ ହାର୍‌ ମାନିବାର ଲୋକ ନେତାଜୀ କେବେ ବି ନଥିଲେ ।

ନେତାଜୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ତିନି ଚାରୋଟି କଥା କୁହାଯାଉଛି । ନେତାଜୀ ଆତ୍ମନିର୍ବାସନ ବରଣ କରିଥିଲେ । ଏହା କଦାପି ସମ୍ଭବ ହୋଇନପାରେ । ଯଦି ସେ ଆତ୍ମ ନିର୍ବାସନରେ ଥିଲେ, ତା’ ହେଲେ ତାକୁ ନେଇ ଚର୍ଚ୍ଚା କରିବାର କୌଣସି କାରଣ ନାହିଁ । ଦେଶର ମୁକ୍ତି ପାଇଁ ଯେଉଁ ଯୋଦ୍ଧା ବ୍ରିଟିଶ୍‌ ସରକାର ଆଖିରେ ଧୂଳି ଦେଇ ଏକ ଆତ୍ମନିର୍ଭରଶୀଳ ସେନାବାହିନୀ ଗଢିପାରେ, ସେ କେଉଁଠି ସାଧୁ ହୋଇ ରାମନାମ ଜପ କରିବାର ସମ୍ଭାବନା ନାହିଁ । ରୁଷିଆ ଏବଂ ଚୀନ୍‌ରେ ନେତାଜୀଙ୍କ ଆତ୍ମଗୋପନ ବା ସେଠିକାର ସେନାବାହିନୀ ହାତରେ ତାଙ୍କ ବନ୍ଦୀ ଜୀବନ କଥା ଆଜି ମଧ୍ୟ ରହସ୍ୟାବୃତ୍ତ । ବିଶେଷ କରି ରୁଷିଆରେ ନେତାଜୀଙ୍କର ଶେଷ ଜୀବନକୁ ନେଇ ଅନେକ ଗାଲୁଗପ ଶୁଣିବାକୁ ମିଳୁଛି ।  ଟେଲିଭିଜନ୍‌ରେ ବିଭିନ୍ନ ବିଚିତ୍ରକର୍ମା ଗବେଷକ ଏବେ ରାତାରାତି ଐତିହାସିକ ପାଲଟିଯାଇଛନ୍ତି । ନେତାଜୀଙ୍କ ସହ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ଓ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ସାକ୍ଷାତକାରକୁ ନେଇ ଅଦ୍ଭୁତ ଯୁକ୍ତି ସବୁ କରାଯାଇଛି । ଦେଶର ଦୁଇ ପୂର୍ବତନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନେତାଜୀଙ୍କୁ ଭେଟି ଚୁପ୍‌ ରହିବାର କୌଣସି କାରଣ ନାହିଁ । ସବୁଠୁ ବିଡ଼ମ୍ବନାର କଥା ହେଉଛି, ଆଜି ଯେତେବେଳେ ନେତାଜୀଙ୍କ ନିଖୋଜ ରହସ୍ୟକୁ ନେଇ ଆମେ ଢେର୍‌ ଚର୍ଚ୍ଚା କରୁଛୁ, ସେତେବେଳେ ନେତାଜୀଙ୍କ ସହଯୋଗୀମାନେ କେହି ଆଉ ସାକ୍ଷ୍ୟ ଦେବାକୁ ଆମ  ପାଖରେ ନାହାନ୍ତି, ଶାହାନଵାଜ ହୁସୈନ୍‌, ଜିଏସ୍‌ ଧିଲୋନ୍‌, କ୍ୟାପ୍‌ଟେନ୍‌ ଲକ୍ଷ୍ମୀ ସହଗଲ୍‌ ପ୍ରମୁଖ ଏବେ ଆଉ ନାହାନ୍ତି । ସେମାନେ ତାଙ୍କ ଜୀବଦ୍ଦଶାରେ ନେତାଜୀଙ୍କ ଜୀବନକୁ ନେଇ କୌଣସି ରହସ୍ୟ ନିର୍ମାଣ କରିବାର ସୁଯୋଗ ଦେଇନାହାନ୍ତି ।

ସବୁଠୁ ବଡ଼ ସମସ୍ୟା ହେଉଛି ବୋଷ ପରିବାର ଭିତରେ ରହିଥିବା ବିଭେଦ । ନେତାଜୀଙ୍କର ନଅ ଭାଇ ଭଉଣୀଙ୍କ ପରିବାର ଏବେ ଖୁବ୍‌ ବିଶାଳ । ଏହି ପରିବାରରେ ବହୁ ବିଚାର ଓ ତତ୍ତ୍ବରେ ବିଶ୍ବାସୀ ମଣିଷ ଅଛନ୍ତି । ସେମାନେ ନେତାଜୀଙ୍କ ଜୀବନକୁ ନେଇ ନିଜେ ସନ୍ଦିହାନ । ନେତାଜୀଙ୍କ ନାତି ତଥା ବିଶିଷ୍ଟ ଐତିହାସିକ ସୁଗତ ବୋଷ ବିମାନ ଦୁର୍ଘଟଣାରେ ତାଙ୍କ ମୃତ୍ୟୁକୁ ସ୍ବୀକାର କରିଛନ୍ତି । ନେତାଜୀଙ୍କ ପୁତୁରା ବୋହୂ କ୍ରିଷ୍ଣା ବୋଷ୍‌ ମଧ୍ୟ ମୁଖାର୍ଜୀ କମିଶନ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ କ୍ରିଷ୍ଣା ବୋଷ୍‌ ଓ ସୁଗତ ବୋଷଙ୍କ ମତ ସହ ବୋଷ ପରିବାରର ଅନ୍ୟତମ ଦାୟାଦ ସୁବ୍ରତ ବୋଷ ଓ ତାଙ୍କ ପରିବାର ଏକମତ ନୁହନ୍ତି । ଅନେକ ସମୟରେ ନେତାଜୀଙ୍କ ଉତ୍ତରାଧିକାରକୁ ନେଇ ବୋଷ୍‌ ପରିବାର ଭିତରେ ଟଣାଓଟରା ମଧ୍ୟ ଚାଲିଛି । କିଛି ବର୍ଷ ତଳେ ଚନ୍ଦ୍ର ବୋଷ୍‌ ନେତାଜୀ ରିସର୍ଚ୍ଚ ବ୍ୟୁରୋ (ଯାହାର ମୁଖ୍ୟ ହେଉଛନ୍ତି କ୍ରିଷ୍ଣା ବୋଷ ଓ ସୁଗତ ବୋଷ୍‌) ବିରୋଧରେ ଗଣମାଧ୍ୟମରେ ଖୋଲାଖୋଲି ଅଭିଯୋଗ ଆଣିଥିଲେ । ପରିବାର ଭିତରେ ରହିଥିବା କ୍ଷମତା କନ୍ଦଳ ନେତାଜୀଙ୍କ ଜୀବନକୁ ଅଧିକ ରହସ୍ୟାବୃତ୍ତ କରୁଛି । ଏ ସମ୍ପର୍କରେ ଗଣମାଧ୍ୟମରେ ସଠିକ୍‌ ଆଲୋଚନା ହେଉନାହିଁ । ସାମ୍ବାଦିକମାନେ ଐତିହାସିକ ପାଲଟିଯିବା ଫଳରେ ଐତିହାସିକ ତଥ୍ୟର ସଠିକ୍‌ ତର୍ଜମା ସମ୍ଭବପର ହେଉନାହିଁ । ଆଜି ନେତାଜୀଙ୍କ ଗୋପନ ଫାଇଲ୍‌ ସବୁ ପ୍ରକାଶ ପାଇଲା ପରେ ନେତାଜୀ ଆମ ପାଇଁ ଅଧିକ ରହସ୍ୟମୟ ପାଲଟିଯାଉଛନ୍ତି ।

ନେତାଜୀ ରହସ୍ୟମୟ ହୋଇ ରୁହନ୍ତୁ, ସେଥିରେ କାହାର କିଛି କହିବାର ନାହିଁ । କିନ୍ତୁ ରହସ୍ୟ ଉନ୍ମୋଚନ ନାମରେ ତାଙ୍କର ବ୍ୟକ୍ତିତ୍ବକୁ ଯଦି ଖର୍ବ କରାଯାଏ ଓ ତାଙ୍କୁ ଜଣେ ଭୀରୁ ସାଧୁ ବୋଲି ବର୍ଣ୍ଣନା କରାଯାଏ, ତାହାଠୁ ବଳି ଦୁର୍ଭାଗ୍ୟ ଆଉ କିଛି ନାହିଁ । ନେତାଜୀ ଆମ ସମସ୍ତଙ୍କ ଆଖିରେ ସେହି ଚିରଚଞ୍ଚଳ ଓ ଅବିଚଳ ସାହସୀ ନେତାଜୀ । ତାଙ୍କର ଚରିତ୍ର କିମ୍ବା ବ୍ୟକ୍ତିତ୍ବ ଉପରେ ଆକ୍ଷେପ କରିବାର କୌଣସି ଅଧିକାର ଆମର ନାହିଁ । ସେହିପରି ନେତାଜୀଙ୍କୁ ନେହେରୁଙ୍କ ପରିକଳ୍ପିତ ଶତ୍ରୁ ଭାବରେ ଉପସ୍ଥାପନ କରି ରାଜନୈତିକ ଫାଇଦା ଉଠାଇବାର ଉଦ୍ୟମ ମଧ୍ୟ ଅତ୍ୟନ୍ତ ନିନ୍ଦନୀୟ ।

 

 

 

Netaji SubhashChandraBose ନେତାଜୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କେତେବେଳେ ଆଉ କଣ କହିବେ…

September 21, 2025

ନମୋ ଯୁବ ରନ୍: ଭୁବନେଶ୍ୱରରେ ଆୟୋଜିତ ହେଲା ବିଶାଳ ଗଣ ଦୌଡ଼, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

September 21, 2025

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ

September 21, 2025

ବିଜେପି ବିଧାୟକଙ୍କ ପୁଅ ଏବଂ ନେତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆଣିଲା କଂଗ୍ରେସ, କହିଲା….

September 20, 2025
Latest News

ଚାପରେ ପାକିସ୍ତାନୀ ଖେଳାଳି: ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳରେ ବିଶେଷ ବ୍ୟକ୍ତିଙ୍କୁ କଲା ସାମିଲ

September 21, 2025

ଗମ୍ଭାରୀମୁଣ୍ଡା ଠାରେ “ମାଗଣା ସ୍ବାସ୍ଥ୍ୟ ସେବା ଶିବିର” ଆୟୋଜିତ

September 21, 2025

ଓଡ଼ିଶା ପାଇଁ ଗର୍ବ: ବିଶ୍ୱ ପାରା ଏଥ୍ଲେଟିକ୍ସରେ NTO ଭାବେ ଚୟନ ହେଲେ ମାଳବିକା ମିଶ୍ର

September 21, 2025

ମାଓବାଦୀ ଆକ୍ରମଣରେ ଗୁରୁତର ଆହତ ଯବାନକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସାକ୍ଷାତ

September 21, 2025

ବାଲୁଗାଁ ଏନଏସି ପକ୍ଷରୁ ଆୟୋଜିତ “ସ୍ୱଚ୍ଛତା ହିଁ ସେବା-୨୦୨୫” କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.