Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ସୁଦର୍ଶନ ପଟ୍ଟନାୟକଙ୍କ ନେତାଜୀଙ୍କ ଉପରେ ଆଧାରିତ ବାଲୁକା କଳାକୁ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାନୁୟାରୀ 23 ତାରିଖ ହେଉଛି ପରାକ୍ରମ ଦିବସ। ଭାରତର ମହାନ ଜନନାୟକ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀରେ ଏହା ପାଳନ କରାଯାଉଛି। ଏହି ଉପଲକ୍ଷେ ନୂଆ ଦିଲ୍ଲୀରେ ପାଳନ ହୋଇଛି ଏହି ପରାକ୍ରମ ଦିବସ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ନେତାଜୀଙ୍କୁ ସ୍ମରଣ କରିଥିଲେ।

ଏହି ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନୂଆଦିଲ୍ଲୀର ଲାଲକିଲାରେ ନିର୍ମାଣ କରିଥିଲେ ସୁଭାଷ ବୋଷଙ୍କ ବାଲୁକା କଳା। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିଦର୍ଶନ କରି ବେଶ ପ୍ରଶଂସା ମଧ୍ୟ କରିଛନ୍ତି। ସୁଦର୍ଶନ ବାଲି ସହିତ ଷ୍ଟିଲ ଗିନା ବ୍ୟବହାର କରି ସୁଭାଷ ବୋଷଙ୍କ ଏହି ପ୍ରତିକୃତି ନିର୍ମାଣ କରିଛନ୍ତି। ଏହା ବର୍ତ୍ତମାନ ଲାଲକିଲାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଛକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଭିଏସଏସ ନଗରସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବିପ୍ଲବୀ ମାନଙ୍କ ସ୍ମୃତି ଚାରଣ କରିଥିଲେ।

ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ, ସୁଶ୍ରୀ ସଂଗୀତା ମହାରଣା,ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ଲଷ୍ମୀଧର ବେହେରା, ବୁଦ୍ଧିଜୀବୀ, ସମାଜସେବୀ, ବିଭିନ୍ନ ଛାତ୍ର ସଂଗଠନର ପ୍ରତିନିଧି ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତିରେ ଜାଣନ୍ତୁ ତାଙ୍କର କଣ ଥିଲା ଶେଷ କଥା

ପ୍ରଦୀପ ସେନାପତି

୧୯୪୫ ମସିହା ଅଗଷ୍ଟ ୧୮ରେ ଭାରତର ସ୍ୱାଧୀନତା ସଂଗ୍ରାମର ବୀର ମହାପୁୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତାଇୱାନ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାର କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ବ୍ରିଟେନ ଏକ ୱେବ୍‌ସାଇଟ୍ ତଥ୍ୟ ପ୍ରକାଶ କରିଛି। ଏହି ୱେବ୍‌ସାଇଟ୍‌ଟି ନେତାଜୀଙ୍କ ଅନ୍ତିମ ସମୟର କେତେକ ଘଟଣାବଳୀ ସମ୍ପର୍କିତ ତଥ୍ୟକୁ ଆଧାର କରି ତିଆରି କରାଯାଇଛି।

ଉକ୍ତ ଘଟଣା ସହ ସମ୍ପର୍କ ଥିବା କେତେକ ବ୍ୟକ୍ତି ବିଶେଷଙ୍କ ବୟାନ, ଦୁର୍ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଲାଗି ଘଟଣାସ୍ଥଳ ପରିଦର୍ଶନ କରିଥିବା ତଥ୍ୟର ଦୁଇଟି ଗୁଇନ୍ଦା ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରିଛି।

୧୯୫୬ରେ ଭାରତ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ନେତାଜୀ ଇନ୍‌କ୍ୱାରୀ କମିଟି ରିପୋର୍ଟକୁ ଆଧାର କରି ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ନେତାଜୀ ଏବଂ ୧୨ରୁ ୧୩ ଅନ୍ୟ ସଦସ୍ୟଙ୍କୁ ନେଇ ଜାପାନର ଏୟାରଫୋର୍ସ କୋମାର ବିମାନ ୧୯୪୫ ଅଗଷ୍ଟ ୧୮ରେ ଭିଏତ୍‌ନାମାର ଟୋରେନ୍ସରୁ ଯାତ୍ରା ଆରମ୍ଭ କରିଥିଲା। ଏଥିରେ ନେତାଜୀଙ୍କ ସହ ଜାପାନ ସେନାବାହିନୀର ଲ୍ୟୁଟନାଣ୍ଟ ଜେନେରାଲ ସୁନାମାସା ଶିଦେଇ ମଧ୍ୟ ଉପସ୍ଥିତ ଥିଲେ। ପାଗ ଭଲ ଥିବାରୁ ଏବଂ ବିମାନ ଅବସ୍ଥା ମଧ୍ୟ ଠିକ୍ ଥିବାରୁ ବିମାନଟି ହୋଇତୋ ଉପର ଦେଇ ଅଗଷ୍ଟ ୧୮ରେ ତେଇପେଇ ପହଞ୍ଚିବ ବୋଲି ପାଇଲଟ ସୂଚନା ଦେଇଥିଲେ।

ବିମାନରେ ଯାତ୍ରା କରୁଥିବା ଜାପାନର ଏୟାରଷ୍ଟାଫ୍ ଅଫିସର ମେଜର ଟାରୋ କାନୋ ଉକ୍ତ କମିଟିକୁ ଜଣାଇଥିଲେ ଯେ, ବିମାନର ବାମ ପାଶ୍ୱର୍ର ଇଞ୍ଜିନ ଠିକ୍ ଭାବେ କାମ କରୁନଥିବା ଲକ୍ଷ୍ୟ କରିଥିଲେ। ଏହାପରେ ସେ ଯାଞ୍ଚ କରିଥିଲେ ଏବଂ ଠିକ୍ ଥିବା ଜାଣିବାକୁ ପାଇଥିଲେ। ତାଙ୍କ ସହ ଥିବା ଇଞ୍ଜିନିୟର ମଧ୍ୟ ଏହାକୁ ଯାଞ୍ଚ କରିଥିଲେ।

ତେବେ ବିମାନଟି ରନ୍‌ୱେରେ ଉଡ଼ିବା ଆରମ୍ଭ କରିବା କ୍ଷଣି ସେଥିରେ ଏକ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ତୋପ ମାଡ଼ ହେବା ଭଳି ଶବ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ବିମାନଟି ବାମପାଶ୍ୱର୍କୁ ଢଳି ଯାଇଥିବା ରନ୍‌ୱେରେ ଥିବା ଇଞ୍ଜିନିୟର କ୍ୟାପ୍‌ନେଟ ନକମୁରା ପ୍ରକାଶ କରିଥିଲେ। ଏହି ସମୟରେ ବିମାନଟି ମାତ୍ର ୩୦ରୁ ୪୦ ମିଟର ଉପରେ ଉଡୁଥିଲା। ରନ୍‌ୱେର ମାତ୍ର ୧୦୦ ମିଟର ଦୂରରେ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନର ସମ୍ମୁଖ ଭାଗରେ ଅଗ୍ନି ସଂଯୋଗ ହୋଇଯାଇଥିଲା।

ତେବେ ବିମାନର ମୁଖ୍ୟ ପ୍ରବେଶ ପଥ ଦେଇ ଆମେ ବାହାରି ପାରିବା ନାହିଁ ଏବଂ ପଛପଟ ଦେଇ ବାହାରିବା ବୋଲି ତାଙ୍କ ସହ ଯାତ୍ରା କରୁଥିବା ଜେନେରାଲ ରହମାନଙ୍କୁ ନେତାଜୀ କହିଥିଲେ। ଏହାପରେ ରହମାନ ନେତାଜୀଙ୍କୁ ବିମାନ ଭିତରୁ ବାହାର କରିଥିଲେ। ତାଙ୍କ ମୁଣ୍ଡର ବାମପାଶ୍ୱର୍ରେ ଗଭୀର କ୍ଷତ ହୋଇଥିଲା। ନିଆଁରେ ତାଙ୍କ ମୁହଁ ମଧ୍ୟ ଆଂଶିକ ଭାବେ ପୋଡ଼ି ଯାଇଥିଲା। ଶରୀରରେ ଥିବା ପୋଷାକ ମଧ୍ୟ ପୋଡ଼ି ଯାଇଥିଲା। ତମକୁ ଅଧିକ କ୍ଷତି ହୋଇନାହିଁ ତ ବୋଲି ନେତାଜୀ ଏହି ସମୟରେ ତାଙ୍କ ଉତ୍ତର ଦେଇଥିଲେ।

କିନ୍ତୁ ନେତାଜୀ ମୁଁ ଆଉ ବଞ୍ଚିବିନି ବୋଲି ପ୍ରକାଶ କରିଥିଲେ। ନେତାଜୀ କହିଥିଲେ ଯେ, ଯେତେବେଳେ ଭାରତକୁ ଫେରିବ ନେତାଜୀ ଶେଷ ମୁହୂର୍ତ୍ତ ଯାଏ ଭାରତର ସ୍ୱାଧୀନତା ଲାଗି ସଂଗ୍ରାମ ଜାରି ରଖିଥିଲେ ବୋଲି ମୋ ଦେଶର ଭାଇଭଉଣୀମାନଙ୍କୁ ଜଣାଇବ। ସେମାନେ ସ୍ୱାଧୀନତା ସଂଗ୍ରାମକୁ ଜାରି ରଖିଥିବେ। ହିନ୍ଦୁସ୍ତାନ ନିଶ୍ଚୟ ସ୍ୱାଧୀନ ହେବ। ‘ତାକୁ କେହି ଭୃତ୍ୟ କରି କରି ରଖିପାରିବେ ନାହିଁ’। ଏହା ଥିଲା ନେତାଜୀଙ୍କ ଶେଷକଥା ବୋଲି ରହମାନ ଉକ୍ତ କମିଟିକୁ କହିଥିଲେ।

ଉକ୍ତ ବିମାନରେ ଯାତ୍ରା କରିଥିବା ଲ୍ୟୁଟନାଣ୍ଟ କଲୋନେଲ ଶିରୋ ନୋନୋଗାକି କହିଥିଲେ ଯେ, ବିମାନର ବାମ ୱିଙ୍ଗସ୍ ନିକଟରେ ଛିଡ଼ା ହୋଇଥିଲେ ତାଙ୍କ ପୋଷାକ ପୋଡ଼ି ଯାଇଥିଲା ଏବଂ ରହମାନ ତାଙ୍କ କୋର୍ଟ ସାହାଯ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଦୁର୍ଘଟଣାର ୧୧ ବର୍ଷ ପରେ ପ୍ରତ୍ୟକ୍ଷଦର୍ଶୀ କଲୋନେଲ ରହମାନ (ନୋନୋଗାକି ଘକ୍ଟଦ୍ଭକ୍ଟଶବଳସ) ତାକାହାସି ଏବଂ ନକମୁରା ଦେଇଥିବା ବୟାନରେ କିଛିଟା ପାର୍ଥକ୍ୟ ଥିଲେ ସୁଦ୍ଧା ସମସ୍ତ ଉକ୍ତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ, ଦୁର୍ଘଟଣାରେ ନେତାଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ତାଙ୍କୁ ନିକଟସ୍ଥ ନାନ୍‌ମୋନ୍ ସେନା ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା।

ତେବେ, ନେତାଜୀଙ୍କର ଦେଶପ୍ରେମର ଆଦର୍ଶ ଥିଲା ଭିନ୍ନ। ସେ ସୁଦୂରଦର୍ଶୀ ଭାବରେ ଜାଣିଥିଲେ ଇଂରେଜମାନଙ୍କୁ ପରାସ୍ତ କରି ହଟାଇବା ପାଇଁ ମାର୍ଗ ହିଁ ଆପଣେଇବା ପାଇଁ ବାଧ୍ୟ। ଅହିଂସାର ମାର୍ଗଦର୍ଶନରେ ସଂଗ୍ରାମୀମାନେ ବ୍ରିଟିଶମାନଙ୍କ ହାତରେ ବଳି ପଡ଼ିଯାଉଛନ୍ତି। କେତେଯେ, ନିରୀହ ସ୍ୱାଧୀନତା ସଂଗ୍ରାମୀ ଏହି ଆନ୍ଦୋଳନର ଝାସ ଦେଲେଣି ତା’ର ହିସାବ ଗାନ୍ଧିଜୀ ଦେଇପାରିବେ କି? ବୋଲି ଥରେ ଗାନ୍ଧୀଙ୍କୁ ପଚାରିଥିଲେ। ମୁଁ ଏହାକୁ ହୃଦୟତାର ସହ କୌଣସି ପ୍ରକାରେ ବରଦାସ୍ତ କରିପାରିବି ନାହିଁ। ଆମକୁ ଯେଶାକୁ ତେସା ନୀତିରେ ଲଢେଇ କରିବାକୁ ହିଁ ପଡ଼ିବ।

ଇଂରେଜମାନେ ଜାଣିଥିଲେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ଭାରତୀୟ ମାନଙ୍କୁ ସହଜରେ ପରାସ୍ତ କରି ନିୟନ୍ତ୍ରଣ କରାଯାଇ ପାରିବ। ଆମେ ନିରୀହ, ସରଳ, ଆମେ ଶାନ୍ତିପ୍ରିୟ ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ବେଳେ ହଜାର ହଜାର ନିରୀହ ସ୍ୱାଧୀନତା ସଂଗ୍ରାମୀମାନେ ବ୍ରିଟିଶରଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ସତ୍ୟଯୁଗରେ ମଧ୍ୟ ମହାଭାରତରେ ଅହିଂସାର ନିର୍ଦ୍ଦଶନ ପ୍ରତିଫଳିତ ହୋଇଥିବା ବେଳେ ଆବଶ୍ୟକସ୍ଥଳେ ହିଂସାର ରୂପ ନେବା ପାଇଁ ଆମକୁ ଦିଗ୍‌ଦର୍ଶନ ଦେଇଛି। ଯାହା ସମସ୍ତ ବିଶ୍ୱକୁ ଚକିତ କରିଥିଲା।

ତେଣୁ, ଆଜି ସେହି ସଂଗ୍ରାମୀ ମହାପୁରୁଷଙ୍କର ମହତ୍ତ୍ୱ ଉପଦେଶକୁ ନିଶ୍ଚିତ ରୂପେ ଆଜିର ପବିତ୍ର ଦିବସରେ ଭାରତୀୟମାନଙ୍କୁ ସ୍ମରଣ କରିବାର ଯଥାର୍ଥତା ଜରୁରୀ। ନେତାଜୀଙ୍କର ସେହି ଚେତନାଶୀଳ ଭାବନାର ଉତ୍ତର ବାସ୍ତବରେ ପ୍ରତିଫଳନ ରୂପାନ୍ତରିତ ହୋଇଥିଲା କି ନାହିଁ ତାହା ମୁଁ ଆଜି ଭାରତୀୟ ମାନଙ୍କୁ ପଚାରିବା ପାଇଁ ଚାହେଁ।

ନେତାଜୀଙ୍କ ଆଦର୍ଶକୁ ଆଜି ଆମ୍ଭେ ଭୁଲିଯାଇ ସ୍ୱାଧୀନ ଦେଶର ଏକ ଶାନ୍ତିପ୍ରିୟ ରାଷ୍ଟ୍ରର ମାନ୍ୟତା ପାଇଥିବାରୁ ଏହାକୁ ଦୁର୍ବଳ ମନେ କରି ସ୍ୱାଧୀନ ଦେଶର ନାଗରିକ ହୋଇଥିଲେ ମଧ୍ୟ ପଡ଼ୋଶୀ ଦେଶ ଭାବରେ ଆମଠାରୁ ଜନ୍ମ ନେଇ ପାକିସ୍ତାନ ଓ ଚୀନ୍ ଆମକୁ ଶାନ୍ତିପ୍ରିୟ ଭାବରେ ରହିବା ପାଇଁ ଚାହୁଁନାହାଁନ୍ତି। ଏହି ପରିପ୍ରେକ୍ଷୀରେ ନେତାଜୀ ସେତେବେଳେ ଯଦି ଥାଆନ୍ତେ, ଭାରତକୁ ଖଣ୍ଡବିଖଣ୍ଡିତ କିରବାର ଆସ୍ଫାଳନ ବିଫଳ ହୋଇଥାନ୍ତା ନିଶ୍ଚୟ।

ତେଣୁ, ହେ ମହାପୁରୁଷ, କେଉଁଠାରେ ଅଛ? ଖୋଜୁଛି ତୁମକୁ ଏଇ ଭାରତବର୍ଷ। ତୁମେ କହିଥିଲ, ମୋତେ ରକ୍ତ ଦିଅ ଭୁଲିଯିବ ନାହିଁ ଏଇ ମଣିଷ ଯେଉଁଠି ବଞ୍ଚିବେ, ଯେଉଁଠାରେ ଥାଅ ଭାରତମାତାକୁ ଆଶୀର୍ବାଦ ଦିଅ। ସର୍ବଶେଷରେ, ଆଜି ତାଙ୍କର ପୂଣ୍ୟତିଥି ଜୟନ୍ତୀ ଅବସରରେ ମୁଁ ଜଣେ ଆନ୍ତରିକତାର ସହିତ ଗର୍ବିତ ଭାରତୀୟ ଭାବେ ତାଙ୍କର ନୀତି, ଆଦର୍ଶ, ନୈତିକତା, ଜଳାଞ୍ଜଳି, ଚିନ୍ତାଧାରାକୁ ଅନୁସରଣ, ଅନୁକରଣ କରିବାର ସମୟ ଉପନୀତ ହୋଇଥିବାରୁ ତାଙ୍କର ହୃଦୟକୁ, ସହୃଦୟତାର ସହିତ ସସମ୍ମାନ ଜଣାଇ ଭକ୍ତିଭୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଜୟହିନ୍ଦ, ଜୟ ନେତାଜୀ, ଜୟ ଭାରତମାତା।

Categories
ଆଜିର ଖବର ରାଜ୍ୟ ଖବର

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ସଭାପତି ଭାବେ ଯୋଗଦେଇ ଉଭୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଦେଶପ୍ରେମ ଓ ଅସୀମ ପରାକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଭୟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଦେଶପ୍ରେମ, ଅସୀମ ପରାକ୍ରମ, ବୀରତ୍ୱ, ଦୃଢ଼ ଇଚ୍ଛାଶକ୍ତି ଓ ଉଚ୍ଚ ଆଦର୍ଶ ଅନନ୍ୟ ଓ ଅତୁଳନୀୟ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ବିଧାୟକ ଶ୍ରୀ ସୌଭିକ୍‌ ବିଶ୍ୱାଳ ଓ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ଦୁଇ ବୀର ସଂଗ୍ରାମୀ ଦେଶର ସ୍ୱାଧୀନତା ପାଇଁ ଯେଉଁ ବଳିଷ୍ଠ ନେତୃତ୍ୱ ଓ ଉଚ୍ଚ ଆଦର୍ଶ, ସାଂଗଠନିକ କ୍ଷମତା ଓ ଅବଦମିତ ଦେଶପ୍ରେମ ଓ ତ୍ୟାଗ ଦେଇଯାଇଛନ୍ତି ତାହା ଚିରସ୍ମରଣୀୟ ହୋଇରହିବ ବୋଲି କହିଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତି୍ୟକ ଏବଂ ଶିକ୍ଷାବିତ୍‌ ଡ. ନାରାୟଣ ପଣ୍ଡା ଦୁଇ ମହାପୁରୁଷଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିବାବେଳେ ବୀର ସୁରେନ୍ଦ୍ର ସାଏଙ୍କର ବି୍ରଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଂଗ୍ରାମ ଓ ୩୭ ବର୍ଷ କାରାବରଣ ଏବଂ ସୁଭାଷଙ୍କ ନେତୃତ୍ୱରେ ‘ଆଜାଦ୍‌ ହିନ୍ଦ୍‌ ଫୌଜ’ ଓ ‘ଦିଲ୍ଲୀ ଚଲୋ’ ଆହ୍ୱାନ ବାସ୍ତବରେ ଅବିସ୍ମରଣୀୟ ବୋଲି କହିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି ଦୁଇ ମହାପୁରୁଷଙ୍କ କର୍ମମୟ ଜୀବନ ଚିରଦିନ ପାଇଁ ପ୍ରେରଣାଦାୟୀ ଓ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ।

ପ୍ରାରମ୍ଭରେ ଅତିଥିମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅଂଶୁମାନ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Categories
NetajiJayanthi ଆଞ୍ଚଳିକ

ପରାକ୍ରମ ଦିବସ ଅବସରରେ ପ୍ରତିଭାଶ୍ରମର ଶିଶୁମାନଙ୍କୁ ଡିଏଭି କଳିଙ୍ଗନଗର ତରଫରୁ ସହାୟତା ପ୍ରଦାନ

ଭୁବନେଶ୍ୱର: ଡିଏଭି କଳିଙ୍ଗନଗରରେ ପରାକ୍ରମ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଦୁଇ ଦେଶଭକ୍ତଙ୍କ ଜୀବନାଦର୍ଶରେ ଅନୁପ୍ରେରିତ ହୋଇ ରାଷ୍ଟ୍ରକାର୍ଯ୍ୟରେ ସମର୍ପିତ ମନୋଭାବ ପୋଷଣକରିବାକୁ ସେ ଯୁବପିଢୀଙ୍କୁ ଆହ୍ୱାନ କରିଥିଲେ । ଛାତ୍ରୀ କ୍ରିଷ୍ଣା ଜେନା ଓ ଶିକ୍ଷକ ହେମକାନ୍ତ ପ୍ରଧାନ ମୁକ୍ତି ସଂଗ୍ରାମର ଦୁଇ ନାୟକଙ୍କ ବିଷୟରେ ଅଭିଭାଷଣ ରଖିଥିଲେ।

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କଉତୁକିଆ ବେଶ ପ୍ରଦର୍ଶନୀ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅଧ୍ୟକ୍ଷଙ୍କ ସମେତ ଇଂରାଜୀ ବିଭାଗର ଶିକ୍ଷକଶିକ୍ଷୟିତ୍ରୀ ପ୍ରତିଭାଶ୍ରମ ନାମକ ଏକ ଶିଶୁ ଯତ୍ନ ଅନୁଷ୍ଠାନକୁ ଯାଇଥିଲେ । ସେଠାରେ କୋଭିଡ ମାର୍ଗଦର୍ଶିକା ପାଳନପୂର୍ବକ ପିଲାମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାର୍ତ୍ତାଳାପ କରିବା ସହିତ ସେମାନଙ୍କୁ ଚୂଡା, ଚାଉଳ, ଗୁଡ, ବିସ୍କୁଟ, ମାସ୍କ ଓ ସାନିଟାଇଜର ଆଦି ବାଣ୍ଟିଥିଲେ । କାର୍ଯ୍ୟକ୍ରମର ସିଧା ପ୍ରସାରଣ ୟୁଟୁବ ମାଧ୍ୟମରେ କରାଯାଇଥିଲା ।

Categories
NetajiJayanthi ଜାତୀୟ ଖବର ବିଶେଷ ଖବର

NetajiJayanti: ଆଜି ସାରା ଦେଶ ନେତାଜୀଙ୍କ ଜନ୍ମ ବାର୍ଷିକକୁ ପରାକ୍ରମ ଦିବସ ଭାବେ କରୁଛି ପାଳନ

ନୂଆଦିଲ୍ଲୀ: ଦେଶ ଆଜି ପରାକ୍ରମ ଦିବସ ଭାବରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ପରେ, ଏହି ହୋଲଗ୍ରାମ ପ୍ରତିମୂର୍ତ୍ତି ସ୍ଥାନରେ ନେତାଜୀଙ୍କ ଏକ ଗ୍ରାଣ୍ଡ ଗ୍ରାନାଇଟ୍ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ, ଯାହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ନେତାଜୀଙ୍କ 125 ତମ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଉଛି। ଦେଶର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ମହାନ ଅବଦାନ ପାଇଁ ଦେଶ ଏକ ଗ୍ରାନାଇଟ ପ୍ରତିମୂର୍ତ୍ତି ସ୍ଥାପନ କରିବ।

ବର୍ତ୍ତମାନ ଶୋଭାପାଇବାକୁ ଥିବା ହୋଲଗ୍ରାମ ମୂର୍ତ୍ତିଟି 28 ଫୁଟ ଉଚ୍ଚ ଏବଂ 6 ଫୁଟ ପ୍ରସସ୍ଥ।ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 2019, 2020, 2021 ଏବଂ 2022 ବର୍ଷ ପାଇଁ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କର ପ୍ରଦାନ କରିବେ। ସମାରୋହରେ ମୋଟ ସାତୋଟି ପୁରସ୍କାର ପ୍ରଦାନ କରାଯିବ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ବିଭିନ୍ନ ଲୋକ ତଥା ସଂଗଠନର ଅମୂଲ୍ୟ ଅବଦାନ ତଥା ନିଃସ୍ୱାର୍ଥପର ସେବାକୁ ପ୍ରଶଂସା ତଥା ସମ୍ମାନିତ କରିବା ପାଇଁ କେନ୍ଦ୍ର ସରକାର ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କର ପ୍ରଚଳନ କରିଛନ୍ତି।

ଅନୁଷ୍ଠାନ ହୋଇଥିଲେ ଏହି ପୁରସ୍କାର ଆକାରରେ 51 ଲକ୍ଷ ଟଙ୍କା ନଗଦ ଏବଂ ସାର୍ଟିଫିକେଟ୍ ଏବଂ ବ୍ୟକ୍ତିବିଶେଷଙ୍କୁ 5 ଲକ୍ଷ ଟଙ୍କା ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନିରନ୍ତର ଭାବରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ପ୍ରୟାସର ବିଶେଷ ଧ୍ୟାନ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଦୂରଦୃଷ୍ଟି ସମ୍ପନ୍ନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ରହିଛି।

ପ୍ରତିବର୍ଷ ତାଙ୍କ ଜନ୍ମ ବାର୍ଷିକୀକୁ ପାରକ୍ରାମ ଦିବସ ଭାବରେ ପାଳନ କରାଯିବ ବୋଲି ଘୋଷଣା ସହିତ ଏହି ପରିପ୍ରେକ୍ଷୀରେ ଅନେକ ପଦକ୍ଷେପ ନିଆଯାଇଛି। ଏହି ମହାନ ଦିବସଠାରୁ ଆଜି ଗଣତନ୍ତ୍ର ଦିବସ ପାଳନ ଆରମ୍ଭ ହେଉଛି। ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିବର୍ଷ ନେତାଜୀଙ୍କ ଜନ୍ମ ବାର୍ଷିକୀକୁ ପରାକ୍ରାମ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ।

ଆଜି ଫିଲ୍ମ ଡିଭିଜିନ ନେତାଜୀଙ୍କ ଜୀବନୀ ଉପରେ ଦୁଇଟି ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ କରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆଜାଦିର ଅମୃତ ମହୋତ୍ସବ ଅଧୀନରେ ନେତାଜୀଙ୍କ 125 ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ଏହି ଡକ୍ୟୁମେଣ୍ଟାରୀଗୁଡିକ ବର୍ଷସାରା ଉତ୍ସବରେ ପ୍ରଦର୍ଶିତ ହେବ।

ଦୁଇଟି ଡକ୍ୟୁମେଣ୍ଟାରୀ ‘ ଦ ଫ୍ଲେମ୍ ବର୍ନସ୍ ବ୍ରାଇଟ’ ଏବଂ ଫିଲ୍ମ ଡିଭିଜନର ୱେବସାଇଟ୍ ‘ଫିଲ୍ମ ଡିଭିଜନ୍ ଡଟ୍ ଇନ୍’ ଏବଂ ଏହାର ୟୁଟ୍ୟୁବ୍ ଚ୍ୟାନେଲରେ ଏହି ବୃତ୍ତଚିତ୍ର ସବୁବେଳେ ଉପଲବ୍ଧ ହେବ। ଏହି ଚଳଚ୍ଚିତ୍ରଗୁଡ଼ିକରେ ମହାନ ନେତା ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଏବଂ ଭାରତର ସ୍ବାଧୀନତା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ନିରନ୍ତର ସଂଗ୍ରାମ ପ୍ରଦର୍ଶନ କରାଯାଇଛି।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କର 125 ତମ ଜନ୍ମ ବାର୍ଷିକୀରେ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ଦେଶ ତାଙ୍କ ଜନ୍ମ ବାର୍ଷିକୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ କୃତଜ୍ଞତାର ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

Categories
NetajiJayanthi ଆଞ୍ଚଳିକ

ବ୍ରହ୍ମପୁରରେ ଡ ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ତରଫରୁ ନେତାଜୀ ଜନ୍ମଦିବସ ପାଳିତ

ବ୍ରହ୍ମପୁର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତି ବ୍ରହ୍ମପୁରରେ ପାଳିତ ହୋଇଯାଇଛି। ଡ ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ତରଫରୁ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ବ୍ରହ୍ମପୁର ଟାଉନହଲ ସୁଭାଷ ଚନ୍ଦ୍ର ବୋଷ ମାର୍ଗରେ ଥିବା ଏହି ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏଥିରେ ବରିଷ୍ଠ ସାମ୍ବାଦିକ ରବି ରଥ ଯୋଗଦେଇ ନେତାଜୀଙ୍କ ବିରତ୍ବର ଗାଥା ସଂପର୍କରେ ଅବଗତ କରାଇଥିଲେ।

Categories
NetajiJayanthi ଆଜିର ଖବର ଜାତୀୟ ଖବର

ନେତାଜୀଙ୍କ ଜନ୍ମଦିବସରେ ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ବିପଦ ବନ୍ଧୁ ପୁରସ୍କାର

ନୂଆଦିଲ୍ଲୀ: ଆସନ୍ତାକାଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେ କାଲି ଇଣ୍ଡିଆଗେଟରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ହେଲୋଗ୍ରାମ ପ୍ରତିମୂର୍ତ୍ତି ଉନମୋଚିତ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 2019, 2020, 2021 ଏବଂ 2022 ବର୍ଷ ପାଇଁ ସୁଭାଷ ଚନ୍ଦ୍ର ବୋଷ ବିପଦ ବନ୍ଧୁ ପୁରସ୍କରଙ୍କୁ ମଧ୍ୟ ପ୍ରଦାନ କରିବେ। ସମାରୋହରେ ମୋଟ ସାତଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ବ୍ୟକ୍ତିବିଶେଷ ତଥା ସଂଗଠନ ଦ୍ୱାରା ଦିଆଯାଇ ଥିବା ଅମୂଲ୍ୟ ଅବଦାନ ତଥା ନିଃସ୍ୱାର୍ଥପର ସେବାକୁ ସ୍ୱୀକୃତି ତଥା ସମ୍ମାନିତ କରିବାକୁ କେନ୍ଦ୍ର ସରକାର ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରାବନ୍ଧନ ପୁରସ୍କର ପ୍ରଚଳନ କରିଛନ୍ତି। ପ୍ରତିବର୍ଷ 23 ଜାନୁଆରୀରେ ଏହି ପୁରସ୍କାର ଘୋଷଣା କରାଯାଏ। ଅନୁଷ୍ଠାନ ହେଲେ ଏହି ପୁରସ୍କାର ଆକାରରେ 51 ଲକ୍ଷ ଟଙ୍କା ନଗଦ ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ। ସେହିପରି ବ୍ୟକ୍ତିବିଶେଷଙ୍କୁ 5 ଲକ୍ଷ ଟଙ୍କା ଏବଂ ଏକ ସାର୍ଟିଫିକେଟ୍ ଦିଆଯିବ।

ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉପଯୁକ୍ତ ଢଙ୍ଗରେ ସମ୍ମାନିତ କରିବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ। ଏହି ପ୍ରୟାସର ଏକ ବିଶେଷ ଧ୍ୟାନ କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ତଥା ଦୂରଦୃଷ୍ଟିସମ୍ପନ୍ନ ନେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ରହିଛି। ପ୍ରତିବର୍ଷ ତାଙ୍କ ଜନ୍ମ ବାର୍ଷିକୀକୁ ପରାକ୍ରାମ ଦିବସ ଭାବରେ ପାଳନ କରାଯିବ ବୋଲି ଘୋଷଣା ସହିତ ଏହି ପରିପ୍ରେକ୍ଷୀରେ ଅନେକ ପଦକ୍ଷେପ ନିଆଯାଇଛି। ସେହିପରି ଚଳିତ ବର୍ଷ 23 ଜାନୁୟାରୀ ଠାରୁ ରିପବ୍ଲିକ୍ ଡେ ଉତ୍ସବ ଦିନ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି।

Categories
NetajiJayanthi ଜାତୀୟ ଖବର ବିଶେଷ ଖବର

ଇଣ୍ଡିଆ ଗେଟରେ କିଛିଦିନ ପାଇଁ ଝଲସିବ ନେତାଜୀଙ୍କ ହେଲୋଗ୍ରାମ ମୂର୍ତ୍ତି, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ନୂଆଦିଲ୍ଲୀର ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ସୂଚନା ଦେଇଛନ୍ତି।

ଏହି ପ୍ରତିମୂର୍ତ୍ତି ଗ୍ରାନାଇଟ ପଥରରେ ନିର୍ମିତ ହେବ। ଏହି ପ୍ରତିମୂର୍ତ୍ତି ଦେଶର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅପାର ଅବଦାନ ପାଇଁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ଏବଂ ତାଙ୍କ ପ୍ରତି ଦେଶର ଶ୍ରେଷ୍ଠ ସମ୍ମାନର ପ୍ରତୀକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ପ୍ରତିମୂର୍ତ୍ତିର କାର୍ଯ୍ୟ ସମାପ୍ତ ନହେବା ପର୍ଯ୍ୟନ୍ତ, ନେତାଜୀଙ୍କ ଏକ ହୋଲଗ୍ରାମ ପ୍ରତିମୂର୍ତ୍ତି ସମାନ ସ୍ଥାନରେ ସ୍ଥାପିତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 23 ଜାନୁୟାରୀ ସଂଧ୍ୟା 6 ଟା ସମୟରେ ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ।

ଏହି ହୋଲଗ୍ରାମ ପ୍ରତିମୂର୍ତ୍ତି ହେଉଛି ଏପରି ଏକ ପ୍ରତିଛବି ଯାହା ଭିଡିଓ ଆଧାରିତ ହେବ। ହେଲେ ଦୂରରୁ ଏହା ପ୍ରସ୍ଥର ପ୍ରତିମୂର୍ତ୍ତି ପରି ଦେଖାଯିବ। ହୋଲଗ୍ରାମ ପ୍ରତିମୂର୍ତ୍ତିକୁ 30 ହଜାର ଲ୍ୟୁମେନ 4K ପ୍ରୋଜେକ୍ଟର ଦ୍ୱାରା ଚାଳିତ କରାଯିବ। ଏକ ଅଦୃଶ୍ୟ, ହାଇଗେନ୍, 90 ପ୍ରତିଶତ ସ୍ୱଚ୍ଛ ହୋଲୋଗ୍ରାଫିକ୍ ସ୍କ୍ରିନ୍ ଏପରି ଭାବରେ ନିର୍ମାଣ କରାଯାଇଛି ଯାହା ଦ୍ବାରା ଏହା ପରିଦର୍ଶକମାନେ ସତ ମୂର୍ତ୍ତି ବୋଲି ଅନୁଭବ କରିବେ।

ଏହି ହୋଲଗ୍ରାମର ପ୍ରଭାବ ସୃଷ୍ଟି କରିବା ପାଇଁ ନେତାଜୀଙ୍କର 3D ପ୍ରତିଛବି ଏହା ଉପରେ ପ୍ରୋଜେକ୍ଟ ହେବ। ହୋଲଗ୍ରାମ ମୂର୍ତ୍ତିର ଆକାର 28 ଫୁଟ ଉଚ୍ଚତା ଏବଂ 6 ଫୁଟ ପ୍ରସସ୍ଥ ହୋଇଛି।

Categories
NetajiJayanthi ଜାତୀୟ ଖବର ବିଶେଷ ଖବର

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ; ଭାରତୀୟ ରାଜନୀତି ଓ ଜନଜୀବନର ଅନନ୍ୟ ମହାନାୟକ

ଜ୍ୟୋତି ରଞ୍ଜନ ମହାପାତ୍ର

ସ୍ୱାଧୀନତା ସଂଗ୍ରାମ କାଳରେ ଆମରି ଜାତୀୟକବି ବୀରକିଶୋର ଦାସ ଲେଖିଥିଲେ “ଧଳା ବଦଳରେ କଳା ହେଲେ ଜୋକ, କଟିବ କି କୋଟି ଜନତାଙ୍କ ଦୁଃଖ-ଚାଷୀ ମୂଲିଆଙ୍କ ଖପୁରୀକୁ ଚିରି, ଦିଲ୍ଲୀ ଦରବାର ଗଢ଼ିବା କି?’ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ, “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ’ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆହ୍ୱାନ ଦେଇଥିଲେ, “ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ ।

ସେହି ଡାକରା  ଗୁଡ଼ିକ ଆଜିର ଦିନରେ କ୍ରମାନ୍ୱୟରେ ପରିବର୍ତ୍ତିତ ହୋଇଯାଇଛି ‘(୧) ଧଳା ବଦଳରେ କଳା ହେଲେ ଜୋକ, କଟିଲାଣି କୋଟି ଜନତାଙ୍କ ଦୁଃଖ, ଚାଷୀମୂଲିଆଙ୍କ ଖପୁରିକୁ ଚିରି, ଦିଲ୍ଲୀ ଦରବାର ଗଢ଼ିଲେଟି’, (୨) ମିଶୁ ଦେଶ ପାଣ୍ଠି ମୋ ନିଜ ପାଣ୍ଠିରେ, ଚାଲିଯାଏ ମୁଁ ଦେଶବାସୀଙ୍କ ପିଠିରେ’ ଓ (୩) “ମୋତେ ତୁମ ରକ୍ତ ଦିଅ, ମୁଁ ତୁମକୁ ଶାସନ ଶୋଷଣ କରିବି’ ।

ଏହିଭଳି ଏକ କିମ୍ଭୂତକିମାକାର ପରିସ୍ଥିତିରେ ନେତାଜୀଙ୍କ ପ୍ରଦର୍ଶିତ ସମାଜବାଦ, ଭାଇଚାରା, ସର୍ବଧର୍ମ ସମନ୍ୱୟତା, ଧନୀ ଓ ଦରିଦ୍ରଙ୍କ ଭିତରେ ବିଶେଷ ତାରତମ୍ୟ ନ ରହିବା, ମହିଳା ସଶକ୍ତିକରଣ ଇତ୍ୟାଦି ଅନେକ ତତ୍ତ୍ୱ ଆଜି ସମାଧି ଲଭିବାକୁ ବସିଲାଣି । ଏ ସବୁର ପ୍ରତିଷ୍ଠା ପାଇଁ ସେ ନିଜ ଜୀବନରେ ଯେଉଁ ସବୁ କାର୍ଯ୍ୟପନ୍ଥା ଆପଣେଇଥିଲେ, ସେସବୁର ସମ୍ୟକ ବିବରଣୀ ନିମ୍ନରେ ପ୍ରଦତ୍ତ ଅଛି ।

ତା ୨୧.୧୦.୧୯୪୩ରିଖରେ ସିଙ୍ଗାପୁରଠାରେ ଦେଶର ପ୍ରଥମ ସ୍ୱାଧୀନ ସରକାର ଗଠନ କରି ନେତାଜୀ ନିଜେ ରାଷ୍ଟ୍ରମୁଖ୍ୟ ହୋଇ ଗୃହ ଓ ବୈଦେଶିକ ବିଭାଗକୁ ନିଜ ହାତରେ ରଖିଥିଲେ ତଥା ସୈନ୍ୟବାହିନୀର ସୁପ୍ରିମ କମାଣ୍ଡର ହୋଇଥିଲେ । ଶ୍ରୀ ରାସବିହାରୀ ବୋଷ ସେହି ମନ୍ତ୍ରୀମଣ୍ଡଳର ପ୍ରମୁଖ ପରାମର୍ଶଦାତା ଥିଲେ । ମହିଳା ସଶକ୍ତିକରଣ ବିଭାଗ ମନ୍ତ୍ରୀ ଥିଲେ ଶ୍ରୀମତୀ ଲକ୍ଷ୍ମୀ ସେହେଗଲ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଥିଲେ ଏସ୍.ଏ. ଆୟାର ଓ ଅର୍ଥମନ୍ତ୍ରୀ ଥିଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏ.ସି. ଚାଟାର୍ଜୀ । ଏ.ଏମ୍. ସହାୟଙ୍କୁ ମନ୍ତ୍ରୀପଦ ତୁଳନୀୟ ସମ୍ପାଦକ ପଦ ମିଳିଥିଲା । ଏ.ଏନ୍. ସରକାର ଥିଲେ ଆଇନ୍ ପରାମର୍ଶଦାତା । ସର୍ବଶ୍ରୀ କରିମ୍ ଗନି, ଦେବନାଥ ଦାସ, ଡ଼ି.ଏମ୍. ଖାନ୍, ଏ. ୟେଲେପ୍ପା, ଜେ. ଥିଭି, ସର୍ଦ୍ଦାର ଇଶାର ସିଂ ପ୍ରମୁଖ ଏହି ସରକାରର ପରାମର୍ଶଦାତା ଥିଲେ । ସୈନ୍ୟବାହିନୀର ଲେଫ୍ଟନାଣ୍ଟ କର୍ଣ୍ଣେଲ ସର୍ବଶ୍ରୀ ଅଜିଜ୍ ଅହମ୍ମଦ, ଏସ୍.ଏନ୍. ଭଗତ, ଗୁଲ୍ଜାର ସିଂ, ଏମ୍.ଜେ. କିଆନି, ଏ. ଲୋଗନାଥନ, ଇଶାନ କ୍ୱାଦିର, ସାହାନୱାଜ ଓ କର୍ଣ୍ଣେଲ ଜେ.କେ. ଭୋଁସଲେ ପ୍ରମୁଖ ଏହି ସରକାରରେ ବିଭିନ୍ନ ପଦପଦବୀରେ ରହିଥିଲେ ।

ଏହି ସରକାର “ଆଜାଦ ହିନ୍ଦ୍ ଫୌଜ’ ନାମକ ନିଜର ସୈନ୍ୟବାହିନୀ, ‘ଆଜଦ୍ ହିନ୍ଦ ରେଡ଼ିଓ’ ନାମକ ନିଜର ରେଡ଼ିଓ ଷ୍ଟେସନ, ମୁଦ୍ରା, ଡ଼ାକଘର,  “ଆଜାଦ୍ ହିନ୍ଦ୍ ବ୍ୟାଙ୍କ’ ନାମକ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ । ଯେଉଁ ରାଷ୍ଟ୍ରମାନେ ଏହି ସରକାରଙ୍କୁ ସ୍ୱୀକୃତି ପ୍ରଦାନ କରିଥିଲେ ସେଗୁଡ଼ିକ ଥିଲେ ଜର୍ମାନୀ, କ୍ରୋଏସିଆ, ·ଇନା, ମାଞ୍ଚୁକୁଓ, ଫିଲିପାଇନ୍ସ, ବର୍ମା, ଇଟାଲୀ, ଜାପାନ ଓ ଇରିଶଯୁକ୍ତ ରାଜ୍ୟ ସମୂହ । ଏହିସବୁ ଦେଶରେ ନେତାଜୀଙ୍କ ସରକାରର ରାଷ୍ଟ୍ରଦୂତମାନେ ନିଯୁକ୍ତି ପାଇଥିଲେ ।

ନେତାଜୀ ଯୁବଶକ୍ତି ପ୍ରସଙ୍ଗରେ ଆହ୍ୱାନ ଦେଇ କହିଥିଲେ, ‘ବନ୍ଧୁଗଣ! ଯୁବଶକ୍ତିର ଜାଗରଣରେ ସାହାଯ୍ୟ କର । ଯୁବ ଆନ୍ଦୋଳନ ପାଇଁ ସଙ୍ଗଠନ ଗଢ଼ିଉଠୁ । ଆତ୍ମସଚେତନ ଯୁବଶକ୍ତି କେବେଳ କାର୍ଯ୍ୟ କରିବ ନୁହେଁ, ସ୍ୱପ୍ନ ମଧ୍ୟ ଦେଖିବ । କେବଳ ଧ୍ୱଂସ କରିବ ନାହିଁ, ନିର୍ମାଣ ମଧ୍ୟ କରିବ । ଆମେ ସବୁ ବିଫଳ ହୋଇଯିବା କିନ୍ତୁ ଯୁବଶକ୍ତି ବିଫଳ ହେବନାହିଁ । ଆମମାନଙ୍କ ପାଇଁ ସେମାନେ ଏକ ନବଭାରତ ନିର୍ମାଣ କରିବାରେ ସଫଳ ହେବେ । ସମସ୍ତ ବ୍ୟର୍ଥତା, ସମସ୍ତ ପରୀକ୍ଷା ଓ ଅତୀତର ତିକ୍ତ ଅଭିଜ୍ଞତାରୁ, ଯୁବଶକ୍ତି ସଫଳତା ଦିଗରେ କାର୍ଯ୍ୟ କରିଯିବ । ଯଦି ସାମ୍ପ୍ରଦାୟିକତା ଓ ଅନ୍ଧବିଶ୍ୱାସକୁ ଆମେ ଦୂର କରିବାକୁ ଚାହୁଁ, ତାହାହେଲେ ଯୁବକମାନଙ୍କ ଭିତରେ ହିଁ ଆମକୁ କାର୍ଯ୍ୟ କରିବାକୁ ହେବ ।’

ନେତାଜୀଙ୍କ ଆହ୍ୱାନ ଥିଲା “ଯେଉଁ ଦେଶର ସରକାର ବା ଶାସନ ସାଧାରଣ ଜନତାଙ୍କୁ ତାଙ୍କ ଅଧିକାରରୁ ବଞ୍ôଚତ କରୁଛି, ସେହି ଦେଶର ଯୁବକ-ଛାତ୍ରମାନଙ୍କ ଦାୟିତ୍ୱ ନୁହେଁ, କର୍ତ୍ତବ୍ୟ ହୋଇଯାଉଛି କି, ସେଭଳି ଏକ ସରକାର ବା ଶାସନକୁ ବଦଳାଇ ଦେବେ, ନଚେତ୍ ଶାସନ ଗାଦିରୁ କାଢିଦେବେ’ ।

ନେତାଜୀ ଯୋଜନା କମିଟି (ବର୍ତ୍ତମାନର ନାମ ନୀତି ଆୟୋଗ)ର ପ୍ରତିଷ୍ଠାତା ଥିଲେ ଓ  ୧୯୩୮ ମସିହା ଡିସେମ୍ବର ୧୭ ତାରିଖରେ ମୁମ୍ବାଇରେ ଏହାକୁ ଗଠନ କରିଥିଲେ । ଏଥିରେ ଭି.ବି. ଗିରି, ଜେ.ବି. କୃପାଳିନୀ, ବିଶ୍ୱେଶ୍ୱରାୟ, ମେଘନାଦ ସାହା ସଦସ୍ୟବୃନ୍ଦ ଓ ନେହେରୁ ଅଧ୍ୟକ୍ଷ ଭାବେ ସଭାପତି ନେତାଜୀ ସୁଭାଷ ବୋଷଙ୍କ ଦ୍ୱାରା ମନୋନୀତ ହୋଇଥିଲେ ।

ନେତାଜୀ ଜାତୀୟ କଂଗ୍ରେସର ସଭାପତି ରୂପେ ତା ୧୯-୧୨-୧୯୩୮ ଓ ୨୯-୦୧-୧୯୩୯ରିଖରେ ମହାତ୍ମା ଗାନ୍ଧୀଙ୍କର ବ୍ୟକ୍ତିଗତ ପ୍ରାର୍ଥୀକୁ ହରାଇ ବିଜୟଲାଭ କରିଥିଲେ ଓ ପରେ ସେଥିରୁ ଇସ୍ତଫା ଦେଇଥିଲେ ।

ନେତାଜୀ ମହିଳା ସଶକ୍ତିକରଣର ପୃଷ୍ଠପୋଷକ ଥିଲେ । ଯାହାଙ୍କ ନେତୃତ୍ୱରେ ସମ୍ଭବତଃ ବିଶ୍ୱର ପ୍ରଥମ ମହିଳା ସେନାବାହିନୀ ଭାବରେ ଗଠିତ ହୋଇଥିଲା ଝାନ୍ସୀ ରାଣୀ ରେଜିମେଣ୍ଟ। ଯେଉଁ ମହିଳା ସେନାବାହିନୀର କ୍ୟାପଟେନ୍ (ଡାକ୍ତରାଣୀ) ଲକ୍ଷ୍ମୀ ସ୍ୱାମୀନାଥନ ସେହେଗଲଙ୍କ ଠାରୁ ସୁଦୂର ଅଗମ୍ୟ କୋରାପୁଟର ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ପର୍ଯ୍ୟନ୍ତ ମହିଳାମାନେ ନେତୃତ୍ୱ ନେଉଥିଲେ ।

ନେତାଜୀ ଥିଲେ ସାମ୍ପ୍ରଦାୟିକ ଐକ୍ୟର ପ୍ରବକ୍ତା । ତାଙ୍କର ବିଶ୍ୱସ୍ତ ସହଯୋଗୀ ଥିଲେ କର୍ଣ୍ଣେଲ ହବିବୁର ରହମନ, ମୋଇରାଙ୍ଗ ବିଜୟର ନାୟକ ସଉକତ ଅଲ୍ଳୀ ମଲ୍ଲିକ (ତା ୧୪-୦୪-୧୯୪୪)। ନେତାଜୀଙ୍କ ଡ୍ରାଇଭର ଥିଲେ ନିଜାମୁଦ୍ଦିନ ଓ ରୋଷେଇଆ ଥିଲେ ଶେଖ ରମଜାନ କୁରେସୀ । ନେତାଜୀଙ୍କ ଗଠିତ ପ୍ରଥମ ଆଇ.ଏନ୍.ଏ.ର ସଦସ୍ୟଗଣ ଥିଲେ ଫଉଜା ସିଂହ (ପଞ୍ଜାବୀ), ସତ୍ୟଚନ୍ଦ୍ର ବର୍ଦ୍ଧନ (ତ୍ରିପୁରା), କେ ଅନନ୍ତନ ଆୟାର (କେରଳୀ ବ୍ରାହ୍ମଣ), ଓକମ୍ କାଦର (କେରଳୀ ମୁସଲମାନ) ଯେଉଁମାନଙ୍କୁ ସେପ୍ଟେମ୍ବର ୧୦-୧୯୪୩ରେ ମାଡ୍ରାସ ଜେଲରେ ବ୍ରିଟିଶ ଫାଶୀ ଦେଇଥିଲା । ବୋନ ଫିସ ପେରେରା (କେରଳୀ ଖ୍ରଷ୍ଟିୟାନ୍) ନାବାଳକ ହୋଇଥିବାରୁ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା । ଆଣ୍ଡାମାନ ଓ ନିକୋବାର ଆଇଲାଣ୍ଡକୁ ନେତାଜୀ ସହୀଦ ଓ ସ୍ୱରାଜ ନାମରେ ନାମକରଣ କରିଥିଲେ ତା ୨୯-୧୨-୧୯୪୩ରିଖରେ ।

ନେତାଜୀ କଂଗ୍ରେସର ସଭାପତି ଥିବା ସମୟରେ ଆଚାର୍ଯ୍ୟ ଜେବି କୃପାଲିନୀ ସାଧାରଣ ସମ୍ପାଦକ ଓ ଯମୁନାଲାଲ ବଜାଜ କୋଷାଧ୍ୟକ୍ଷ ଥିଲେ ।

ମହାତ୍ମା ଗାନ୍ଧୀଙ୍କୁ “ଜାତିର ପିତା’ ବୋଲି ନେତାଜୀ ହିଁ ପ୍ରଥମେ ଅଭିହିତ-ସମ୍ବୋଧନ କରିଥିଲେ । ନେତାଜୀ କଟକର ରେଭେନ୍ସା କଲିଜିଏଟ୍ ସ୍କୁଲର ଛାତ୍ର ଥିବା ବେଳେ ଶହୀଦ ଖୁଦିରାମ ବୋଷଙ୍କୁ ଫାଶୀର ପ୍ରତିବାଦରେ ଛାତ୍ରାବାସରେ ସମୂହ ଅନଶନ କରି ଗୋରା ହାକିମଙ୍କଠାରୁ ବେତ୍ରାଘାତ ଦଣ୍ଡ ପାଇଥିଲେ ।

ଆଜିର ଭାରତବର୍ଷ, ଏହାର ଶାସକ ଓ ପ୍ରଶାସକଙ୍କ ଜରିଆରେ ସମାଜର ଏକ ଭାଗ ଧନୀଙ୍କ ହାତରେ ଦେଶର ସବୁ ସମ୍ପତ୍ତିର ୯୯ ଭାଗ ଟେକିଦେବାକୁ ଉଦ୍ୟମରତ । “ମୁଁ ହିନ୍ଦୁ, ସେ ମୁସଲିମ୍, ସେ ଖ୍ରୀଷ୍ଟିୟାନ୍” ଧ୍ୱନି ଜରିଆରେ ସମାଜକୁ ଖଣ୍ଡଖଣ୍ଡ କରିବାକୁ ଶାସକ ଓ ପ୍ରଶାସକମାନେ ଶତତ ଚେଷ୍ଟିତ ଓ ସଫଳକାମ ହେଉଛନ୍ତି । ଏଭଳି ଏକ ପରିସ୍ଥିତିରେ ନେତାଜୀଙ୍କ ପ୍ରଦର୍ଶିତ ମାର୍ଗ “ସାଧାରଣ ଜନତାଙ୍କ ହାତରେ ଶାସନର ଡ଼ୋରୀ’ ଯେ ଦେଶକୁ ରକ୍ଷା କରି ଏକ ସମତାଭିତ୍ତିକ ସମାଜ ପ୍ରତିଷ୍ଠାରେ ସହାୟକ ହୋଇପାରିବ, ଏଥିରେ ସନ୍ଦେହ ନାହିଁ । ସର୍ବୋପରି ଆମ ଦେଶରେ ଦେଶପ୍ରେମର ସର୍ବୋଚ୍ଚ ନିଦର୍ଶନ ନେତାଜୀ ସୁଭାଷଙ୍କ ଜନ୍ମଜୟନ୍ତୀକୁ ଦେଶପ୍ରେମ ଦିବସ ଭାବରେ ଆଜିର ଯୁବପିଢୀ ଓ ସାଧାରଣ ଜନତା ପାଳନ କରି ତାଙ୍କ ପଥର ପଥିକ ହୋଇପାରିଲେ  ତାହା ହିଁ ହେବ ନେତାଜୀଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ।

(ଶ୍ରୀ ମହାପାତ୍ର ନେତାଜୀଙ୍କ ପ୍ରତିଷ୍ଠିତ “ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍”ର ଓଡ଼ିଶା ରାଜ୍ୟ ସମ୍ପାଦକ ମୋ : ୯୪୩୮୧୮୦୫୮୮)

Categories
NetajiJayanthi ଆଜିର ଖବର ରାଜ୍ୟ ଖବର

ନେତାଜୀଙ୍କ ଜନ୍ମ ଜୟନ୍ତି ଅବସରରେ ତାଙ୍କ କାର୍ଯ୍ୟଧାରାକୁ ନେଇ ଆରମ୍ଭ ହେଲା ମାଟି ମୂର୍ତ୍ତି ନିର୍ମାଣ

ଭୁବନେଶ୍ବର:  ଆସନ୍ତା 23 ତାରିଖରେ ପ୍ରଖ୍ୟାତ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତି। ଏହି ଅବସରରେ ଓଡିଶା ଲଳିତ କଳା ଏକାଡେମୀ ଏବଂ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟ ଦ୍ବାରା ଆରମ୍ଭ ହୋଇଛି ମାଟି ମୂର୍ତ୍ତି ନିର୍ମାଣ ଶିବିର। ଏଥିରେ କଟକର ପନ୍ଦର ଜଣ ମୃଣ୍ମୟ ଭାସ୍କର୍ଯ୍ୟ ଶିଳ୍ପୀ ଯୋଗ ଦେଇ ସେମାନଙ୍କ କଳା ନୈପୁଣ ପ୍ରଦର୍ଶନ କରୁଛନ୍ତି।

ଏହି ଶିବିରକୁ ଆଜି ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସ, ଓଡିଶା ଲଳିତକଳା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଏବଂ ଶିଳ୍ପୀ ଗଜେନ୍ଦ୍ର ସାହୁ ପ୍ରମୁଖ ଉଦଘାଟନ କରିଥିଲେ। ଏହି ଶିବିର 20 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ଚାଲିବ। 23 ତାରିଖରେ ନେତାଜୀଙ୍କ ଜନ୍ମ ଜୟନ୍ତିରେ ଏହି ମୃତ୍ତିକା ସ୍ଥାପତ୍ୟ ପ୍ରଦର୍ଶିତ ହେବ।

Categories
ଜାତୀୟ ଖବର ବିଶେଷ ଖବର

ଆଜାଦ୍‌ ହିନ୍ଦ ଫୌଜ ପ୍ରତିଷ୍ଠା ଦିବସରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହେଲା ନେତାଜୀଙ୍କ ପୋଷ୍ଟର, ପ୍ରଚାର ପତ୍ର

ଭୁବନେଶ୍ୱର: ଆଜି ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଆଜାଦ୍‌ ହିନ୍ଦ୍‌ ଫୌଜ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଜାତୀୟ ସେନାର ପ୍ରଚାର ପତ୍ର ଓ ପୋଷ୍ଟର ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଛନ୍ତି ।

ବ୍ରିଟିସ ସେନାରେ ଥିବା ଭାରତୀୟ ଜବାନ୍‌ମାନଙ୍କୁ ବ୍ରିଟିସ ସେନା ଛାଡ଼ି ଆଜାଦ୍‌ ହିନ୍ଦ୍‌ ଫୌଜରେ ଯୋଗଦେଇ ଭାରତ-ଜାପାନ୍‌କୁ ସହାୟତା କରିବା ଉପରେ ପ୍ରବର୍ତ୍ତାଇବା ନିମନ୍ତେ ଉଦ୍ଦିଷ୍ଟ ପୋଷ୍ଟର, ପାମ୍ପ୍ଲେଟ୍‌ମାନ ଉଡ଼ାଜାହାଜ ଜରିଆରେ ବ୍ରିଟିସ କ୍ୟାମ୍ପଗୁଡ଼ିକ ଉପରେ ପକାଯାଉଥିଲା । ଏହା ଥିଲା ନେତାଜୀଙ୍କ ମନସ୍ତାତ୍ତ୍ୱିକ ଲଢ଼େଇର ଅଂଶବିଶେଷ ବୋଲି ଗବେଷକମାନେ ଆଖ୍ୟା ଦେଇଛନ୍ତି । ଏ ଧରଣର ପୋଷ୍ଟର ପ୍ରଦର୍ଶନୀ ଦେଶରେ ପ୍ରଥମ ହୋଇଥିବାବେଳେ ଏହା ଛାତ୍ର, ଶିକ୍ଷକ, ଗବେଷକଙ୍କ ନିମନ୍ତେ ଅନେକ ତଥ୍ୟ ଯୋଗାଇପାରିବ ।

ଏହି ଅବସରରେ ଆୟୋଜିତ ଏକ ସଂକ୍ଷିପ୍ତ ବୈଠକରେ ଶାସନ ସଚିବ ଡ. ଦଳାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଏକ ବିରଳତମ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରି ତାଙ୍କର ‘ରକ୍ତ ଦିଅ ମୁଁ ସ୍ୱାଧୀନତା ଦେବି’ ଉକ୍ତିକୁ ଯଦି ଆମେ ସମସ୍ତେ ଉପଲବ୍ଧି କରିଥାନ୍ତେ ତେବେ ଭାରତର ଇତିହାସ ଅନ୍ୟ ପ୍ରକାର ରୂପ ନେଇଥାନ୍ତା ବୋଲି କହିଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱ, ଦେଶଭକ୍ତି, ସାହସ ଓ ପରାକ୍ରମ ବିଷୟରେ ସୂଚନା ପ୍ରଦାନ କରି ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ବ୍ୟକ୍ତିତ୍ୱ ଥିଲା ନିଆରା ବୋଲି ଅବତାରଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରୁ ବିଶିଷ୍ଟ ସଂଗ୍ରାହକ ତଥା ଇତିହାସ ଗବେଷକ ଶ୍ରୀ ଅନୀଲ ଧୀର ମଣିପୁରରେ ନେତାଜୀଙ୍କ ଅନେକ ସ୍ମୃତି ଓ ସ୍ମାରକ ଭାରତୀୟ ଜାତୀୟ ସେନାର ଜଣେ ସେନାନୀ ପାଖରେ ବ୍ୟକ୍ତିଗତ ଜିମାରେ ରହିଥିବା ଦର୍ଶାଇ କିଛି ସ୍ମାରକକୁ ଓଡ଼ିଶା ଅଣାଯିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏପରିକି ଆଜାଦ୍‌ ହିନ୍ଦ୍‌ ଫୌଜର ଜାତୀୟ ପତାକା ସେଠାରେ ଥିବା ଜଣାପଡ଼ିଛି । ତାକୁ କଟକସ୍ଥିତ ନେତାଜୀ ସଂଗ୍ରହାଳୟକୁ ଅଣାଯିବା ଏକ ସମ୍ମାନଜନକ ପଦକ୍ଷେପ ହେବ ବୋଲି କହିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପରିଚାଳନା କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ପ୍ରଦର୍ଶନୀରେ ୫୦ରୁ ଅଧିକ ବିରଳ ପୋଷ୍ଟର ରହିଛି ଏବଂ ଏହା ସାତଦିନ ଯାଏଁ ଦର୍ଶକଙ୍କ ନିମନ୍ତେ ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ ମହତାବ୍‌ ରାଜ୍ୟ ପାଠାଗାରର ଉପନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ବେହେରା, ଶୁଚୀସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ ।

ପ୍ରାରମ୍ଭରେ ଓଡ଼ିଶା ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ନେତାଜୀଙ୍କ ରାଷ୍ଟ୍ରୀୟ ଗାନ ‘କଦମ୍‌ କଦମ୍‌ ବଢ଼ାୟେ ଚାଲ’ ପରିବେଷଣ ସହ ଆଜାଦ୍‌ ହିନ୍ଦ୍‌ ଫୌଜର ଜାତୀୟ ସଂଗୀତ ଗାନ କରାଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର

ନେତାଜୀଙ୍କୁ କଂଗ୍ରେସ ହିଁ ମାରିଛି: ବିଜେପି ସାଂସଦ ସାକ୍ଷୀ ମହାରାଜ

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେବାରେ ବିଜେପି ସାଂସଦ ସାକ୍ଷୀ ମହାରାଜ ବେଶ୍ ଜଣାଶୁଣା। ଆଜି ପୁଣିଥରେ ନିଜ ବୟାନକୁ ନେଇ ବିବାଦ ଘେରକୁ ଆସିଛନ୍ତି। ସାଂସଦ ସାକ୍ଷୀ ମହାରାଜ ଏକ ମନ୍ତବ୍ୟରେ କହିଛନ୍ତି ଯେ, ନେତାଜୀଙ୍କୁ କଂଗ୍ରେସ ହିଁ ମାରିଛି। ଉନ୍ନାଓରେ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ସେ ଏଭଳି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ସାଂସଦ ନିଜ ବୟାନରେ କହିଛନ୍ତି ଯେ, କଂଗ୍ରେସ ପାର୍ଟି ହିଁ ସୁଭାଷ ଚନ୍ଦ୍ର ବୋଷଙ୍କୁ ମାରିଦେଇଛି। ଯଦି ସୁଭାଷ ଚନ୍ଦ୍ର ବୋଷ ବଞ୍ଚିଥାନ୍ତେ, ତେବେ ସେ ମହାତ୍ମା ଗାନ୍ଧି ଓ ପଣ୍ଡିତ ନେହୁରୁଙ୍କ ଠାରୁ ଅଧିକ ଲୋକପ୍ରିୟତା ହୋଇଥାନ୍ତେ। ନେତାଜୀଙ୍କ ଲୋକପ୍ରିୟତା ଆଗରେ କେହି ବି ତିଷ୍ଠି ପାରିନଥାନ୍ତେ। ଏକ ସାର୍ବଜନୀନ ସଭାରେ ଏପରି ବୟାନ ଦେଇଛନ୍ତି ବିଜେପି ସାଂସଦ ସାକ୍ଷୀ ମହାରାଜ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନେତାଜୀଙ୍କ ସ୍ଲୋଗାନ ଥିଲା “ମୋତେ ରକ୍ତଦିଅ, ମୁଁ ସ୍ୱାଧୀନତା ଦେବି”। ଇଂରେଜମାନେ ମାଗୁ ମାଗୁ ସ୍ୱାଧୀନତା ଦେଇ ଦେଇନଥାନ୍ତେ। ସ୍ୱାଧୀନତା ପାଇଁ ଅନେକ ଶହୀଦ ହୋଇଛନ୍ତି।’

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନେତାଜୀଙ୍କ 125ତମ ଜୟନ୍ତୀ ପାଇଁ ତାଙ୍କ ଜନ୍ମସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ, ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ଜୟନ୍ତୀରେ ଚାରିଆଡେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଉଛି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ସମେତ ଗୃହମନ୍ତ୍ରୀ ଏବଂ ବିଭିନ୍ନ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ସେହିପରି ତାଙ୍କର ଜନ୍ମସ୍ଥାନ କଟକ ଓଡିଆ ବଜାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଭାଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଛନ୍ତି। ଜାନକୀନାଥ ଭବନରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ ମଧ୍ୟ କରିଛନ୍ତି। ପରବର୍ତ୍ତି ସମୟରେ ନେତାଜୀଙ୍କ ନାମରେ ନାମିତ ଏକ ବସ ଟର୍ମିନାଲକୁ ମଧ୍ୟ ସେ ଶିଳାନ୍ୟାସ କରିଛନ୍ତି।

Categories
ଫଟୋ ଖବର

ଆଜି ସାରା ଦେଶରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ପାଳନ କରାଯାଉଛି

ଆଜି ସାରା ଦେଶରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ପାଳନ କରାଯାଉଛି

Categories
ବିଶେଷ ଖବର

ନେତାଜୀ ଫାଇଲ୍ସ ଓ ନେତାଜୀଙ୍କ ଜୀବନ ତଥା ରାଜନୀତିକୁ ନେଇ ଗାଲୁଆଙ୍କର ଇତିହାସ ଚର୍ଚ୍ଚା

କେଦାର ମିଶ୍ର 

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜି ଯଦି ବଞ୍ଚିଥାନ୍ତେ, ତା’ହେଲେ ତାଙ୍କୁ ୧୨୨ ବର୍ଷ ହେଉଥା’ନ୍ତା । ୧୯୪୫ ମସିହା ଅଗଷ୍ଟ ମାସରୁ ଆଜି ପର୍ଯ୍ୟନ୍ତ  ନେତାଜୀଙ୍କ ମୃତ୍ୟକୁ ନେଇ ଅନେକ ଗୁଜବ, ଗୁମର ଓ ଗୁରୁତର ତଥ୍ୟ ସଂକଟ ରହିଆସିଛି । ଚାରି ବର୍ଷ ତଳେ ପଶ୍ଚିମବଙ୍ଗ ସରକାର ନେତାଜୀଙ୍କ ସମ୍ପର୍କିତ  ପ୍ରାୟ ୧୦୦୦ ପୃଷ୍ଠାରୁ ଅଧିକ ଗୋପନ ଫାଇଲ୍‌କୁ ଜନସାଧାରଣଙ୍କ ଅବଗତି ନିମେନ୍ତ ପ୍ରକାଶିତ କରିଥିଲେ । ଏହି ଫାଇଲ୍‌ ପ୍ରକାଶ ପାଇବା ପୂର୍ବରୁ ନେତାଜୀଙ୍କ ଜୀବନ ଓ ମୃତ୍ୟୁକୁ ନେଇ ଅନେକ  କାହାଣୀ ଶୁଣିବାକୁ ମିଳିଛି । ହଠାତ୍‌ ଗତ କେଇ ବର୍ଷ ହେଲା ନେତାଜୀଙ୍କ ଜୀବନ ଓ ମୃତ୍ୟୁ ରହସ୍ୟକୁ ନେଇ ଭାରତୀୟ ଗଣମାଧ୍ୟମ ଉତ୍ସାହିତ ହୋଇପଡିଥିଲା । ଏବେ ଅବଶ୍ୟ ସେ ଉତ୍ସାହ ଆଉ ନାହିଁ।  ଯେତେବେଳେ ମୁଖାର୍ଜୀ କମିଶନ ବସିଥିଲା, ସେତେବେଳେ ଗଣମାଧ୍ୟମେର ଏ ସଂକ୍ରାନ୍ତରେ କାଁ ଭାଁ ଚର୍ଚ୍ଚା ଆମେ ଶୁଣିବାକୁ ପାଇଥିଲୁ । ହଠାତ୍‌ ନେତାଜୀଙ୍କର ମୃତ୍ୟୁ ରହସ୍ୟକୁ ନେଇ  ଏନଡିଏ ସରକାରର  ତତ୍ପରତାର କାରଣ କ’ଣ ? ୨୦୧୪-୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତାଜୀଙ୍କ ଜୀବନରୁ ରାଜନୈତିକ ଲାଭ ଉଠାଇବା ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ ।  ଏହି ପ୍ରତିଯୋଗିତାରେ ବୋଷ୍‌ ପରିବାରର ଅନେକ ସଦସ୍ୟ ମଧ୍ୟ ସାମିଲ୍‌ । ପଶ୍ଚିମବଙ୍ଗ ସରକାରଙ୍କ ଫାଇଲ୍‌ ସବୁ ପ୍ରକାଶ ପାଇଲା ପରେ ନେତାଜୀ ରହସ୍ୟ ଉନ୍ମୋଚନ ହେବା ପରିବର୍ତ୍ତେ ଏହା ଅଧିକରୁ ଅଧିକ ଜଟିଳ ହେବାକୁ ଆରମ୍ଭ କଲା । ନେତାଜୀଙ୍କ ଜୀବନକୁ ନେଇ ଅତି କଦର୍ଯ୍ୟ ଓ ଅନାବଶ୍ୟକ ତଥ୍ୟଗୁଡ଼ିକ ଗଣମାଧ୍ୟମରେ ପ୍ରକାଶ ପାଉଛି । ନେତାଜୀ ଏକାଧିକ ବିବାହ କରିଥିଲେ, ତାଙ୍କର ଜଣେ ଚେକୋସ୍ଲୋଭାକୀଆନ୍‌ ପତ୍ନୀଙ୍କୁ ଠାବ କରାଯାଇଛି, ସେ ସାଧୁ ବେଶରେ ବିଭିନ୍ନ ସ୍ଥାନରେ ରହୁଥିଲେ ଇତ୍ୟାଦି ବହୁ ଛଳନାପୂର୍ଣ୍ଣ ତଥ୍ୟ ଏବେ ଗଣମାଧ୍ୟମରେ ଚର୍ଚ୍ଚିତ ହେଉଛି । ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକଙ୍କୁ ଆଜି ରୋଚକ ଗୁଜବ ଓ ଗାଲୁ ଗପର ନାୟକ ଭାବରେ ଆମେ ଉପସ୍ଥାପନ କରୁଛୁ ।

୧୮ ଅଗଷ୍ଟ ୧୯୪୫ରେ  ତାଇପେଇଠାରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ଘଟିଛି ବୋଲି ୨୩ ଅଗଷ୍ଟ ଦିନ ଜାପାନ ଘୋଷଣା କଲା । ସେହିଦିନଠୁ ଆଜି ପର୍ଯ୍ୟନ୍ତ  ନେତାଜୀଙ୍କ ମୃତ୍ୟକୁ ନେଇ ରହସ୍ୟ ଘନୀଭୂତ ହୋଇ ଚାଲିଛି । ଏହି ରହସ୍ୟରୁ ଫାଇଦା ଉଠାଇବାକୁ ଯାଇ ନିଖୋଜ ନେତାଜୀଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କ ପରିକଳ୍ପିତ ଶତ୍ରୁ ଭାବରେ କେହି କେହି ଚର୍ଚ୍ଚା ଜାରି ରଖିଛନ୍ତି । ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ଭଳି ଗୁଜବ ପ୍ରିୟ ନେତା ନେହେରୁଙ୍କୁ ଜଣେ ଭୟାଳୁ ଓ ନେତାଜୀଙ୍କୁ ଡରୁଥିବା ନେତା ଭାବରେ ଉପସ୍ଥାପନ କରିଛନ୍ତି । ସମ୍ପ୍ରତି ଫେସବୁକ୍‌ ତଥା ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ବହୁ ସତ୍ୟ ମିଛ ତଥ୍ୟ ଦେଇ ନେହେରୁଙ୍କୁ ସୁଭାଷ ବିରୋଧୀ ବୋଲି ବର୍ଣ୍ଣନା କରାଯାଇଛି । ଏହାପଛରେ କାରଣ ଅତ୍ୟନ୍ତ ସ୍ପଷ୍ଟ । ବର୍ତ୍ତମାନ ଶାସନ କରୁଥିବା ଭାରତୀୟ ଜନତା ପାର୍ଟିର ମାତୃ ସଂସ୍ଥା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ନେହେରୁଙ୍କୁ ନିଜର ଏକନମ୍ବର ଶତ୍ରୁ ଭାବରେ ଗଣନା କରିଥାଏ । ନେହେରୁ ଦେଶରେ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ଜୀବନବୋଧର ସୂତ୍ରଧର ଥିଲେ । ଯାହାକୁ ମାନିବା ପାଇଁ ଆରଏସ୍‌ଏସ୍‌ ପ୍ରସ୍ତୁତ ନୁହେଁ । ତେଣୁ ଆରଏସଏସ୍‌ ଭିତରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନେହେରୁଙ୍କୁ ଖଳନାୟକ ଭାବେର ଚିତ୍ରିତ କରି ତାଙ୍କ ପ୍ରତିପକ୍ଷରେ ନେତାଜୀଙ୍କୁ ନାୟକ କରି ଛିଡ଼ା କରାଉଛନ୍ତି।

ତେବେ ଅସଲ ସତ୍ୟ ହେଉଛି ପୂରାପୂରି ଅଲଗା। ଭାରତୀୟ ଜାତୀୟ ଜୀବନରେ ନେହେରୁ ଓ ନେତାଜୀ ଦୁଇଟି ସମାନ୍ତରାଳ ବିଚାରର ପ୍ରତିନିଧି ହୋଇଥିଲେ ମଧ୍ୟ ସେମାନଙ୍କର ଲକ୍ଷ୍ୟ ଥିଲା ଏକ । ନେହେରୁ ଗଣତାନ୍ତ୍ରିକ ସମାଜବାଦରେ ବିଶ୍ଵାସ  କରୁଥିବାବେଳେ ନେତାଜୀ ଦେଶ ସ୍ବାଧୀନତା ପାଇଁ ଯେକୌଣସି ଶକ୍ତି ସହ ସହଯୋଗ କରିବାକୁ ପ୍ରସ୍ତୁତ ଥିଲେ । ସେଥିପାଇଁ ନିନ୍ଦିତ ନାଜିବାଦୀ ନେତୃତ୍ବ ଓ ହିଟଲର୍‌ ସହ ହାତ ମିଳାଇବାକୁ ସେ ପଛଘୁଞ୍ଚା ଦେଇନଥିଲେ । ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଦୃଷ୍ଟିରୁ ନେତାଜୀଙ୍କର ନିଷ୍ପତ୍ତିକୁ ଆମେ ସମ୍ମାନ ଦେବାକୁ ବାଧ୍ୟ । ତେବେ ନେତାଜୀଙ୍କୁ ସମ୍ମାନ ଦେବାକୁ ଯାଇ ଫାଶୀବାଦକୁ ସମର୍ଥନ କରିବା ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ ।

ନେତାଜୀ ଓ ନେହେରୁଙ୍କ ସମ୍ପର୍କ ଅତି ଜଟିଳ । ଉଭୟଙ୍କ ରାଜନୈତିକ ଜୀବନ ଭାରତୀୟ ଜାତୀୟ କଂଗ୍ରେସରୁ ଆରମ୍ଭ ହୋଇଛି । ଗାନ୍ଧିଜୀଙ୍କ ପଟ୍ଟଶିଷ୍ୟ ଭାବରେ ନେତାଜୀ ଓ ନେହେରୁ ସମାନ ସମୟରେ କାମ ଆରମ୍ଭ କରିଛନ୍ତି । ବିଭିନ୍ନ ସମୟରେ ମତଭେଦ ହୋଇଛି । ସେହି ମତଭେଦର ତୀବ୍ରତା ବୈଚାରିକ ଦୃଷ୍ଟିରୁ ବେଶ୍‌ ଗମ୍ଭୀର । ତେବେ ସେମାନଙ୍କର ଚିଠିପତ୍ର ଓ ଆଳାପ ଆଲୋଚନାରୁ ଯାହା ଜଣାପଡେ, ଉଭୟ ପରସ୍ପର ପ୍ରତି ବେଶ୍‌ ଶ୍ରଦ୍ଧାଶୀଳ । ବୈଚାରିକ ବିଭେଦ ସେମାନଙ୍କୁ ବ୍ୟକ୍ତିଗତ ଶତ୍ରୁ କରିନାହିଁ । ନେହେରୁ ପ୍ରଧାନମନ୍ତ୍ରୀ ହେଲା ପରେ ଯେତେବେଳେ ନେତାଜୀଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଉପୁଜୁଛି, ତାକୁ ନେଇ ବିଭିନ୍ନ ସମୟରେ କଂଗ୍ରେସ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ୧୯୪୬ରେ ବ୍ରିଟିଶ୍‌ ସରକାର ନେତାଜୀଙ୍କ ମୃତ୍ୟୁର ଅନୁସନ୍ଧାନ କରିବା ପାଇଁ  ଦୁଇଟି ପୁଲିସସ୍ତରୀୟ କମିଟି ଗଠନ କରିଥିଲେ । ଦୁଇଟିଯାକ କମିଟି ନେତାଜୀଙ୍କ ମୃତ୍ୟୁକୁ ନେଇ ନିଜର ସ୍ପଷ୍ଟ ମତ ରଖିଥିଲେ । ଏହାପରେ ୩ ଡିସେମ୍ବର ୧୯୫୫ ଦିନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ନେତାଜୀଙ୍କ ମୃତ୍ୟୁର ଆଧିକାରିକ ତଦନ୍ତ କରାଯିବ ଘୋଷଣା କଲେ । ତାଙ୍କର ଘୋଷଣାନୁଯାୟୀ ୫ ଏପ୍ରିଲ୍‌ ୧୯୫୬ରେ ଶାହାନଓ୍ବାଜ୍‌ ହୁସୈନ୍‌ କମିଟି ଗଠନ କରାଗଲା । ଏହି କମିଟିର ଅଧ୍ୟକ୍ଷ ଭାବରେ ନେତାଜୀଙ୍କ ଭାରତୀୟ ଜାତୀୟ ବାହିନୀର କମାଣ୍ଡର୍‌ ଶାହାନଓ୍ବାଜ୍‌ ଖାନ୍‌ଙ୍କୁ ନିଯୁକ୍ତି ଦିଆଯାଇଥିଲା । କମିଟିର ଅନ୍ୟ ସଦସ୍ୟମାନଙ୍କ ଭିତରେ ଥିଲେ ସୁଭାଷ ଚନ୍ଦ୍ର ବୋଷଙ୍କ ବଡ଼ ଭାଇ ସୁରେଶ ଚନ୍ଦ୍ର ବୋଷ ଓ ଆଇସିଏସ୍‌ ଅଧିକାରୀ ଏସ୍‌.ଏନ୍‌. ମିତ୍ର । ଏମାନେ ସମସ୍ତେ ନେତାଜୀଙ୍କ ଘନିଷ୍ଠ ସହଯୋଗୀ ଓ ସମ୍ପର୍କୀୟ । ବିଭିନ୍ନ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କମିଟି ନିଷ୍ପତ୍ତି ନେଲେ ଯେ, ନେତାଜୀ ଆଉ ଜୀବିତ ନାହାନ୍ତି । ପୁଣି ୧୧ ଜୁଲାଇ ୧୯୭୦ ମସିହାରେ ପଞ୍ଜାବ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡି.ଡି. ଖୋସଲାଙ୍କ ନେତୃତ୍ବରେ ଆଉ ଏକ ତଦନ୍ତ କମିଶନ ଗଠନ କରାଗଲା । ଏହି କମିଶନ ମଧ୍ୟ ନେତାଜୀଙ୍କ ମୃତ୍ୟୁକୁ ନେଇ ସ୍ପଷ୍ଟ ମତ ରଖିଥିଲେ ।

ତେବେ ନେତାଜୀଙ୍କ ପରିବାରର କିଛି ସଦସ୍ୟ ଓ ନେତାଜୀଙ୍କ ଗଠିତ ଫର୍‌ଓ୍ବାର୍ଡ ବ୍ଲକ୍‌ର ନେତାମାନେ ନେତାଜୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିଚାଲିଥିଲେ । ଯାହାର ପରିଣତି ସ୍ବରୂପ ୧୯୯୯ ମସିହାରେ ଜଷ୍ଟିସ୍‌ ମନୋଜ ମୁଖାର୍ଜୀ କମିଶନ ଗଠନ କରାଗଲା । ମୁଖାର୍ଜୀ କମିଶନ ତାଙ୍କ ରିପୋର୍ଟରେ ପୂର୍ବଦୁଇଟି କମିଶନର ତଥ୍ୟକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେ ଯାବତ୍‌ ବନ୍ଦ ହୋଇଯାଇଥିବା ମୃତ୍ୟୁ ରହସ୍ୟ ପୁଣି ଥରେ ନୂଆ ଢଙ୍ଗରେ ଲୋକଙ୍କ ମନକୁ ଆକ୍ରାନ୍ତ କଲା । କେବେ ଫଇଜାବାଦ ବା ଅଯୋଧ୍ୟାରେ ରହୁଥିବା ଜଣେ ଗୁମ୍‌ନାମୀ ବାବା ଭଗବାନ ଦାସଙ୍କୁ ନେତାଜୀ ବୋଲି କୁହାଗଲା । ପୁଣି କେବେ ପୁରୀରେ ରହୁଥିବା ପ୍ରଣବାନନ୍ଦ ବୋଲି ଜଣେ ସାଧୁଙ୍କୁ ନେତାଜୀ ବୋଲି ପରିଚିହ୍ନିତ କରାଗଲା । ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଦୁର୍ଦ୍ଦର୍ଷ ସେନାପତି ସନ୍ନ୍ୟାସୀ ଭାବରେ ଗୋପନ ଜୀବନଯାପନ କରିଥିଲେ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ନେହେରୁ ଓ କଂଗ୍ରେସ ସରକାରକୁ ଡରି ନେତାଜୀ ଆତ୍ମଗୋପନ କରିଥିଲେ ବୋଲି ଯେଉଁମାନେ ଯୁକ୍ତି କରୁଛନ୍ତି, ସେମାନଙ୍କୁ ବଳି ନିର୍ବୋଧ ଆଉ କେହି ନଥିବେ । ନେତାଜୀଙ୍କର ବ୍ୟକ୍ତିତ୍ବ ଓ ଚରିତ୍ରର ଗୋଟିଏ ସ୍ପଷ୍ଟ ଦିଗ ହେଉଛି, ତାଙ୍କ ସାହସିକତା । ଏମିତି କୌଣସି ପ୍ରତିବନ୍ଧକ ନାହିଁ, ଯିଏ ନେତାଜୀଙ୍କୁ ତାଙ୍କ ଲକ୍ଷ୍ୟ ପଥରେ ଅଟକାଇ ପାରିଥାନ୍ତା । କୌଣସି ମିଛ ଭେଳିକି ଆଗରେ ହାର୍‌ ମାନିବାର ଲୋକ ନେତାଜୀ କେବେ ବି ନଥିଲେ ।

ନେତାଜୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ତିନି ଚାରୋଟି କଥା କୁହାଯାଉଛି । ନେତାଜୀ ଆତ୍ମନିର୍ବାସନ ବରଣ କରିଥିଲେ । ଏହା କଦାପି ସମ୍ଭବ ହୋଇନପାରେ । ଯଦି ସେ ଆତ୍ମ ନିର୍ବାସନରେ ଥିଲେ, ତା’ ହେଲେ ତାକୁ ନେଇ ଚର୍ଚ୍ଚା କରିବାର କୌଣସି କାରଣ ନାହିଁ । ଦେଶର ମୁକ୍ତି ପାଇଁ ଯେଉଁ ଯୋଦ୍ଧା ବ୍ରିଟିଶ୍‌ ସରକାର ଆଖିରେ ଧୂଳି ଦେଇ ଏକ ଆତ୍ମନିର୍ଭରଶୀଳ ସେନାବାହିନୀ ଗଢିପାରେ, ସେ କେଉଁଠି ସାଧୁ ହୋଇ ରାମନାମ ଜପ କରିବାର ସମ୍ଭାବନା ନାହିଁ । ରୁଷିଆ ଏବଂ ଚୀନ୍‌ରେ ନେତାଜୀଙ୍କ ଆତ୍ମଗୋପନ ବା ସେଠିକାର ସେନାବାହିନୀ ହାତରେ ତାଙ୍କ ବନ୍ଦୀ ଜୀବନ କଥା ଆଜି ମଧ୍ୟ ରହସ୍ୟାବୃତ୍ତ । ବିଶେଷ କରି ରୁଷିଆରେ ନେତାଜୀଙ୍କର ଶେଷ ଜୀବନକୁ ନେଇ ଅନେକ ଗାଲୁଗପ ଶୁଣିବାକୁ ମିଳୁଛି ।  ଟେଲିଭିଜନ୍‌ରେ ବିଭିନ୍ନ ବିଚିତ୍ରକର୍ମା ଗବେଷକ ଏବେ ରାତାରାତି ଐତିହାସିକ ପାଲଟିଯାଇଛନ୍ତି । ନେତାଜୀଙ୍କ ସହ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ଓ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ସାକ୍ଷାତକାରକୁ ନେଇ ଅଦ୍ଭୁତ ଯୁକ୍ତି ସବୁ କରାଯାଇଛି । ଦେଶର ଦୁଇ ପୂର୍ବତନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନେତାଜୀଙ୍କୁ ଭେଟି ଚୁପ୍‌ ରହିବାର କୌଣସି କାରଣ ନାହିଁ । ସବୁଠୁ ବିଡ଼ମ୍ବନାର କଥା ହେଉଛି, ଆଜି ଯେତେବେଳେ ନେତାଜୀଙ୍କ ନିଖୋଜ ରହସ୍ୟକୁ ନେଇ ଆମେ ଢେର୍‌ ଚର୍ଚ୍ଚା କରୁଛୁ, ସେତେବେଳେ ନେତାଜୀଙ୍କ ସହଯୋଗୀମାନେ କେହି ଆଉ ସାକ୍ଷ୍ୟ ଦେବାକୁ ଆମ  ପାଖରେ ନାହାନ୍ତି, ଶାହାନଵାଜ ହୁସୈନ୍‌, ଜିଏସ୍‌ ଧିଲୋନ୍‌, କ୍ୟାପ୍‌ଟେନ୍‌ ଲକ୍ଷ୍ମୀ ସହଗଲ୍‌ ପ୍ରମୁଖ ଏବେ ଆଉ ନାହାନ୍ତି । ସେମାନେ ତାଙ୍କ ଜୀବଦ୍ଦଶାରେ ନେତାଜୀଙ୍କ ଜୀବନକୁ ନେଇ କୌଣସି ରହସ୍ୟ ନିର୍ମାଣ କରିବାର ସୁଯୋଗ ଦେଇନାହାନ୍ତି ।

ସବୁଠୁ ବଡ଼ ସମସ୍ୟା ହେଉଛି ବୋଷ ପରିବାର ଭିତରେ ରହିଥିବା ବିଭେଦ । ନେତାଜୀଙ୍କର ନଅ ଭାଇ ଭଉଣୀଙ୍କ ପରିବାର ଏବେ ଖୁବ୍‌ ବିଶାଳ । ଏହି ପରିବାରରେ ବହୁ ବିଚାର ଓ ତତ୍ତ୍ବରେ ବିଶ୍ବାସୀ ମଣିଷ ଅଛନ୍ତି । ସେମାନେ ନେତାଜୀଙ୍କ ଜୀବନକୁ ନେଇ ନିଜେ ସନ୍ଦିହାନ । ନେତାଜୀଙ୍କ ନାତି ତଥା ବିଶିଷ୍ଟ ଐତିହାସିକ ସୁଗତ ବୋଷ ବିମାନ ଦୁର୍ଘଟଣାରେ ତାଙ୍କ ମୃତ୍ୟୁକୁ ସ୍ବୀକାର କରିଛନ୍ତି । ନେତାଜୀଙ୍କ ପୁତୁରା ବୋହୂ କ୍ରିଷ୍ଣା ବୋଷ୍‌ ମଧ୍ୟ ମୁଖାର୍ଜୀ କମିଶନ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ କ୍ରିଷ୍ଣା ବୋଷ୍‌ ଓ ସୁଗତ ବୋଷଙ୍କ ମତ ସହ ବୋଷ ପରିବାରର ଅନ୍ୟତମ ଦାୟାଦ ସୁବ୍ରତ ବୋଷ ଓ ତାଙ୍କ ପରିବାର ଏକମତ ନୁହନ୍ତି । ଅନେକ ସମୟରେ ନେତାଜୀଙ୍କ ଉତ୍ତରାଧିକାରକୁ ନେଇ ବୋଷ୍‌ ପରିବାର ଭିତରେ ଟଣାଓଟରା ମଧ୍ୟ ଚାଲିଛି । କିଛି ବର୍ଷ ତଳେ ଚନ୍ଦ୍ର ବୋଷ୍‌ ନେତାଜୀ ରିସର୍ଚ୍ଚ ବ୍ୟୁରୋ (ଯାହାର ମୁଖ୍ୟ ହେଉଛନ୍ତି କ୍ରିଷ୍ଣା ବୋଷ ଓ ସୁଗତ ବୋଷ୍‌) ବିରୋଧରେ ଗଣମାଧ୍ୟମରେ ଖୋଲାଖୋଲି ଅଭିଯୋଗ ଆଣିଥିଲେ । ପରିବାର ଭିତରେ ରହିଥିବା କ୍ଷମତା କନ୍ଦଳ ନେତାଜୀଙ୍କ ଜୀବନକୁ ଅଧିକ ରହସ୍ୟାବୃତ୍ତ କରୁଛି । ଏ ସମ୍ପର୍କରେ ଗଣମାଧ୍ୟମରେ ସଠିକ୍‌ ଆଲୋଚନା ହେଉନାହିଁ । ସାମ୍ବାଦିକମାନେ ଐତିହାସିକ ପାଲଟିଯିବା ଫଳରେ ଐତିହାସିକ ତଥ୍ୟର ସଠିକ୍‌ ତର୍ଜମା ସମ୍ଭବପର ହେଉନାହିଁ । ଆଜି ନେତାଜୀଙ୍କ ଗୋପନ ଫାଇଲ୍‌ ସବୁ ପ୍ରକାଶ ପାଇଲା ପରେ ନେତାଜୀ ଆମ ପାଇଁ ଅଧିକ ରହସ୍ୟମୟ ପାଲଟିଯାଉଛନ୍ତି ।

ନେତାଜୀ ରହସ୍ୟମୟ ହୋଇ ରୁହନ୍ତୁ, ସେଥିରେ କାହାର କିଛି କହିବାର ନାହିଁ । କିନ୍ତୁ ରହସ୍ୟ ଉନ୍ମୋଚନ ନାମରେ ତାଙ୍କର ବ୍ୟକ୍ତିତ୍ବକୁ ଯଦି ଖର୍ବ କରାଯାଏ ଓ ତାଙ୍କୁ ଜଣେ ଭୀରୁ ସାଧୁ ବୋଲି ବର୍ଣ୍ଣନା କରାଯାଏ, ତାହାଠୁ ବଳି ଦୁର୍ଭାଗ୍ୟ ଆଉ କିଛି ନାହିଁ । ନେତାଜୀ ଆମ ସମସ୍ତଙ୍କ ଆଖିରେ ସେହି ଚିରଚଞ୍ଚଳ ଓ ଅବିଚଳ ସାହସୀ ନେତାଜୀ । ତାଙ୍କର ଚରିତ୍ର କିମ୍ବା ବ୍ୟକ୍ତିତ୍ବ ଉପରେ ଆକ୍ଷେପ କରିବାର କୌଣସି ଅଧିକାର ଆମର ନାହିଁ । ସେହିପରି ନେତାଜୀଙ୍କୁ ନେହେରୁଙ୍କ ପରିକଳ୍ପିତ ଶତ୍ରୁ ଭାବରେ ଉପସ୍ଥାପନ କରି ରାଜନୈତିକ ଫାଇଦା ଉଠାଇବାର ଉଦ୍ୟମ ମଧ୍ୟ ଅତ୍ୟନ୍ତ ନିନ୍ଦନୀୟ ।