ସମୀକ୍ଷା ବ୍ୟୁରୋ
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡକୁ ନୂଆ ବସ୍ ମିଳିଥିବାବେଳେ ଏପରି ସମୟରେ ଭାରତୀୟ କ୍ରିକେଟ୍ରେ କିଛି ପରିବର୍ତ୍ତନ କରାଯିବା ନେଇ ସମ୍ଭାବନାକୁ ଅଣଦେଖା କରାଯାଇନପାରେ। ତେବେ କ୍ରିକେଟ୍ ଲିଗ୍ ଆଇପିଏଲ୍ରେ ଏକ ବଡ ପରିବର୍ତ୍ତନ ନେଇ ବିସିସିଆଇ ଯୋଜନା କରୁଥିବାର ସୂଚନା ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୁନିଆର ସବୁଠାରୁ ସଫଳ କ୍ରିକେଟ୍ ଲିଗ୍ ଆଇପିଏଲର ଏକ ବଡ ପରିବର୍ତ୍ତନ କରିବାକୁ ଯୋଜନା କରୁଛି। ବୋର୍ଡ ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲରେ ଏହି ନୂଆ ନିୟମ ଲାଗୁ କରିବାକୁ ବିଚାର କରୁଛି। ଏହି ନିୟମ ଅନୁସାରେ କୌଣସି ଟିମ୍ ଖେଳ ସମୟରେ କେବେ ବି ୱିକେଟ ପତନ ପରେ କିମ୍ବା ଓଭର ଶେଷ ହେବା ପରେ ନୂଆ ଖେଳାଳିକୁ ଖେଳାଇପାରିବ।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ ଏହି ସମ୍ପର୍କରେ କହିଛନ୍ତି ଯେ, ଏହି ନିୟମ ପାଇଁ ତ ବୋର୍ଡ ପକ୍ଷରୁ ମଞ୍ଜୁରୀ ମିଳିଯାଇଛି, କିନ୍ତୁ ଅନ୍ତିମ ନିର୍ଣ୍ଣୟ ମୁମ୍ବାଇ ସ୍ଥିତ ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟ ବୈଠକରେ ଆଲୋଚନା ପରେ ଘୋଷଣା କରାଯିବ।
୧୧ ଖେଳାଳି ପରିବର୍ତ୍ତେ ୧୫ ଖେଳାଳି ଖେଳିବାର ଯୋଜନା:
ଅଧିକାରୀ ଜଣଙ୍କ କହିଛନ୍ତି ଯେ, ପ୍ରତ୍ୟେକ କ୍ରିକେଟ୍ ମ୍ୟାଚ୍ରେ ୧୧ ଜଣ ଖେଳାଳୀ ଖେଳିବାର ପ୍ରାବଧାନ ଥିବାବେଳେ ଏଥିରେ କିଛି ପରିବର୍ତ୍ତନ କରାଯାଇ ୧୫ଜଣଙ୍କୁ ସାମିଲ୍ କରାଯିବ। ସେହିପରି ଭାବରେ କୌଣସି ଏକ ଖେଳାଳିକୁ ୱିକେଟ ପତନ ପରେ କିମ୍ବା ଓଭରର ପରିସମାପ୍ତି ପରେ ମଧ୍ୟ ପରିବର୍ତ୍ତନ କରାଯାଇପାରିବ। ଏହି ନୂତନ ନିୟମ ଦ୍ବାରା ମ୍ୟାଚ୍ ଉପରେ କିଛି ପ୍ରଭାବ ପକାଇବା ନେଇ ପ୍ରଶ୍ନର ଉତ୍ତରରେ ଅଧିକାରୀ ଜଣକ କହିଛନ୍ତି ଯେ, ଏହା ଦ୍ବାରା ମ୍ୟାଚ୍ର ଫଳାଫଳରେ ବିଶେଷ ପରିବର୍ତ୍ତନ ଦେଖାଯିବ। ଯଦ୍ବାରା ଉଭୟ ଟିମ୍ ନୂତନ ରଣନୀତି ତଥା କୌଶଳ ବ୍ୟବହାରରେ ଯଥେଷ୍ଟ ଧ୍ୟାନ ଦେବେ।
ମ୍ୟାଚର ଫଳାଫଳ ଏପରି ପରିବର୍ତ୍ତନ ହୋଇପାରେ:
ଅଧିକାରୀଜଣକ ଏହି ନୂତନ ନିୟମ ସମ୍ପର୍କରେ ଏକ ଉଦାହରଣ ଦେଇ କହିଛନ୍ତି ଯେ, ମନେକର କୌଣସି ଏକ ଟିମ ପାଇଁ ୬ଟି ବଲରେ ୨୦ରନ ଆବଶ୍ୟକ ପଡୁଥାଏ, ତେବେ ସେତେବେଳେ ଆନ୍ଦ୍ରେ ରସେଲ ବାହାରେ ବସିଛନ୍ତି, ଏବଂ ସେ ସଂପୂର୍ଣ୍ଣ ଫିଟ ନାହାନ୍ତି କିମ୍ବା ଅନ୍ତିମ ୧୧ ଖେଳାଳି ତାଲିକାରେ ନାହାନ୍ତି। ତେଣୁ ଏହି ନିୟମ ଜରିଆରେ ସେ ପଡିଆ ମଧ୍ୟକୁ ଆସି ବଡ ସଟ୍ ଖେଳି ମ୍ୟାଚର ଫଳାଫଳ ପରିବର୍ତ୍ତନ କରିପାରିବେ।
ସେହିପରି ଯଦି ଟିମ୍କୁ ଅନ୍ତିମ ଓଭରରେ ୬ରନ ବଞ୍ଚାଇବା ପାଇଁ ପଡେ, ତେବେ ସେହି ସମୟରେ ଟିମ୍ ପାଖରେ ଯଶପ୍ରିତ ବୁମରା ପରି ବୋଲର ବାହାରେ ବସିଥିବେ, ଅଧିନାୟକ ତାଙ୍କୁ ଅନ୍ତିମ ଓଭରରେ ଖେଳାଇ ଖେଳର ଫଳାଫଳ ପରିବର୍ତ୍ତନ କରିପାରିବେ।
ମଙ୍ଗଳବାର ଦିନ ଆଇପିଏଲ୍ରେ ଗର୍ଭନିଂ କାଉନ୍ସିଲ୍ ବୈଠକରେ ଏହି ନୂତନ ନିୟମ ସହିତ ୨୦୧୯ ଆଇପିଏଲ୍ରେ ସମୀକ୍ଷା କରାଯିବ। ଏତଦ୍ବ୍ୟତୀତ ଆଇପିଏଲ୍ର ଆଗାମୀ ସିଜିନ୍କୁ ଅଧିକ ଲୋକପ୍ରିୟ କରାଯିବା ନେଇ ବିଚାର କରାଯିବ।